Train Accident: ପ୍ରଧାନମନ୍ତ୍ରୀଙ୍କ ସହିତ ଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ

Published: Jun 4, 2023, 10:43 am IST
TrainAccidnet

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଆଜି ଫୋନ୍ ଯୋଗେ କଥା ହୋଇଛନ୍ତି। ନବୀନ ପ୍ରଧାନମନ୍ତ୍ରୀଙ୍କୁ ସାମ୍ପ୍ରତିକ ପରିସ୍ଥିତି, ବିଶେଷକରି ରେଳ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କ ଚିକିତ୍ସା ବିଷୟରେ ସୂଚନା ଦେଇଥିଲେ।

ଓଡିଶାର ବିଭିନ୍ନ ଡାକ୍ତରଖାନାରେ ଆହତ ଯାତ୍ରୀଙ୍କ ଜୀବନ ରକ୍ଷା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି। ଡାକ୍ତର ଏବଂ ଡାକ୍ତରୀ ଛାତ୍ରମାନେ ଜୀବନ ରକ୍ଷା କରିବାକୁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ଡାକ୍ତର, ଛାତ୍ର ଏବଂ ସାଧାରଣ ଲୋକ ଆହତ ବ୍ୟକ୍ତିଙ୍କ ପାଇଁ ରକ୍ତ ଦାନ କରିବାକୁ ଆଗେଇ ଆସୁଛନ୍ତି।

ସେ କହିଛନ୍ତି ଯେ ଆମେ ଏକ ନୀତି ଅନୁସରଣ କରୁଛୁ ଯେଉଁଥିରେ ‘ପ୍ରତିଟି ଜୀବନ ମୂଲ୍ୟବାନ ଅଟେ’। ସେହି ଅନୁସାରେ ଉଦ୍ଧାର କାର୍ଯ୍ୟ ଠାରୁ ଆରମ୍ଭ କରି ଆହତମାନଙ୍କୁ ଡାକ୍ତରଖାନାକୁ ନେବା, ଚିକିତ୍ସା ପାଇଁ ବ୍ୟବସ୍ଥା କରିବା ପର୍ଯ୍ୟନ୍ତ ଆମେ ଜୀବନ ରକ୍ଷା କରିବା ପାଇଁ କୈଣସି କ୍ଷେତ୍ରରେ ଅବହେଳା କରି ନାହୁଁ ବୋଲି ନବୀନ କହିଛନ୍ତି।

ସାମ୍ପ୍ରତିକ ପରିସ୍ଥିତି ବିଷୟରେ ବିସ୍ତୃତ ଭାବରେ ସେ କହିଛନ୍ତି ଯେ ବିଭିନ୍ନ ଡାକ୍ତରଖାନାରେ ପ୍ରାୟ ୧୧୭୫ ଜଣ ଭର୍ତ୍ତି ହୋଇଛନ୍ତି, ସେଥିମଧ୍ୟରୁ ୭୯୩ ଜଣ ଡିସଚାର୍ଜ ହୋଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅଧିକାଂଶ ଆହତ ରୋଗୀଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି।

ବର୍ତ୍ତମାନ ୩୮୨ ଜଣ ଯାତ୍ରୀ ବର୍ତ୍ତମାନ ବିଭିନ୍ନ ସରକାରୀ ଏବଂ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ସଙ୍କଟ ସମୟରେ ତୁରନ୍ତ ଏବଂ ଦକ୍ଷ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଧାନମନ୍ତ୍ରୀ ଓଡିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆବଶ୍ୟକ ହେଲେ କୈଣସି ପ୍ରକାର ସହାୟତା ଯୋଗାଇବାକୁ କେନ୍ଦ୍ର ପ୍ରସ୍ତୁତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ସଙ୍କଟରେ ସଠିକ ପ୍ରକାରର ସହାୟତା ଏବଂ ଠିକ୍ ସମୟରେ ସହାୟତା ପାଇଁ ସେ ଓଡିଶାବାସୀଙ୍କୁ ପ୍ରଶଂସା କରିଥିଲେ।

Related posts