Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଲଗାତାର ଟ୍ରେନ ଦୁର୍ଘଟଣା ପାଇଁ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ଶ୍ରୀ ପଂଚାନନ କାନୁନଗୋ ଦେଶରେ ଏବଂ ବିଶେଷ କରି ପୂର୍ବତଟ ରେଳପଥରେ ବାରମ୍ବାର ଘଟୁଥିବା ରେଳ ଦୁର୍ଘଟଣା ପାଇଁ ଅପାରଗ ଓ ଦାୟୀତ୍ୱହୀନ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କର ଇସ୍ତଫା ଦାବି କରିଥିଲେ।

ସେ କହିଥିଲେ ଯେ ଓଡ଼ିଶାରୁ ଉଭୟ ବିଜେଡ଼ି ଓ ବିଜେପିର ସମର୍ଥନରେ ମିଳିତ ପ୍ରାର୍ଥୀ ଭାବରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇ କେନ୍ଦ୍ରରେ ରେଳମନ୍ତ୍ରୀ ହୋଇଥିବା ଅଶ୍ୱିନୀ ବୈଷ୍ଣବ ଆଜି ଓଡ଼ିଶାର ଲଜ୍ଜା ଓ ଦେଶବାସୀଙ୍କ ପାଇଁ ଦୁଃଖ ପାଲଟିଛନ୍ତି। ପୂର୍ବରୁ ରେଳବିଭାଗ ପାଇଁ ଏକ ସ୍ୱତନ୍ତ୍ର ବଜେଟ ସଂସଦରେ ଉପସ୍ଥାପନ କରାଯାଉଥିଲା। କିନ୍ତୁ ମୋଦି ସରକାରଙ୍କ ସମୟରେ ରେଳ ବେଜଟ ସାଧାରଣ ବଜେଟ ଭିତରେ ମିଶାଇ ଦିଆଯିବା ଫଳରେ ରେଳ ବଜେଟର ଅନେକ ବୈଷୟିକ କାର୍ଯ୍ୟକଳାପ ଓ ଆର୍ଥିକସ୍ଥିତି ବିଷୟରେ ସାଧାରଣ ଜନତାଙ୍କର ଜାଣିବାର ସୁଯୋଗ ନାହିଁ।

କଂଗ୍ରେସ କହିଛି ଯେ, ରେଲୱେ ସିଗ୍‌ନାଲ ସିଷ୍ଟମରେ ବ୍ୟାପକ ବୈଷୟୀକ ତୃଟି ଯୋଗୁଁ ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣା ଏବଂ ପରବର୍ତୀ ଅବସ୍ଥାରେ ଦେଶରେ ବିଭିନ୍ନ ସ୍ଥାନରେ ରେଳ ଦୁର୍ଘଟଣା ଘଟି ବ୍ୟାପକ ଧନଜୀବନ ନଷ୍ଟ ହେବା ସହ ଅନେକ ଲୋକ ଅକାଳରେ ମୃତ୍ୟୁବରଣ କରିଛନ୍ତି।

ଗତକାଲି ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶ ଓଡ଼ିଶା ସୀମାରେ ଦୁଇଟି ପାସେଞ୍ଜର ଟ୍ରେନ ମଧ୍ୟରେ ଘଟିଥିବା ଦୁର୍ଘଟଣା ଅତିବ ଦୁଃଖଦାୟକ। ଏଥିରେ ବର୍ତମାନ ସୁଦ୍ଧା ୧୪ରୁ ଅଧିକ ଲୋକ ମୃତ୍ୟୁବରଣ କରିବା ସହିତ ସଂଖ୍ୟାଧିକ ଲୋକ ଗୁରୁତ୍ୱର ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। କିନ୍ତୁ ଏତେ ଦୁର୍ଘଟଣା ଘଟିବା ସତ୍ୱେ ରେଳମନ୍ତ୍ରୀ କିଛି ଶିକ୍ଷାଲାଭ କଲାଭଳି ଲାଗୁ ନାହିଁ। ତେଣୁ ଓଡ଼ିଶାକୁ ଜାତୀୟସ୍ତରରେ ଅଧିକ ଲଜ୍ଜିତ ହେବାକୁ ନଦେଇ ନୈତିକତା ଦୃଷ୍ଟିରୁ ତୁରନ୍ତ ଇସ୍ତଫା ଦେବାପାଇଁ ଶ୍ରୀ କାନୁନଗୋ ଦାବି କରିଥିଲେ।

ପ୍ରଦେଶ କଂଗ୍ରେସ ମୁଖପାତ୍ର ପ୍ରଶାନ୍ତ ଶତପଥି ରେଳ ବିଭାଗର ଦାୟୀତ୍ୱ ହୀନତା ଓ ଉଦାସୀନତାକୁ ନେଇ ପ୍ରଶ୍ନ କରିବା ସହିତ ବିଜେପି ବିଜେଡ଼ି ଭାଇଚାରାର ମୂର୍ତିମନ୍ତ ପ୍ରତିକ ରେଳମନ୍ତ୍ରୀଙ୍କୁ ତୁରନ୍ତ ପଦରୁ ଇସ୍ତଫା ଦେବାକୁ ଆହ୍ୱାନ ଦେଇଥିଲେ। ଶ୍ରୀ ଶତପଥି କହିଥିଲେ ଯେ ୨୦୨୨-୨୩ ରେ ବର୍ତମାନ ସୁଦ୍ଧା ସମୁଦାୟ ୧୮ଟି ଟ୍ରେନ ଦୁର୍ଘଟଣା ଘଟିସାରିଲାଣି। ତାହାର ମୁଖ୍ୟ କାରଣ ରେଲୱେ ଟ୍ରାକର ସମୟ ଅନୁସାରେ ରକ୍ଷଣାବେକ୍ଷଣ ଏବଂ ଡିଜିଟାଲ ସିଗ୍‌ନାଲିଂ ସିଷ୍ଟମର ସଠିକ ମେଂଟେନାନ୍ସ ଅଭାବରୁ ଏଭଳି ଦୁର୍ଘଟଣା ବାରମ୍ବାର ଘଟିବାରେ ଲାଗିଛି।

ଯେଉଁ ଠିକା ସଂସ୍ଥାକୁ ସିଗ୍‌ନାଲିଂ ସିଷ୍ଟମର ମେଂଟେନାନ୍ସ ପାଇଁ ଠିକା ଦିଆଯାଇଛି ବିଗତ କିଛି ବର୍ଷ ଧରି ସଠିକ କାମ ନକରି କେବଳ ବିଲ ପାସକରି ନେଇଥିବା ହେତୁ ଏଭଳି ଦୁର୍ଘଟଣା ଘଟୁଛି ବୋଲି କିଛି ବରିଷ୍ଠ ରେଳବିଭାଗର ଅଧିକାରୀ ନାମ ଗୋପନ ରଖି ଏକଥା ପ୍ରକାଶ କରିଛନ୍ତି। ରେଲ ଲାଇନ, ରେଳ ଷ୍ଟେସନ ଆଦିକୁ ଆଦାନୀ ଭଳି ଘରୋଇ କମ୍ପାନୀ ହାତକୁ ଟେକି ଦେଇଥିବା ମୋଦି ସରକାର ସାଧାରଣ ଜନତାଙ୍କର ରେଳଯାତ୍ରା ସମୟରେ ସୁରକ୍ଷାକୁ ଆଦୌ ଗୁରୁତ୍ୱ ନେଦେବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀ ଶତପଥୀ କହିଛନ୍ତି।

ଲାଭଖୋର ମନବୃତି ନେଇ କିଛି ନିର୍ଦ୍ଦିଷ୍ଟ କମ୍ପାନୀର ମାଲଗାଡ଼ିକୁ ପ୍ରଥମେ ଯିବାପାଇଁ ସୁଯୋଗ ଦେବା ଏବଂ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନକୁ ବିଳମ୍ବରେ ଚଲାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଶ୍ରୀ ଶତପଥି ତଥ୍ୟ ରଖି କହିଥିଲେ ଯେ ଦେଶରେ ରେଳବିଭାଗର ସୁରକ୍ଷା ସମ୍ପର୍କିତ ପଦବୀ କ୍ଷେତ୍ରରେ ୧ ଲକ୍ଷ ୪୦ ହଜାର ପଦବୀ ଖାଲିଥିବା ବେଳେ ସମୁଦାୟ ୩ ଲକ୍ଷ ୧୨ ହଜାର ପଦବୀ ଖାଲି ପଡ଼ିଛି। ଏଗୁଡ଼ିକୁ ଅଗ୍ରାଧିକାର ଭିତିରେ ପୂରଣ କରିବାର କୌଣସି କାର୍ଯ୍ୟକ୍ରମ ହାତକୁ ନିଆଯାଉ ନାହିଁ।

ଦେଶରେ ମେ ମାସ ୨୦୨୨ ମସିହା ଠାରୁ ଏପ୍ରିଲ ମାସ ୨୦୨୩ ମସିହା ଭିତରେ ସମୁଦାୟ ୫୧ ହଜାର ଥର ରେଲ ସିଗ୍‌ନାଲିଂ ସିଷ୍ଟମ ଫେଲ ମାରିଛି । କିନ୍ତୁ ଏ ତ୍ରୁଟିକୁ ସୁଧାରିବାପାଇଁ ମୋଦି ସରକାର ଏବଂ ରେଳମନ୍ତ୍ରୀଙ୍କ ତରଫରୁ କୌଣସି କାର୍ଯ୍ୟକ୍ରମ ଅଦ୍ୟାବଧି ହାତକୁ ନିଆଯାଇ ନାହିଁ। ରେଳ ଭଡ଼ା ଆଗ ଅପେକ୍ଷା ଦୁଇଗୁଣା ବଢ଼ିଥିବା ବେଳେ ରେଳ ଯାତ୍ରୀଙ୍କର ସୁରକ୍ଷାକୁ ସମ୍ପୁର୍ଣ୍ଣ ଭାବରେ ନଜର ଅନ୍ଦାଜ କରାଯାଉଛି।

ଏ ପରିପ୍ରେକ୍ଷୀରେ ଓଡ଼ିଶାକୁ ରେଳ ବଜେଟରେ ଅଧିକ ଅନୁଦାନ ରାଶି ଦିଆଯାଉଥିବାର ଯେଉଁ ତୁଚ୍ଛା ବାହାସପୋଟ ମରାଯାଉଛି ତାହାର ବାସ୍ତବିକ ସତ୍ୟତା କିଛି ଅଲଗା । ତଥ୍ୟ କୁହେ ୨୦୧୬-୧୭ ମସିହାରେ ୧୫୫୦ କୋଟି ଟଙ୍କା ବ୍ୟୟବରାଦ ରାଶିରୁ ମାତ୍ର ୮୭୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ସେହିଭଳି ୨୦୧୭-୧୮ରେ ୫୧୦୨ କୋଟିରୁ ମାତ୍ର ୭୭୬ କୋଟି ଖର୍ଚ୍ଚ କରାଯାଇଛି। ୨୦୧୮-୧୯ ରେ ୫୨୫୨ କୋଟିରୁ ୧୦୪୮ କୋଟି ଖର୍ଚ୍ଚ ହୋଇଛି। ୨୦୧୯-୨୦ ରେ ୫୯୯୩ କୋଟିରୁ ପାଖାପାଖି ୧୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଓଡ଼ିଶାରେ ବଜେଟ ବ୍ୟୟବରାଦ ରାଶି ଖର୍ଚ୍ଚ ହେଉନଥିବାରୁ ରେଳ ବିଭାଗର ଯାତ୍ରୀ ସୁରକ୍ଷା ସଂପୂର୍ଣ୍ଣରୂପେ ବିପର୍ଯ୍ୟସ୍ତ ହୋଇଛି। ତେଣୁ କଂଗ୍ରେସର ଦାବି ନିଜର ଅପାରଗତା ପାଇଁ ଓଡ଼ିଶାବାସୀଙ୍କୁ କ୍ଷମା ମାଗି ରେଳମନ୍ତ୍ରୀ ତୁରନ୍ତ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ଦାବୀ କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋରଞ୍ଜନ ଦାଶ ଏବଂ ସଂଯୋଜକ ଦୀପକ କୁମାର ମହପାତ୍ର ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

Train Accident Update: ମୃତ୍ୟୁ ସଂଖ୍ୟା ୧୩ କୁ ବୃଦ୍ଧି, ୫୦ ଜଣ ଆହତ ସୂଚନା

ଭୁବନେଶ୍ବର: ଓଡିଶା ଆନ୍ଧ୍ର ସୀମାନ୍ତରେ ହୋଇଥିବା ଭୟାବହ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୧ କୁ ବୃଦ୍ଧି ପାଇଥିବାର ଜଣା ପଡିଛି। ଏଥିସହିତ ୫୦ ଜଣ ଆହତ ହୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହି ସୂଚନା ଦେଇଛନ୍ତି ପୂର୍ବତଟ ରେଳପଥ। ସେହିପରି ଉଦ୍ଧାର କାର‌୍ୟ୍ୟ ଗତକାଲିଠାରୁ ଚାଲିଛି। ଆଜି ଅପରାହ୍ନ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହେବ ବୋଲି ରେଳବାଇ ତରଫରୁ କୁହାଯାଇଛି।

ତେବେ ଏହି ଦୁର୍ଘଟଣାରେ ୧୩ ଜଣ ମୃତ୍ୟୁବରଣ କରିଛନ୍ତି ବୋଲି ବେସରକାରୀ ଭାବେ କୁହାଯାଉଛି। ତେବେ ଏହି ସଂଖ୍ୟା ଆହୁରି ବଢିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଘଟଣା ସ୍ଥଳରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ତରଫରୁ ମଧ୍ୟ ସହଯୋଗ କରାଯାଉଛି। ସେହିପରି ଏନଡିଆରଏଫକୁ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏହି ଦୁର୍ଘଟଣାରେ ଲୋକପାଇଲଟ ଏବଂ ଜଣେ ଗାର୍ଡର ମୃତ୍ୟୁ ହୋଇଛି।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ୩ଟି ଓଡ୍ରାଫ୍ ଟିମ୍ ଏବଂ ଗୋଟିଏ ଫାୟାର୍ ସର୍ଭିସ୍ ଟିମ୍ ପଠାଯାଇଛି। କୋରାପୁଟର ଯାତ୍ରୀ ଓ ସମ୍ପର୍କୀୟମାନେ ସହାୟତା ନିମନ୍ତେ: ୯୯୩୭୮ ୨୪୭୫୨ ନମ୍ବର ଜାରୀ କରାଯାଇଛି।

ରେଳବିଭାଗ ମୃତ ଯାତ୍ରୀଙ୍କ ପରିବାର ବର୍ଗଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି। ରେଳମନ୍ତ୍ରୀ ଅଶ୍ବୀନ ବୈଷ୍ଣବ ଏହି ଘୋଷଣା କରିଛନ୍ତି। ସେହି ଅନୁସାରେ ମୃତକଙ୍କ ପରିବାର ବର୍ଗଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ। ସେହିପରି ଗୁରୁତର ଆହତଙ୍କ ଚିକିତ୍ସା ପାଇଁ ୧ ଲକ୍ଷ ଏବଂ ସାମାନ୍ୟ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ।

ଏହି ଦୁର୍ଘଟଣା ଯୋଗୁଁ ୧୫ଟି ଟ୍ରେନ ବାତିଲ କରାଯିବା ସହିତ ୨୨ଟି ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଛି। ଘଟଣାସ୍ଥଳରୁ ଯାତ୍ରୀମାନଙ୍କୁ ତାଙ୍କ ଗନ୍ତବ୍ୟ ସ୍ଥଳରେ ପହଁଚାଇବା ପାଇଁ ସେଠାରେ ବସ ବ୍ୟବସ୍ଥା ମଧ୍ୟ କରାଯାଇଛି। ସେହିପରି ଯାତ୍ରୀମାନଙ୍କୁ ଖାଦ୍ୟ ସାମଗ୍ରୀ ପାଣି ପ୍ରଭୃତି ସହାୟତା ପ୍ରଦାନ କରାଯାଉଛି।

ଗତକାଲି ସଂଧ୍ୟାରେ ବିଶାଖାପାଟାନାମ ନିକଟସ୍ଥ ଆଲମଣ୍ଡା ଷ୍ଟେସନ ନିକଟରେ ବିଶାଖାପାଟନାମ ରାୟଗଡା ପାସେଞ୍ଜର ଏବଂ ବିଶାଖାପାଟନାମ୍ ପଲାସା ପାସେଞ୍ଜର ଟ୍ରେନ ପଛରୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଏହାର ବିପରିତ ଲାଇନରେ ଆସୁଥିବା ଏକ ମାଲବାହୀ ଟ୍ରେନ ଉପରେ ମଧ୍ୟ କେତେକ ବଗି ମାଡି ବସିଛି। ବାଲେଶ୍ବରର ବାହାନାଗରେ ଯେପରି ଘଟିଥିଲା  ଏହି ଟ୍ରେନ ଦୁର୍ଘଟଣା ମଧ୍ୟ ସେହିପରି ହୋଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Train Accident: ଉଦ୍ଧାର କାର୍ଯ୍ୟ କରିବା ପାଇଁ ଏସଆରସି ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ନବୀନ

ଭୁବନେଶ୍ବର: ଆଜି ସଂଧ୍ୟାରେ ଆନ୍ଧ୍ର ଓ ଓଡିଶା ସୀମାନ୍ତରେ ଘଟିଥିବା ରେଳ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍ପରତା ପ୍ରକାଶ କରିଛନ୍ତି। ତୁରନ୍ତ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ପାଇଁ ସେ ସ୍ବତନ୍ତ୍ର ରିଲିଫ କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ କୋରାପୁଟ ଓ ରାୟଗଡା ଜିଲ୍ଲାପାଳଙ୍କୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏଥିସହିତ ସେ ଏହି ଦୁର୍ଘଟଣାରେ ଆହତମାନଙ୍କର ଶିଘ୍ର ଆରୋଗ୍ୟ କାମନ ମଧ୍ୟ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Train Accident: ଯାତ୍ରୀଙ୍କ ସଂପର୍କରେ ଜାଣିବା ପାଇଁ ହେଲପ ଲାଇନ ଜାରୀ କଲା ରେଳ ବିଭାଗ

ଭୁବନେଶ୍ବର: ଆଜି ସଂଧ୍ୟାରେ ପୁଣି ଏକ ଟ୍ରିପଲ ଟ୍ରେନ ଦୁର୍ଘଟଣା ଘଟିଯାଇଛି। ଏହା ଓଡିଶା ଆନ୍ଧ୍ର ସୀମାନ୍ତରେ ଘଟିଛି। ଆଲମଣ୍ଡା ଷ୍ଟେସନରେ ବିଶାଖାପାଟନାମ ରାୟଗଡା ପାସେଞ୍ଜର ଏବଂ ବିଶାଖାପାଟନାମ୍ ପଲାସା ପାସେଞ୍ଜର ଟ୍ରେନ ପଛରୁ ଧକ୍କା ଦେଇଛି। ଏହାର ବିପରିତ ଲାଇନରେ ଆସୁଥିବା ଏକ ମାଲବାହୀ ଟ୍ରେନ ଉପରେ କେତକ ବଗି ମାଡି ବସିଛି। ଏହି ଦୁର୍ଘଟଣାରେ 6 ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାପଡିଛି।

ତେବେ ଏହି ପାସେଞ୍ଜର ଟ୍ରନରେ ଆସୁଥିବା ଯାତ୍ରୀଙ୍କ ସଂପର୍କରେ ଜାଣିବା ପାଇଁ ରେଳ ବିଭାଗ ତରଫରୁ ହେଲପ ଲାଇନ ଜାରୀ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Train Accident: ପୁଣି ଏକ ଭୟାବହ ଟ୍ରିପଲ ଟ୍ରେନ ଦୁର୍ଘଟଣା, 6 ଜଣ ମୃତ୍ୟୁ

ଭୁବନେଶ୍ବର: ଆଜି ସଂଧ୍ୟାରେ ପୁଣି ଏକ ଟ୍ରିପଲ ଟ୍ରେନ ଦୁର୍ଘଟଣା ଘଟିଯାଇଛି। ଏହା ଓଡିଶା ଆନ୍ଧ୍ର ସୀମାନ୍ତରେ ଘଟିଛି। ଆଲମଣ୍ଡା ଷ୍ଟେସନରେ ବିଶାଖାପାଟନାମ ରାୟଗଡା ପାସେଞ୍ଜର ଏବଂ ବିଶାଖାପାଟନାମ୍ ପଲାସା ପାସେଞ୍ଜର ଟ୍ରେନ ପଛରୁ ଧକ୍କା ଦେଇଛି। ଏହାର ବିପରିତ ଲାଇନରେ ଆସୁଥିବା ଏକ ମାଲବାହୀ ଟ୍ରେନ ଉପରେ କେତକ ବଗି ମାଡି ବସିଛି।

ଏହି ଦୁର୍ଘଟଣାରେ 6 ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାପଡିଛି। ତେବେ ଏହି ସଂଖ୍ୟା ଆହୁରି ବଢିବ ବୋଲି ଅନୁମାନ କରାଯାଇଛି। ସେହିପରି ଶତାଧିକ ଯାତ୍ରୀ ଆହତ ହୋଇଛନ୍ତି। ଏହି ଘଟଣା ପରେ ଭୁବନେଶ୍ବରରୁ ଏକ ଉଦ୍ଧାରକାରୀ ଦଳ ଘଟଣାସ୍ଥଳକୁ ଗସ୍ତ କରିଛନ୍ତି। ସେହିପରି ଉଦ୍ଧାର କାର୍ଯ୍ୟ କରିବା ପାଇଁ ଏନଡିଆରଏଫ ଟିମକୁ ମଧ୍ୟ ମୁତୟନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଟ୍ରେନ ଟ୍ରାଜେଡି: ଆଉ ୭ ରେଳ କର୍ମଚାରୀ ନିଲମ୍ବିତ

ଭୁବନେଶ୍ଵର: ବାହାନଗା ଟ୍ରେନ ଦୁର୍ଘଟଣା ମାମଲାରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୂର୍ବରୁ ୩ ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ଆଉ ୭ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। କର୍ତ୍ତବ୍ୟ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଥିବା କୁହାଯାଉଛି। ଷ୍ଟେସନ ମାଷ୍ଟର, ଟ୍ରାଫିକ ଇନସପେକ୍ଟର, ମେଣ୍ଟନରଙ୍କୁ ନିଲମ୍ବନ କରାଯାଇଛି। ସମ୍ପୃକ୍ତ ରେଳ କର୍ମଚାରୀମାନେ ଆଲର୍ଟ ଥିଲେ ଦୁର୍ଘଟଣା ଟାଳି ହୋଇପାରିଥାନ୍ତା ବୋଲି କୁହାଯାଉଛି। ଏନେଇ ଜିଏମ ଅନିଲ କୁମାର ମିଶ୍ରା ସୁଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Big Breaking: ବାହାନଗା ଟ୍ରେନ ଦୁର୍ଘଟଣା ନେଇ ତିନିଜଣଙ୍କୁ ଗିରଫ କଲା ସିବିଆଇ

Train Accident: ଶେଷରେ ବାହାନଗା ଟ୍ରେନ ଦୁର୍ଘଟଣାରେ ତିନିଜଣଙ୍କୁ ସିବିଆଇ ଗିରଫ କରିଛି। ଏ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ସେହି ଅନୁସାରେ ସିବିଆଇ ସେକସନ ଇଞ୍ଜିନିୟର ଅରୁଣ ମହନ୍ତ, ମହମ୍ମଦ ଆମୀର ଖାନ, ଟେକନିସିଆନ ପପୁ କୁମାର ଗିରଫ ହୋଇଥିବାର ଜଣାପଡିଛି।

ଏମାନଙ୍କୁ ଜାଣିଶୁଣି ଟ୍ରେନ ଦୁର୍ଘଟଣା କରାଇଥିବାର କାରଣ ନେଇ ସିବିଆଇ ଗିରଫ କରିଛି। ଗତ ଜୁନ ଦୁଇ ତାରିଖରେ ବାହନଗାରେ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣା ଏହିମାନଙ୍କ ଯୋଗୁଁ ଘଟିଥିଲା ବୋଲି ସିବିଆଇ ଜାଣିବାକୁ ପାଇଛି। ତେବେ ସେମାନଙ୍କୁ କେଉଁଠାରୁ ଗିରଫ କଲା ସେ ନେଇ କୈଣସି ସୂଚନା ନାହିଁ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Train Accident: ସିବିଆଇର ବଡ ପଦକ୍ଷେପ, ସିଲ୍ କଲା କନିଷ୍ଠ ସିଗନାଲ ଇଂଜିନିୟରଙ୍କ ବାସଭବନ

ଭୁବନେଶ୍ବର: ବାହାନଗାରେ ଘଟିଯାଇଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ସିବିଆଇ ବଡ ପଦକ୍ଷେପ ଗ୍ରହଣ କରିଛି। ସିବିଆଇ ଗତକାଲି ରାତିରେ ବାଲେଶ୍ବରରେ ଥିବା କନିଷ୍ଠ ସିଗନାଲ ଇଂଜିନିୟରଙ୍କ ଘର ସିଲ କରିଛି।

ସେହି ଘରେ କନିଷ୍ଠ ସିଗିନାଲ ଇଂଜିନିୟର ଏବଂ ତାଙ୍କ ପରିବାର ବାସ କରୁଥିଲେ। ପୂର୍ବରୁ ସିବିଆଇ ତଦନ୍ତ ସମୟରେ ତାଙ୍କୁ ମଧ୍ୟ ପଚରାଉଚୁରା କରାଯାଇଥିଲା। ହେଲେ ଗତ କିଛି ଦିନ ଧରି ସେ ତାଙ୍କ ପରିବାର ସହିତ କେଉଁଆଡେ ଚାଲିଯାଇଛନ୍ତି।

ପରବର୍ତ୍ତି ତଦନ୍ତ ପାଇଁ ତାଙ୍କୁ ଖୋଜାପଡିବା ପରେ ସେ ମିଳି ନ ଥିଲେ। ଏହାପରେ ସିବିଆଇ ତାଙ୍କ ଭଡାଘରକୁ ସିଲ କରିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବାହାନଗା ଟ୍ରେନ ଦୁର୍ଘଟଣାର ତଦନ୍ତ କରୁଥିବା ସିବିଆଇ ଅଧିକାରୀ ଦିଲ୍ଲୀ ଫେରିଲେ, କଣ ମିଳିଲା ?

ଭୁବନେଶ୍ବର: ଗତ 2 ତାରିଖରେ ବାଲେଶ୍ବର ବାହାନଗାରେ ଯେପରି ଟ୍ରେନ ଦୁର୍ଘଟଣା ଘଟିଲା ତାହା ସାରା ବିଶ୍ବକୁ ସ୍ତବ୍ଧ କରିଦେଇଛି। ଏହି ଦୁର୍ଘଟଣାରେ 290 ଜଣ ଯାତ୍ରଙ୍କପ ମୃତ୍ୟୁ ହୋଇଛି। ତେବେ ଏପରି ଦୁର୍ଘଟଣା କାହିଁକି ଘଟିଲା ତାହାର ତଦନ୍ତ କରୁଛି ସିବିଆଇ। ଏହି ତଦନ୍ତ ସଂସ୍ଥାର ଏକ ଟିମ ଆସି ତଦନ୍ତ କରି ଦିଲ୍ଲୀ ଫେରିଯାଇଛନ୍ତି।

ତେବେ ଏହି ତଦନ୍ତ ଶେଷ ହୋଇଛି କି ନାହିଁ ସେ ନେଇ କେହି କିଛି ସୂଚନା ଦେଇ ନାହାଁନ୍ତି। ସିବିଆଇ ତଦନ୍ତ କରିବ ବୋଲି ଘୋଷଣା ପରେ ଏକ ଦଳ ବାହାନଗା ଆସି ତଦନ୍ତ କରିଥିଲେ। ସେମାନେ ସିଗନାଲ ରୁମ, ରିଲେ ରୁମ, ଅଟୋମେଟିକ ସୁଇଚ ବୋର୍ଡ ପରୀକ୍ଷା ନିରୀକ୍ଷା କରିଥିଲେ। ଏ ନେଇ ସେ ବିଭିନ୍ନ ରେଳ ଅଧିକାରୀଙ୍କୁ ପଚରା ଉଚୁରା କରିଥିଲେ। ହେଲେ ତାହାର ଫଳାଫଳ କଣ ତାହା ଏ ପର୍ଯ୍ୟନ୍ତ ଜଣାପଡି ନାହିଁ।

ଏକ ବିଶେଷ ସୁତ୍ର ଅନୁସାରେ ବର୍ତ୍ତମାନ ସିବିଆଇ ତଦନ୍ତ କରି କୌଣସି କାରଣ ଖୋଜି ପାଇପାରି ନାହଁ ବୋଲି କୁହାଯାଉଛି। କାରଣ ଏପରି ବୈଷୟିକ ତଦନ୍ତ ସିବିଆଇ ପକ୍ଷରେ କୁଆଡେ କଷ୍ଟକର ବ୍ୟାପାର ହୋଇଛି ବୋଲି କୁହାଯାଉଛି। ସେପଟେ ସିବିଆଇ ତଦନ୍ତରେ ସମସ୍ତ ସହଯୋଗ ପ୍ରଦାନ କରାଯାଇଛି ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ହେଲେ କଣ ନିର୍ଯ୍ୟାସ ବାହାରିଲା ସେ ନେଇ କେହି କିଛି କହିବାକୁ ନାରାଜ।

ତେବେ ଆଉ ଏକ ସୁତ୍ର ଅନୁସାରେ ସିବିଆଇ ଟିମ ପୁଣି ଥରେ ଏହାର ତଦନ୍ତ କରିବା ପାଇଁ ବାଲେଶ୍ବର ଆସିବେ। ବର୍ତ୍ତମାନ ପ୍ରାରମ୍ଭିକ ତଦନ୍ତ ଶେଷ ହୋଇଛି। ସିବିଆଇ ଆଉ କେତେକ ବୈଷୟିକ ଅଧିକାରୀଙ୍କୁ ନେଇ ଆସିବେ ବୋଲି ଜଣାପଡିଛି। ତେବେ ଏତେବଡ ଗୁରୁତର ଘଟଣାକୁ ନେଇ ତଦନ୍ତର ଦିଗ ଯେପରି ଦ୍ରୁତ ହେବା କଥା ତାହା ହେଉ ନାହିଁ ବୋଲି ଅନୁମାନ କରାଯାଉଛି।

ଘଟଣା ପରଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋଦ ଆସି ତଦାରଖ କରିଥିଲେ। ସେଠାରେ ସେ ଘୋଷଣା କରିଥିଲେ ଯେ, ଯେ ଦୋଷୀ ତାକୁ କେବେ ଛଡାଯିବ ନାହିଁ ବୋଲି କହିଥିଲେ। ଏଥିରୁ ଅନୁମାନ କରାଗଲା ଯେ, ଖୁବ ଶିଘ୍ର ଏହି ଦୁର୍ଘଟଣାର କାରଣ ଜଣାପଡିଯିବ। ତା ପୂର୍ବରୁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ କହିଥିଲେ ଯେ ଦୋଷ କରିଛି ତାହାକୁ ଚିହ୍ନଟ ସରିଲାଣି। ଏତେ ସବୁ ଭିତରେ ପୁଣି ତଦନ୍ତରେ ଏପରି ଶିଥିଳତାକୁ ନେଇ ଚାରିଆଡେ ସନ୍ଦେହ ପ୍ରକାଶ ପାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବାହାନଗା ଟ୍ରେନ ଦୁର୍ଘଟଣା, ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇଲା

ଭୁବନେଶ୍ବର: ପୁଣିଥରେ ବାହାନଗା ଟ୍ରେନ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଆଜି ଆଉ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟଛି। ଫଳରେ ଏହି ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ୨୯୦ କୁ ବୃଦ୍ଧି ପାଇଛି। କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ବିହାର ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାମ ହେଲା ପ୍ରକାଶ ରାମ ଏବଂ ବୟସ ୧୭ ବର୍ଷ ହେବ।

ସେହିପରି ପୂର୍ବରୁ ଆଉ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ସରକାରୀ ଏହି ଏହି ମୃତ୍ୟୁ ସଂଖ୍ୟା ୨୮୮ ବୋଲି ଘୋଷଣା କରାଯାଇଥିଲା। ବର୍ତ୍ତମାନ ଏହି ଦୁଇ ଜଣଙ୍କର ମୃତ୍ୟୁ ହେବା ପରେ ଏହି ସଂଖ୍ୟା ୨୯୦ କୁ ବୃଦ୍ଧି ପାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଟ୍ରେନ ମୃତକଙ୍କ ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫାଣ୍ଠିକୁ ଦାନ କଲେ ଟ୍ରଜେରୀ ଅମଲା ସଂଘ

ଭୁବନେଶ୍ବର: ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବାହାନଗା ଠାରେ ଘଟିଥିବା ରେଳ ଦୁର୍ଘଟଣାଗ୍ରସ୍ତ ପରିବାରଙ୍କୁ ସାହାଯ୍ୟାର୍ଥେ ଗତକାଲି ନିଖିଳ ଓଡ଼ିଶା ଟ୍ରେଜେରୀ ଅମଲା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପଚାଶ ହଜାର ଏକ ଟଙ୍କା ସହାୟତା ପ୍ରଦାନ କରାଯାଇଛି।

ଲୋକସେବା ଭବନ ରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କୁ ସଂଘର ସଭାପତି ସମର ରଂଜନ କାନୁନ୍ଗୋ ଏବଂ ସାଧାରଣ ସଂପାଦକ ଶୁଭେନ୍ଦୁ କୁମାର ରାଉତରାୟଙ୍କ ସହିତ ସଂଘର ଅନ୍ୟ କର୍ମକର୍ତ୍ତା ସାକ୍ଷାତ କରି ଏହି ସହାୟତା ରାଶି ଚେକ ଆକାରରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଟ୍ରେନ ଦୁର୍ଘଟଣାରେ ସ୍ବାମୀ ମରିଛନ୍ତି କହି ଟଙ୍କା ହାତେଇବାକୁ ଉଦ୍ୟମ, ମହିଳା ଅଟକ

ଭୁବନେଶ୍ବର: ବାଲେଶ୍ବର ଟ୍ରେନ ଦୁର୍ଘଟଣାରେ ସାରା ବିଶ୍ବ ଦୁଃଖ ପ୍ରକାଶ କରୁଥିବା ବେଳେ ସେପଟେ ମୃତକଙ୍କ ଟଙ୍କା ହାତେଇବା ପାଇଁ ହୀନ ଉଦ୍ୟମ ପଦାକୁ ଆସିଛି। ଜଣେ ମହିଳା ନିଜ ସ୍ବାମୀ ଦୁର୍ଘଟଣାରେ ମରିଯାଇଛନ୍ତି କହି ଟଙ୍କା ହାତେଇବାକୁ ଚେଷ୍ଠା କରି ଧରାପଡିଛନ୍ତି।

ମହିଳା ଜଣଙ୍କ ହେଉଛନ୍ତି ବଡମ୍ବା ମାଣିଆବନ୍ଧ ଅଞ୍ଚଳ ଗୀତାଞ୍ଜଳି ଦତ୍ତ। ସେ ବାଲେଶ୍ବର ନୋସି ବିଜେନେସ ପାର୍କରେ ଥିବା ଶବଖାନାକୁ ଆସି କାନ୍ଦବୋବାଳି କରି ସ୍ବାମୀ ମରିଯାଇଛନ୍ତି ବୋଲି କହିିଥିଲା।  ସେଠାରେ ଥିବା ଅଧିକାରୀମାନେ ମହିଳାଙ୍କୁ ଶବ ଚହ୍ନଟ କରିବା ପାଇଁ ଅନୁମତି ଦେଇଥିଲେ। ସେ ଜଣେ ପୁରୁଷଙ୍କ ଶବକୁ ମୋ ସ୍ବାମୀ ବୋଲି କହି ତା ଉପରେ କାନ୍ଦି ଲୋଟିପଡିଥିଲେ।

ଏହାପରେ ସେଠାରେ ଥିବା ଅଧିକାରୀ ତାଙ୍କର ପରିଚୟ ପତ୍ର ସ୍ବାମୀଙ୍କ ପରିଚୟ ପତ୍ର ମାଗିବା ପରେ ମହିଳା ଜଣଙ୍କ ଅସୁବିଧାରେ ପଡିଯାଇଥିଲେ। ହଁ ଆଣୁଛି କହି ସେ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଜିଆରପି ହାବୁଡରେ ପଡିଥିଲେ। ମହିଳାଙ୍କୁ ଅଟକ ରଖାଯାଇଛି।

ସେପଟେ ଆଶ୍ଚର୍ଯ୍ୟର କଥା ମହିଳାଙ୍କ ସ୍ବାମୀ ବିଜୟ ଦତ୍ତ ଏ ଘଟଣା ଜାଣିବା ପରେ ସେ ଥାନାରେ ଏକ ଏଫଆଇର ଦାୟର କରିବାକୁ ଗଲେ। ସେ ମାଣିଆବନ୍ଧ ଥାନାରେ ଅଭିଯୋଗ କରିଛନ୍ତି ଯେ, ମୋ ସ୍ତ୍ରୀ ତିନିଦିନ ହେଲା ନିଖୋଜ ଅଛନ୍ତି। ମୁଁ ଟ୍ରେନ ଦୁର୍ଘଟଣାରେ ମରିଯାଇଛି କହି ଅନୁକମ୍ଫା ରାଶି ହାତେଇବାକୁ ସେ ଚେଷ୍ଠା କରୁଛନ୍ତି। ମୋର ମାନ ସମ୍ମାନ ରକ୍ଷା କରିବା ପାଇଁ ତାକୁ ଏହି କାର୍ଯ୍ୟରୁ ରୋକନ୍ତୁ ବୋଲି ସେ ଅଭିଯୋଗ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଧାରକାର୍ଡ ଡାଟା ଯୋଗୁଁ ମିଳିଲା ଟ୍ରେନ ଦୁର୍ଘଟଣା ମୃତକଙ୍କ ପରିଚୟ

ଭୁବନେଶ୍ବର: ବାଲେଶ୍ବର ବାହନଗା ଟ୍ରେନ ଦୁର୍ଘଟଣା ସାରା ବିଶ୍ବକୁ ସ୍ତମ୍ଭିଭୂତ କରିଛି। ତେବେ ଏହି ଦୁର୍ଘଟଣା ପରେ ମୃତକଙ୍କ ପରିଚୟକୁ ନେଇ ବର୍ତ୍ତମାନ ଆହୁରି ଦୁଃଖଦ ପରିସ୍ଥିତି ସୃଷ୍ଟି ହୋଇଛି। ହେଲେ ଏହି ଚିହ୍ନଟ ପକ୍ରିୟାକୁ ବେଶ୍ ସରଳ କରିପାରିଛି ଆଧାର ସଂଯୋଗ ଡାଟା।

ମୃତକଙ୍କ ଆଙ୍ଗୁଠି ଛାପ ହିଁ ତାଙ୍କର ପରିଚୟକୁ ସମାନାକୁ ଆଣିଛି। ସମସ୍ତ ମୃତକଙ୍କ ଆଙ୍ଗୁଠି ଛାପ ନେଇ ଆଧାର ଲିଙ୍କ ସଂଯୋଗ ସହିତ ମେଳ କରାଯିବା ପରେ ସେଥିରୁ ୪୪ ଜଣଙ୍କର ପରିଚୟ ହାସଲ କରିବାରେ ସକ୍ଷମ ହୋଇଛି ପ୍ରଶାସନ।

ଯେତେବେଳେ ଆଧାର କାର୍ଡ କରାଯାଏ ସେତେବେଳେ ସମସ୍ତଙ୍କ ଆଙ୍ଗୁଠି ଛାପ ସହିତ ଆଖିର ଡାଟା ନିଆଯାଇ ସଂରକ୍ଷିତ ରଖାଯାଇଥାଏ। ସେହି ଆଧାରରେ ମୃତକଙ୍କ ଆଙ୍ଗୁଠି ଛାପ ନିଆଯାଇ ଆଧାର ଡାଟା ସହିତ ମେଳକ କରିବା ପରେ ୪୪ ଜଣଙ୍କର ସଂପୂର୍ଣ୍ଣ ପରିଚୟ ମିଳିପାରିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରେଳ ଦୁର୍ଘଟଣା: ଓଡିଶାର ମୃତକ ସଂପର୍କୀୟଙ୍କ ପାଇଁ ସହାୟତା ରାଶି ମଂଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବାହାନଗା ଟ୍ରେନ ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ଓଡିଶାର ୩୯ ଜଣ ମୃତକଙ୍କ ପାଇଁ ୧.୯୫ କୋଟି ଟଙ୍କା ମଞ୍ଜୁର କରିସାରିଛନ୍ତି। ଏହି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯାଉଛି।

ମୃତକଙ୍କ ମଧ୍ୟରେ ଭଦ୍ରକର ୮ଜଣ, ଯାଜପୁରର ୨, ବାଲେଶ୍ୱରର ୧୪ଜଣ, ମୟୁରଭଞ୍ଜର ୯ଜଣ, ଖୋର୍ଦ୍ଧାର ୨, କଟକର ୩ଜଣ ଓ କେନ୍ଦୁଝରର ଜଣେ ବ୍ୟକ୍ତି ଅଛନ୍ତି। ମୃତକମାନଙ୍କର ନିକଟତମ ଆତ୍ମୀୟଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ପ୍ରଦାନ ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ପୂର୍ବରୁ ଓଡିଶାର ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Balasore Train Tragedy: ବଢିଲା ମୃତ୍ୟୁ ସଂଖ୍ୟା, ଘଟଣାସ୍ଥଳର ଦୂରରୁ ମିଳିଲା ଶବ

ଭୁବନେଶ୍ବର: ବାହାନଗା ଟ୍ରେନ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ବୃଦ୍ଧି ୨୭୫ ରୁ ୨୮୮ କୁ ବୃଦ୍ଧି ପାଇଛି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ସେ ଏକ ପ୍ରେସ ବିବୃତିରେ କହିଛନ୍ତି ଯେ, ଉଦ୍ଧାର କାର୍ଯ୍ୟ କରିବା ପରେ ପୁଣି ଥରେ ଜିଲ୍ଲାପ୍ରଶାସନ ଦୁର୍ଘଟଣାସ୍ଥଳର ଦୁଇ ପଟର ପ୍ରାୟ ଦୁଇଶହ ଫୁଟ ପର୍ଯ୍ୟନ୍ତ କମ୍ବିଂ ଅପରେସନ କରିଥିଲେ।

ଏହି ଅପରେସନ ବେଳେ ସେଠାରେ କେତେକ ମୃତ୍ୟଦେହ ପରିଲକ୍ଷିତ ହୋଇଥିଲା। ସେସବୁକୁ ମିଶାଇଲେ ଟ୍ରେନ ଦୁର୍ଘଟଣାର ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ହେଲା ୨୮୮ ବୋଲି ଶ୍ରୀ ଜେନା କହିଛନ୍ତି। ବାଲେଶ୍ବର ଜିଲ୍ଲାପାଳଙ୍କ ତଥ୍ୟ ଅନୁସାରେ ସେମାନେ ଭୁବନେଶ୍ୱରକୁ ୧୯୩ଟି ମୃତଦେହ ପଠାଇଥିଲା। ବାଲେଶ୍ୱର ଜିଲ୍ଲାରେ ୯୪ଟି ମୃତଦେହକୁ ଚିହ୍ନଟ କରାଯାଇ ହସ୍ତାନ୍ତର କରାଯାଇଛି। ସେହିଭଳି ଭଦ୍ରକରେ ଚିକିତ୍ସିତ ହେଉଥିବା ଆହତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଏସବୁକୁ ମିଶାଇଲେ ଶେଷ ମୃତ୍ୟୁ ସଂଖ୍ୟା ୨୮୮ରେ ପହଞ୍ଚିଛି ବୋଲି ଶ୍ରୀ ଜେନା କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Breaking News: Train Accident ସ୍ଥଳରେ ପହଞ୍ଚିଲେ CBI ଟିମ, ତଦନ୍ତ ଆରମ୍ଭ

ଭୁବନେଶ୍ବର: ଆଜି ସକାଳେ CBI ର ଦଶ ଜଣିଆ ଟିମ ବାଲେଶ୍ବରର ବାହାନଗା ଟ୍ରେନ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେମାନେ ଏହିପରି ଏକ ଭୟଙ୍କର ଦୁର୍ଘଟଣା କିପରି ହେଲା ସେ ନେଇ ତଦନ୍ତ କରିବେ। ଏ ନେଇ ରେଳ ବୋର୍ଡ ତରଫରୁ ସିବିଆଇକୁ ଅନୁରୋଧ କରାଯାଇଥିଲା। ସେହି ଅନୁସାରେ ଏହି ଟିମ ତଦନ୍ତ ଆରମ୍ଭ କରିଛନ୍ତି।

ମୁଖ୍ୟତଃ ଏହି ଦୁର୍ଘଟଣା ପଛରେ ଚକ୍ରାନ୍ତ ରହିଛି ବୋଲି ସନ୍ଦେହ ପ୍ରକାଶ ପାଇଛି। କାରଣ ବର୍ତ୍ତମାନ ବୈଷୟିକ ବା ଆଇଟି ପଦ୍ଧତି ଅନୁସାରେ ଟ୍ରେନ ସିଗନାଲ ପରିଚାଳନା ହେଉଛି। ଗୋଟିଏ ଡାଟା ଭୁଲ ଥିଲେ ସିଗନାଲ କେବେ ଗ୍ରୀନ ହେବ ନାହିଁ। କେବଳ ମାନ୍ୟୁୟାଲ ପଦ୍ଧତିରେ ଏପରି କାମ କରିହେବ। ସେ ନେଇ ସିବିଆଇ ବଡ ଧରଣର ତଦନ୍ତ କରିବ ବୋଲି ଜଣାପଡିଛି।

 

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

ବାହାନଗା ଟ୍ରେନ ଦୁର୍ଘଟଣା ଥିଲା ୧୯୯୯ ମହାବାତ୍ୟା ପରି ଆଉ ଏକ ବଡ ବିପର୍ଯ୍ୟୟ

ଭୁବନେଶ୍ବର: ବାଲେଶ୍ବରରେ ବାହାନଗାଠାରେ ଯେପରି ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ଘଟିବା ପରେ ଉଦ୍ଧାର କାର୍ଯ୍ୟ ଥିଲା ସବୁଠାରୁ ଚ୍ୟାଲେଞ୍ଜିଂ କାମ। ଯାହାକୁ ଓଡିଶା ସରକାର ବରିଷ୍ଠ ଅଧିକାରୀମାନେ ରାତିଦିନ ପରିଶ୍ରମ କରି ମୁକାବିଲା କରିବାରେ ସକ୍ଷମ ହୋଇପାରିଛନ୍ତି। ମୁଖ୍ୟତଃ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା କରିବା ଦକ୍ଷତା ଏହି କ୍ଷେତ୍ରରେ ବେଶ ସାହାର୍ଯ୍ୟ କରିପାରିଥିଲା। ଫଳରେ ଆଜି ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟର ଲୋକେ ପ୍ରଶଂସା କରିବାରେ ଲାଗିଛନ୍ତି।

ଏହି ଦୁର୍ଘଟଣା ୧୯୯୯ ମସିହାର ମହାବାତ୍ୟା ପରେ ଆଉ ଏକ ବଡ ବିପର୍ଯ୍ୟୟ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ରାତିର ଅନ୍ଧକାର ଭିତରେ ଲୁହା ଯନ୍ତ୍ରାଂଶ କାଟି ଯାତ୍ରୀଙ୍କୁ ବାହାର କରିବା କିଛି ଛୋଟ କଥା ନୁହେଁ। ହେଲେ ରାଜ୍ୟ ସରକାରଙ୍କ ଦକ୍ଷ ଅଫିସରଙ୍କ ଦକ୍ଷତା ବଳରେ ପ୍ରାୟ ୧୨୦୦ ଯାତ୍ରୀଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇପାରିଛନ୍ତି।

ଏହି ଦୁର୍ଘଟଣାରେ ନିୟୋଜିତ ଥିବା ରାଜ୍ୟର ଅତିରିକ୍ତ ମୁଖ୍ୟଶାସନ ସଚିବ ତଥା ଏସଆରସି ସତ୍ୟବ୍ରତ ସାହୁ ନିଜର ଅଭିଜ୍ଞତାକୁ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ଦୁର୍ଘଟଣା ଘଟିବା ପରେ ପରେ ବାହାନଗା ଠାରେ ପହଁଚି ସେଠାରେ ବିଭିନ୍ନ କାର୍ଯ୍ୟକୁ ତଦାରଖ ଓ ତ୍ୱରାନ୍ୱତି କରାଯାଇଥିଲା। ଦୁର୍ଘଟଣାରେ ଯେଉଁମାନେ ମୃତ୍ୟୁବରଣ କରିଛନ୍ତି, ତାହା ଆମପାଇଁ ସବୁଠାରୁ ଦୁଃଖଦ ବିଷୟ।

କିନ୍ତୁ ଏଥି ସଙ୍ଗେ ସଙ୍ଗେ ସ୍ଥାନୀୟ ଜନସାଧାରଣ, ଅଗ୍ମିଶମ ବାହିନୀ, ଓଡ୍ରାଫ୍ ଟିମ୍, ଆରପିଏଫ୍ ଏବଂ ଏନଡିଆରଏଫର ତ୍ୱରିତ ଓ ସମ୍ମିଳିତ ଉଦ୍ୟମରେ ଯେପରି ଭାବେ ପାଖାପାଖି ୧୨୦୦ ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ସେମାନଙ୍କର ଜୀବନ ରକ୍ଷା ସମ୍ଭବ ହୋଇପାରିଲା ବୋଲି ଶ୍ରୀ ସାହୁ କହିଥିଲେ। ଦୁର୍ଘଟଣା ଘଟିଥିବା ସ୍ଥାନ ପ୍ରଥମେ ଅନ୍ଧାର ରହିଥିବା ସତ୍ୱେ ସ୍ଥାନୀୟ ଜନସାଧାରଣ ଯେପରି ସ୍ୱତଃସ୍ଫୂର୍ତ୍ତ ଭାବେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ,ଏଥିପାଇଁ ସେମାନଙ୍କୁ ସେ ଭୂୟସୀ ପ୍ରଶଂସା କରିଥିଲେ।

ସେହିପରି ଦୁର୍ଘଟଣା ସ୍ଥଳରେ ପହଁଚି  ଉଦ୍ଧାର କାର୍ଯ୍ୟରେ ବିଭିନ୍ନ  କାର୍ଯ୍ୟକୁ  ତ୍ୱରାନ୍ୱିତ କରିଥିବା ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା କହିଥିଲେ ଯେ, ରାଜ୍ୟ ସରକାରଙ୍କ ଦ୍ୱାରା ଏଭଳି ସମୟରେ ତ୍ୱରିତ ପଦକ୍ଷେପ ନିଆଯିବା ଯୋଗୁଁ ବହୁ ମୁଲ୍ୟବାନ ଜୀବନ ରକ୍ଷା ଯାଇପାରିଥିଲା।

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓସଡମାର ଦୀର୍ଘ ୨୦ବର୍ଷର ଅଭିଜ୍ଞତା, ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କର ପୂର୍ବରୁ ରହିଥିବା ପ୍ରସ୍ତୁତି ଓ ସରଞ୍ଜାମର ବ୍ୟବହାର ଦ୍ୱାରା ଆମେ ମୃତ୍ୟୁ ସଂଖ୍ୟାକୁ ବହୁ ମାତ୍ରାରେ ହ୍ରାସ କରିବା ପାଇଁ ସକ୍ଷମ ହୋଇପାରିଲୁ। ଦୁର୍ଘଟଣା ଘଟିବା ସଙ୍ଗେ ସଙ୍ଗେ ଆମେ ନିକଟସ୍ଥ ସୋର, ଭଦ୍ରକ ଓ ବାଲେଶ୍ୱର ଆଦି ଡାକ୍ତର ଖାନା ଗୁଡିକରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଅଧିକ ମେଡିସିନ୍ଆଗୁଆ ପ୍ରସ୍ତୁତି ରଖିବା ଦ୍ୱାରା ଆହତମାନେ ଡାକ୍ତରଖାନରେ ପହଁଚିବା କ୍ଷଣି ଆମେ ସେମାନଙ୍କର ଉପଯୁକ୍ତ ଚିକିତ୍ସା ଆରମ୍ଭ କରିପାରିଲୁ।

ଆଗାମୀ ଦିନରେ ଆମେ ଆମର ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତିକୁ ଆହୁରି ଅଧିକ ସୁଦୃଢ କରିବୁ ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ଶର୍ମା କହିଥିଲେ। ପ୍ରକାଶ ଥାଉକି, ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ନିୟନ୍ତ୍ରଣ କକ୍ଷରେ ମୁଖ୍ୟ ଶାସନ ସଚିବଙ୍କ ସମେତ ରାଜ୍ୟ ପ୍ରଶାସନର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଦୁର୍ଘଟଣା ପରବର୍ତ୍ତୀ ଚିକିତ୍ସା ଓ ମୃତହେହ ଚିହ୍ନଟକରଣ ଆଦି କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରିବା ସହିତ ଆବଶ୍ୟକ ସ୍ଥଳେ କ୍ଷେତ୍ର ପରିଦର୍ଶନ କରୁଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସଂପର୍କୀୟଙ୍କୁ ମୃତଦେହ ଚିହ୍ନିବା ହୋଇପଡିଛି କଷ୍ଟକର, ଆହୁରି ୯୯ଟି ଶବ ପଡିରହିଛି

ଭୁବନେଶ୍ବର: ଗତ ଦୁଇ ତାରିଖରେ ବାଲେଶ୍ୱରର ବାହାନଗା ଠାରେ ଘଟିଥିବା ରେଳ ଦୁର୍ଘଟଣା ପରିପ୍ରେକ୍ଷୀରେ ଓଡିଶା ରାଜ୍ୟ ସରକାରଙ୍କ ତରଫରୁ କରାଯାଉଥିବା ଉଦ୍ଧାର ପରବର୍ତ୍ତୀ ସହାୟତା ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ପରିପ୍ରକ୍ଷୀରେ ଶ୍ରୀ ଜେନା କହିଛନ୍ତି ଯେ, ଆଜି ସଂଧ୍ୟା ସୁଦ୍ଧା ଏହି ଦୁର୍ଘଟଣାରେ ୧୭୬ ଟି ମୃତଦେହ ଚିହ୍ନଟ କରାଯାଇ ସେମାନଙ୍କର ସଂପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି।

ସେଥିମଧ୍ୟରୁ ପୂର୍ବରୁ ବାଲେଶ୍ୱରରେ ୮୫ଟି ମୃତଦେହ ଚିହ୍ନଟ କରାଯାଇଥିବା ବେଳେ ଭୁବନେଶ୍ୱର ଆସିଥିବା ୧୯୩ ମୃତଦେହଙ୍କ ମଧ୍ୟରୁ ଆଜି ସନ୍ଧ୍ୟା ସୁଦ୍ଧା ଆଉ ୯୧ଟି ଏହିପରି ମୋଟ ୧୭୬ ଟିର ଚିହ୍ନଟ କରାଯାଇଥିଲା। ବିଭିନ୍ନ ହସ୍ପିଟାଲରେ ରଖାଯାଇଥିବା ମୃତଦେହକୁ ସେମାନଙ୍କର ସଂପର୍କୀୟମାନେ ଚିହ୍ନଟକରଣ ପାଇଁ ଆସୁଛନ୍ତି, ଏହି ପ୍ରକ୍ରିୟା ଚାଲୁ ରହିଛି।

ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ମୃତକଙ୍କ ପରିଜନମାନେ ମାନସିକ ଦୁଃଖଦ ସ୍ଥିତି ନେଇ ଓଡିଶାରେ ପହଁଚୁଛନ୍ତି। ଏଠାରେ ଯେପରି ସେମାନଙ୍କର କୌଣସି ଅସୁବିଧା ନହୁଏ, ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି  ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୃତଦେହ  ଚିହ୍ନଟକରଣ ପରେ ସେସବୁକୁ ଓଡିଶା ରାଜ୍ୟ ସରକାରଙ୍କ ଖର୍ଚ୍ଚରେ ସେମାନଙ୍କ ଗନ୍ତବ୍ୟ ସ୍ଥାନରେ ପହଁଚାଇବାର ବ୍ୟବସ୍ଥା କରାଯାଇଛି।

ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ପରେ ମୃତ୍ୟୁ ପ୍ରମାଣ ପତ୍ର  ଯଥାଶୀଘ୍ର ସେମାନଙ୍କ ପରିବାରଙ୍କୁ ପ୍ରଦାନ ପାଇଁ ରାଜ୍ୟ ସରକାରବ୍ୟବସ୍ଥା ଗ୍ରହଣ କରିବେ। ଅନ୍ ଲାଇନ୍ ଏବଂ ଆବଶ୍ୟକସ୍ଥଳେ ସ୍ପିଡପୋଷ୍ଟ ଜରିଆରେ ସେମାନଙ୍କ ପରିଜନମାନଙ୍କୁ ମୃତ୍ୟୁ ପ୍ରମାଣପତ୍ର ପଠାଇଦିଆଯିବ।

ମୃତଦେହସବୁର ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଜନସାଧାରଣଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ନିଃଶୁଳ୍ପ ଟେଲିଫୋନ୍ ନଂ- ୧୮୦୦୩୪୫୦୦୬୧ ଓ ନଂ-୧୯୨୯  ଜାରି କରାଯାଇଥିଲା ଓ ଏହା କାର୍ଯ୍ୟକାରୀ ରହିଛି। ଏହି ନମ୍ବରକୁ ଦେଶର ଯେ କୌଣସି ସ୍ଥାନରୁ ଲୋକମାନେ ବ୍ୟବହାର କରି ଆହତ ବା ମୃତକଙ୍କ ସଂପର୍କରେ ଅନୁସନ୍ଧାନ କରିପାରିବେ।

ସେହିପରି ମୃତକଙ୍କ ସମ୍ପର୍କରେ ଜାଣିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ତିନୋଟି ଓ୍ୱେବ୍ ସାଇଟ୍ www.osdma.org, www.srcodisha.nic.in ଏବଂ www.bmc.gov.in ଜାରିଲ କରାଯାଇଛି। ଏହି ସବୁ ଟୋଲ୍ ଫ୍ରି ନମ୍ବର ଏବଂ ଓ୍ୱେବ୍ ସାଇଟ୍ ର ବହୁଳ ପ୍ରଚାର ପ୍ରସାର ପାଇଁ ଗଣମାଧ୍ୟମର ସହଯୋଗ ଅତ୍ୟନ୍ତ ପ୍ରଶଂସନୀୟ ଓ  ଚିହ୍ନଟ ପ୍ରକ୍ରିୟା ସଂପୂର୍ଣ୍ଣ ହେବା ପର୍ଯ୍ୟନ୍ତ ସେମାନେ ଏହା ଜାରି ରଖିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଅନୁରୋଧ କରିଛନ୍ତି।

ବିଭିନ୍ନ ସ୍ଥାନରୁ ମୃତକଙ୍କୁ ଚିହ୍ନଟ କରିବା ପାଇଁ ଆସୁଥିବା ସେମାନଙ୍କର ସଂପର୍କୀୟମାନଙ୍କୁ ସହାୟତା କରିବା ପାଇଁ ରେଳଷ୍ଟେସନ , ବସ୍ ଷ୍ଟାଣ୍ଡ ଏବଂ ବିମାନ ବନ୍ଦରରେ ଓଡିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ସଜାଗ ରହିଛନ୍ତି। ସଂପର୍କୀୟମାନେ ପହଁଚିବା ପରେ ସେମାନଙ୍କୁ  ମୃତଦେହ ରହିଥିବା ବିଭିନ୍ନ ଡାକ୍ତରଖାନାକୁ ନେଇ ମୃତଦେହ ଚିହ୍ନଟ ପ୍ରକ୍ରିୟାରେ ସମସ୍ତ ସହାୟତା ପ୍ରଦାନ କରୁଛନ୍ତି।

ସବୁଠୁ ଅଧିକମୃତଦେହ ରହିଥିବା ଏମ୍ସ ହସ୍ପିଟାଲ ଠାରେ ବ୍ୟବସ୍ଥିତ ଢଙ୍ଗରେ ଏକ ବଡ ଏଲ୍ଇଡି ସ୍କ୍ରିନ୍ ଲଗାଯାଇ ମୃତକଙ୍କ ଫଟୋ ପ୍ରଦର୍ଶନ କରାଯାଉଛି, ସେଥିପାଇଁ ସମସ୍ତଙ୍କୁ ଶବ ସଂରକ୍ଷଣ ଗୃହକୁ ଯିବାକୁ ଆବଶ୍ୟକ ପଡୁନାହିଁ। ସେଠାରେ ଅଭିଜ୍ଞ ଅଧିକାରୀ ଓ ପୋଲିସ୍ ଷ୍ଠାଫ୍ ମାନେ ଉପସ୍ଥିତ ରହି ମୃତଦେହ ଚିହ୍ନଟକରଣ ଓ ହସ୍ତାନ୍ତର  ବ୍ୟବସ୍ଥାକୁ ସୁଗମ କରୁଛନ୍ତି।

ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଆହୁରି ମଧ୍ୟ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ସର୍ବଦା ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି କହିଛନ୍ତି।  ଚିକିତ୍ସିତ ହେଉଥିବା ପ୍ରତ୍ୟେକ ବ୍ୟକ୍ତି ହେଉ କିମ୍ବା ମୃତଦେହ ଚିହ୍ନଟ କରି ସେମାନଙ୍କର ସମ୍ପର୍କୀୟମାନଙ୍କୁ ହସ୍ତାନ୍ତର କରିବା ହେଉ, ମୁଖ୍ୟମନ୍ତ୍ରୀ ଏହାକୁ ଗୁରୁତ୍ୱ ଦେଇ କାର୍ଯ୍ୟକରିବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟ ଶାସନ ସଚିବ ଆହୁରି ମଧ୍ୟ କହିଛନ୍ତି ଯେ, ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସାପାଇଁ ରକ୍ତର ଆବଶ୍ୟକତା ପୂରଣ ନିମନ୍ତେ ବାଲେଶ୍ୱର , ଭଦ୍ରକ, ସ୍ଥାନୀୟ ଏବଂ ଓଡିଶାର ଜନସାଧାରଣ ଯେପରି ଆଗେଇ ଆସିଛନ୍ତି, ଆମର ବିଶ୍ୱାସ ଓଡିଶାରେ ଚିକିତ୍ସା ପାଇଁ  କେବେ ରକ୍ତର ଅଭାବ ରହିବ ନାହିଁ।

ବିପର୍ଯ୍ୟୟ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କର ପ୍ରସ୍ତୁତି ଓ ରାଜ୍ୟର ଜନସାଧାରଣଙ୍କ ସହଯୋଗ ଆମକୁ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ସର୍ବଦା ସଫଳତା ଦେଇଆସିଛି।  ଆଗାମୀ ଦିନରେ ଆମର ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମି, ଦକ୍ଷତାର ବିକାଶ ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟକୁ ଆହୁରି ଅଧିକ ସୁଦୃଢ କରିବାକୁ ଆମର ପ୍ରୟାସ ଜାରି ରହିବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଇସ୍ତଫା ଦାବୀ କଲା ପ୍ରଦେଶ କଂଗ୍ରେସ, ଜଣଙ୍କୁ ଚାକିରୀ ଦାବୀ

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ବାହାନଗା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ଶୋକସନ୍ତପ୍ତ ପରିବାରମାନଙ୍କ ପାଇଁ କଂଗ୍ରେସର ସମବେଦନା ଜ୍ଞାପନ କରିବା ସହ କର୍ତ୍ତବ୍ୟରେ ଅବହେଳା ପାଇଁ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିଛନ୍ତି।

ପ୍ରାଣ ହରାଇଥିବା ଓ ପଙ୍ଗୁ ହୋଇଯାଇଥିବା ପରିବାରରୁ ଜଣଙ୍କୁ ଚାକିରୀ ଦେବା ପାଇଁ ମଧ୍ୟ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି । ସ୍ଥାନୀୟ ବାଲେଶ୍ୱର ଓ ବାହାନଗାବାସୀ ଦେବଦୂତସାଜି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବାରୁ ଶ୍ରୀ ପଟ୍ଟନାୟକ ସେମାନଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି।

ଲୋକସଭାର କଂଗ୍ରେସ ଦଳର ନେତା ଶ୍ରୀ ଅଧିର ରଞ୍ଜନ ଚୌଧୁରୀ, ଓଡ଼ିଶାର ଏଆଇସିସି ପ୍ରଭାରୀ ତଥା ସାଂସଦ ଡକ୍ଟର ଏ ଚେଲା କୁମାର ଓ କର୍ଣ୍ଣାଟକର ଶ୍ରମମନ୍ତ୍ରୀ ସନ୍ତୋଷ ଲାଡଙ୍କ ଦୁର୍ଘଟଣା ସ୍ଥଳକୁ ଗସ୍ତ ତଥା ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀ ଏବଂ ଗୁରୁତ୍ୱର ଭାବରେ ଆହତ ହୋଇ ଚିକିତ୍ସିତ ହେଉଥିବା ଯାତ୍ରୀଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିବା ହେତୁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପଟ୍ଟନାୟକ ସେମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ।

୨୦୧୭ ମସିହାରୁ ଆଜି ପର୍ଯ୍ୟନ୍ତ ରେଳ ବିଭାଗର ୩ ଲକ୍ଷ ୧୨ ହଜାର ପଦବୀରୁ ଅଧିକ ପୂରଣ ନ ହୋଇ ପଡ଼ିରହିଛି। ତନ୍ମମଧ୍ୟରୁ ୧ଲକ୍ଷ ୪୦ ହଜାର ପଦବୀ କେବଳ ସୁରକ୍ଷା ଓ ନିରାପତା କ୍ଷେତ୍ର ପାଇଁ ଉଦ୍ଦିଷ୍ଟ। ବର୍ଷ ବର୍ଷ ଧରି ଏହି ସବୁ ଗରୁତ୍ୱପୂର୍ଣ୍ଣ ପଦବୀ କେନ୍ଦ୍ରର ବିଜେପି ସରକାର ଜାଣିସୁଣି ପୂରଣ କରୁନାହାନ୍ତି। ଗତ ଶୁକ୍ରବାର ଜୁନ ମାସ ୨ ତାରିଖ ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଯେଉଁ ମର୍ମତୁନ୍ଦ ଓ ହୃଦୟ ବିଦାରକ ରେଳ ଦୁର୍ଘଟଣା ଘଟିଲା ତାହା ହେଉଛି ଏ ଶତାବ୍ଦିର ସବୁଠାରୁ ବଡ଼ ରେଳ ଦୁର୍ଘଟଣା ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ସରକାର ଜାଣିସୁଣି ପ୍ରକୃତ ମୃତକଙ୍କ ସଂଖ୍ୟାକୁ ଲୁଚାଉଛନ୍ତି। ପ୍ରକୃତରେ ମୃତକସଂଖ୍ୟା ସକାରଙ୍କଠାରୁ ପ୍ରକାଶିତ ଢ଼େର ଅଧିକ ବୋଲି ଯେ କେହି ସ୍ୱୀକାର କରିବ। କେନ୍ଦ୍ରର ନରେନ୍ଦ୍ର ମୋଦିଙ୍କ ସରକାର ରେଳ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ନଦେବା ପାଇଁ ଶବ ଉପରେ ରାଜନୀତି କରୁଛନ୍ତି ବୋଲି ଅତି କୋଠାର ଭାଷାରେ କହିଥିଲେ।

୨୦୧୨ ମସିହା ଉପା ସରକାର ସମୟରେ ରେଳ ଦୁର୍ଘଟଣା ନିରୋଧ ଯନ୍ତାଂଶକୁ (ଆଂଟି କୋଲିଜନ ଡିଭାଇସ) କଂଗ୍ରେସ ସରକାର ସମୟରେ ବିକଶିତ କରାଯାଇଥିଲା । ପରବର୍ତୀ ୨୦୧୪ ପରେ ନରେନ୍ଦ୍ର ମୋଦି ଏହାର ନାମକୁ ପରିବର୍ତନ କରି କବଚ ବୋଲି ପ୍ରଚାରତନ୍ତ୍ର ମାଧ୍ୟମରେ ପ୍ରଚାର କରି କହିଥିଲେ କବଜ ଦ୍ୱାରା ଭାରତବର୍ଷର ରେଳ ଦୁର୍ଘଟଣା ଆଉ ହେବ ନାହିଁ । ଧନଜୀବନ କ୍ଷତି ହେବ ନାହିଁ ।

କିନ୍ତୁ ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାର ଏହି ୯ବର୍ଷରେ ମାତ୍ର ୩୭୩ କୋଟି ଟଙ୍କା ବଜେଟର ଅର୍ଥ ବ୍ୟୟବରାଦ କରିଛନ୍ତି କବଜର କାର୍ଯ୍ୟକାରୀ ପାଇଁ। କିନ୍ତୁ ଏ ପର୍ଯ୍ୟନ୍ତ ଇଷ୍ଟକୋଷ୍ଟ ରେଲୱେ କିମ୍ବା ଦକ୍ଷିଣ ପୂର୍ବ ରେଳ ବିଭାଗରେ ଗୋଟିଏବି ଟ୍ରାକରେ କବଜ ଲଗାଯାଇ ନାହିଁ।ଏଥିପାଇଁ ଏକଟଙ୍କା ମଧ୍ୟ ଖର୍ଚ୍ଚ କରାଯାଇ ନାହିଁ।

କେନ୍ଦ୍ର ରେଳବାଇ ଓଡ଼ିଶାରୁ ମାଲପରିବହନ ଓ ଯାତ୍ରୀ ପରିବହନ କ୍ଷେତ୍ରରୁ ୨୦ ହଜାର କୋଟି ଟଙ୍କା ବାର୍ଷିକ ଆୟ କରୁଥିଲା ବେଳେ ଯାତ୍ରୀଙ୍କ ସୁରକ୍ଷା ଓ ନିରାପତା ପାଇଁ ୫ ହଜାର କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁନାହାନ୍ତି। କେବଳ ପ୍ରଚାରତନ୍ତ୍ର ଏବଂ ଗୋଦି ମିଡିଆ ମାଧ୍ୟମରେ ହଜାର ହଜାର କୋଟି ଟଙ୍କାର ବ୍ୟୟ ବରାଦର ଡାହା ମିଛ କହିଚାଲିଛନ୍ତି।

ଦୁଇ ଦିନ ପୂର୍ବରୁ ଖୋଦ ରେଳମନ୍ତ୍ରୀ ଘୋଷଣା କରି କହିଲେ ତଦନ୍ତ ଶେଷ ହେଲା, ଦୋଷୀ ଚିହ୍ନଟ ହୋଇ ସାରିଲା ଏବଂ ଦୋଷର କାରଣ କ୍ରାକର ଇଂଟରଲକିଂର ଫେଲୱର କଥା କୁହାଗଲା କିନ୍ତୁ ୮-୧୦ ଘଂଟା ନପୁରୁଣୁ ଏ କଥାକୁ ବଦଳାଇ ଦିଆଗଲା ଏବଂ ସିବିଆଇ ଦ୍ୱାର ଏହାର ତଦନ୍ତ କରାଯିବାକୁ କେନ୍ଦ୍ର ସରକାର ନିଷ୍ପତି ନେଲେ ବୋଲି ଘୋଷଣା କରାଗଲା।

ଭାରତବର୍ଷର ଇତିହାସରେ ରେଳଦୁର୍ଘଟଣାରେ ପ୍ରଥମଥର ପାଇଁ ସିବିଆଇକୁ ଇନକ୍ୱାରୀ କରିବାକୁ ଦିଆଯାଉଛି। ଏଥିରେ କ’ଣ କ୍ରାଇମ ରହିଛି? ଏ କ୍ରାଇମ ସିଣ୍ଡିକେଟ ବାବଦରେ ମନ୍ତ୍ରୀଙ୍କ ପାଖରେ କିଛି ତଥ୍ୟ ରହିଛି କି? ଜାଣିସୁଣି ଏ ଦୁର୍ଘଟଣାର ମୁଖ୍ୟ ଦୋଷୀ ଏବଂ କାରଣକୁ ଚପାଇଦେବା ଉଦ୍ଦେଶ୍ୟରେ ଏହା ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସରକାରଙ୍କର ଏକ ବୃହତ ଷଡ଼ଯନ୍ତ୍ର ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଶ୍ରୀ ପଟ୍ଟନାୟକ ଦାବି କରି କହିଛନ୍ତି ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବା ସହିତ ମୃତକଙ୍କ ପରିବାର ତଥା ଗୁରୁତ୍ୱର ଆହତ ଓ ପଙ୍ଗୁ ପରିବାରଙ୍କୁ ସରକାରୀ ଚାକିରୀ ଦେବାପାଇଁ ଦାବି କରିଛନ୍ତି ତତ୍ ସହିତ ଏଭଳି ଏକ ରେଳ ଦୁର୍ଘଟଣାର ଦାୟୀତ୍ୱ ନିଜେ ରେଳମନ୍ତ୍ରୀ ନେଇ ସେ ଶୀଘ୍ର ଇସ୍ତଫା ପ୍ରଦାନ କରନ୍ତୁ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଟ୍ରେନ ଦୁର୍ଘଟଣା ଯାତ୍ରୀଙ୍କ ପାଇଁ ମମତାଙ୍କ ଭିନ୍ନ ଏକ ସହାୟତା ଘୋଷଣା, ଚାରିଆଡେ ଚର୍ଚ୍ଚା

କୋଲକାତା: ବାଲେଶ୍ବର ବାହନଗାଠାରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ବହୁ ପଶ୍ଚିମବଂଗ ଯାତ୍ରୀ ସମ୍ମୁଖୀନ ହୋଇଛନ୍ତି। ସେମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ଭିନ୍ନ ପ୍ରକାରର ସହାୟତା ଘୋଷଣା କରିଛନ୍ତି। ତାହା ହେଲା ଏହି ଦୁର୍ଘଟଣାରେ ଆହତ ନ ହୋଇଥିଲେ ମଧ୍ୟ ତାଙ୍କୁ ମିଳିବ ସହାୟତା।

ମମତାଙ୍କୁ ଏହି ଘୋଷଣାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ଏହି ଦୁର୍ଘଟଣାରେ ପଶ୍ଚିମବଂଗର ଯେଉଁ ଯାତ୍ରୀମାନେ ମୃତ୍ୟୁ ବରଣ କରିଛନ୍ତି ସେମାନଙ୍କ ପରିବାର ବର୍ଗଙ୍କୁ ୫ ଲକ୍ଷ ଟଙ୍କା ସହାୟତା ସହ ପରିବାରର ଜଣଙ୍କୁ ହୋମ ଗାର୍ଡ ଚାକିରୀ ପ୍ରଦାନ କରାଯିବ। ସେହିପରି ଯେଉଁମାନେ ଗୁରୁତର ଆହତ ହୋଇଛନ୍ତି ସେମାନଙ୍କ ଏକ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର, ସାମାନ୍ୟ ଆହତଙ୍କୁ ୨୫ ହଜାର ଟଙ୍କା ଦିଆଯିବ।

ହେଲେ ମମତା ଘୋଷଣା କରିଛନ୍ତି ଯେ,ଯେଉଁମାନେ ଆହତ ହୋଇ ନାହାଁନ୍ତି ସେମାନଙ୍କୁ ମଧ୍ୟ ସହାୟତା ପ୍ରଦାନ କରାଯିବ। କାରଣ ଏହି ଭୟଙ୍କର ଦୁର୍ଘଟଣାରେ ସେମାନେ ମାନସିକ ସ୍ତରରେ ଆଘତ ପାଇଥିବାରୁ ସେମାନଙ୍କୁ ଏକକାଳିନ ୧୦ ହଜାର ଏବଂ ଚାରି ମାସ ପାଇଁ ମାସିକୁ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

Video News: ପୁଣି ଓଡିଶା ଆସିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି, ଯିବେ କଟକ ହସପିଟାଲ

କୋଲକାତା: ଆସନ୍ତାକାଲି ପୁଣି ଥରେ ଓଡିଶା ଆସିବେ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି। ସେ ଭୁବନେଶ୍ବରରୁ କଟକ ଯିବେ। ସେଠାରେ ଟ୍ରେନ ଦୁର୍ଘଟଣାରେ ଚିକିତ୍ସିତ ହେଉଥିବା ପଶ୍ଚିମବଂଗର ଯାତ୍ରୀମାନଙ୍କୁ ଭେଟିବେ। ସେଠାରେ ସେ ମଧ୍ୟ ଘୋଷଣା କରିଥିବା ସହାୟତା ରାଶି ପ୍ରଦାନ କରିବେ ବୋଲି ଜଣାପଡିଛି।

ପଶ୍ଚିମବଂଗର ଯେଉଁ ଯାତ୍ରୀମାନେ ମୃତ୍ୟୁ ବରଣ କରିଛନ୍ତି ସେମାନଙ୍କ ପରିବାର ବର୍ଗଙ୍କୁ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି। ଏଥିସହିତ ପରିବାରର ଜଣଙ୍କୁ ହୋମ ଗାର୍ଡ ଭାବେ ନିଯୁକ୍ତି ପ୍ରଦାନ କରାଯିବ। ସେହିପରି ଯେଉଁମାନେ ଗୁରୁତର ଆହତ ହୋଇଛନ୍ତି ସେମାନଙ୍କ ଏକ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର, ସାମାନ୍ୟ ଆହତଙ୍କୁ ୨୫ ହଜାର ଟଙ୍କା ଦିଆଯିବ।

ମମତା ଆହୁରି କହିଛନ୍ତି ଯେ, ଯେଉଁମାନେ ଆହତ ହୋଇ ନାହାଁନ୍ତି ହେଲେ ଏହି ଦୁର୍ଘଟଣାରେ ମାନସିକ ସ୍ତରରେ ଆଘତ ହୋଇଛନ୍ତି ସେମାନଙ୍କୁ ୧୦ ହଜାର ଏବଂ ଚାରି ମାସ ପାଇଁ ମାସିକୁ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ।