Train Accident Update: ମୃତ୍ୟୁ ସଂଖ୍ୟା ୧୩ କୁ ବୃଦ୍ଧି, ୫୦ ଜଣ ଆହତ ସୂଚନା

Published: Oct 30, 2023, 8:24 am IST
TrainAccident

ଭୁବନେଶ୍ବର: ଓଡିଶା ଆନ୍ଧ୍ର ସୀମାନ୍ତରେ ହୋଇଥିବା ଭୟାବହ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୧ କୁ ବୃଦ୍ଧି ପାଇଥିବାର ଜଣା ପଡିଛି। ଏଥିସହିତ ୫୦ ଜଣ ଆହତ ହୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହି ସୂଚନା ଦେଇଛନ୍ତି ପୂର୍ବତଟ ରେଳପଥ। ସେହିପରି ଉଦ୍ଧାର କାର‌୍ୟ୍ୟ ଗତକାଲିଠାରୁ ଚାଲିଛି। ଆଜି ଅପରାହ୍ନ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହେବ ବୋଲି ରେଳବାଇ ତରଫରୁ କୁହାଯାଇଛି।

ତେବେ ଏହି ଦୁର୍ଘଟଣାରେ ୧୩ ଜଣ ମୃତ୍ୟୁବରଣ କରିଛନ୍ତି ବୋଲି ବେସରକାରୀ ଭାବେ କୁହାଯାଉଛି। ତେବେ ଏହି ସଂଖ୍ୟା ଆହୁରି ବଢିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଘଟଣା ସ୍ଥଳରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ତରଫରୁ ମଧ୍ୟ ସହଯୋଗ କରାଯାଉଛି। ସେହିପରି ଏନଡିଆରଏଫକୁ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏହି ଦୁର୍ଘଟଣାରେ ଲୋକପାଇଲଟ ଏବଂ ଜଣେ ଗାର୍ଡର ମୃତ୍ୟୁ ହୋଇଛି।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ୩ଟି ଓଡ୍ରାଫ୍ ଟିମ୍ ଏବଂ ଗୋଟିଏ ଫାୟାର୍ ସର୍ଭିସ୍ ଟିମ୍ ପଠାଯାଇଛି। କୋରାପୁଟର ଯାତ୍ରୀ ଓ ସମ୍ପର୍କୀୟମାନେ ସହାୟତା ନିମନ୍ତେ: ୯୯୩୭୮ ୨୪୭୫୨ ନମ୍ବର ଜାରୀ କରାଯାଇଛି।

ରେଳବିଭାଗ ମୃତ ଯାତ୍ରୀଙ୍କ ପରିବାର ବର୍ଗଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି। ରେଳମନ୍ତ୍ରୀ ଅଶ୍ବୀନ ବୈଷ୍ଣବ ଏହି ଘୋଷଣା କରିଛନ୍ତି। ସେହି ଅନୁସାରେ ମୃତକଙ୍କ ପରିବାର ବର୍ଗଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ। ସେହିପରି ଗୁରୁତର ଆହତଙ୍କ ଚିକିତ୍ସା ପାଇଁ ୧ ଲକ୍ଷ ଏବଂ ସାମାନ୍ୟ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ।

ଏହି ଦୁର୍ଘଟଣା ଯୋଗୁଁ ୧୫ଟି ଟ୍ରେନ ବାତିଲ କରାଯିବା ସହିତ ୨୨ଟି ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଛି। ଘଟଣାସ୍ଥଳରୁ ଯାତ୍ରୀମାନଙ୍କୁ ତାଙ୍କ ଗନ୍ତବ୍ୟ ସ୍ଥଳରେ ପହଁଚାଇବା ପାଇଁ ସେଠାରେ ବସ ବ୍ୟବସ୍ଥା ମଧ୍ୟ କରାଯାଇଛି। ସେହିପରି ଯାତ୍ରୀମାନଙ୍କୁ ଖାଦ୍ୟ ସାମଗ୍ରୀ ପାଣି ପ୍ରଭୃତି ସହାୟତା ପ୍ରଦାନ କରାଯାଉଛି।

ଗତକାଲି ସଂଧ୍ୟାରେ ବିଶାଖାପାଟାନାମ ନିକଟସ୍ଥ ଆଲମଣ୍ଡା ଷ୍ଟେସନ ନିକଟରେ ବିଶାଖାପାଟନାମ ରାୟଗଡା ପାସେଞ୍ଜର ଏବଂ ବିଶାଖାପାଟନାମ୍ ପଲାସା ପାସେଞ୍ଜର ଟ୍ରେନ ପଛରୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଏହାର ବିପରିତ ଲାଇନରେ ଆସୁଥିବା ଏକ ମାଲବାହୀ ଟ୍ରେନ ଉପରେ ମଧ୍ୟ କେତେକ ବଗି ମାଡି ବସିଛି। ବାଲେଶ୍ବରର ବାହାନାଗରେ ଯେପରି ଘଟିଥିଲା  ଏହି ଟ୍ରେନ ଦୁର୍ଘଟଣା ମଧ୍ୟ ସେହିପରି ହୋଇଛି।

Related posts