Categories
ଆଜିର ଖବର ରାଜ୍ୟ ଖବର

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବାଲେଶ୍ୱର ବାହାନଗାରେ ଛାତ୍ରଛାତ୍ରୀମାନଙ୍କ ସହ “କାହାଣୀ, କଳା, ଖୁସି’ ପାଳନ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନଗା ସରକାରୀ ଉଚ୍ଚ ବିଦ୍ୟାଳୟରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ କାହାଣୀ ପ୍ରସ୍ତୁତ କରିବା, କଳାକୁ ପ୍ରେରଣା ଦେବା ଏବଂ ଛାତ୍ରଛାତ୍ରୀଙ୍କ ସହ ଖୁସି ସୃଷ୍ଟି କରିବା ଭଳି କାର୍ଯ୍ୟକ୍ରମ “କାହାଣୀ, କଳା, ଖୁସି’ ପାଳିତ ହୋଇଯାଇଛି।

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଆକର୍ଷଣୀୟ ସ୍କୁଲ ବ୍ୟାଗ୍‌‌, କଲର ବକ୍ସ, କ୍ରେୟନ, ଆର୍ଟ ବ୍ରସ୍ ଆଦି କଳା /ଚିତ୍ରାଙ୍କନ ସାମଗ୍ରୀ ଏବଂ ଆଉ କିଛି ଉପହାର ବଣ୍ଟନ କରାଯାଇଛି। ବାହାନଗା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯଦୁନାଥ ସିଆଲ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ଶିକ୍ଷକ ଶିକ୍ଷୟିତ୍ରୀ, ରିଲାଏନ୍ସ ଫାଉଣ୍ଡେସନ ଅଧିକାରୀ ଏବଂ ରିଲାଏନ୍ସ ଜିଓ, ରିଲାଏନ୍ସ ରିଟେଲ, ଜିଓ-ବିପି ସମେତ ଅନ୍ୟ ଆରଆଇଏଲ୍ ଗ୍ରୁପ୍ କମ୍ପାନିର କର୍ମଚାରୀ ସ୍ୱେଚ୍ଛାସେବୀମାନଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ୟୁନିସେଫ୍ ଓ ଓଏସଡିଏମଏର ମାନସିକ ସ୍ୱାସ୍ଥ୍ୟ ଓ ମାନସିକ-ସାମାଜିକ ବିଶେଷଜ୍ଞ ମଧୁମିତା ଦାସ, ମିଳିତ ଜାତିସଂଘ- ଇଣ୍ଡିଆ ୟୁୱା ଆଡଭୋକେଟ୍ ୨୦୨୨-୨୪ ସୌମ୍ୟରଂଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

ଅପରାହ୍ନରେ ବଜ୍ରପାତ ସମୟରେ ବିଭିନ୍ନ ସୁରକ୍ଷା କୌଶଳ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ଛାତ୍ରଛାତ୍ରୀଙ୍କ ପାଇଁ ବଜ୍ରପାତ ନିରାପତ୍ତା କୌଶଳ ଉପରେ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବାଲେଶ୍ୱର ଜିଲ୍ଲା ଜରୁରୀକାଳୀନ ବିଭାଗ ପ୍ରକଳ୍ପ ଅଧିକାରୀ ଜ୍ୟୋତିର୍ମୟ ବିଶ୍ୱାଳଙ୍କ ଉପସ୍ଥିତିରେ ଓଏସଡିଏମଏ ମାଷ୍ଟର ଟ୍ରେନର ପ୍ରିୟ ରଞ୍ଜନ ରାଉତ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସୁରକ୍ଷା ଉପାୟ ଓ ବଜ୍ରପାତ ନିରାପତ୍ତା ସ୍ଥିତି ପ୍ରଦର୍ଶିତ କରିଥିଲେ।

ଅନ୍ୟ ଏକ ସ୍ୱତନ୍ତ୍ର ଅଧିବେଶନରେ ଛାତ୍ରଛାତ୍ରୀମାନଙ୍କୁ ପରିବେଶ ସଂରକ୍ଷଣ ପାଇଁ ପ୍ରକୃତି ଭିତ୍ତିକ ସମାଧାନ ଉପରେ ମିଳିତ ଜାତିସଂଘ-ଇଣ୍ଡିଆ ୟୁୱା ଆଡଭୋକେଟ ୨୦୨୨-୨୪ ସୌମ୍ୟ ରଞ୍ଜନ ବିଶ୍ୱାଳ ଏକ ସୁସ୍ଥ ଏବଂ ସୁରକ୍ଷିତ ପରିବେଶ ପାଇଁ ହେନ୍ତାଳବଣ ପରିବ୍ୟବସ୍ଥା ଏବଂ ହେନ୍ତାଳବଣ ସଂରକ୍ଷଣର ଗୁରୁତ୍ୱ ବିଷୟରେ ସୂଚନା ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ ଯେ, ରିଲାଏନ୍ସ ଫାଉଣ୍ଡେସନ ବାଲେଶ୍ୱରରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ଗୁରୁତର ପ୍ରଭାବିତ ପରିବାରଗୁଡିକୁ ସହାୟତା ପ୍ରଦାନ କରିବା ସହ ଶୁଖିଲା ରାସନ ବଂଟନ, ପ୍ରଭାବିତ ବ୍ୟକ୍ତି ଓ ପରିବାରକୁ ସହାୟତା ଉପକରଣ ଯୋଗାଣ ସହିତ ସ୍ନେହ ସୃଜନ ଅଧିବେଶନ ମାଧ୍ୟମରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନଙ୍କୁ ଭାବନାତ୍ମକ ଓ ମାନସିକ ସହାୟତା ଭଳି ଅନେକ ପଦକ୍ଷେପ ଆରମ୍ଭ କରିଥିଲା। ରିଲାଏନ୍ସ ଫାଉଣ୍ଡେସନ “ସ୍ନେହ ସୃଜନ’ ଅଭିଯାନ ମାଧ୍ୟମରେ ପିତାମାତା ଏବଂ ପିଲାମାନଙ୍କ ସମେତ ଗୋଷ୍ଠୀ ସମୁଦାୟର ମାନସିକ ଅବସ୍ଥାରେ ଉନ୍ନତି ଆଣିବା ଉପରେ ଧ୍ୟାନ ଦେଇଥିଲା। ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ, ଅନ୍ୟାନ୍ୟ ଅଂଶୀଦାରଙ୍କ ସହ ସ୍ନେହ ସୃଜନ ଅଧିବେଶନର ତିନୋଟି ପର୍ଯ୍ୟାୟ ମାନସିକ ଚାପ ହ୍ରାସ କରିବାରେ ସହାୟକ ହୋଇଛି ଏବଂ ଫଳସ୍ୱରୂପ ବିଦ୍ୟାଳୟକୁ ଆସୁଥିବା ଏବଂ କ୍ଲାସରେ ଯୋଗ ଦେଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ରିଲାଏନ୍ସ ଫାଉଣ୍ଡେସନ୍ ମଧ୍ୟ ଏହି ବିଦ୍ୟାଳୟକୁ କିଛି ଲେଖନ ବୋର୍ଡ ପ୍ରଦାନ କରିଥିଲା ଯାହା ନବନିର୍ମିତ ଶ୍ରେଣୀ ଗୃହଗୁଡ଼ିକୁ ଠିକ୍ ସମୟରେ କାର୍ଯ୍ୟ କରିବାରେ ସାହାଯ୍ୟ କରିଥିଲା।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବାହାନଗା ରେଳ ଦୁର୍ଘଟଣା: ୨୮ ଜଣଙ୍କ ଶବ ନେବା ପାଇଁ କେହି ଆସୁ ନାହାଁନ୍ତି

ଭୁବନେଶ୍ବର: ଗତ ଜୁନ ୨ ତାରିଖରେ ବାଲେଶ୍ବରର ବାହାନଗାଠାରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ମୋଟ ୨୯୫ଜଣଙ୍କ ମୃତ୍ୟୁ ଘଟିଥିଲା। ତେବେ ଦୁଃଖର କଥା ବର୍ତ୍ତମାନ ଏହି ଦୁର୍ଘଟଣାକୁ ୪ ମାସ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ୨୮ଟି ଶବକୁ ନେବା ପାଇଁ କେହି ଆସିଲେ ନାହିଁ।

ଫଳରେ ଏମସ ହସପିଟାଲ ଶବଗାରରେ ରହିଥିବା ଏହି ସମସ୍ତ ଶବ ଆଉ ବେଶୀ ଦିନ ରଖି ହେବା ସମ୍ଭବ ନ ଥିବାରୁ ତାହାକୁ ଗଣସତ୍କାର କରାଯିବ ବୋଲି ଜଣାପଡିଛି। ଏ ନେଇ ଏମସ ତରଫରୁ ସିବିଆଇ କୁ ଏକ ଚିଠି କରିବା ପରେ ଏ ସବୁକୁ ଗଣସତ୍କାର କରିବାକୁ ନିଷ୍ପତି ହୋଇଛି। ସେଥିପାଇଁ ସିବିଆଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନକୁ ଏକ ଚିଠି କରିଛି।

ଖୋର୍ଦ୍ଧା ପ୍ରଶାସନ ତରଫରୁ ଏ ନେଇ ବିଏମସିକୁ ଅବଗତ କରାଇବା ପରେ ଏହି ସମସ୍ତ ଶବ ଭରତପୁର ଶଶ୍ମାନରେ ସତ୍କାର କରାଯିବ ବୋଲି ନିଷ୍ପତି କରାଯାଇଛି। ତେବେ ଏହି ସତ୍କାର ବେଳେ ଉଭୟ ସିବିଆଇ, ବିଏମସି, ଏମସ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଉପସ୍ଥିତ ରହିବେ। ଏହି ଶବ ନେବା ପାଇଁ ବିଏମସି ଶବ ବାହକ ଗାଡି ପଠାଇ ତାହାକୁ ନେବେ ବୋଲି ଜଣାପଡିଛି।

ତେବେ ଶବସତ୍କାର ବେଳେ ସଂପୂର୍ଣ୍ଣ ବ୍ୟବସ୍ଥାକୁ ଭିଡିଓ ସୁଟିଂ କରାଯିବ। ପରବର୍ତ୍ତି ସମୟରେ କେହି କେବେ ଆସିଲେ ଏହି ଭିଡିଓ ସୁଟିଂକୁ ପ୍ରମାଣିତ ଭାବେ ଗ୍ରହଣ କରାଯିବ। ତେବେ ଏହି ଗଣସତ୍କାର କେବେ କରାଯିବ ସେ ନେଇ କୌଣସି ନିର୍ଦ୍ଧିଷ୍ଠ ତାରଖ ଘୋଷଣା କରାଯାଇପାରି ନାହିଁ। କାରଣ ସବୁ ଅଧିକାରୀ ଗୋଟିଏ ଦିନ ସମୟ ଦେଲେ ତାହା ସତ୍କାର କରାଯିବ।

ବାହାନଗା ରେଳ ଦୁର୍ଘଟଣାରେ ମୋଟ ୨୯୫ ଜଣଙ୍କର ମୃତ୍ୟୁ ହୋଇଥିଲା। ସେଥିମଧ୍ୟରୁ ସେହି ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ୮୧ ଟି ମୃତ ଦେହ ହସ୍ତାନ୍ତର କରିଥିଲେ। ଏହାପରେ ୧୬୨ ଜଣଙ୍କ ମୃତଦେହ ଭୁବନେଶ୍ବର ଏମସକୁ ସ୍ଥାନାନ୍ତରିତ କରାଯାଇଥିଲା।

ସେଠାରେ ୧୩୪ ଶବକୁ ତାଙ୍କର ପରିବାର ବର୍ଗକୁ ହସ୍ତାନ୍ତର କରାଯାଇଥିଲା। ଦ୍ବିତୀୟ ପର‌୍ୟ୍ୟାୟରେ ୫୩ ଟି ମୃତ ଦେହ ହସ୍ତାନ୍ତର କରାଯାଇଥିଲା। ହେଲେ ଆଉ ୨୮ଟିର କେହି ଦାବୀଦାର ଆସିଲେ ନାହିଁ। ଫଳରେ ଏହି ଶବଗୁଡିକୁ ଗଣସତ୍କାର କରିବାକୁ ନିଷ୍ପତି କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବାହାନଗା ଟ୍ରେନ ଦୁର୍ଘଟଣାର ଉଦ୍ଧାରକାରୀ ଦଳକୁ ଆଜି ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବାହାନଗାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାର ଉଦ୍ଧାରକାରୀ ଦଳଙ୍କୁ ଆଜି ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ବରର ଲୋକସେବା ଭବନ କନଫ୍ରେନସିଂ ହଲରେ ଏହି ଉତ୍ସବର ଆୟୋଜନ କରାଯାଇଛି। ଏଥିରେ ବାହାନଗାର ଗ୍ରାମବାସୀ, ଉଦ୍ଧାରକାରୀ କର୍ମଚାରୀଙ୍କୁ ଏହି ସମ୍ବର୍ଦ୍ଧନା ଦିଆଯିବ। ସେହିପରି ବାହାନଗା ସ୍କୁଲର ପ୍ରଧାନଶିକ୍ଷକ ଏବଂ କେତେକ ସ୍ବଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧନା କରିବେ।

ଗତ ଜୁନ ଦୁଇ ତାରିଖ ରାତିରେ ବାଲେଶ୍ବର ନିକଟସ୍ଥ ବାହାନଗାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ଏଥିରେ ଏକ ମାଲବାହୀ ଟ୍ରେନକୁ କରମଣ୍ଡଳ ଏକ୍ସପ୍ରେସ ଧକ୍କା ଦେଇଥିଲା। ସେହିପରି ବିପରିତ ଦିଗରୁ ଆସୁଥିବା ଆଉ ଏକ ଯାତ୍ରୀବାହି ଟ୍ରେନ ଏହି ଦୁର୍ଘଟଣା ଗସ୍ତ ଟ୍ରେନ ସହ ମଧ୍ୟ ଧକ୍କା ହୋଇଥିଲା। ଯାହା ସାରା ବିଶ୍ବକୁ ସ୍ତମ୍ଭୀଭୂତ କରିଦେଇଥିଲା।

ଏହି ଦୁର୍ଘଟଣା ପରେ ସେଠାକାର ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏଥିସହିତ ଆହତମାନଙ୍କୁ ରକ୍ତ ପ୍ରଦାନ ପାଇଁ ବହୁ ସେଚ୍ଛାସେବୀ ମଧ୍ୟ ରୁଣ୍ଡ ହୋଇଥିବାର ଦେଖିବାକୁ ମିଳିଥିଲା। ଆଜି ଅପରାହ୍ନରେ ସେହି ବୀରମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିବେ।

 

Categories
ଆଜିର ଖବର ରାଜ୍ୟ ଖବର

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶା ରେଳ ଦୁର୍ଘଟଣା କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ସହାୟତା ଯୋଗାଇ ଦେବା ଜାରି ରଖି ରିଲାଏନ୍ସ ଫାଉଣ୍ଡେସନ ବିବିଧ କାର୍ଯ୍ୟକ୍ରମ ହାତକୁ ନେଇଛି। ଏହା ମଧ୍ୟରେ ରହିଛି ଛଅ ମାସ ପାଇଁ ଶୁଖିଲା ରାସନ ପ୍ରଦାନ, ସ୍ନେହ ସୃଜନ କାର୍ଯ୍ୟକ୍ରମ ଜରିଆରେ ଭାବନାତ୍ମକ ଓ ମାନସିକ ସ୍ୱାସ୍ଥ୍ୟ ସହାୟତା, ଗୁରୁତର ଆହତଙ୍କୁ ସହାୟକ ଉପକରଣ ପ୍ରଦାନ ଇତ୍ୟାଦି।

ଏହି ଦୁଃଖଦ ଦୁର୍ଘଟଣାରେ ମୃତ ଓ ଗୁରୁତର ଆହତଙ୍କ ଉପରେ ନିର୍ଭରଶୀଳ ଥିବା ଲୋକମାନଙ୍କ ମଧ୍ୟରେ ଅନିଶ୍ଚିତତା ସୃଷ୍ଟି ହୋଇଥିଲା। ନିଜ ପ୍ରିୟଜନଙ୍କ ଅନୁପସ୍ଥିତି ଓ ହଠାତ୍ ଜୀବନଜୀବିକା ହରାଇବାର ଧକ୍କା ଭଳି ବିପର୍ଯ୍ୟୟରୁ ମୁକୁଳିବା ଲାଗି ସେମାନେ ପ୍ରୟାସ କରୁଛନ୍ତି। ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଥିବା ୧୦ ସୂତ୍ରୀ ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଏହି ପରିବାରଗୁଡିକର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ଆଧାରରେ ସହାୟତା ପ୍ରଦାନ କରି ପରିବାରର ଯନ୍ତ୍ରଣାକୁ ଦୂର କରିବା।

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ “ସ୍ନେହ ସୃଜନ’ କାର୍ଯ୍ୟକ୍ରମ ଜରିଆରେ ପିତାମାତା ଓ ପିଲାମାନଙ୍କ ସମେତ ସ୍ଥାନୀୟ ବାସିନ୍ଦାଙ୍କ ମାନସିକ ସ୍ଥିତିରେ ଉନ୍ନତି ଆଣିବା ଉପରେ ଧ୍ୟାନ ଦିଆଯାଇଥିଲା। ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ସହ ସ୍ନେହ ସୃଜନର ତିିନିଟି ପର୍ଯ୍ୟାୟ ମାନସିକ ଚାପ ହ୍ରାସ କରିବାରେ ସହାୟକ ହୋଇଛି ଏବଂ ପାଠପଢ଼ିବା ଲାଗି ବିଦ୍ୟାଳୟକୁ ଆସୁଥିବା ଓ ଶ୍ରେଣୀରେ ଯୋଗ ଦେଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବିଦ୍ୟାଳୟକୁ ପାଂଚଟି ଲେଖାଯିବା ବୋର୍ଡ ପ୍ରଦାନ କରାଯାଇଥିଲା ଯାହା ନବନିର୍ମିତ ଶ୍ରେଣୀ ଗୃହଗୁଡ଼ିକ ଠିକ୍ ସମୟରେ କାର୍ଯ୍ୟ କରିବାରେ ସହାୟକ ହୋଇପାରିଛି।

ଜୀବନଜୀବିକା କ୍ଷତି ସହିତ ଖାଦ୍ୟାଭାବ ସମସ୍ୟା ଦେଖାଦେଇଥିବା ବେଳେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ପ୍ରଭାବିତ ପରିବାରଗୁଡ଼ିକୁ ଛଅ ମାସ ପାଇଁ ଶୁଖିଲା ରାସନ ଯୋଗାଇବା ଆରମ୍ଭ କରାଯାଇଛି। ଓଡ଼ିଶାରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ରିଲାଏନ୍ସ ରିଟେଲ୍ ଷ୍ଟୋର୍ ଜରିଆରେ ବାଲେଶ୍ୱର, ଭଦ୍ରକ, କଟକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଓ କେନ୍ଦ୍ରାପଡା ଜିଲ୍ଲାର ପ୍ରଭାବିତ ପରିବାରଗୁଡିକୁ ଶୁଖିଲା ରାସନ ରିଲିଫ୍ ପ୍ରଦାନ କରାଯାଇଛି।

ଗୁରୁତ୍ୱପୂର୍ଣ୍ଣ ଜୀବନ ସହୟତାର ଏକ ଅଂଶ ସ୍ୱରୂପ ଗୁରୁତର ଆହତ ଓ ସ୍ଥାୟୀ ଭାବେ ଭିନ୍ନକ୍ଷମଙ୍କୁ ହ୍ୱିର୍ଲଚେୟାର ଭଳି ଆବଶ୍ୟକ ସହାୟତା ଯୋଗାଇ ଦେବା ପାଇଁ ରିଲାଏନ୍ସ ଫାଉଣ୍ଡେସନ କରିଥିବା ଘୋଷଣା ଅନୁସାରେ ଫାଉଣ୍ଡେସନର ଟିମ୍ ଏହାର ଆବଶ୍ୟକତାକୁ ଚିହ୍ନଟ କରି ଭଦ୍ରକ ବରପଦା ଗ୍ରାମର ଜଣେ ପ୍ରଭାବିତ ବ୍ୟକ୍ତିଙ୍କୁ ହ୍ୱିର୍ଲଚେୟାର ପ୍ରଦାନ କରିଛି। ବ୍ୟକ୍ତି ଜଣକ ଶଯ୍ୟାଶାୟୀ ଥିଲେ ଏବଂ ଘର ଭିତରେ ସାମାନ୍ୟତମ ଚଳପ୍ରଚଳ କାରିବା ପାଇଁ ମଧ୍ୟ ପରିବାରର ଅନ୍ୟ ସଦସ୍ୟମାନଙ୍କ ଉପରେ ନିର୍ଭରଶୀଳ ରହି ସଂଘର୍ଷ କରୁଥିଲେ। ସେହି ଦୃଷ୍ଟିରୁ ତାଙ୍କ ପାଇଁ ଏହି ସହାୟତା ବେଶ ଗୁରୁତ୍ୱପୂଣ୍ଣ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଟ୍ରେନ ଟ୍ରାଜେଡି: ଆଉ ୭ ରେଳ କର୍ମଚାରୀ ନିଲମ୍ବିତ

ଭୁବନେଶ୍ଵର: ବାହାନଗା ଟ୍ରେନ ଦୁର୍ଘଟଣା ମାମଲାରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୂର୍ବରୁ ୩ ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ଆଉ ୭ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। କର୍ତ୍ତବ୍ୟ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଥିବା କୁହାଯାଉଛି। ଷ୍ଟେସନ ମାଷ୍ଟର, ଟ୍ରାଫିକ ଇନସପେକ୍ଟର, ମେଣ୍ଟନରଙ୍କୁ ନିଲମ୍ବନ କରାଯାଇଛି। ସମ୍ପୃକ୍ତ ରେଳ କର୍ମଚାରୀମାନେ ଆଲର୍ଟ ଥିଲେ ଦୁର୍ଘଟଣା ଟାଳି ହୋଇପାରିଥାନ୍ତା ବୋଲି କୁହାଯାଉଛି। ଏନେଇ ଜିଏମ ଅନିଲ କୁମାର ମିଶ୍ରା ସୁଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରେଳ ଦୁର୍ଘଟଣା ସ୍ଥଳ ଏବଂ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଛାତ୍ର ଛାତ୍ରୀଙ୍କ ନିମନ୍ତେ ‘ସ୍ନେହ ସୃଜନ’ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ସାରା ରାଷ୍ଟ୍ରକୁ ସ୍ତବ୍ଧ କରିଦେଇଥିବାବେଳେ ମୃତକ, ଆହତ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ନିମନ୍ତେ ଜରୁରୀକାଳୀନ ସହାୟତା ଆବଶ୍ୟକ ପଡିଥିଲା। ଦୁର୍ଘଟଣା ସ୍ଥଳକୁ ଟିକିନିଖି ଭାବରେ ତନଖି କରିବା ଏବଂ ପ୍ରଭାବିତ ତଥା ଉଦ୍ଧାରକାରୀ ଦଳଗୁଡିକର ଆବଶ୍ୟକତା ପ୍ରତି ଦୃଷ୍ଟିଦେବା ନିମନ୍ତେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ତତ୍‍କ୍ଷଣାତ ଫେସ୍‍ ମାସ୍କ, ସର୍ଜିକାଲ ଗ୍ଲୋଭ୍‍ସ୍‍, ବେଡସିଟ୍‍, ଔଷଧ, ପାନୀୟ ଜଳ ଓ ଖାଦ୍ୟ ଆଦି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଦୁର୍ଘଟଣାସ୍ଥଳରେ ନିୟୋଜିତ ପୋଲିସ କର୍ମଚାରୀ ଓ ସ୍ୱେଚ୍ଛାସେବୀମାନଙ୍କୁ ଯୋଗାଇ ଦିଆଯାଇଥିଲା। ଦୁର୍ଘଟଣାରେ ପ୍ରଭାବିତଙ୍କ ଅପୂରଣୀୟ କ୍ଷତିକୁ ଦୃଷ୍ଟିରେ ରଖି ରିଲାଏନ୍ସ ଫାଉଣ୍ଡେସନ୍‍ ସ୍ୱଳ୍ପ ଓ ଦୀର୍ଘାବଧି ସୂତ୍ରରେ ୧୦ ସୂତ୍ରୀ ରିଲିଫ ଯୋଜନା ଘୋଷଣା କରିଥିଲା।

ଦୁର୍ଘଟଣାସ୍ଥଳ ନିକଟରେ ଅବସ୍ଥିତ ଥିବା ଏବଂ ଜରୁରୀକାଳୀନ ଉଦ୍ଧାର ଆଦି ସହିତ ଦୁର୍ଘଟଣାରେ ମୃତକମାନଙ୍କ ଶବଗୁଡିକୁ ରଖିବା କାର୍ଯ୍ୟରେ ବ୍ୟବହାର କରାଯାଇଥିବା ବାହାନଗା ହାଇସ୍କୁଲ ବିଷୟକୁ ନେଇ ଛାତ୍ର ଛାତ୍ରୀ ଏବଂ ଗୋଷ୍ଠୀ ସଦସ୍ୟମାନଙ୍କ ମଧ୍ୟରେ ସ୍ପଷ୍ଟ ଆଶଙ୍କା ଏବଂ ଭୟ ସୃଷ୍ଟି ହୋଇଥିଲା। ଘଟଣା ସମ୍ପର୍କରେ ଅବଗତ ଥିବା କେତେକ ଜନସାଧାରଣ ବିଦ୍ୟାଳୟକୁ ସେମାନଙ୍କ ପିଲାମାନଙ୍କୁ ପଠାଇବାକୁ କୁଣ୍ଠା ପ୍ରକାଶ କରିଥିଲେ।

ଏହି ପୃଷ୍ଠଭୂମିରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଏବଂ ବାହାନଗା ହାଇସ୍କୁଲ ପରିଚାଳନା କମିଟି ସହଯୋଗରେ ପିଲାମାନଙ୍କ ମଧ୍ୟରେ ସ୍କୁଲ ଯିବା ନିମନ୍ତେ ସୃଜନଶୀଳ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଏକ ତିନିଦିନିଆ ପ୍ରେରଣାଦାୟୀ କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀ, ପିତାମାତା ଏବଂ ବିଦ୍ୟାଳୟର ଅନ୍ୟ ସହଭାଗୀମାନଙ୍କ ନିମନ୍ତେ ଆୟୋଜନ କରାଯାଇଥିଲା। ଭୟାବହ ଦୁର୍ଘଟଣା ପରେ ପିଲାମାନେ ଓ ସେମାନଙ୍କ ପିତା ମାତାଙ୍କ ମାନସିକ ସ୍ତରରେ ସୃଷ୍ଟି ହୋଇଥିବା ପରିସ୍ଥିତିର ମୁକାବିଲା କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା।

ଆବଶ୍ୟକତାକୁ ଉପଲବ୍ଧି କରି ରିଲାଏନ୍ସ ଫାଉଣ୍ଡେସନ ଛାତ୍ର ଛାତ୍ରୀ, ପିତା ମାତା, ଶିକ୍ଷକ ଶିକ୍ଷୟିତ୍ରୀ, ସ୍କୁଲ ପରିଚାଳନା କମିଟି ଏବଂ ବାହାନଗା ବ୍ଳକ୍‍ର ପ୍ରାକ୍ତନ ଛାତ୍ର ଛାତ୍ରୀଙ୍କ ପାଇଁ ‘ସ୍ନେହ ସୃଜନ’ ନାମରେ ଏକ ନିୟୋଜନକାରୀ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ବାହାନଗା ବ୍ଳକ୍‍ର ଅସିମିଲ୍ଲା, ବାହାନଗା, ଇଛାପୁର, କମାରିପୁର, ପଥରପେଣ୍ଠ ଏବଂ ସତୀ ଆଦି ଛଅଟି ଗ୍ରାମରେ ସ୍ନେହ ସୃଜନ ଆୟୋଜିତ ହୋଇଥିଲା। ଏହି ଅଭିଯାନରେ ଚଳିତ ବର୍ଷ ଜୁନ୍‍ ୧୮ରୁ ୨୦ ତାରିଖ ମଧ୍ୟରେ ୧୮୨ ଛାତ୍ର ଛାତ୍ରୀ, ୭୨ ଜଣ ପିତା ମାତା, ପୂର୍ବତନ ଛାତ୍ର ଛାତ୍ରୀ, ଏସ୍‍ଏମସି ସଦସ୍ୟ ଏବଂ ୧୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବାହାନଗା ବିଡିଓ ଗୌରାଙ୍ଗ ଚରଣ ଘୋଷ ସ୍ୱାଭାବିକ ଢଙ୍ଗରେ ସ୍କୁଲରେ ପାଠପଢା ପୁଣି ଆରମ୍ଭ କରିବା ନିମନ୍ତେ ପିତାମାତା, ଛାତ୍ରଛାତ୍ରୀ ଏବଂ ଗୋଷ୍ଠୀ ସଦସ୍ୟମାନଙ୍କୁ ପ୍ରବର୍ତ୍ତାଇବାକୁ ସମସ୍ତ ସହଭାଗୀ ପ୍ରୟାସ କରିବାକୁ ଅନୁରୋଧ କରିଥିଲେ।

ଅଂଶଗ୍ରହଣକାରୀଙ୍କ ମଧ୍ୟରେ ମାନସିକ ଦୁସ୍ଥିତି ଦୂର କରିବା ପାଇଁ ଏହି ଅଭିଯାନ ସମୟରେ ଆର୍ଟ ଥେରାପିକୁ ଏକ ମାଧ୍ୟମ ଭାବରେ ବ୍ୟବହାର କରାଯାଇଥିଲା। ପିଲାମାନଙ୍କୁ ନିୟୋଜିତ କରି ରଖିବାକୁ ଚକଟା ମାଟିରୁ ମଡେଲ ପ୍ରସ୍ତୁତି, ଚିତ୍ରାଙ୍କନ, କଳା ଓ କାରିଗରୀ, ବେଲୁନ ଖେଳ, ଗୀତ, ନୃତ୍ୟ ଆଦି ବିବିଧ କାର୍ଯ୍ୟକଳାପର ବ୍ୟବହାର କରାଯାଇଥିଲା। ମୋଟର କୁଶଳତାରେ ଉନ୍ନତି ଆଣିବା, ଚାପଗ୍ରସ୍ତ ପରିସ୍ଥିତିର ମୁକାବିଲା, କୁସଂସ୍କାର ଓ ଅନ୍ଧବିଶ୍ୱାସକୁ ଅଣଦେଖା କରିବା, ମନରୁ ଭୟ ଦୂର କରିବା ଏବଂ ମାନସିକ ଚାପ ସମୟରେ ପିତା ମାତାଙ୍କ ପକ୍ଷରୁ ଯତ୍ନ ନିଆଯିବା ସକାଶେ ଏହି ସମସ୍ତ କାର୍ଯ୍ୟକଳାପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହେଉଛି।

ପରିଶେଷରେ ଏହି ଅଭିଯାନ ସମସ୍ତ ସାମାଜିକ ପ୍ରତିବନ୍ଧକକୁ ଭାଙ୍ଗି ବିଦ୍ୟାଳୟ ଯିବାକୁ ପ୍ରସ୍ତୁତି ନିମନ୍ତେ ପିଲାମାନଙ୍କ ମଧ୍ୟରେ ମନୋବଳ ବୃଦ୍ଧି କରିପାରିଥିଲା। ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ମଧୁମିତା ଦାସ ଏବଂ ଶିଶୁ ସୁରକ୍ଷା, ଶିକ୍ଷା ଓ ବିଦ୍ୟାଳୟ ନିରାପତ୍ତା ବିଶେଷଜ୍ଞ ଯୁଧିଷ୍ଠିର ପାଣିଗ୍ରାହୀ ଏହି ତିନିଦିନିଆ କାର୍ଯ୍ୟକ୍ରମ ଅବସରରେ ସାଧନ ବ୍ୟକ୍ତି ଭାବରେ କାର୍ଯ୍ୟ କରିଥିଲେ।

ବାହାନଗା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରମିଳା ସ୍ୱାଇଁ, ବିଜ୍ଞାନ ସ୍ନାତକ ତଥା ଶିକ୍ଷକ ପଦ୍ମଲୋଚନ ମଲିକ, ବାହାନଗା ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଖଗପତି ଜେନା ଏବଂ ବାହାନଗା ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଆଶିଷ କୁମାର ସାହୁ ଶିକ୍ଷା ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟକଳାପର ଗୁରୁତ୍ୱ ସମ୍ପର୍କରେ ଛାତ୍ର ଛାତ୍ରୀଙ୍କୁ ସଚେତନ କରାଇବା ସହିତ ସେମାନଙ୍କୁ ପ୍ରେରଣା ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଟ୍ରେନ ଦୁର୍ଘଟଣାର କୁଢକୁଢ ଶବ ରଖାଯାଇଥିବା ବାହାନଗା ସ୍କୁଲ ଘର ଭଙ୍ଗାଗଲା

ବାଲେଶ୍ବର: ବାଲେଶ୍ବର ବାହାନଗା ସ୍କୁଲ ଘର ଶେଷରେ ଭଙ୍ଗା ଗଲା। କାରଣ ହେଲା ସେଠାରେ ଟ୍ରେନ ଦୁର୍ଘଟଣାରେ କୁଢକୁଢ ଶବ ରଖାଯାଇଥିଲା। ସେଗୁଡିକ ସ୍ଥାନାନ୍ତରିତ କରିବା ପରେ ଆରମ୍ଭ ହେଲା ବିବାଦ। ଛାତ୍ରଛାତ୍ରୀମାନେ ସେହି ସ୍କୁଲକୁ ଯିବା ପାଇଁ ଭୟ କଲେ। ଫଳରେ ଜିଲ୍ଲା ପ୍ରଶାସନ ଆଜି ସକାଳୁ ଏହି ସ୍କୁଲ ଘର ଭାଙ୍ଗିବା ଆରମ୍ଭ କରିଛନ୍ତି।

ଯେତେବେଳେ ଦୁର୍ଘଟଣା ଘଟିଥିଲା ସେହି ରାତିରେ କେତେକ ଶବକୁ ଆଣି ସେହି ସ୍କୁଲ ଘରେ ପ୍ରଥମେ ରଖାଯାଇଥିଲା। ପରେ ଏହି ସଂଖ୍ୟା ବଢିବା ପରେ ସ୍କୁଲ ଘର ପୁରା ଶବରେ ଭର୍ତ୍ତି ହୋଇଯାଇଥିଲା। ଶବ ସ୍ଥାନାନ୍ତରିତ ପରେ ଏହାକୁ ସାନିଟାଇଜ କରି ସଫା କରାଯାଇଥିଲା। ଏପରିକି ନୂଆ ରଂଗ କରି ପୂଜାପାଠ କରିବା ପାଇଁ ମଧ୍ୟ ନିଷ୍ପତି ହୋଇଥିଲା।

ହେଲେ ପରବର୍ତ୍ତି ସମୟରେ ସ୍କୁଲ କମିଟର ବିଶେଷ ଅନୁରୋଧ ପରେ ଜିଲ୍ଲାପ୍ରଶାସନ ସ୍କୁଲକୁ ସଂପୂର୍ଣ୍ଣ ଭାଙ୍ଗି ନୂଆ ତୋଳିବା ପାଇଁ ନିଷ୍ପତି ଗ୍ରହଣ କରିଛି। ଫଳରେ ଆଜି ସକାଳୁ ଏହି ସ୍କୁଲ ଘର ଭଙ୍ଗା ଆରମ୍ଭ ହୋଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ଟ୍ରେନ୍ ଦୁର୍ଘଟଣା ମାମଲା: ଏଫ୍ଆଇଆର୍ ପଞ୍ଜିକରଣ କଲା ସିବିଆଇ

ଭୁବନେଶ୍ଵର: ବାହାନଗା ଟ୍ରେନ୍ ଦୁର୍ଘଟଣାର ତଦନ୍ତ ସିବିଆଇ ଆରମ୍ଭ କରିଛି। ଆଜି ସିବିଆଇ ଏହି ମାମଲାରେ ଏକ ମାମଲା ରୁଜୁ କରିଛି। ସିବିଆଇ ଅଧିକାରୀ କହିଛନ୍ତି ଯେ, ବାଲେଶ୍ଵରରେ ଏକ ଦଳ ପହଞ୍ଚି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଏହି ଟ୍ରେନ୍ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୭୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୦୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଅଧିକାରୀ କହିଛନ୍ତି ଯେ, ରେଳ ମନ୍ତ୍ରଣାଳୟର ଅନୁରୋଧ କ୍ରମେ ଓଡ଼ିଶା ସରକାରଙ୍କ ସହମତି ଏବଂ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ କରମଣ୍ଡଳ ଏକ୍ସପ୍ରେସ, ଯସୱନ୍ତପୁର-ହାୱାଡା ଏକ୍ସପ୍ରେସ ଏବଂ ଏକ ମାଲବାହୀ ଟ୍ରେନ ଦୁର୍ଘଟଣା ସମ୍ପର୍କରେ ସିବିଆଇ ଏକ ମାମଲା ରୁଜୁ କରିଛି। ଏହି ଘଟଣା ଜୁନ୍ ୨ ତାରିଖରେ ଓଡିଶାର ବାହାନଗା ବଜାର ଷ୍ଟେସନ ନିକଟରେ ଘଟିଥିଲା।

ସିବିଆଇ ଟିମ୍ ଆଜି ସିଗନାଲ୍ ରୁମ୍ ଏବଂ ରେଳ ଟ୍ରାକ୍ ଯାଞ୍ଚ କରିଛି। ବାହାନାଗା ବଜାର ରେଳ ଷ୍ଟେସନରେ ନିୟୋଜିତ ରେଳ ଅଧିକାରୀଙ୍କୁ ମଧ୍ୟ ପ୍ରଶ୍ନ କରାଯାଇଛି। ସିବିଆଇ ଅଧିକାରୀଙ୍କ ସହ ଫୋରେନସିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଫୋରେନସିକ୍ ଟିମ୍ ମଧ୍ୟ ସିଗନାଲ୍ ରୁପ୍ ର କର୍ମଚାରୀଙ୍କ ସହ କଥା ହୋଇ ଉପକରଣର ବ୍ୟବହାର ଏବଂ ସେମାନଙ୍କର କାର୍ଯ୍ୟ ପ୍ରଣାଳୀ ବିଷୟରେ ପଚାରି ବୁଝିଛନ୍ତି।

ସିବିଆଇ ଏହି ଦୁର୍ଘଟଣାର ଅପରାଧିକ ଦୃଷ୍ଟିକୋଣରୁ ଅନୁସନ୍ଧାନ କରିବ। କାରଣ ରେଳବାଇ ଏହି ଦୁର୍ଘଟଣା ପଛରେ ଭଙ୍ଗାରୁଜା କିମ୍ବା ବାହ୍ୟ ହସ୍ତକ୍ଷେପ ହେବାର ସମ୍ଭାବନା ପ୍ରକାଶ କରିଛି। ଏହି ଦୁର୍ଘଟଣା ପରେ ଜୁନ୍ ୩ ତାରିଖରେ ଓଡିଶା ପୋଲିସ ବାଲେଶ୍ଵର ସରକାରୀ ରେଳ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରିଥିଲା। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂରେ ପରିବର୍ତ୍ତନ ହେତୁ ଏହି ଦୁର୍ଘଟଣା ଘଟିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସଂପର୍କୀୟଙ୍କୁ ମୃତଦେହ ଚିହ୍ନିବା ହୋଇପଡିଛି କଷ୍ଟକର, ଆହୁରି ୯୯ଟି ଶବ ପଡିରହିଛି

ଭୁବନେଶ୍ବର: ଗତ ଦୁଇ ତାରିଖରେ ବାଲେଶ୍ୱରର ବାହାନଗା ଠାରେ ଘଟିଥିବା ରେଳ ଦୁର୍ଘଟଣା ପରିପ୍ରେକ୍ଷୀରେ ଓଡିଶା ରାଜ୍ୟ ସରକାରଙ୍କ ତରଫରୁ କରାଯାଉଥିବା ଉଦ୍ଧାର ପରବର୍ତ୍ତୀ ସହାୟତା ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ପରିପ୍ରକ୍ଷୀରେ ଶ୍ରୀ ଜେନା କହିଛନ୍ତି ଯେ, ଆଜି ସଂଧ୍ୟା ସୁଦ୍ଧା ଏହି ଦୁର୍ଘଟଣାରେ ୧୭୬ ଟି ମୃତଦେହ ଚିହ୍ନଟ କରାଯାଇ ସେମାନଙ୍କର ସଂପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି।

ସେଥିମଧ୍ୟରୁ ପୂର୍ବରୁ ବାଲେଶ୍ୱରରେ ୮୫ଟି ମୃତଦେହ ଚିହ୍ନଟ କରାଯାଇଥିବା ବେଳେ ଭୁବନେଶ୍ୱର ଆସିଥିବା ୧୯୩ ମୃତଦେହଙ୍କ ମଧ୍ୟରୁ ଆଜି ସନ୍ଧ୍ୟା ସୁଦ୍ଧା ଆଉ ୯୧ଟି ଏହିପରି ମୋଟ ୧୭୬ ଟିର ଚିହ୍ନଟ କରାଯାଇଥିଲା। ବିଭିନ୍ନ ହସ୍ପିଟାଲରେ ରଖାଯାଇଥିବା ମୃତଦେହକୁ ସେମାନଙ୍କର ସଂପର୍କୀୟମାନେ ଚିହ୍ନଟକରଣ ପାଇଁ ଆସୁଛନ୍ତି, ଏହି ପ୍ରକ୍ରିୟା ଚାଲୁ ରହିଛି।

ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ମୃତକଙ୍କ ପରିଜନମାନେ ମାନସିକ ଦୁଃଖଦ ସ୍ଥିତି ନେଇ ଓଡିଶାରେ ପହଁଚୁଛନ୍ତି। ଏଠାରେ ଯେପରି ସେମାନଙ୍କର କୌଣସି ଅସୁବିଧା ନହୁଏ, ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି  ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୃତଦେହ  ଚିହ୍ନଟକରଣ ପରେ ସେସବୁକୁ ଓଡିଶା ରାଜ୍ୟ ସରକାରଙ୍କ ଖର୍ଚ୍ଚରେ ସେମାନଙ୍କ ଗନ୍ତବ୍ୟ ସ୍ଥାନରେ ପହଁଚାଇବାର ବ୍ୟବସ୍ଥା କରାଯାଇଛି।

ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ପରେ ମୃତ୍ୟୁ ପ୍ରମାଣ ପତ୍ର  ଯଥାଶୀଘ୍ର ସେମାନଙ୍କ ପରିବାରଙ୍କୁ ପ୍ରଦାନ ପାଇଁ ରାଜ୍ୟ ସରକାରବ୍ୟବସ୍ଥା ଗ୍ରହଣ କରିବେ। ଅନ୍ ଲାଇନ୍ ଏବଂ ଆବଶ୍ୟକସ୍ଥଳେ ସ୍ପିଡପୋଷ୍ଟ ଜରିଆରେ ସେମାନଙ୍କ ପରିଜନମାନଙ୍କୁ ମୃତ୍ୟୁ ପ୍ରମାଣପତ୍ର ପଠାଇଦିଆଯିବ।

ମୃତଦେହସବୁର ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଜନସାଧାରଣଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ନିଃଶୁଳ୍ପ ଟେଲିଫୋନ୍ ନଂ- ୧୮୦୦୩୪୫୦୦୬୧ ଓ ନଂ-୧୯୨୯  ଜାରି କରାଯାଇଥିଲା ଓ ଏହା କାର୍ଯ୍ୟକାରୀ ରହିଛି। ଏହି ନମ୍ବରକୁ ଦେଶର ଯେ କୌଣସି ସ୍ଥାନରୁ ଲୋକମାନେ ବ୍ୟବହାର କରି ଆହତ ବା ମୃତକଙ୍କ ସଂପର୍କରେ ଅନୁସନ୍ଧାନ କରିପାରିବେ।

ସେହିପରି ମୃତକଙ୍କ ସମ୍ପର୍କରେ ଜାଣିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ତିନୋଟି ଓ୍ୱେବ୍ ସାଇଟ୍ www.osdma.org, www.srcodisha.nic.in ଏବଂ www.bmc.gov.in ଜାରିଲ କରାଯାଇଛି। ଏହି ସବୁ ଟୋଲ୍ ଫ୍ରି ନମ୍ବର ଏବଂ ଓ୍ୱେବ୍ ସାଇଟ୍ ର ବହୁଳ ପ୍ରଚାର ପ୍ରସାର ପାଇଁ ଗଣମାଧ୍ୟମର ସହଯୋଗ ଅତ୍ୟନ୍ତ ପ୍ରଶଂସନୀୟ ଓ  ଚିହ୍ନଟ ପ୍ରକ୍ରିୟା ସଂପୂର୍ଣ୍ଣ ହେବା ପର୍ଯ୍ୟନ୍ତ ସେମାନେ ଏହା ଜାରି ରଖିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଅନୁରୋଧ କରିଛନ୍ତି।

ବିଭିନ୍ନ ସ୍ଥାନରୁ ମୃତକଙ୍କୁ ଚିହ୍ନଟ କରିବା ପାଇଁ ଆସୁଥିବା ସେମାନଙ୍କର ସଂପର୍କୀୟମାନଙ୍କୁ ସହାୟତା କରିବା ପାଇଁ ରେଳଷ୍ଟେସନ , ବସ୍ ଷ୍ଟାଣ୍ଡ ଏବଂ ବିମାନ ବନ୍ଦରରେ ଓଡିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ସଜାଗ ରହିଛନ୍ତି। ସଂପର୍କୀୟମାନେ ପହଁଚିବା ପରେ ସେମାନଙ୍କୁ  ମୃତଦେହ ରହିଥିବା ବିଭିନ୍ନ ଡାକ୍ତରଖାନାକୁ ନେଇ ମୃତଦେହ ଚିହ୍ନଟ ପ୍ରକ୍ରିୟାରେ ସମସ୍ତ ସହାୟତା ପ୍ରଦାନ କରୁଛନ୍ତି।

ସବୁଠୁ ଅଧିକମୃତଦେହ ରହିଥିବା ଏମ୍ସ ହସ୍ପିଟାଲ ଠାରେ ବ୍ୟବସ୍ଥିତ ଢଙ୍ଗରେ ଏକ ବଡ ଏଲ୍ଇଡି ସ୍କ୍ରିନ୍ ଲଗାଯାଇ ମୃତକଙ୍କ ଫଟୋ ପ୍ରଦର୍ଶନ କରାଯାଉଛି, ସେଥିପାଇଁ ସମସ୍ତଙ୍କୁ ଶବ ସଂରକ୍ଷଣ ଗୃହକୁ ଯିବାକୁ ଆବଶ୍ୟକ ପଡୁନାହିଁ। ସେଠାରେ ଅଭିଜ୍ଞ ଅଧିକାରୀ ଓ ପୋଲିସ୍ ଷ୍ଠାଫ୍ ମାନେ ଉପସ୍ଥିତ ରହି ମୃତଦେହ ଚିହ୍ନଟକରଣ ଓ ହସ୍ତାନ୍ତର  ବ୍ୟବସ୍ଥାକୁ ସୁଗମ କରୁଛନ୍ତି।

ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଆହୁରି ମଧ୍ୟ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ସର୍ବଦା ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି କହିଛନ୍ତି।  ଚିକିତ୍ସିତ ହେଉଥିବା ପ୍ରତ୍ୟେକ ବ୍ୟକ୍ତି ହେଉ କିମ୍ବା ମୃତଦେହ ଚିହ୍ନଟ କରି ସେମାନଙ୍କର ସମ୍ପର୍କୀୟମାନଙ୍କୁ ହସ୍ତାନ୍ତର କରିବା ହେଉ, ମୁଖ୍ୟମନ୍ତ୍ରୀ ଏହାକୁ ଗୁରୁତ୍ୱ ଦେଇ କାର୍ଯ୍ୟକରିବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟ ଶାସନ ସଚିବ ଆହୁରି ମଧ୍ୟ କହିଛନ୍ତି ଯେ, ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସାପାଇଁ ରକ୍ତର ଆବଶ୍ୟକତା ପୂରଣ ନିମନ୍ତେ ବାଲେଶ୍ୱର , ଭଦ୍ରକ, ସ୍ଥାନୀୟ ଏବଂ ଓଡିଶାର ଜନସାଧାରଣ ଯେପରି ଆଗେଇ ଆସିଛନ୍ତି, ଆମର ବିଶ୍ୱାସ ଓଡିଶାରେ ଚିକିତ୍ସା ପାଇଁ  କେବେ ରକ୍ତର ଅଭାବ ରହିବ ନାହିଁ।

ବିପର୍ଯ୍ୟୟ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କର ପ୍ରସ୍ତୁତି ଓ ରାଜ୍ୟର ଜନସାଧାରଣଙ୍କ ସହଯୋଗ ଆମକୁ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ସର୍ବଦା ସଫଳତା ଦେଇଆସିଛି।  ଆଗାମୀ ଦିନରେ ଆମର ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମି, ଦକ୍ଷତାର ବିକାଶ ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟକୁ ଆହୁରି ଅଧିକ ସୁଦୃଢ କରିବାକୁ ଆମର ପ୍ରୟାସ ଜାରି ରହିବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶା ସରକାରଙ୍କ ସହଯୋଗରେ ମୃତକଙ୍କ ଚିହ୍ନଟ ପାଇଁ ଫଟୋ ପ୍ରକାଶ

ଭୁବନେଶ୍ଵର: ଓଡ଼ିଶାର ବାହାନଗା ଠାରେ ଘଟିଥିବା ଦୁର୍ଭାଗ୍ୟଜନକ ରେଳ ଦୁର୍ଘଟଣାରେ ମୃତାହତ ସମ୍ପର୍କୀୟଙ୍କ ବିଷୟରେ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ପାଇନଥିବା ପରିବାର ଲୋକମାନଙ୍କୁ ସହାୟତା ଯୋଗାଇ ଦେବା ନିମନ୍ତେ ଓଡ଼ିଶା ସରକାରଙ୍କ ସହଯୋଗରେ ଭାରତୀୟ ରେଳବାଇ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ମୃତାହତଙ୍କ ସମ୍ପର୍କୀୟମାନଙ୍କ ସହିତ ଯୋଗାଯୋଗ କରିବା ଲାଗି ଚେଷ୍ଟା କରାଯାଉଛି। ଏହି ଦୁର୍ଭାଗ୍ୟଜନକ ରେଳ ଦୁର୍ଘଟଣାରେ ମୃତାହତ ଯାତ୍ରୀଙ୍କ ପରିବାରବର୍ଗ/ସମ୍ପର୍କୀୟ/ବନ୍ଧୁ ଓ ଶୁଭଚିନ୍ତକମାନେ ନିମ୍ନରେ ଦିଆଯାଇଥିବା ଲିଙ୍କକୁ ଯାଇ ମୃତକ ଓ ଆହତ ଯାତ୍ରୀଙ୍କ ଫଟୋ ଦେଖିପାରିବେ। ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆହତ ଯାତ୍ରୀଙ୍କ ସମ୍ପର୍କରେ ଜାଣିପାରିବେ ଏବଂ ନିମ୍ନ ବିବରଣୀକୁ ଉପଯୋଗ କରି ଅପରିଚିତ ମୃତଦେହକୁ ଚିହ୍ନଟ କରିପାରିବେ।

୧- ଦୁଃଖଦାୟକ ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ଫଟୋର ଲିଙ୍କ ହେଉଛି:

https://srcodisha.nic.in/Photos%20Of%20Deceased%20with%20Disclaimer.pdf

୨- ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଯାତ୍ରୀଙ୍କ ତାଲିକା:

https://www.bmc.gov.in/train-accident/download/Lists-of-Passengers-Undergoing-Treatment-in-Different-Hospitals_040620230830.pdf

୩- କଟକ ଏସସିବିରେ ଚିକିତ୍ସିତ ହେଉଥିବା ଅପରିଚିତ ବ୍ୟକ୍ତିଙ୍କ ଲିଙ୍କ୍‌:

https://www.bmc.gov.in/train-accident/download/Un-identified-person-under-treatment-at-SCB-Cuttack.pdf

ଏହି ରେଳ ଦୁର୍ଘଟଣାରେ ପୀଡ଼ିତ ଯାତ୍ରୀମାନଙ୍କ ପରିବାରବର୍ଗ/ସମ୍ପର୍କୀୟଙ୍କ ସହିତ ଯୋଗାଯୋଗ କରିବା ଲାଗି ରେଳବାଇର ହେଲ୍ପଲାଇନ ନମ୍ବର ୧୩୯ ଦିନରାତି କାମ କରୁଛି। ବରିଷ୍ଠ ରେଳ ଅଧିକାରୀମାନେ ଉପସ୍ଥିତ ରହି ୧୩୯ ନମ୍ବର ଜରିଆରେ ସୂଚନା ଯୋଗାଇ ଦେଉଛନ୍ତି। ଆହୁରି ବିଏମସିର ହେଲ୍ପଲାଇନ ନମ୍ବର ୧୮୦୦୩୪୫୦୦୬୧/୧୯୨୯ ୨୪ ଘଣ୍ଟିଆ ଭିତ୍ତିରେ କାର୍ଯ୍ୟ କରୁଛି। ଭୁବନେଶ୍ୱର ମହାନଗର ନିଗମ ଆୟୁକ୍ତଙ୍କ ଦ୍ୱାରା ଏକ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି ଯେଉଁଠି ଯୋଗାଯୋଗ କରୁଥିବା ଲୋକମାନଙ୍କୁ ସେମାନଙ୍କର ସମ୍ପର୍କୀୟଙ୍କୁ ଚିହ୍ନଟ କରାଯାଇ ଆବଶ୍ୟକତା ଅନୁଯାୟୀ,ଡାକ୍ତରଖାନା କିମ୍ବା ଶବାଗାରକୁ ପଠାଇବା ନିମନ୍ତେ ଗାଡ଼ି ବ୍ୟବସ୍ଥା କରାଯାଇଛି। ଏହି ସୁବିଧା ପାଇଁ ଅଧିକାରୀମାନଙ୍କୁ ମୁତୟନ କରାଯାଇଛି।

Categories
ବିଶେଷ ଖବର

ହୃଦୟ ବିଦାରକ ଦୁର୍ଘଟଣାର ପ୍ରଶମନ ଲାଗି ‘ସାମଗ୍ରିକ ସରକାର’ ଆଭିମୁଖ୍ୟ ନେଇ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ଵର: ବାଲେଶ୍ୱର ବାହାନଗାରେ ଦୁଃଖଦ ରେଳ ଦୁର୍ଘଟଣା ଘଟିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ଉଦ୍ଧାର ଓ ସହାୟତା କାର୍ଯ୍ୟର ସମୀକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ରେଳ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହେଉଥିବା ଆହତ ଯାତ୍ରୀଙ୍କ ସହିତ କଥା ହୋଇଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦୁର୍ଘଟଣାଗ୍ରସ୍ତ ଟ୍ରେନ୍ଗୁଡ଼ିକରେ ଯାତ୍ରା କରୁଥିବା ବିଭିନ୍ନ ରାଜ୍ୟର ବାସିନ୍ଦା ଏହି ହୃଦୟ ବିଦାରକ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଛନ୍ତି। ଯାତ୍ରୀମାନଙ୍କର ଜୀବନହାନି ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପ୍ରିୟଜନଙ୍କୁ ହରାଇଥିବା ଶୋକସନ୍ତପ୍ତ ପରିବାରବର୍ଗଙ୍କ ସହିତ ସରକାର ଦୃଢ଼ ଭାବେ ଛିଡ଼ା ହୋଇଛନ୍ତି। ଆହତମାନଙ୍କୁ ଯଥାସମ୍ଭବ ଚିକିତ୍ସା ସହାୟତା ଯୋଗାଇ ଦେବା ପାଇଁ ସବୁମତେ ଉଦ୍ୟମ କରାଯିବ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ଏହି ଦୁଃଖଦ ଘଟଣାର ଉଚିତ୍ ଏବଂ ଶୀଘ୍ର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦୋଷୀ ସାବ୍ୟସ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ସକ୍ରିୟ ଓ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାତି ସାରା ଉଦ୍ଧାର ଓ ସହାୟତା କାର୍ଯ୍ୟରେ ନିୟୋଜିତ ରହିଥିବା ଓଡ଼ିଶା ସରକାର, ସ୍ଥାନୀୟ ପ୍ରଶାସନ, ସ୍ଥାନୀୟ ଲୋକ, ବିଶେଷ କରି ଯୁବବର୍ଗଙ୍କୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। ଆହତମାନଙ୍କୁ ସାହାଯ୍ୟ କରିବା ଲାଗି ରକ୍ତଦାନ ନିମେନ୍ତ ବହୁସଂଖ୍ୟାରେ ଆଗେଇ ଆସିଥିବା ସ୍ଥାନୀୟ ବାସିନ୍ଦାଙ୍କୁ ମଧ୍ୟ ସେ ପ୍ରଶଂସା କରିଥିଲେ।

ଶ୍ରୀ ମୋଦୀ କହିଥିଲେ ଯେ, ଉଦ୍ଧାର ଓ ସହାୟତା କାର୍ଯ୍ୟ ସହିତ ଯଥାଶୀଘ୍ର ରେଳଧାରଣା ମରାମତି ପାଇଁ ରେଳବାଇ କାର୍ଯ୍ୟ କରୁଛି। ସ୍ଥାନୀୟ ପ୍ରଶାସନିକ କର୍ତ୍ତୃପକ୍ଷ, ବିପର୍ଯ୍ୟୟ ଉଦ୍ଧାରକାରୀ ବାହିନୀ ଏବଂ ରେଳ ଅଧିକାରୀଙ୍କ ସହିତ କଥା ହୋଇ ପ୍ରଧାନମନ୍ତ୍ରୀ ଏହି ହୃଦୟ ବିଦାରକ ଦୁର୍ଘଟଣାର ପ୍ରଶମନ ଲାଗି ‘ସାମଗ୍ରିକ ସରକାର’ ଆଭିମୁଖ୍ୟ ନେଇ କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ବକୁ କନ୍ଦାଉଛି ବାହାନଗା ଟ୍ରେନ ଟ୍ରାଜେଡି: ରଣପୁରରେ ସମୂହ ଦୀପ ଦାନ

ରଣପୁର: ବାଲେଶ୍ବର ଜିଲ୍ଲା ବାହାନଗାରେ ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୮୮କୁ ବୃଦ୍ଧି ପାଇଥିବା ବେଳେ ୧୦୦୦ରୁ ଅଧିକ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହି ଦୁର୍ଘଟଣାରେ ଉଦ୍ଧାରକାରୀ ଦଳ ବଗିରେ ଫସି ରହିଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଆହତମାନଙ୍କୁ କଟକ, ଭୁବନେଶ୍ୱର ଏବଂ ବାଲେଶ୍ବରର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାଲେଶ୍ବର ଟ୍ରେନ୍ ଦୁର୍ଘଟଣା ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ଚତୁର୍ଥ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା।

ଏହି ଦୁର୍ଘଟଣାର ଖବର ଚାରିଆଡେ ପ୍ରସାରିତ ହେବା ପରେ ସବୁଆଡେ ଦୁଃଖର ଛାୟା ଖେଳି ଯାଇଛି। ବିଶ୍ୱର ସମସ୍ତେ ଏହି ଦୁଃଖଦ ଖବର ଶୁଣିବା ପରେ ଭାଙ୍ଗି ପଡିଛନ୍ତି। ନୟାଗଡ ଜିଲ୍ଲା ରଣପୁର ଅଞ୍ଚଳର ଲୋକମାନେ ମଧ୍ୟ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ସନ୍ଧ୍ୟାରେ ରଣପୁର ପ୍ରେସ କ୍ଲବ, ଜଗନ୍ନାଥ ସେନା, ବିଦ୍ଧିଜୀବୀ, ରଥ କାରିଗର ଓ ଜନସାଧାରଣ ଏହି ଟ୍ରେନ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ଅମର ଆତ୍ମାର ସଦଗତି ଏବଂ ଆହତ ବ୍ୟକ୍ତିଙ୍କ ଆଶୁ ଆରୋଗ୍ୟ ନିମନ୍ତେ ରଣପୁର ଜଗନ୍ନାଥ ମନ୍ଦିରରେ ସମୂହ ଦୀପ ଦାନ କରାଯାଇଥିଲା। ସେହିପରି ନରସିଂହପୁର କ୍ଲଷ୍ଟର ଶିକ୍ଷକ ଶିକ୍ଷୟତ୍ରୀମାନେ ମଧ୍ୟ ନୀରବ ପାର୍ଥନା କରି ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ।

ସେହିପରି ରଣପୁର ରଘୁ ଦିବାକର ମଣ୍ଡପ ଠାରେ ନଗର ସଭାପତି ଲିଙ୍ଗରାଜ ନାୟକଙ୍କ ସହ ବହୁ ଜନସାଧାରଣ ମଧ୍ୟ ସମୂହ ଦୀପ ଦାନ କରିଛନ୍ତି।