ବାହାନଗା ରେଳ ଦୁର୍ଘଟଣା: ୨୮ ଜଣଙ୍କ ଶବ ନେବା ପାଇଁ କେହି ଆସୁ ନାହାଁନ୍ତି

Published: Oct 9, 2023, 5:24 pm IST
TrainAccident

ଭୁବନେଶ୍ବର: ଗତ ଜୁନ ୨ ତାରିଖରେ ବାଲେଶ୍ବରର ବାହାନଗାଠାରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ମୋଟ ୨୯୫ଜଣଙ୍କ ମୃତ୍ୟୁ ଘଟିଥିଲା। ତେବେ ଦୁଃଖର କଥା ବର୍ତ୍ତମାନ ଏହି ଦୁର୍ଘଟଣାକୁ ୪ ମାସ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ୨୮ଟି ଶବକୁ ନେବା ପାଇଁ କେହି ଆସିଲେ ନାହିଁ।

ଫଳରେ ଏମସ ହସପିଟାଲ ଶବଗାରରେ ରହିଥିବା ଏହି ସମସ୍ତ ଶବ ଆଉ ବେଶୀ ଦିନ ରଖି ହେବା ସମ୍ଭବ ନ ଥିବାରୁ ତାହାକୁ ଗଣସତ୍କାର କରାଯିବ ବୋଲି ଜଣାପଡିଛି। ଏ ନେଇ ଏମସ ତରଫରୁ ସିବିଆଇ କୁ ଏକ ଚିଠି କରିବା ପରେ ଏ ସବୁକୁ ଗଣସତ୍କାର କରିବାକୁ ନିଷ୍ପତି ହୋଇଛି। ସେଥିପାଇଁ ସିବିଆଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନକୁ ଏକ ଚିଠି କରିଛି।

ଖୋର୍ଦ୍ଧା ପ୍ରଶାସନ ତରଫରୁ ଏ ନେଇ ବିଏମସିକୁ ଅବଗତ କରାଇବା ପରେ ଏହି ସମସ୍ତ ଶବ ଭରତପୁର ଶଶ୍ମାନରେ ସତ୍କାର କରାଯିବ ବୋଲି ନିଷ୍ପତି କରାଯାଇଛି। ତେବେ ଏହି ସତ୍କାର ବେଳେ ଉଭୟ ସିବିଆଇ, ବିଏମସି, ଏମସ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଉପସ୍ଥିତ ରହିବେ। ଏହି ଶବ ନେବା ପାଇଁ ବିଏମସି ଶବ ବାହକ ଗାଡି ପଠାଇ ତାହାକୁ ନେବେ ବୋଲି ଜଣାପଡିଛି।

ତେବେ ଶବସତ୍କାର ବେଳେ ସଂପୂର୍ଣ୍ଣ ବ୍ୟବସ୍ଥାକୁ ଭିଡିଓ ସୁଟିଂ କରାଯିବ। ପରବର୍ତ୍ତି ସମୟରେ କେହି କେବେ ଆସିଲେ ଏହି ଭିଡିଓ ସୁଟିଂକୁ ପ୍ରମାଣିତ ଭାବେ ଗ୍ରହଣ କରାଯିବ। ତେବେ ଏହି ଗଣସତ୍କାର କେବେ କରାଯିବ ସେ ନେଇ କୌଣସି ନିର୍ଦ୍ଧିଷ୍ଠ ତାରଖ ଘୋଷଣା କରାଯାଇପାରି ନାହିଁ। କାରଣ ସବୁ ଅଧିକାରୀ ଗୋଟିଏ ଦିନ ସମୟ ଦେଲେ ତାହା ସତ୍କାର କରାଯିବ।

ବାହାନଗା ରେଳ ଦୁର୍ଘଟଣାରେ ମୋଟ ୨୯୫ ଜଣଙ୍କର ମୃତ୍ୟୁ ହୋଇଥିଲା। ସେଥିମଧ୍ୟରୁ ସେହି ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ୮୧ ଟି ମୃତ ଦେହ ହସ୍ତାନ୍ତର କରିଥିଲେ। ଏହାପରେ ୧୬୨ ଜଣଙ୍କ ମୃତଦେହ ଭୁବନେଶ୍ବର ଏମସକୁ ସ୍ଥାନାନ୍ତରିତ କରାଯାଇଥିଲା।

ସେଠାରେ ୧୩୪ ଶବକୁ ତାଙ୍କର ପରିବାର ବର୍ଗକୁ ହସ୍ତାନ୍ତର କରାଯାଇଥିଲା। ଦ୍ବିତୀୟ ପର‌୍ୟ୍ୟାୟରେ ୫୩ ଟି ମୃତ ଦେହ ହସ୍ତାନ୍ତର କରାଯାଇଥିଲା। ହେଲେ ଆଉ ୨୮ଟିର କେହି ଦାବୀଦାର ଆସିଲେ ନାହିଁ। ଫଳରେ ଏହି ଶବଗୁଡିକୁ ଗଣସତ୍କାର କରିବାକୁ ନିଷ୍ପତି କରାଯାଇଛି।

Related posts