Categories
ଆଜିର ଖବର ରାଜ୍ୟ ଖବର

ବିଜେଡିର ଜନସମ୍ପର୍କ ପଦଯାତ୍ରା ଶୁଭାରମ୍ଭ କଲେ ବିଧାୟକ ବାଦଲ

ରଣପୁର: ପବିତ୍ର ଗାନ୍ଧୀ ଜୟନ୍ତୀ ଠାରୁ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ପର୍ଯ୍ୟନ୍ତ ବିଜୁଜନତା ଦଳ ପକ୍ଷରୁ ଜନ ସମ୍ପର୍କ ଅଭିଯାନ (ପଦଯାତ୍ରା) ଆରମ୍ଭ ହୋଇଛି। ଏହି ପଦଯାତ୍ରାରେ ମଧ୍ୟ ରଣପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳ ସାମିଲ ହୋଇ ଏହି ପଦଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏହି ପଦଯାତ୍ରା ଗୋପାଳପୁର ଠାରୁ ମଝିଆଖଣ୍ଡ ପର୍ଯ୍ୟନ୍ତ କରାଯାଇଥିଲା।

ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ବ୍ଲକ ସଭାପତି ସଚିକାନ୍ତ ଷଡ଼ଙ୍ଗୀ, ବିଜ୍ଞାପିତ ଅଞ୍ଚଳ ପରିଷଦ ନଗର ସଭାପତି ଲିଙ୍ଗରାଜ ନାୟକ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ସାଂସଦ ପ୍ରତିନିଧି ସ୍ୱରାଜ ମହାନ୍ତି, ରଣପୁର ବ୍ଲକ ଉପସଭାପତି ପ୍ରଭାତ ଦଳବେହେରା, ଯୁବ ନେତା ବନମାଳୀ ମହାପାତ୍ର, ଲିଙ୍କନ ସୁବୁଦ୍ଧି, ନର୍ମଦା ରାୟ, ଡ଼ ସନ୍ତୋଷ କୁମାର ଲେଙ୍କା, ରଞ୍ଜନ ଦାଶ, ଲିଟୁ ସ୍ୱାଇଁଙ୍କ ସହ ସମସ୍ତ ବିଜେଡି କର୍ମୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏଥିରେ ଲୋକମାନଙ୍କୁ ବିଭିନ୍ନ ଯୋଜନା ସମ୍ପର୍କରେ ବୁଝା ଯାଇଥିଲା।

ଗାନ୍ଧି ଜୟନ୍ତୀରୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ବିଜେଡିର ଜନସମ୍ପର୍କ ପଦଯାତ୍ରା। ଜୟପ୍ରକାଶ ଜୟନ୍ତୀ ଯାଏଁ ରାଜ୍ୟବ୍ୟାପୀ ଚାଲିବ ଏହି ପଦଯାତ୍ରା। ଏହା ମାଧ୍ୟମରେ ପ୍ରତି ଘରେ ପହଞ୍ଚିବାକୁ ବିଜୁ ଜନତା ଦଳ ଲକ୍ଷ୍ୟ ରଖିଛି। ପଦଯାତ୍ରା କରି ବିଜେଡିର ନେତା, ମନ୍ତ୍ରୀ, ବିଧାୟକ ଓ ସାଂସଦ ରାଜ୍ୟ ସରକାରଙ୍କ ବିକାଶମୂଳକ କାମ ସମ୍ପର୍କରେ ଲୋକଙ୍କୁ ବୁଝାଇବେ। ସବୁ ନିର୍ବାଚନ ମଣ୍ଡଳୀରେ ପଦଯାତ୍ରା ସହ ରକ୍ତଦାନ, ବୃକ୍ଷରୋପଣ ଓ ଅନ୍ୟ ସାମାଜିକ କାର୍ଯ୍ୟକ୍ରମ ହେବ। ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ପର୍ଯ୍ୟନ୍ତ ଏହି ପଦଯାତ୍ରା ଚାଲିବ। ଅକ୍ଟୋବର ୨ରୁ ଡିସେମ୍ବର ୨୬ ତାରିଖ ଯାଏ ଏହି ଜନସମ୍ପର୍କ ଯାତ୍ରା କାର୍ଯ୍ୟକ୍ରମ କରାଯିବ ବୋଲି ରଣପୁର ବିଧାୟକ କହିଛନ୍ତି।

ଆସନ୍ତା ଡିସେମ୍ବର ୨୬ରେ ବିଜେଡି ଦଳ ପ୍ରତିଷ୍ଠାକୁ ୨୬ ବର୍ଷ ପୂରିବ। ଦଳର ଏହି ୨୭ତମ ପ୍ରତିଷ୍ଠା ଦିବସ ପାଇଁ ଜନସମ୍ପର୍କ ପଦଯାତ୍ରାକୁ ବ୍ୟାପକ କରିବାକୁ ଦଳ ଯୋଜନା କରିଛି । ସବୁ ନିର୍ବାଚନମଣ୍ଡଳୀରେ ପଦଯାତ୍ରା ସହ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହେବ। ଅକ୍ଟୋବର ୧୨ରୁ ମାସକ ଯାଏ ଦଳର ସକ୍ରିୟ ସଦସ୍ୟ, ସଦସ୍ୟାଙ୍କୁ ନେଇ ଜିଲ୍ଲାପରିଷଦ ଜୋନ୍‌ସ୍ତର ଓ ପୌରାଞ୍ଚଳସ୍ତରରେ ପ୍ରଶିକ୍ଷଣ ଶିବିର କରାଯିବ। ଦଳର ସାଂଗଠନିକ କାର୍ଯ୍ୟକ୍ରମକୁ ସୁଦୃଢ଼ କରିବାକୁ ଲୋକଙ୍କ ପାଖକୁ ଯାଇ ସିଧାସଳଖ ସମ୍ପର୍କ ସ୍ଥାପନ କରିବାକୁ ଯୋଜନା ହୋଇଛି। ପ୍ରତି ୱାର୍ଡରେ ପହଞ୍ଚି ସରକାରୀ ଯୋଜନା ବାବଦରେ ସଚେତନତା ସୃଷ୍ଟି କରାଯିବ। ଡିସେମ୍ବର ୨୬ରେ ଦଳର ପ୍ରତିଷ୍ଠା ଦିବସ ପାଳନ କରାଯିବ। ଏଥିରେ ଓଡ଼ିଶାର ସଂଗ୍ରାମୀ ଓ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ। ରାଜ୍ୟର ବିକାଶକୁ ଶୀର୍ଷକୁ ନେବାକୁ ବିଜେଡି ନେତା ଓ କର୍ମୀମାନେ ସଙ୍କଳ୍ପ ନେବେ। ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଜିଲ୍ଲା ସଭାପତିଙ୍କ ନେତୃତ୍ୱ ନେଇ ପଦଯାତ୍ରା ସହ ସବୁ ସାମାଜିକ କାର୍ଯ୍ୟକ୍ରମ କରିବାକୁ ବିଜେଡି ଦଳର ସୁପ୍ରିମୋ ନବୀନ ଆହ୍ୱାନ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଗାନ୍ଧୀ ଜୟନ୍ତୀ ଅବସରରେ ଏମ୍ସ ଭୁବନେଶ୍ୱରରେ ଆରମ୍ଭ ହେଲା ସ୍ୱତନ୍ତ୍ର ସ୍ଵଚ୍ଛତା ଅଭିଯାନ ୩.୦

ଭୁବନେଶ୍ୱର: ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଏମ୍ସ ଭୁବନେଶ୍ୱରରେ ପ୍ରଭାବୀ ଢଙ୍ଗରେ ସ୍ୱତନ୍ତ୍ର ସ୍ଵଚ୍ଛତା ଅଭିଯାନ ୩.୦ର ଶୁଭାରମ୍ଭ ହୋଇଛି। ଗତକାଲି ଏମ୍ସ ପରିସରରେ ଆୟୋଜିତ ଏହି କର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ(ବିପିଏସପିଏ) ର ପ୍ରାୟ ଅଢେଇ ଶହ ପୋଲିସ୍ କର୍ମଚାରୀ ଏବଂ ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋର୍ସ (ସିଆରପିଏଫ୍) ର ସତୁରୀ ଜଣ ଯବାନ୍ ଙ୍କ ସ୍ବେଚ୍ଛାକୃତ ଯୋଗଦାନ ଉଲ୍ଲେଖନୀୟ ଆକର୍ଷଣ ସାଜିବା ସହିତ ଉତ୍ସାହ ବଢ଼େଇଥିଲା।

ଏହି ଅବସରରେ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସଙ୍କ ନେତୃତ୍ୱରେ ଧର୍ମଶାଳା ନିକଟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅଭିଯାନରେ ଡିନ୍ ଡ. ପି ଆର ମହାପାତ୍ର, ମେଡିକାଲ୍ ସୁପରିଟେଣ୍ଡେଣ୍ଟ୍ ଡ. ଦିଲ୍ଲୀପ କୁମାର ପରିଡ଼ା, ହସ୍ପିଟାଲ୍ ଆଡମିନିଷ୍ଟ୍ରେସନ୍ ମୁଖ୍ୟ ଡ. ଜବାହର ଏସ୍ କେ ପିଲ୍ଲାଇ, ଡ. ମୁକୁନ୍ଦ ଚନ୍ଦ୍ର ସାହୁ, ଡ. ଅଶୋକ କୁମାର ଜେନା, ଡ. ପ୍ରଭାସ ରଂଜନ ତ୍ରିପାଠୀ ପ୍ରମୁଖଙ୍କ ସମେତ ବିପିଏସପିଏ ଏବଂ ସିଆରପିଏଫ୍ ର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ପ୍ରାରମ୍ଭରେ ଓପିଡି ଫୟାରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ ସହିତ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଅଂଶଗ୍ରହଣକାରୀମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପରେ ସ୍ୱଚ୍ଛତା ଶପଥ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅନୁଷ୍ଠିତ ବିଶାଳ ସଫେଇ ଅଭିଯାନରେ ସମସ୍ତେ ସାମିଲ ହୋଇଥିଲେ। ସ୍ୱଚ୍ଛତାର ଗୁରୁତ୍ୱ ଏବଂ ସମାଜରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସମସ୍ୟାର ସମାଧାନ ପାଇଁ ସ୍ବେଚ୍ଛାସେବୀମାନେ ବ୍ୟାନର ଏବଂ ପ୍ଲାକାର୍ଡ ଧରି ସଚେତନତା ସୃଷ୍ଟି କରିଥିଲେ।

କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ଡ. ଆଶୁତୋଷ ବିଶ୍ଵାସ ଉପସ୍ଥିତ ସମସ୍ତଙ୍କୁ ଏକ ପ୍ରେରଣାଦାୟୀ ଅଭିଭାଷଣ ପ୍ରଦାନ କରିବା ସହିତ ସ୍ଵଚ୍ଛତା ଅଭିଯାନରେ ଏପରି ଉତ୍ସର୍ଗୀକୃତ ସଂପୃକ୍ତିକୁ ଭୂୟସୀ ପ୍ରଶଂସା କରିଥିଲେ।

ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବା ସହିତ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ କ୍ରମେ, ସ୍ବଚ୍ଛତା ହିଁ ସେବା ଅଭିଜାନ ଅନ୍ତର୍ଗତ ଅଭିଯାନରେ ଏମ୍ସ ଭୁବନେଶ୍ଵର ନିଜର ଏବଂ ଆଖପାଖ ଅଞ୍ଚଳକୁ ପରିଷ୍କାର ରଖିବା ନିମନ୍ତେ ଶତତ ପ୍ରୟାସ ଜାରି ରଖିଥିବା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ଵାସ ମତବ୍ୟକ୍ତ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ରାଷ୍ଟ୍ରପତି ଭବନରେ “ଶକ୍ତି ହାଟ”ର ଲୋକାର୍ପଣ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ଭବନ ଠାରେ ନବୀକରଣ ହୋଇଥିବା ସିଲେଇ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର “ଶକ୍ତି ହାଟ”ର ଲୋକାର୍ପଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ଶ୍ରୀ ପ୍ରଧାନ ଏ ସମ୍ପର୍କରେ ଟ୍ୱିଟ୍ କରି କହିଛନ୍ତି ଯେ ରାଷ୍ଟ୍ରପତି ଭବନର ମହିଳା ବାସିନ୍ଦାମାନଙ୍କୁ ସଶକ୍ତ କରିବା ତଥା ସେମାନଙ୍କୁ ସ୍କିଲ୍, ଅପ୍ ସ୍କିଲ୍ କରାଇବା ପାଇଁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟରେ ମାନ୍ୟବର ରାଷ୍ଟ୍ରପତିଙ୍କ “ଶକ୍ତି ହାଟ” ଏକ କଲ୍ୟାଣକାରୀ ପଦକ୍ଷେପ। ନାରୀଶକ୍ତି ସଶକ୍ତିକରଣର ଏହି ମହାନ ପଦକ୍ଷେପରେ ସ୍କିଲ୍ ଇଣ୍ଡିଆ ସହଯୋଗୀ ହେବା ଖୁସିର ବିଷୟ।

“ଶକ୍ତି ହାଟ”କୁ ଏକ ବହୁମୁଖୀ ଦକ୍ଷତା, ନବସୃଜନ ଏବଂ ଉଦ୍ୟମିତା କେନ୍ଦ୍ରରେ ପରିଣତ କରିବାର ଲକ୍ଷ୍ୟ ନେଇ ସ୍କିଲ୍ ଇଣ୍ଡିଆ ସହଯୋଗର ହାତ ବଢାଇବ । “ଶକ୍ତି ହାଟ”ରେ ନିର୍ମିତ ପ୍ରସ୍ତୁତ ସାମଗ୍ରୀ ଗୁଡିକ ଅମୃତ ଉଦ୍ୟାନରେ ଉପଲବ୍ଧ ହେବ। ଏହିପରି କୁଶଳୀ ପଦକ୍ଷେପ ମହିଳାମାନଙ୍କୁ ସଶକ୍ତ କରିବା ସହ ସେମାନଙ୍କୁ ଆର୍ଥିକ ରୂପେ ସବଳ କରବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

“ସ୍ୱକଳ୍ପ” କାର୍ଯ୍ୟକ୍ରମ ଅଧୀନରେ ଗାନ୍ଧୀ ଜୟନ୍ତୀରୁ “ଉଦ୍ୟୋଗୀ ସମ୍ପର୍କ ଅଭିଯାନ” ଆରମ୍ଭ

ଜଗତସିଂହପୁର: ରାଜ୍ୟ ସରକାରଙ୍କ ଆତ୍ମନିଯୁକ୍ତି ତଥା ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ‘ସ୍ୱକଳ୍ପ’ ଅଧୀନରେ “ଉଦ୍ୟୋଗୀ ସମ୍ପର୍କ ଅଭିଯାନ”ର ଶୁଭାରମ୍ଭ କରାଯାଇଛି। ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଏଥିପାଇଁ ଏକ ସ୍ୱତନ୍ତ୍ର ରଥ ଜଗତସିଂହପୁରରୁ ବାହାରିଛି। ଏହା ୭ ତାରିଖ ଯାଏଁ ଓଡ଼ିଶାର ବିଭିନ୍ନ ଜିଲ୍ଲା ପରିକ୍ରମା କରିବ।

ସୋମବାର ଦିନ ଏହି ସ୍ୱତନ୍ତ୍ର ରଥକୁ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ “ସ୍ୱକଳ୍ପ” ଅଧୀନରେ ଉଦ୍ୟୋଗୀ ଦକ୍ଷତା ବିକାଶ ତାଲିମ ଶେଷ କରିଥିବା ଜିଲ୍ଲାର ପ୍ରାର୍ଥୀମାନଙ୍କୁ ପ୍ରମାଣପତ୍ର ଦିଆଯାଇଥିଲା। ଏହାସହ ବ୍ୟବସାୟ ପ୍ରତିଷ୍ଠା ଲାଗି ପ୍ରାର୍ଥୀମାନଙ୍କର ଆବଶ୍ୟକ ହେଉଥିବା ଉଦ୍ୟମ ଆଧାର ପଞ୍ଜୀକରଣ କରାଯାଇଥିଲା। ଜିଲ୍ଲାରୁ ଜିଲ୍ଲାକୁ ଯାଇ ପ୍ରାର୍ଥୀମାନଙ୍କ ଦୁଆର ମୁହଁରେ ପହଞ୍ଚି ବ୍ୟବସାୟ ପ୍ରତିଷ୍ଠା ଲାଗି ଆବଶ୍ୟକ ସହାୟତା ଯୋଗାଇଦେବା ଏହି ଅଭିଯାନର ଲକ୍ଷ୍ୟ।

ଜଗତସିଂହପୁରରୁ ବାହାରିଥିବା ଏହି ରଥ ସପ୍ତାହ ବ୍ୟାପି ବିଭିନ୍ନ ଜିଲ୍ଲାକୁ ଯିବ । ଅକ୍ଟୋବର ୩ ଓ ୪ରେ ଖୋର୍ଦ୍ଧା, ୫ ଓ ୬ ତାରିଖରେ ନୟାଗଡ଼ ଏବଂ ୭ ତାରିଖରେ କଟକ ଜିଲ୍ଲା ଗସ୍ତ କରିବ ।

ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧୀନରେ ତଥା ବିଶ୍ୱ ଦକ୍ଷତା କେନ୍ଦ୍ର ଦ୍ୱାରା “ସ୍ୱକଳ୍ପ”ର ପରିଚାଳନା କରାଯାଉଛି । ସ୍ୱକଳ୍ପ କାର୍ଯ୍ୟକ୍ରମର ମୁଖ୍ୟ ସହଯୋଗୀ ସଂସ୍ଥା ପାଲାଡିୟମ କନସଲ୍ଟିଂ ତଥା ଏହାସହ ଥିବା ଅନ୍ୟତମ ସହଯୋଗୀ ସଂସ୍ଥା ଲର୍ଣ୍ଣେଟ୍ ସ୍କିଲ “ଉଦ୍ୟୋଗୀ ସମ୍ପର୍କ ଅଭିଯାନ”ର ପରିଚାଳନା କରୁଛନ୍ତି।

ଏହି ଅବସରରେ ଜଗତସିଂହପୁରର ଐତିହାସିକ ଅଳକା ଆଶ୍ରମ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି। ଫଳରେ ଆଗାମୀ ଦିନରେ ଅଳକା ଆଶ୍ରମ ପରିସରରେ “ସ୍ୱକଳ୍ପ” ଲାଗି ପ୍ରାର୍ଥୀମାନଙ୍କର ତାଲିମ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପରିଚାଳନା କରାଯିବ।

କାର୍ଯ୍ୟକ୍ରମରେ ଅଳକା ଆଶ୍ରମର ସଭାପତି ଗୌରାଙ୍ଗ ଚରଣ ହୋତା, ଆବାହକ ଦେବେନ୍ଦ୍ର ନାଥ ରାଉତ, କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଅନ୍ନପୂର୍ଣ୍ଣା ପାଣ୍ଡେ, ଇସ୍ରୋର ପୂର୍ବତନ ମହାକାଶ ବିଜ୍ଞାନୀ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ, ବିଶ୍ୱ ଦକ୍ଷତା କେନ୍ଦ୍ରର ମ୍ୟାନେଜର ସ୍ୱାଗତିକା ମହାପାତ୍ର, ପାଲାଡିୟମର ସହଯୋଗୀ ନିର୍ଦ୍ଦେଶକ ସୌମେନ୍ଦ୍ର ଚୌଧୁରୀ, ବିଜନେସ୍ ଡେଭଲପମେଣ୍ଟ ପରାମର୍ଶଦାତା ଋତୁମ୍ବରା ମିଶ୍ର, ବ୍ରାଣ୍ଡିଂ ଆଣ୍ଡ କମ୍ୟୁନିକେସନ ପରାମର୍ଶଦାତା ସୌମ୍ୟରଞ୍ଜନ ସାହୁ ଏବଂ ଲର୍ଣ୍ଣେଟର ଓଡ଼ିଶା ମୁଖ୍ୟ ଜ୍ଞାନ ରଞ୍ଜନ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ।

“ସ୍ୱକଳ୍ପ’ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାର ୧୦ ହଜାର ଯୁବକ ଯୁବତୀଙ୍କୁ ଆତ୍ମନିଯୁକ୍ତି ତଥା ଉଦ୍ୟୋଗୀ ଦକ୍ଷତା ବିକାଶ ଲାଗି ୧୦୦ ଘଣ୍ଟାର ତାଲିମ ଦିଆଯିବ । ସେମାନଙ୍କ ମଧ୍ୟରୁ ୧ ହଜାର ବ୍ୟକ୍ତି କିପରି ନିଜ ନିଜ ଅଞ୍ଚଳରେ ବିଭିନ୍ନ ପ୍ରକାର ବ୍ୟବସାୟ ପ୍ରତିଷ୍ଠା କରିପାରିବେ ସେଥିପାଇଁ ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟକ୍ରମ ଅଧୀନରେ ପ୍ରତିଟି ପର୍ଯ୍ୟାୟରେ ୨୫ ପ୍ରତିଶତ ମହିଳାଙ୍କ ଅନ୍ତର୍ଭୁକ୍ତିକୁ ପ୍ରାଥମିକତା ଦିଆଯାଉଛି ।

ଉଦ୍ୟମୀ ଯୁବକ ଯୁବତୀଙ୍କୁ ବ୍ୟବସାୟ ପ୍ରତିଷ୍ଠା ଲାଗି ବିଭିନ୍ନ ପ୍ରକାର ତାଲିମ ମଧ୍ୟରେ କାରବାର ପରିଚାଳନା, ଆର୍ଥିକ ପରିଚାଳନା, ବଜାର ସଂଯୋଗ, ବ୍ୟାଙ୍କ ଋଣ ଏବଂ ନେତୃତ୍ୱ ବିକାଶ ଆଦି ବିଷୟ ରହିଛି । ଏହାସହ ମକ୍ ପିଚ୍ ମାଧ୍ୟମରେ ଭବିଷ୍ୟତର ଉଦ୍ୟୋଗୀମାନଙ୍କୁ ପ୍ରତିଷ୍ଠିତ ଉଦ୍ୟୋଗୀ ଏବଂ ବିଶେଷଜ୍ଞଙ୍କ ସହ ଯୋଡ଼ା ଯାଉଛି । ପ୍ରାଥମିକ ତାଲିମ ଶେଷ ପରେ ପ୍ରାର୍ଥୀମାନଙ୍କୁ ୨୪ ସପ୍ତାହ ଯାଏଁ ବ୍ୟକ୍ତିଗତ ପରାମର୍ଶଭିତ୍ତିକ ବିଶେଷ ସହାୟତା ଦିଆଯାଉଛି ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଗାନ୍ଧିଜୀଙ୍କ ଉପରେ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ

ଭୁବନେଶ୍ୱର: ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଗାନ୍ଧିଜୀଙ୍କ ଜୀବନାଦର୍ଶ ଉପରେ ଏକ ଦିନିକିଆ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରସ୍ଥିତ ଉତ୍କଳ ରଙ୍ଗମଞ୍ଚରେ ଆୟୋଜିତ ଏହି ମହୋତ୍ସବକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ଉଦ୍‌ଘାଟନ କରିଥିଲେ।

ଏହା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ମୁମ୍ବାଇସ୍ଥିତ ଇଣ୍ଡିଆନ୍‌ ଇନ୍‌ଫୋଟେନ୍‌ମେଣ୍ଟ କର୍ପୋରେସନ୍‌ର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଛି।

ଏହି ମହୋତ୍ସବରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ, ଯଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ଗାନ୍ଧୀ ପାନରୋମା ଅଧ୍ୟକ୍ଷ ଦେବେନ୍ଦ୍ର ଖଣ୍ଡୱାଲ୍‌, ଆୟୋଜନ କମିଟି ସଚିବ କେତକୀ କାପାଡ଼ିଆ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ପ୍ରସିଦ୍ଧ ଗାନ୍ଧିବାଦୀ ରୀନା ରାଉତରାୟ, ଶ୍ରୀ ବିରୁପାକ୍ଷ ତି୍ରପାଠୀ, ଶ୍ରୀ ଜୟନ୍ତ ଦାସ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବିଦ୍ୟାଳୟ ଛାତ୍ରଛାତ୍ରୀ ଗାନ୍ଧୀଙ୍କ ଜୀବନାଦର୍ଶ ଉପରେ ପ୍ରଦର୍ଶିତ ବିଭିନ୍ନ କ୍ଷୁଦ୍ର ଚଳଚିତ୍ତ ଦେଖି ଖୁସିବ୍ୟକ୍ତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ବ୍ୟାପକ ସ୍ଵଚ୍ଛତା ପକ୍ଷ୍ୟ ପାଳିତ

ଭୁବନେଶ୍ଵର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୪ ତମ ଜନ୍ମ ବାର୍ଷିକୀ ସାରା ଦେଶରେ ପାଳିତ ହେଉଛି। ଏହି ଅବସରରେ ପୂର୍ବ ତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବଙ୍କ ନେତୃତ୍ୱରେ ବିଭାଗୀୟ ପ୍ରମୁଖ ଅଧିକାରୀ, ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଭୁବନେଶ୍ୱରସ୍ଥିତ ରେଳପଥର ମୁଖ୍ୟାଳୟ ରେଳ ସଦନ ଠାରେ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ ଜଣାଇଥିଲେ।

ଏହି ଉତ୍ସବକୁ ସ୍ମରଣୀୟ କରିବା ପାଇଁ, ପୂର୍ବ ତଟ ରେଳପଥ ୧୬ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ସ୍ଵଚ୍ଛତା ପକ୍ଷ୍ୟ (ପଖୱାଡା) ଆୟୋଜନ କରିଥିଲା। ସମସ୍ତ ସ୍ତରର ରେଳବାଇ କର୍ମଚାରୀ ମାନେ ଷ୍ଟେସନ, ଟ୍ରେନ୍, କୋଚ୍ ରକ୍ଷଣାବେକ୍ଷଣ ଡିପୋ, ବିଭିନ୍ନ କାର୍ଯ୍ୟାଳୟ, କର୍ମକ୍ଷେତ୍ର ଏବଂ ରେଳ କଲୋନୀରେ ଆୟୋଜିତ ସ୍ଵଚ୍ଛତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଦୂର ଷ୍ଟେସନରେ ରେଳବାଇ କର୍ମଚାରୀମାନେ ମଧ୍ୟ ବହୁତ ସଂଖ୍ୟାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ପରିଷ୍କାର ପରିଚ୍ଛନ୍ନତା ସମୟରେ ସ୍ଵଚ୍ଛ ସମ୍ବାଦ, ସ୍ଵଚ୍ଛ ଷ୍ଟେସନ, ସ୍ଵଚ୍ଛ ପରିସର, ସ୍ଵଚ୍ଛ ଆହାର, ସ୍ଵଚ୍ଛ ନୀର, ସ୍ଵଚ୍ଛ ପ୍ରସାଦ, ସ୍ଵଚ୍ଛ ରେଳଗାଡି ଇତ୍ୟାଦି କାର୍ଯ୍ୟକଳାପ ହାତକୁ ନିଆଯାଇଥିଲା। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ମଧ୍ୟ ଆୟୋଜିତ କରାଯାଇଥିଲା।

ଗାନ୍ଧୀ ଜୟନ୍ତୀ ଦିବସରେ ପୂର୍ବ ତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ବିଭିନ୍ନ ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ତଥା କାର୍ଯ୍ୟ ସଫଳତା ପାଇଁ ଅଂଶଗ୍ରହଣକାରୀମାନଙ୍କୁ ସମ୍ମାନିତ କରିବା ସହିତ ଅଭିନନ୍ଦନ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମକୁ ସ୍ମରଣୀୟ କରିବା ପାଇଁ ସକାଳେ ପ୍ରଭାତ ଫେରି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେଉଁଥିରେ ସମସ୍ତ ରେଳବାଇ ଅଧିକାରୀ, କର୍ମଚାରୀ, ଭାରତ ସ୍କାଉଟ ଓ ଗାଇଡ଼ ସମେତ ସ୍କୁଲ ପିଲାମାନେ ଅଂଶ ଗ୍ରହଣ କରି ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ସଚେତନତା ବାର୍ତ୍ତା ଲୋକମାନଙ୍କୁ ଜଣାଇବା ସହିତ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ରେଳପଥର ପ୍ରମୁଖ ଯାନ୍ତ୍ରିକ ଯନ୍ତ୍ରୀ ବିଶ୍ୱଜିତ ମୈତ୍ରଙ୍କ ସମସ୍ତ ବିଭାଗର ବିଭାଗୀୟ ପ୍ରମୁଖ ଅଧିକାରୀ, ବରିଷ୍ଠ ଅଧିକାରୀ, ମହିଳା କଲ୍ୟାଣ ସଂଗଠନର ସଦସ୍ୟା ଓ କର୍ମଚାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ। ରେଳପଥର ମୁଖ୍ୟ ଯାନ୍ତ୍ରିକ ଯନ୍ତ୍ରୀ (ପରିବେଶ ଓ ଗୃହ ରକ୍ଷଣାବେକ୍ଷଣ) କେ. ପି. ଯାଦବ ଓ ଉପମୁଖ୍ୟ ଯାନ୍ତ୍ରିକ ଯନ୍ତ୍ରୀ (କୋଚିଙ୍ଗ ଏବଂ ପରିବେଶ ଓ ଗୃହ ରକ୍ଷଣାବେକ୍ଷଣ) ଶ୍ରୀ ଦୀନେଶ କୁମାର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ‘ଗାନ୍ଧୀ ଦର୍ଶନ’ ଆଲୋଚନା ଚକ୍ର

ଭୁବନେଶ୍ୱର: ସାରା ବିଶ୍ୱର ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଗାନ୍ଧୀ ମହାତ୍ମାଙ୍କ ନାମ ଅଗ୍ରଗଣ୍ୟ। ଗାନ୍ଧିଜୀଙ୍କ ଆଦର୍ଶର ମୂଳ ଉପାଦାନଗୁଡ଼ିକ ହେଉଛି-ସତ୍ୟ, ଶାନ୍ତି, ଅହିଂସା ଓ ବିଶ୍ୱଦୃଷ୍ଟି। ସେଥି ପାଇଁ ତାଙ୍କ ବିଚାର ଓ ଆଦର୍ଶ ସବୁଦିନ ପାଇଁ ବଞ୍ଚି ରହିବ ବୋଲି ସୂଚନା ଓ ଲୋକସଂପର୍କ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ପ୍ରକାଶ କରିଛନ୍ତି।

ଆଜି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନଠାରେ ଗାନ୍ଧୀ ଜୟନ୍ତୀ ଅବସରରେ ଆୟୋଜିତ ‘ଗାନ୍ଧୀ ଦର୍ଶନ’ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଅମାତ କହିଛନ୍ତି ଯେ ଓଡ଼ିଶା ସହିତ ଗାନ୍ଧିଜୀଙ୍କର ନିବିଡ଼ ସଂପର୍କ ଥିଲା। ୧୯୨୧ ମାର୍ଚ୍ଚରେ ଗାନ୍ଧିଜୀ ପ୍ରଥମ ଓଡ଼ିଶା ଆଗମନ ସମୟରେ ଧୋତି, ଜାମା ଓ ଟୋପି ପିନ୍ଧିଥିଲେ। ଓଡ଼ିଶାରୁ ଫେରିଲା ପରେ ତାଙ୍କ ପୋଷାକ ବଦଳି ଯାଇଥିଲା। ଓଡ଼ିଶା ତାଙ୍କ ଚିନ୍ତା ଓ ଚେତନାକୁ ଗଭୀର ଭାବେ ପ୍ରଭାବିତ କରିଥିଲା।

ସେ ସମୟରେ ଓଡ଼ିଶାର ଦାରିଦ୍ର୍ୟ, ଦୁର୍ଭିକ୍ଷ ଓ ବ୍ୟାଧି ଦେଖି ତାଙ୍କ ଦ୍ୱାରା ସଂପାଦିତ ‘ୟଙ୍ଗ୍‌ ଇଣ୍ଡିଆ’ ମାଧ୍ୟମରେ ଗଭୀର ଦୁଃଖ ପ୍ରକାଶ କରିଥିଲେ। ଆଜି କିନ୍ତୁ ଆଉ ସେ ସମୟ ନାହିଁ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିସଂପନ୍ନ ସଫଳ ନେତୃତ୍ୱ ଏବଂ ଓଡ଼ିଶାବାସୀଙ୍କ ସହଯୋଗ ବଳରେ ଓଡ଼ିଶା ଆଜି ପ୍ରଗତି ଓ ଉନ୍ନତିର ଶିଖର ଛୁଇଁ ପାରିଛି ବୋଲି ସେ ମତପ୍ରକାଶ କରିଥିଲେ।

ଆଲୋଚନା ଚକ୍ରରେ ଯୋଗଦେଇ ବିଶିଷ୍ଟ ସ୍ତମ୍ଭକାର ଓ ବକ୍ତା ଡ. ଅଭିରାମ ବିଶ୍ୱାଳ କହିଲେ ଯେ ଗାନ୍ଧିଜୀ ବିଶ୍ୱ ଦର୍ଶନର ଏକ ଅଂଶବିଶେଷ। ସେ ଥିଲେ ତାରୁଣ୍ୟ ଓ ଉର୍ଜାର ପ୍ରତୀକ ଏବଂ ପ୍ରଖର-ପ୍ରଚଣ୍ଡ ପ୍ରବକ୍ତା। ଗାନ୍ଧିଜୀଙ୍କ ମହିମାନ୍ୱିତ ଜୀବନ, ଆଦର୍ଶ ଏବଂ ଦର୍ଶନ ଭବିଷ୍ୟତର ଇତିହାସ ଓ ସମାଜ ପାଇଁ ଏକ ଅର୍ଥପୂର୍ଣ୍ଣ ଉପାଦାନ ହୋଇ ରହିଥିବ ଏବଂ ଆଗାମୀ ପିଢ଼ିଙ୍କୁ ସତ୍ୟ, ସରଳତା ଓ ଅହିଂସା ମାର୍ଗରେ ପରିଚାଳିତ ହେବା ପାଇଁ ପ୍ରେରଣା ଯୋଗାଉଥିବ ବୋଲି ପ୍ରକାଶ କରିଥିଲେ।

ବିଶିଷ୍ଟ ଗାନ୍ଧୀବାଦୀ ଚିନ୍ତକ ତଥା ସ୍ତମ୍ଭକାର ଶ୍ରୀ ପ୍ରହ୍ଲାଦ କୁମାର ସିଂହ ଓଡ଼ିଶା ସହ ଗାନ୍ଧିଜୀଙ୍କର ସଂପର୍କ ଏବଂ ଆଜିର ସମୟରେ ଗାନ୍ଧୀ ଦର୍ଶନର ମହତ୍ତ୍ୱ ଓ ଆବଶ୍ୟକତା ଉପରେ ବିଶଦ ଆଲୋଚନା କରିଥିଲେ। ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସଂପାଦିକା କସ୍ତୁରୀ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ଆନ୍ତର୍ଜାତିକ ଅହିଂସା ଦିବସ ଭାବେ ଅକେଫାବର ୨ ତାରିଖକୁ ସମଗ୍ର ବିଶ୍ୱରେ ପାଳନ କରାଯାଉଛି। ଏହା ଗାନ୍ଧିଜୀଙ୍କ ମହାନ ବ୍ୟକ୍ତିତ୍ୱକୁ ସୂଚିତ କରେ।

ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ସ୍ୱାଗତ ଭାଷଣରେ କହିଥିଲେ ଯେ ମହାତ୍ମା ଗାନ୍ଧୀ ଜଣେ ସାଧାରଣ ମଣିଷ ନଥିଲେ। ସେ ଜଣେ ଅତିମାନବ ଥିଲେ। ଯେପର୍ଯ୍ୟନ୍ତ ମାନବ ସଭ୍ୟତା ରହିବ ସେ ପର୍ଯ୍ୟନ୍ତ ଗାନ୍ଧିଜୀ ସାମାଜିକ କ୍ରାନ୍ତିର ସୂର୍ଯ୍ୟ ହୋଇ ରହିବେ ବୋଲି ସେ ମତ ଦେଇଥିଲେ।

ଅତିଥିମାନେ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣପୂର୍ବକ ପ୍ରଦୀପ ପ୍ରଜ୍ୱଳନ କରିବା ପରେ ଆଲୋଚନା ଚକ୍ର ଆରମ୍ଭ ହୋଇଥିଲା। ସୂଚନା ଅଧିକାରୀ ରୋଜାଲିନ୍‌ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବିଶିଷ୍ଟ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ଗାନ୍ଧୀ ଭଜନ ଓ ଦେଶାତ୍ମବୋଧକ ସଂଗୀତ ପରିବେଷିତ ହୋଇଥିଲା। ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ଶ୍ରୀ ସୁଚେତା ପ୍ରିୟଦର୍ଶିନୀ, ଅନ୍ୟ ବିଭାଗୀୟ ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଏବଂ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ସଂପର୍କିତ ଫଟୋ ଓ ତଥ୍ୟ ଆଧାରିତ ଫଟୋଚିତ୍ର ପ୍ରଦର୍ଶନୀ

ଭୁବନେଶ୍ବର: ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ-୨୦୨୩ ଅବସରରେ ୧୯୨୧ ମାର୍ଚ୍ଚ ୨୩ରୁ ୧୯୩୮ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ସଂପର୍କିତ ଫଟୋ ଓ ତଥ୍ୟକୁ ନେଇ ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି।

ଆଜିଠାରୁ ୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଆୟୋଜିତ ହେଉଥିବା ଏହି ପ୍ରଦର୍ଶନୀ ଊତ୍ତରପିଢ଼ିଙ୍କୁ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ଆଗମନ ସଂପର୍କରେ ବହୁମୂଲ୍ୟ ତଥ୍ୟ ପ୍ରଦାନ କରିବା ସହିତ ଗାନ୍ଧୀ ଚେତନା ଓ ଗାନ୍ଧୀ ଦର୍ଶନ ସଂପର୍କରେ ଯଥେଷ୍ଟ ଜ୍ଞାନ ପ୍ରଦାନ କରିବ ବୋଲି ମନ୍ତ୍ରୀ ଶ୍ରୀ ଅମାତ ମତବ୍ୟକ୍ତ କରିଥିଲେ।

୧୯୨୧ ମାର୍ଚ୍ଚ ୨୩ ତାରିଖରେ କଟକର କାଠଯୋଡ଼ି କୂଳରେ ମହାତ୍ମା ଗାନ୍ଧୀଙ୍କ ସାଧାରଣ ସଭାଠାରୁ ଆରମ୍ଭ କରି ଓଡ଼ିଶାର ବିଭିନ୍ନ ସ୍ଥାନରେ ସେ କରିଥିବା ପଦଯାତ୍ରା, ସାଧାରଣ ସଭା, ବିଶ୍ରାମସ୍ଥଳୀ ଆଦିର ଦୁର୍ଲଭ ଫଟୋଚିତ୍ର ଏହି ପ୍ରଦର୍ଶନୀରେ ଅତି ସୁନ୍ଦର ଭାବେ ପ୍ରଦର୍ଶିତ ହେଉଛି।

ଆଗାମୀ ଦିନରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଏହି ପ୍ରଦର୍ଶନୀ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି। ସେମାନଙ୍କ ପାଇଁ ୩ ତାରିଖ ଦିନ ‘ଓଡ଼ିଶାରେ ଗାନ୍ଧିଜୀ’ ଶୀର୍ଷକ ଚଳଚ୍ଚିତ୍ର ମଧ୍ୟ ପ୍ରଦର୍ଶନ କରାଯିବ। ସେହିପରି ୪ ତାରିଖ ଦିନ ଜୟଦେବ ଭବନ ପ୍ରେକ୍ଷାଳୟରେ ସର୍ବସାଧାରଣଙ୍କ ନିମନ୍ତେ ‘ଗାନ୍ଧୀ’ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ।

ଆଜିର ଏହି ଉଦ୍‌ଘାଟନୀ ଉତ୍ସବରେ ମନ୍ତ୍ରୀ ଶ୍ରୀ ଅମାତଙ୍କ ସହିତ ଭଣ୍ଡାରିପୋଖରୀ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ, ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଡ. ପ୍ରଦୀପ କୁମାର ରାଉତ, ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୂର୍ଯ୍ୟ ରଞ୍ଜନ ମହାନ୍ତି, ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ଶ୍ରୀ ସୁଚେତା ପ୍ରିୟଦର୍ଶିନୀ, ପ୍ରଦର୍ଶନୀ ଅଧିକାରୀ ଦୀପକ କୁମାର ସାହୁ, ହରପ୍ରସାଦ ମହାପାତ୍ର ଏବଂ ଅନ୍ୟ ବିଭାଗୀୟ ଅଧିକାରୀ, କର୍ମଚାରୀ, ଗଣମାଧ୍ୟମର ପ୍ରତିନିଧି ଏବଂ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

Categories
ଆଜିର ଖବର ଜାତୀୟ ଖବର

ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଗାନ୍ଧୀ ଜୟନ୍ତୀର ସ୍ୱତନ୍ତ୍ର ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

‘ଗାନ୍ଧୀ ଜୟନ୍ତୀର ବିଶେଷ ଅବସରରେ ମୁଁ ମହାତ୍ମା ଗାନ୍ଧୀଙ୍କୁ ପ୍ରଣାମ କରୁଛି । ତାଙ୍କ କାଳଜୟୀ ଶିକ୍ଷା ଆମ ପଥକୁ ଆଲୋକିତ କରିଚାଲିଛି। ମହାତ୍ମା ଗାନ୍ଧୀଙ୍କ ପ୍ରଭାବ ବିଶ୍ୱବ୍ୟାପୀ, ସମଗ୍ର ମାନବିକତାକୁ ଏକତା ଏବଂ କରୁଣାର ଭାବନାକୁ ଆଗକୁ ବଢ଼ାଇବା ପାଇଁ ପ୍ରେରଣା ଯୋଗାଏ।

ଆମେ ସର୍ବଦା ତାଙ୍କ ସ୍ୱପ୍ନ ପୂରଣ ପାଇଁ କାର୍ଯ୍ୟ କରିବା। ତାଙ୍କ ଚିନ୍ତାଧାରା ପ୍ରତ୍ୟେକ ଯୁବକଙ୍କୁ ସେହି ପରିବର୍ତ୍ତନର ବାହକ ହେବାରେ ସକ୍ଷମ କରୁ, ଯାହାକି ସବୁବେଳେ ଏକତା ଏବଂ ସଦଭାବକୁ ପ୍ରୋତ୍ସହିତ କରିଥାଏ।’

Categories
ଆଜିର ଖବର ରାଜ୍ୟ ଖବର

ଗାନ୍ଧୀ ଜୟନ୍ତୀରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ପଦଯାତ୍ରା

ଭୁବନେଶ୍ୱର: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପବିତ୍ର ଜୟନ୍ତୀରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ତୃତୀୟ ଦିନରେ ମଧ୍ୟ ନିର୍ବାଚନ ମଣ୍ଡଳୀରେ “ଘରେ ଘରେ କଂଗ୍ରେସ-ଘରେ ଘରେ ହାତ” ପଦଯାତ୍ରା ସତ୍ୟନଗର କାଳି ମନ୍ଦରି ଠାରୁ ଆରମ୍ଭ ପଞ୍ଜାବୀ କଲୋନୀ, ଗୁଡ଼ିଆ ସାହି, ହାଉସିଂ ବୋର୍ଡ କଲୋନୀ, ପି ଡବ୍ଲୁ କଲୋନୀ, ତୋଷାଳୀ ପ୍ଲାଜା, ସତ୍ୟନଗର ଦୁର୍ଗା ମଣ୍ଡପ ଛକ ହୋଇ କାଳି ମନ୍ଦିର ପାଖରେ ସମାପ୍ତ ହୋଇଥିଲା ।

କଂଗ୍ରେସ ନେତୃବୃନ୍ଦ ଏବଂ କର୍ମୀମାନେ ୨୩ ବର୍ଷର ଅପାରଗ ଓ ଜନବିରୋଧି ବିଜେଡ଼ି ସରକାର ଏବଂ ୯ ବର୍ଷରୁ ଉର୍ଦ୍ଧ୍ୱ ସମୟଧରି କେନ୍ଦ୍ରରେ ଥିବା ଜନବିରୋଧି ମୋଦି ସରକାରର ମିଛ ପ୍ରତିଶ୍ରୁତି ଓ ପ୍ରତାରଣାକୁ ପ୍ରଚାରପତ୍ର ଦ୍ୱାରା ଘରେ ଘରେ ବାଣ୍ଟି ଥିଲେ ।

ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ଏବଂ ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତିଙ୍କ ତତ୍ୱାବଧାନରେ କଂଗ୍ରେସ ଦଳର ବରିଷ୍ଠ ନେତା ଇସ୍ତାହାର କମିଟି ଅଧ୍ୟକ୍ଷ ପଂଚାନନ କାନୁନଗୋ, ପିସିିସି ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ, କିଶୋର ଜେନା, ଜିଲ୍ଲା ପର୍ଯ୍ୟବେକ୍ଷକ ମନୋଜ ବିଶ୍ୱାଳ, ପ୍ରତିମା ମଲ୍ଲିକ, ବିଶିଷ୍ଟ ଗବେଷକ ତଥା ସମାଜସେବୀ ଅନିଲ ଧିର, ତରୁଣ ମିଶ୍ର, ସୁବତ୍ର ମହାପାତ୍ର, ରଶ୍ମି ମହାପାତ୍ର, କିରଣ ସାହୁ, ଅମିୟ ପାଣ୍ଡବ, କୃଷ୍ଣଚନ୍ଦ୍ର ପତି, ଅଶୋକ ଦାସ, ପ୍ରଶାନ୍ତ ଚମ୍ପତି, ବିନୁ ପାଣି, ଅଶୋକ ବିଶ୍ୱାଳ, ପ୍ରଶନ୍ନ ନାୟକ, ଆଶିଷ ମଲ୍ଲିକ ଯୋଗ ଦେଇଥିଲେ।

ସେହିପରି ମହମ୍ମଦ ସାହାନୱାଜ, ଦୀପକ କୁମାର ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ଜମ୍ବେଶ୍ୱର ମଲ୍ଲିକ, ସୌମେନ୍ଦ୍ର ମହାନ୍ତି, ଗୀତାଞ୍ଜଳି ମହାନ୍ତି, ଜୟଶ୍ରୀ ପାତ୍ର, ସୁଭଦ୍ରା ମିଶ୍ର, ଚୈତାଳି ପଟ୍ଟନାୟକ, ଶ୍ରୀୟାସ୍ମିତା ପଣ୍ଡା, ମାମିନା ବେହେରା, ବୈଶାଳୀ ପାତ୍ର, ପ୍ରିୟଦର୍ଶିନୀ ବାରିକ, ବିପିନ ବିହାରୀ ରାଉତ, ତାପସ ସେଠୀ, ଅମିୟ ଲେଙ୍କା, ମାନସ ସେଠୀ, ସୁରଜ ରାଉତ, ସୁଭାଷ ପ୍ରଧାନ, ସେକ ତାକୱିନ, ମହମ୍ମଦ ସାହାଦୁଲ୍ଲା, ପ୍ରଭାତ ପ୍ରତାପ ସିଂ, ଅଶୋକ ସାହୁ, ଜି କେଶବ ଦାସ, ରାଜା ରାଓ, ସ୍ପନ୍ଦନ ସ୍ୱାଇଁ, ଦିନେଶ ପରିଡ଼ା, ବାବୁଲି ପରିଡ଼ା, ଜ୍ୟୋତି ପ୍ରକାଶ ପଣ୍ଡା, ଦେବଜ୍ୟୋତି ଜେନା, ନବଜ୍ୟୋତି ଜେନା, ସନ୍ତୋଷ ପ୍ରଧାନ, ଏସ୍‌କେ କାମରୁଦ୍ଦିନ, କୁଳମଣି ସାହୁ, ଦେବାଶିଷ ଦାସ ଏବଂ ଶତାଧିକ କଂଗ୍ରେସ କର୍ମୀ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆକ୍ସନ ମୁଡରେ ନବୀନ ପଟ୍ଟନାୟକ, ବିରୋଧୀଙ୍କୁ କଲେ ତୀବ୍ର ସମାଲୋଚନା

ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବାରୁ ବର୍ତ୍ତମାନ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପୁରୀ ଆକ୍ସନ ମୁଡରେ ଅଛନ୍ତି। କାରଣ ସେ ପ୍ରଥମେ ବିଧାନସଭାରେ ବିରୋଧୀଙ୍କୁ ସମାଲୋଚନା କରିଥିଲେ। ଏବେ ସେ ସାଧାରଣ ସଭାରେ ମଧ୍ୟ ବିରୋଧୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ନବୀନ ଯେପରି କଥା କହିଛନ୍ତି ତାହା ସମାଲୋଚନା ନୁହେଁ ବରଂ ଗାଳି କଲେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

ଆଜି ବିଜେଡିର ଜନସଂପର୍କ ଯାତ୍ରାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ନବୀନ ଯୋଗଦେଇ ବିରୋଧୀଙ୍କୁ ବିକାଶରେ ବାଧକ ସାଜିଛନ୍ତି ବୋଲି କହିଛନ୍ତି। ସେ କହିଛନ୍ତି ବିରୋଧୀ ଦଳ ରାଜ୍ୟର ବିକାଶ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି ପାଇଁ ଚକ୍ରାନ୍ତ କରୁଛନ୍ତି। ସେମାନେ ଲିଙ୍ଗରାଜ ମନ୍ଦିର ବିକାଶରେ ବାଧା ସୃଷ୍ଟି କଲେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ମଧ୍ୟ ବାଧକ ସାଜିଲେ। ହେଲେ ସେଥିରେ ସେମାନେ ବାଧା ଦେବାରେ ସକ୍ଷମ ହେଲେ ନାହିଁ। ଅନ୍ୟପକ୍ଷରେ ଲୋକେ ତାଙ୍କୁ ଭଲ ଭାବରେ ଚିହ୍ନିଲେ।

ସେତିକି ନୁହେଁ ନବୀନ କହିଥିଲେ ଯେ, ଲୋକଙ୍କୁ ଭୁଲ ଖବର ଦେବା କାର୍ଯ୍ୟ କରୁଛନ୍ତି ବିରୋଧୀ ଦଳ। ସେମାନେ ଲୋକଙ୍କୁ ବିଭ୍ରାନ୍ତ କରିବାରେ ଲାଗିଛନ୍ତି। ନିର୍ବାଚନ ଆସିଲେ ସେମାନେ ଲୋକଙ୍କୁ ଏପରି ଭ୍ରମିତ ଖବର ଦେଇ ଭୋଟ ହାତେଇବା ପାଇଁ ଚେଷ୍ଠା କରୁଛନ୍ତି। ହେଲେ ସେଥିରେ ସେମାନେ ସଫଳ ହୋଇପାରୁ ନାହିଁନ୍ତି। ସେମାନଙ୍କୁ ଲୋକେ ସିଧା ପ୍ରତ୍ୟାଖାନ କରୁଛନ୍ତି ବୋଲି ଜନସଭାକୁ ଉଦବୋଧନ ଦେଇ ନବୀନ କହିଥିଲେ।

ବିରୋଧୀ ଦଳ ହେଉଛନ୍ତି ରାଜ୍ୟ ବିକାଶର ବିରୋଧୀ ଏବଂ ଜନ ବିରୋଧୀ। ସେଥିପାଇଁ ସେମାନଙ୍କୁ ଲୋକେ ପସନ୍ଦ କରୁ ନାହାଁନ୍ତି। ଓଡିଶାର ଯେପରି ବିକାଶ ହେଉଛି ସେଥିରେ ବିରୋଧୀ ଖୁସି ନାହାଁନ୍ତି ବୋଲି ନବୀନ କହିଛନ୍ତି। ଏହିପରି ଜନ ବିରୋଧୀ କାର୍ଯ୍ୟ କଲେ ସେମାନେ କେବେ ବି କ୍ଷମତାକୁ ଆସିପାରିବେ ନାହିଁ। ଏପରିକି ଲୋକେ ସେମାନଙ୍କୁ କେବେ ବି କ୍ଷମା କରିବେ ନାହିଁ ବୋଲି ନବୀନ କହିଛନ୍ତି।

ଗାନ୍ଧୀ ଜୟନ୍ତୀ ଅବସରରେ ନବୀନ କହିଥିଲେ ଯେ, ଗାନ୍ଧୀଙ୍କ ନିତି ଆମ ପାଇଁ ପ୍ରେରଣା ଦାୟକ। ବିଜେଡି ସବୁବେଳେ ଅନୁସୂଚିତ ଜାତି ଓ ଜନଜାତିର କଲ୍ୟାଣ ପାଇଁ କାର୍ଯ୍ୟ କରୁଛି। ବିଜେଡି ସବୁବେଳେ ମହିଳାଙ୍କ ଉନ୍ନତି କରିବାକୁ ଚେଷ୍ଠା କରୁଛି। ମହିଳା ସଂରକ୍ଷଣ ବିଲ ଏହାର ଏକ ବଡ ଉଦାହରଣ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଏକ ବଡ ଗେମ ଚେଞ୍ଜର। ଏସବୁ ବାର୍ତ୍ତାକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ସେ ଦଳୀୟ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି।

ଆଜି ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଛି ବିଜେଡିର ଜନସଂପର୍କ ପଦଯାତ୍ରା। ଭୁବନେଶ୍ବରର ବରଗଡର ୱାର୍ଡ ନମ୍ବର ୫୭ ର ନେତାଜୀ ପଡିଆରୁ ଏହି ପଦଯାତ୍ରା ଆରମ୍ଭ କରାଯାଇଥିଲା। ଏଥିରେ ନବୀନ ପଟ୍ଟନାୟକ ଯୋଗ ଦେଇ କର୍ମିମାନଙ୍କୁ ଲୋକଙ୍କ ସହିତ ରହିବାକୁ ଆହ୍ବାନ ଦେଇଛନ୍ତି।

ଏହି ପଦଯାତ୍ରାରେ ବିଜେଡି ସାଂସଦ ଅମର ପଟ୍ଟନାୟକ, ଦେବୀ ମିଶ୍ର, ସୁଲତା ଦେଓ, ସୁଲୋଚନା ଦାସ, ଅଶୋକ ପଣ୍ଡା, ଅନନ୍ତନାରାୟଣ ଜେନା, ଶ୍ରୀମୟୀ ମିଶ୍ର, ଡ ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ବହୁ ନେତା ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଧାନସଭାରେ ପାଳିତ ହେଲା ଗାନ୍ଧୀ ଜୟନ୍ତୀ, ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ

ଭୁବନେଶ୍ବର: ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ସାରା ଦେଶରେ ଏହା ପାଳନ କରାଯାଉଛି। ସେହିପରି ଓଡିଶା ବିଧାନସଭା ପ୍ରାଙ୍ଗଣରେ ମଧ୍ୟ ଏହି ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି।ଏହି ଅବସରରେ ବିଧାନସଭା ପ୍ରାଙ୍ଗଣ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରାଯିବା ସହିତ ଏକ ପ୍ରାର୍ଥନା ସଭା ଆୟୋଜନ କରାଯାଇଥିଲା।

କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବାଚସ୍ପତି ପ୍ରମିଳା ମଲ୍ଲିକ, ଉପବାଚସ୍ପତି ରଜନୀକାନ୍ତ ସିଂ, ମନ୍ତ୍ରୀ ବିକ୍ରମ ଆରୁଖ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସିଂ ସମେତ ବହୁ ଅତିଥି ଯୋଗଦାନ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର

ପିଆଇବି ଓ ସିବିସି ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀର ଅବ୍ୟବହିତ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶବ୍ୟାପୀ ସ୍ୱଚ୍ଛତା ହିଁ ସେବା ଅଭିଯାନ ଆୟୋଜିତ ହୋଇଯାଇଛି। ବିଭିନ୍ନ ବର୍ଗର ଜନସାଧାରଣ ୧ ତାରିଖରେ, ଏକା ସାଥୀରେ, ଏକ ଘଣ୍ଟା ପାଇଁ ଶ୍ରମଦାନ କରିଛନ୍ତି। ଏହି କ୍ରମରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଓ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଭୁବନେଶ୍ୱର ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପିଆଇବି ଓ ସିବିସିର ବରିଷ୍ଠ ଅଧିକାରୀମାନଙ୍କ ନେତୃତ୍ୱରେ ଭୁବନେଶ୍ୱର ଉପକଣ୍ଠ ବାଙ୍କୁଆଳ ଗ୍ରାମରେ ସଫେଇ ଅଭିଯାନ, ସ୍ୱଚ୍ଛତା ଶପଥ ପାଠ ଓ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ, ଏସପି ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଏକତା ଟ୍ରଷ୍ଟର ଯୁବ ସ୍ୱେଚ୍ଛାସେବୀମାନେ ଅଂଶଗ୍ରହଣ କରି ଗାଁର ରାସ୍ତାଘାଟ ଓ ସର୍ବସାଧାରଣ ସ୍ଥାନ ସଫେଇ କରିଥିଲେ। ସିବିସିର ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ଗିରିଶ ଚନ୍ଦ୍ର ଦାଶ ସମସ୍ତଙ୍କୁ ସ୍ୱଚ୍ଛତା ଶପଥ ପାଠ କରାଇଥିଲେ। ପିଆଇବି ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି, ସିବିସି କାର୍ଯ୍ୟକ୍ରମ ଅଧିକାରୀ ମହେନ୍ଦ୍ର ପ୍ରସାଦ ଜେନା, ପିଆଇବି ସୂଚନା ଅଧିକାରୀ ସ୍ୱାଧୀନ ଶକ୍ତି ପ୍ରସାଦଙ୍କ ସମେତ ପିଆଇବି ଓ ସିବିସିର ସମସ୍ତ ଅଧିକାରୀ ଓ କର୍ମଚାରୀ ଏଥିରେ ସାମିଲ ହୋଇଥିଲେ।

ଏହି ଅବସରରେ ସ୍ୱଚ୍ଛତା ଉପରେ ଏକ ସଚେତନତା ଶୋଭାଯାତ୍ରା ଗାଁ ପରିକ୍ରମା କରିଥିଲା ଏବଂ ସୂଚନାଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସିବିସିର ବାଲେଶ୍ୱର, କେନ୍ଦୁଝର, ଫୁଲବାଣୀ ଓ ବ୍ରହ୍ମପୁର କ୍ଷେତ୍ର କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ରଣପୁର: ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ସାମିଲ ହେଲେ ବିଧାୟକ, ଅଧ୍ୟକ୍ଷା, କାର୍ଯ୍ୟନିର୍ବାହୀ ଅଧିକାରୀ

ରଣପୁର: ଆସନ୍ତାକାଲି ସାରା ଦେଶରେ ଅନୁଷ୍ଠିତ ହେବ ୧୫୪ତମ ଗାନ୍ଧୀ ଜୟନ୍ତୀ। ଏହି ପରିପ୍ରେକ୍ଷୀରେ ସାରା ଦେଶରେ “ସ୍ୱଛତା ହିଁ ସେବା – ଆବର୍ଜନା ମୁକ୍ତ ଭାରତ” ଅକ୍ଟୋବର ୧ ତାରିଖରେ ସାରା ଦେଶରେ ପାଳିତ ହେଉଛି।

ଏହି କାର୍ଯ୍ୟକ୍ରମ ବିଜ୍ଞାପିତ ପରିଷଦ ରଣପୁରରେ ମଧ୍ୟ ଏହି କାର୍ଯ୍ୟକ୍ରମ ପାଳିତ ହୋଇ ଯାଇଛି। ଏଥିରେ ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ, ରଣପୁର ବିଜ୍ଞାପିତ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ଅପର୍ଣ୍ଣା ଡେଙ୍ଗୁଆ, ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା, ଉପାଧ୍ୟକ୍ଷ ବିଶ୍ୱରଂଜନ ପଟ୍ଟନାୟକ, ନଗର ସଭାପତି ଲିଙ୍ଗରାଜ ନାୟକ ପ୍ରମୁଖ ସାମିଲ ହୋଇ ରଣପୁର ଡାକ୍ତରଖାନା, ପଞ୍ଚୁଦଳ ପଡିଆ, ବଧି ପୁଷ୍କରିଣୀ ଆଦି ସଫେଇ କରିଥିଲେ। ବିଧାୟକ, ଅଧ୍ୟକ୍ଷା, କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ପ୍ରମୁଖ ହାତରେ ଝାଡୁ ଧରି ଓଳାଇବା ସହ ଅଳିଆକୁ ତୋଳି ଡଷ୍ଟବିନରେ ପକାଇ ଥିଲେ। ୩ ନମ୍ବର ୱାର୍ଡ ଅନ୍ତର୍ଗତ ଉପର ବାଇପାସକୁ ପରିଷ୍କାର ରଖିବା ପାଇଁ ହୋର୍ଡିଙ୍ଗ ବୋର୍ଡ ଲଗାଇବା ସହ ଜନ ସାଧାରଣଙ୍କୁ ସଚେତନ କରାଯିବ ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ମତ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ସ୍ୱରାଜ ମହାନ୍ତି, କାଉନସିଲର କମଳାକ୍ଷୀ ଦେଵିଦର୍ଶିନୀ, କୈଳାଶ ମହାରଣା, ଦିନେଶ ପରିଡାଙ୍କ ସହ ସମସ୍ତ କାଉନସିଲର, ବିଜ୍ଞାପିତ ପରିଷଦର ସମସ୍ତ କର୍ମଚାରୀ, ସଫେଇ କର୍ମଚାରୀ, ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଆଦର୍ଶକୁ ସମ୍ମାନ ଜଣାଇ ଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

କେନ୍ଦ୍ର ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ୧୫୬ସାଧାରଣ ଅଭିଯୋଗ ଆବେଦନ ମାମଲାର ସମାଧାନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ୨.୦ ମାଧ୍ୟମରେ ଦପ୍ତର ଓ ଏହାର ପରିସରର ସ୍ୱଚ୍ଛତା ରକ୍ଷା, ସଫେଇ ଓ ଶୋଭାବର୍ଦ୍ଧନ କାର୍ଯ୍ୟ ଦେଶବ୍ୟାପୀ କରାଯାଇଛି। ଏହି ଅଭିଯାନ କାଳରେ ବ୍ୟୁରୋ ଅଫ ଷ୍ଟାଣ୍ଡାର୍ଡ, ଜାତୀୟ ଟେଷ୍ଟ ହାଉସ,  ଜାତୀୟ ଖାଉଟି ସମବାୟ ମହାସଂଘ ଓ ଜାତୀୟ ଖାଉଟି ଆୟୋଗର କାର୍ଯ୍ୟାଳୟ ସହିତ ମୋଟ ୭୩ଟି ଦପ୍ତରରେ ଏହି ସ୍ୱଚ୍ଛତା ଓ ପରିଚ୍ଛନ୍ନତା ରକ୍ଷା କାର୍ଯ୍ୟକ୍ରମ ହାତକୁ ନିଆଯାଇ ତାହାକୁ ସମ୍ପୂର୍ଣ୍ଣ କରାଯାଇଛି। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ଏହି ପରିଚ୍ଛନ୍ନତା କାର୍ଯ୍ୟ ଆନୁଷ୍ଠାନିକଭାବେ ଚଳିତମାସ ୩୧(୨୦୨୨ ଅକ୍ଟୋବର ୩୧ରେ ଶେଷ ହେବ।

ଏହି ଅଭିଯାନ ଆରମ୍ଭ କରିବା ପୂର୍ବରୁ ସମ୍ପୃକ୍ତ ବିଭାଗ ପକ୍ଷରୁ ଏକ ପ୍ରସ୍ତୁତି ପର୍ଯ୍ୟାୟ କାମ ହାତକୁ ନିଆଯାଇଥିଲାö। ପରିଚ୍ଛନ୍ନତା ଅଭିଯାନ କାଳରେ କେଉଁ କେଉଁ କାମ କରାଯିବ ତାହାର ଏକ ତାଲିକା ପ୍ରସ୍ତୁତ କରାଯାଇ ତଦନୁସାରେ ଅଭିଯାନକୁ କାର୍ଯ୍ୟକାରୀ କରାଯାଇଛି।

ଏଥିରେ ପୁରୁଣା ନଥିପତ୍ରଗୁଡିକୁ ହଟାଇବା ସହିତ ଦେଶର ୭୩ଟି ଦପ୍ତର ଓ ବିଭାଗର ସଦର କାର୍ଯ୍ୟାଳୟରେ ସଫେଇ ଓ ଅନ୍ୟାନ୍ୟ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରିବାକୁ ସ୍ଥିର ହୋଇଥିଲା। ଏହି କାମରେ ସିପିଡବ୍ଲ୍ୟୁଡିର ସହାୟତା ନିଆଯାଇଥିଲା।

ଏହି ଅଭିଯାନ କାଳରେ ପାଞ୍ଚ ଜଣ ସଂସଦ ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ଯଥାବିଧି ପ୍ରଦାନ କରାଯିବା ସହିତ ଦୁଇଟି ଆନ୍ତଃ ମନ୍ତ୍ରଣାଳୟ ମତାମତର ସ୍ପଷ୍ଟୀକରଣ ଉପସ୍ଥାପିତ କରାଯାଇଛି। ୨୦୨୨ ଅକ୍ଟୋବର ୨୬ ସୁଦ୍ଧା ୧୫୧୬ ସାଧାରଣ ଅଭିଯୋଗ ମଧ୍ୟରୁ ୧୦୭୪ର ସନ୍ତୋଷଜନକ ଉତ୍ତର ଦିଆଯାଇଛି । ଏହା ମୋଟ ଅଭିଯୋଗର ୭୦ଶତାଂଶ। ଏହାଛଡା ୧୫୬ ସାଧାରଣ ଅଭିଯୋଗର ଶୁଣାଣି କରାଯାଇ ତାହାର ସମାଧାନ କରାଯାଇଛି।

ଏହି ଅଭିଯାନ କାଳରେ ରେକର୍ଡ ପରିଚାଳନା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ଏଥିରେ ୧୫, ୨୮୫ କାଗଜପତ୍ର ଫାଇଲକୁ ଚିହ୍ନଟ କରାଯାଇ ସେଗୁଡିକର ସମୀକ୍ଷ। କାମ ହାତକୁ ନିଆଯାଇଥିଲା। ସମୀକ୍ଷା ହୋଇଥିବା ମୋଟ ୧୩୧୩୧ ଫାଇଲ ମଧ୍ୟରୁ ୭୦୬୧ଟିକୁ ଡିଜିଟାଇଜ କରାଯିବା ପରେ ମୂଳ କାଗଜ ଫାଇଲଗୁଡିକୁ ନଷ୍ଟ କରି ଦିଆଯାଇଛି। ସେହିଭଳି ୬୦୨ ଇ-ଫାଇଲକୁ ସମୀକ୍ଷା କରାଯାଇ ଇ-ଅଫିସ ବର୍ଗରେ ୪୭୩ଟିକୁ ବନ୍ଦ କରାଯାଇଛି। ଅତଏବ ଚିହ୍ନଟ ହୋଇଥିବା ରେକର୍ଡ ପତ୍ର ମଧ୍ୟରୁ ୮୬%କୁ ସବୁଦିନ ପାଇଁ ବନ୍ଦ କରିଦିଆଯାଇଛି। ଏହି ଅଭିଯାନ କାଳରେ ପୁରୁଣା ଫାଇଲ, ରେକର୍ଡପତ୍ର ଓ ଅନ୍ୟାନ୍ୟ ଅଫିସ ଆବର୍ଜନାକୁ ୨, ୩୮, ୨୬୮ ଟଙ୍କାର ବିଭାଗ ବିକ୍ରି କରିଛି। ପୁରୁଣା ଫାଇଲ ଓ କାଗଜପତ୍ର ସବୁକୁ ହଟାଇବା ପରେ ବିଭିନ୍ନ ଦପ୍ତରରେ ମୋଟ ୫୧୨୧ ବର୍ଗଫୁଟ ସ୍ଥାନ ମୁକ୍ତ ହୋଇଛି।

ଏଥି ସହିତ ବିଭାଗ ପକ୍ଷରୁ  ସଦର କାର୍ଯ୍ୟାଳୟ ସମେତ ବିଭିନ୍ନ ବିଭାଗୀୟ ଦପ୍ତର ପରିସରରେ ବୃକ୍ଷରୋପଣ ଓ ଶୋଭାବର୍ଦ୍ଧନ କାର୍ଯ୍ୟକ୍ରମକୁ ହାତକୁ ନିଆଯାଇଥିଲା। ଏଥିରେ ଦେଶବ୍ୟାପୀ ବିଭିନ୍ନ ଦପ୍ତର ପରିସରରେ ୫୦୦ ଚାରା ରୋପଣ କରାଯାଇଛି। ଏସବୁ ଚାରା ମୁଖ୍ୟତଃ ଆଇଆଇଏଲ୍‌ଏଲ, ଏନ୍‌ଟିଏଚ୍ ଓ ବିଆଇଏଏସ୍ କ୍ୟାମ୍ପସରେ କରାଯାଇଥିଲା। ଏହାଛଡା ଏହି ଅଭିଯାନ କାଳରେ ସବୁ ବିଭାଗୀୟ ଦପ୍ତରରେ ଏଲ୍‌ଇଡି ଲାଇଟ୍ ଲଗାଯାଇ ବିଜୁଳି ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି।

ପ୍ରଚଳିତ ନିୟମ ଓ ନୀତି ଅନୁସାରେ ବିଭାଗର ଅଧସ୍ତନ କାର୍ଯ୍ୟାଳୟରୁୁ ନିୟମିତ ପରିତ୍ୟକ୍ତ, ଅବ୍ୟବହୃତ ସାମଗ୍ରୀ ଓ ଆବର୍ଜନା ସଂଗ୍ରହ ପାଇଁ ଭାରତ ସରକାରଙ୍କ ଏମ୍‌ଏସ୍‌ଟିସି ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତି ଅନୁସାରେ ସେହି ସଂସ୍ଥା ସମ୍ପୃକ୍ତ ଦପ୍ତରଗୁଡିକରୁ ନିୟମିତ ଅବ୍ୟବହୃତ ଓ ପରିତ୍ୟକ୍ତ ସାମଗ୍ରୀ /କାଗଜପତ୍ର ସଫା କାମ କରୁଛି।

ଏହି ଅଭିଯୋଗ କାଳରେ ବିଭାଗ ପକ୍ଷରୁ ବିଭିନ୍ନ ହାଟ ଓ ସହରାଞ୍ଚଳରେ ଖାଉଟି ସଚେତନତା ବାର୍ତ୍ତା ପ୍ରଚାର  କାମ ହାତକୁ ନିଆଯାଇଥିଲା। ଏଥିରେ ଅଧିକରୁ ଅଧିକ ଖାଉଟି ସୁରକ୍ଷା ମାମଲା ବିଭିନ୍ନ ଖାଉଟି ଅଦାଲତର  ଇ-ଦାଖିଲା ପୋର୍ଟାଲରେ କିପରି ସହଜରେ କରାଯାଇପାରିବ ସେ ବିଷୟରେ ସାଧାରଣ ଲୋକଙ୍କୁ ଅବଗତ କରାଯାଇଥିଲା। ଏହି ପୋର୍ଟାଲରେ ଏକ ଜାଗୃତି ମାସକ୍‌ଟର ବ୍ୟାନର ରହିଛି।

ଏହି ଅଭିଯାନ ଅବସରରେ ନୂଆଦିଲ୍ଲୀ ଦପ୍ତରରେ ଏକ ରି-ମଡେଲ ସେକ୍ସନ ପଞ୍ଚମ ମହଲାରେ ଖୋଲାଯାଇଛି। ଆଗରୁ ସେଠାରେ ଏକ ଶସ୍ୟ ପରୀକ୍ଷାଗାର ଥିଲା। ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେହି ପରୀକ୍ଷାଗାରକୁ ଉଠାଇ ଏକ ନୂଆ ସେକ୍ସନ ସେଠାରେ ତିଆରି କରାଯାଇଛି। ଏହି ପରୀକ୍ଷାଗାର ଗାଜିଆବାଦରେ ଥିବା  ଦପ୍ତରର ୫୪୫ ନମ୍ବର ପ୍ରକୋଷ୍ଠକୁ ସ୍ଥାନାନ୍ତରିତ ହୋଇଛି। ନୂଆ ସେକ୍ସନ ଓ ପରୀକ୍ଷାଗାରରେ ଆବଶ୍ୟକ ମୌଳିକ ସୁବିଧା ସୁଯୋଗ ଓ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ପେସାଦାରୀ ବ୍ୟବସ୍ଥା କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଜାତିର ଜନକ ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କର ଜୟନ୍ତୀ ଉତ୍ସବ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନ ଠାରେ ପାଳିତ ହୋଇଯାଇଛି ।

ଏହି ଉପଲକ୍ଷେ ସକାଳେ ଶ୍ରୀ ପଟ୍ଟନାୟକଙ୍କ ସମେତ କଂଗ୍ରେସ ନେତାଗଣ ଚନ୍ଦ୍ରଶେଖରପୁର ନାଲକୋ ଛକ ସ୍ଥିତ ଗାନ୍ଧୀ ପାର୍କରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ କଂଗ୍ରେସ ଭବନ ପରିସରରେ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ରାମଚନ୍ଦ୍ର ଖୁଂଟିଆ, ଅନନ୍ତ ପ୍ରସାଦ ସେଠୀ, ଶିବାନନ୍ଦ ରାୟ, ସୁରେଶ କୁମାର ରାଉତରାୟ, ନକୁଳ ନାୟକ, ଶୁଭେନ୍ଦୁ ମହାନ୍ତି, ଲୋକନାଥ ମହାରଥି, ରଶ୍ମି ମହାପାତ୍ର, କିଶୋର ଜେନା, ବିଶ୍ୱଜିତ ଦାଶ, ମନୋରଞ୍ଜନ ଦାଶ, ଅମିୟ ପଟ୍ଟନାୟକ, ସୁଦର୍ଶନ ଦାସ, ଜ୍ୟୋତିଷ ସାହୁ, ରଜନୀ ମହାନ୍ତି, ତ୍ରିଲୋଚନ ମହାନ୍ତି ଥିଲେ।

ସେହିପରି ସୁଶାନ୍ତ ତ୍ରିପାଠୀ, ମାନସ ଆଚାର୍ଯ୍ୟ, ତରୁଣ ମିଶ୍ର, ରସିକ ପଟ୍ଟନାୟକ, ତାରା ପଟ୍ଟନାୟକ, ଦୀପକ ମହାପାତ୍ର, ଭାସ୍କର ସେଠୀ, ସଂଜୟ ମିଶ୍ର, ସଂକୁନା କହଁର, ରାଜକିଶୋର ବାରିକ, ମିହିର ଆଚାର୍ଯ୍ୟ, ସୁବାଷ ପ୍ରଧାନ, ଦେଓ ପ୍ରସାଦ, ଦେବେନ୍ଦ୍ର ପ୍ରସାଦ ଦାସ, କୈଳାସ ସାହୁ, ଉମେଶ ସ୍ୱାଇଁ, ମନୋରଞ୍ଜନ ରାଉତରାୟ, ସାଗର ପରିଡ଼ା, ଅଜୟ ମହାପାତ୍ର, ବିନୋଦ ପାଣି, ସୁକୁମାର ଦେଓ ପ୍ରମୁଖ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅଗ୍ରଦୂତ ଏବଂ ସତ୍ୟ, ଶାନ୍ତି ଓ ଅହିଂସାର ଯୁଗପ୍ରବର୍ତ୍ତକ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୩ତମ ରାଜସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଛି ।

ବିଧାନସଭା ପରିସରରେ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ଏବଂ ପ୍ରାର୍ଥନା ସଭାରେ ଉପବାଚସ୍ପତି ରଜନୀକାନ୍ତ ସିଂ, ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି, କୃଷି ଓ କୃଷକ ସଶକ୍ତିକରଣ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ,

ସେହିପରି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ଜଳସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ବରିଷ୍ଠ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ ପ୍ରମୁଖ ମଧ୍ୟ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ । ଶାଶ୍ୱତୀ ସାମାଜିକ ସାଂସ୍କୃତିକ କେନ୍ଦ୍ର ତରଫରୁ ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ ‘ବୈଷ୍ଣବ ଜନ ତୋ’ ଏବଂ ରାମଧୂନ ପରିବେଷଣ ପରିବେଶକୁ ଭାବଗାମ୍ଭୀର କରିଥିଲା ।

ଏହି ଜୟନ୍ତୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ, ସୂଚନା ଓ ଲୋକସଂପର୍କ ବିଭାଗ ବୈଷୟିକ ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ପରିଡ଼ା, ବିଧାନସଭାର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ତଥା ନିର୍ଦ୍ଦେଶକ (ଗବେଷଣା) ଶ୍ରୀ କୃପାସିନ୍ଧୁ ମିଶ୍ର, ଯୁଗ୍ମ ନିର୍ଦ୍ଦେଶକ (ଗବେଷଣା) ଶ୍ରୀ ଶିବପ୍ରସାଦ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସୂଚନା ଓ ଲୋକସଂପର୍କ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ବିଶ୍ୱଜିତ ଦାଶ, ମାନସ ରଞ୍ଜନ ଖୁଣ୍ଟିଆ, ସୂଚନା ଅଧିକାରୀ ସୁଶ୍ରୀ ପ୍ରମୋଦିନୀ ଟେଟେ ପ୍ରମୁଖ ସହଯୋଗ କରିଥିଲେ । ସୂଚନା ଅଧିକାରୀ ସୁଶ୍ରୀ ପ୍ରମିଳା ମାଝୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Categories
ଆଞ୍ଚଳିକ

ବାଲୁଗାଁରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଅକ୍ଟୋବର ୨ ତାରିଖ ତଥା ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ହେବାକୁ ଥିବାବେଳେ ରବିବାର ଅର୍ଥାତ ପ୍ରଥମ ଦିବସରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଜନସମ୍ପର୍କ ପଦଯାତ୍ରାରେ ଚିଲିକା ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡି କର୍ମକର୍ତ୍ତାଙ୍କ ସମେତ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ, ଏନଏସି ଅଧ୍ୟକ୍ଷା, କାଉନସିଲର, ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ୱାର୍ଡ ମେମ୍ବର ଏବଂ ସମସ୍ତ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଉକ୍ତ ପଦଯାତ୍ରା ବାଲୁଗାଁ ଉତ୍ତରାୟଣୀ ମନ୍ଦିର ଠାରୁ ବାହାରି ଗାନ୍ଧୀ ଛକ ଠାରେ ଗାନ୍ଧୀ ମୂର୍ତ୍ତିରେ ପୁଷ୍ପମାଲ୍ୟ ଦେବା ପରେ ବଜାର ପରିକ୍ରମା କରିଥିଲେ। ପଦଯାତ୍ରା ମାଧ୍ୟମରେ ଜନସାଧାରଣଙ୍କ ସେବା ମୁଳ ଲକ୍ଷ୍ୟ ହୋଇଥିବା ବେଳେ ରାଜନୀତି ଏକମାତ୍ର ମାଧ୍ୟମ ଯାହାଫଳରେ ଏହି ପଦଯାତ୍ରାକୁ ସଫଳାୟନ କରିବାପାଇଁ ସାଧାରଣ ଜନତାଙ୍କ ଅତି ନିକଟତର ହୋଇ ସେମାନଙ୍କ ସୁଖଦୁଃଖରେ ଭାଗିଦାରୀ ହେବା ଏବଂ ଲୋକଙ୍କ ସାଥିରେ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟର ଉପକାରିତା ଓ ସଫଳତା ଲକ୍ଷ୍ୟରେ ସମସ୍ତ ଜନପ୍ରତିନିଧି ମାନେ ତତ୍ପର ହୋଇ ଲୋକଙ୍କ ପାଖରେ ବାର୍ତ୍ତା ପହଞ୍ଚାଇଥିଲେ।

ଏଥିସହିତ ଦେଶ ପାଇଁ ବଳିଦାନ ଦେଇଥିବା ସ୍ବାଧିନତା ସଂଗ୍ରାମୀଙ୍କ ଅବଦାନକୁ ଲୋକଲୋଚନକୁ ଆଣିବା ପାଇଁ ସ୍ଲୋଗାନ ଦେଇଥିଲେ। ଏହି ପଦଯାତ୍ରା ଆଜି ଠାରୁ ଦୀର୍ଘ ଏକ ମାସ ଧରି ବିଭିନ୍ନ ଗ୍ରାମାଞ୍ଚଳ, ସହରାଞ୍ଚଳରେ ଜାରି ରହିବ ବୋଲି ଦଳୀୟ କର୍ମୀମାନେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପବିତ୍ର ମାଟି ଓ ଜଳ ସଂଗ୍ରହ

ଖୋର୍ଦ୍ଧା: ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲାର ପ୍ରମୁଖ ସ୍ୱାଧୀନତା ପୀଠ, ଐତିହ୍ୟ ପୀଠରୁ ପବିତ୍ର ମାଟି ଓ ଜଳ ସଂଗ୍ରହ କରାଯାଇଛି। ଗାନ୍ଧିଜୀ ଗସ୍ତ କରିଥିବା ବାଣପୁର ସହର ସ୍ଥିତ ପଲଟନ ପଡିଆରୁ ମାଟି ଓ ସାଳନ୍ଦୀ ନଦୀରୁ ପାଣି ସଂଗ୍ରହ କରାଯାଇଥିଲା। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀଙ୍କ ପରାମର୍ଶ ଅନୁଯାୟୀ ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ଉପାଧ୍ୟକ୍ଷ ପ୍ରାଚୀପ୍ରଭା ସ୍ବାଇଁ, ବାଣପୁର ବିଡିଓ ବୁଲବୁଲ ବେହେରା, ତହସିଲଦାର କୁଞ୍ଜବିହାରୀ ବଡଜେନା, ଏନଏସି ନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା ପ୍ରମୁଖଙ୍କ ଉପସ୍ଥିତରେ ପବିତ୍ର ଜଳ ଓ ମାଟି ସଂଗ୍ରହ କରାଯାଇଥିଲା। ଏପରିକି ଗାନ୍ଧିଜୀ ଗସ୍ତ କରିଥିବା ବୋଲଗଡ ଖଦି କେନ୍ଦ୍ର ପରିସରରୁ ଆଜି ମଧ୍ୟ ମାଟି ସଂଗ୍ରହ କରଯାଇଛି। ବୋଲଗଡ ବିଡିଓ ଧୋବେଇ ନାୟକ, ଅତିରିକ୍ତ ତହସିଲଦାର ପଙ୍କଜା ମଞ୍ଜରୀ ଭଞ୍ଜ,ଐତିହାସିକ ରବିନ୍ଦ୍ର ପରିଡା, ଶିକ୍ଷାବିତ ଗୋପିନାଥ ଖାଡଙ୍ଗା, ବ୍ଲକ ଶିକ୍ଷାଧିକାରୀ ଡଃ ନିରଞ୍ଜନ ମହାନ୍ତିଙ୍କ ଉପସ୍ଥିତିରେ ପବିତ୍ର ମାଟି ସଂଗ୍ରହ କରାଯାଇଛି।

ଏହି ମାଟି ଓ ପାଣିକୁ ଭୁବନେଶ୍ୱରକୁ ପ୍ରେରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ପାଢୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ଏହି ପବିତ୍ର ମାଟି ଓ ସଂଗୃହିତ ଜଳକୁ ହସ୍ତାନ୍ତର କରିଥିଲେ। ଏହି ପବିତ୍ର ମାଟି ସଂଗ୍ରହ ସମୟରେ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, କର୍ମଚାରୀ,ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଯୋଗ ଦେଇଥିଲେ।

ସୂଚନା ଯୋଗ୍ୟ ଯେ ଚଳିତ ବର୍ଷ ଗାନ୍ଧୀ ଜୟନ୍ତୀକୁ ସ୍ମରଣୀୟ ଭାବେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଗାନ୍ଧୀଙ୍କ ଆଦର୍ଶ, ବିଚାର ,ଜୀବନୀ ଓ ଓଡିଶା ଆଗମନ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ ଅହିଂସା ରଥ ନାମରେ ୪ ଗୋଟି ରଥ ସମଗ୍ର ଓଡିଶା ପରିକ୍ରମଣ କରି ସ୍ୱାଧୀନତା ସଂଗ୍ରାମ ଓ ଅହିଂସା ମନ୍ତ୍ରର ଗାଥା ବାଣ୍ଟିଚାଲିଛି। ଏହି ରଥକୁ ପ୍ରତ୍ୟେକ ଜିଲ୍ଲାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦେଶପ୍ରୀତିର ନମୁନା ଦେଉଛି।
ସେହିପରି ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକସେବା ଭବନ ପରିସରରେ ଶାନ୍ତି ଓ ପ୍ରଗତିର ପ୍ରତୀକ ସ୍ୱରୂପ ଅଶ୍ୱତ୍ଥ ଚାରା ରୋପଣ କରାଯିବ। ଏଥିପାଇଁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ଯେଉଁଠାକୁ ମହାତ୍ମାଗାନ୍ଧୀଙ୍କ ଆଗମନ ହୋଇଥିଲା, ସ୍ୱାଧୀନତା ସଂଗ୍ରାମରେ ପ୍ରମୁଖ ସ୍ଥାନ କିମ୍ବା ସ୍ୱାଧୀନତା ସଂଗ୍ରାମ ସହ ଜଡିତ ପ୍ରମୁଖ ସ୍ଥାନରୁ ପବିତ୍ର ମାଟି, ଓ ନଦୀରୁ ପବିତ୍ର ଜଳ ସଂଗ୍ରହ କରାଯାଇ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନକୁ ପଠାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ଗାନ୍ଧୀ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜଘାଟରେ ଶ୍ରଦ୍ଧାଞ୍ଜଳୀ

ନୂଆଦିଲ୍ଲୀ:  ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି। ଆଜି ସକାଳୁ ସେ ରାଜଘାଟ ଯାଇ ବାପୁଙ୍କ ସମାଧୀ ପିଠରେ ପୁଷ୍ପମାଲ୍ୟ ପ୍ରଦାନ କରିଛନ୍ତି। ଏହି ଅବସରରେ ସେ ଏକ ଟୁଇଟ କରି କହିଛନ୍ତି ଯେ,

“राष्ट्रपिता महात्मा गांधी को उनकी जन्म-जयंती पर विनम्र श्रद्धांजलि। पूज्य बापू का जीवन और आदर्श देश की हर पीढ़ी को कर्तव्य पथ पर चलने के लिए प्रेरित करता रहेगा।

Categories
ବିଶେଷ ଖବର ରାଜ୍ୟ ଖବର

ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିବସ, ଓଡିଶା ଆଗମନକୁ ମଧ୍ୟ ପୁରିଲା ୧୦୦ ବର୍ଷ

ଭୁବନେଶ୍ବର : ଆଜି ସାରା ଭାରତ ବର୍ଷ ଏପରିକି ବିଦେଶରେ ମଧ୍ୟ ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିବସ ପାଳନ କରାଯାଉଛି। ସେ ୧୮୬୯ ମସିହା ଅକ୍ଟୋବର ଦୁଇ ତାରିଖରେ ଗୁଜୁରାଟର ପୋରବନ୍ଦରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ଅହିଂସା ନୀତି ତଥା ଶିକ୍ଷା ଉପରେ ଯେଉଁ ପଦକ୍ଷେପ ତାହା ଆଜି ସମସ୍ତଙ୍କର ଆଦର୍ଶ ହୋଇ ରହିଛି।

ତେବେ ସାରା ଭାରତରେ ଅହିଂସା ଆନ୍ଦୋଳନର ପୁରଧା ସାଜିଥିବା ଜାତିର ପିତା ମହାତ୍ମା ଗାନ୍ଧୀ ବହୁଥର ଓଡିଶା ଆସିଛନ୍ତି। ପ୍ରଥମ ଓଡିଶା ଗସ୍ତ ୨୩ ମାର୍ଚ୍ଚ ୧୯୨୧ ଥିଲା। ଅର୍ଥାତ  ଗାନ୍ଧୀଙ୍କ ଓଡିଶା ଆଗମନକୁ ୧୦୦ ବର୍ଷ ପୁରଣ ହୋଇସାରିଛି। ସେସବୁ ଗସ୍ତ ସଂପର୍କରେ ଆସନ୍ତୁ ଜାଣିବା।

ପ୍ରଥମ ଗସ୍ତ ୧୯୨୧: ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ନିମନ୍ତ୍ରଣ କ୍ରମେ ମହାତ୍ମା ଗାନ୍ଧୀ ୨୩ ମାର୍ଚ୍ଚ ୧୯୨୧ ରେ ଓଡିଶା ଆସିଥିଲେ। ସାଥିରେ ପତ୍ନୀ କସ୍ତୁରବା ଏବଂ କନିଷ୍ଠପୁତ୍ର ଦେବଦାସ ଓ ଅନ୍ୟ କେତେଜଣ ସହ ସେ କଟକ ରେଳ ଷ୍ଟେସନରେ ପହଁଚିଥିଲେ। ଗୋପବନ୍ଧୁଙ୍କ ସମେତ କଟକର ବହୁ ବିଶିଷ୍ଟ ବ୍ୟକ୍ତି ଓ କର୍ମୀମାନେ ଗାନ୍ଧିଜୀଙ୍କୁ ଏକ ପୁରୁଣା ଫୋର୍ଡ଼ ମୋଟର କାରରେ କଟକର ସ୍ୱରାଜ ଆଶ୍ରମକୁ ନେଇଥିଲେ ।

ସେହିଦିନ ସନ୍ଧ୍ୟାରେ କଟକ କାଠଯୋଡି ବାଲିଶଯ୍ୟା ଉପରେ ଗୋପବନ୍ଧୁଙ୍କ ଉଦ୍ୟମରେ କଟକବାସୀଙ୍କ ତରଫରୁ ଗାନ୍ଧିଜୀଙ୍କୁ ଏକ ବିରାଟ ସାଧାରଣ ସଭାରେ ସ୍ବାଗତ କରାଯାଇଥିଲା। ଏହାପରେ ମାର୍ଚ୍ଚ ୨୬ତାରିଖରେ ଗାନ୍ଧିଜୀ ପୁରୀ ଗସ୍ତ କରିଥିଲେ। ସେଠାରେ ସମୁଦ୍ର ବାଲିରେ ଏକ ବିରାଟ ସାଧାରଣ ସଭାରେ ଉଦ୍‌ବୋଧନ ଦେବାପରେ, ୨୭ ତାରିଖ ଦିନ ଗୋପବନ୍ଧୁଙ୍କ ସହିତ ସେ ଜିଲ୍ଲାର କେତେକ ଦୁର୍ଭିକ୍ଷ ପ୍ରପୀଡ଼ିତ ଅଞ୍ଚଳ ଗସ୍ତ କରିଥିଲେ ।ସେ ସାତଦିନ ଧରି ଓଡିଶାରେ ରହିଥିଲେ।

ଦ୍ୱିତୀୟ ଗସ୍ତ ୧୯୨୫: ମଧୁସୂଦନ ଦାସଙ୍କ ନିମନ୍ତ୍ରଣ କ୍ରମେ ୧୯୨୫ ଅଗଷ୍ଟ ୧୯ତାରିଖରେ ଗାନ୍ଧୀଜୀ ପୁନର୍ବାର କଟକ ଆସିଥିଲେ । ଏହି ଅବସରରେ ମଧୁବାବୁଙ୍କ ପ୍ରତିଷ୍ଠିତ ଜୋତା କାରଖାନା ପରିଦର୍ଶନ କରି ମୁଗ୍ଧ ହୋଇଥିଲେ ଓ ଅହମଦାବାଦ ସାବରମତୀ ଆଶ୍ରମରେ ଏଭଳି ଏକ କାରଖାନା ପ୍ରତିଷ୍ଠା କରିବା ପାଇଁ ମନସ୍ଥ କରିଥିଲେ । ଏହି ଅବସରରେ କଟକ ଉପକଣ୍ଠରେ ଅବସ୍ଥିତ ଏକ କୁଷ୍ଠାଶ୍ରମ ପରିଦର୍ଶନ ପାଇଁ ସେ ଆଗ୍ରହ ପ୍ରକାଶ କରିଥିଲେ ।

ତୃତୀୟ ଗସ୍ତ ୧୯୨୭: ତୃତୀୟ ଥର ନିମନ୍ତେ ଓଡ଼ିଶା ପରିଦର୍ଶନରେ ଆସି କଟକଠାରେ ଭାଷାକୋଶବିତ ଗୋପାଳ ଚନ୍ଦ୍ର ପ୍ରହରାଜ ଆମନ୍ତ୍ରଣ କ୍ରମେ ତାଙ୍କ ଘରେ କିଛି ସମୟ କଟାଇଥିଲେ । ପ୍ରହରାଜ ମହୋଦୟଙ୍କ ଅଧ୍ୟବସାୟ ତଥା ବ୍ୟକ୍ତିଗତ ପ୍ରଚେଷ୍ଟାରେ ପୂର୍ଣ୍ଣଚନ୍ଦ୍ର ଓଡିଆ ଭାଷାକୋଷ ଭଳି ଏକ ବିରାଟ ଗ୍ରନ୍ଥ-ପ୍ରକଳ୍ପ ସଂକଳନକୁ ଗାନ୍ଧୀଜୀ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ପୂର୍ବୋକ୍ତ କୁଷ୍ଠାଶ୍ରମଟି ଦେଖି ଆଶ୍ରମବାସୀଙ୍କୁ ଗୋଟିଏ ସେବତୀଫୁଲ ତୋଡ଼ା ଓ ଏକ ଟୋକେଇ ପୂର୍ଣ୍ଣ କମଳାଲେମ୍ବୁ ଉପହାର ପ୍ରଦାନ କରିଥିଲେ ।

ଚତୁର୍ଥ ଗସ୍ତ ୧୯୨୮: ୧୯୨୮ର ଦାରୁଣ ବନ୍ୟା ସମୟରେ ଗାନ୍ଧୀଜୀ ଚତୁର୍ଥ ଥର ନିମନ୍ତେ ଓଡ଼ିଶା ଆସିବା ବେଳକୁ ତାଙ୍କର ସହକର୍ମୀ ଗୋପବନ୍ଧୁଙ୍କର ଦେହାନ୍ତ ହୋଇସାରି ଥିଲା। ଗୋପବନ୍ଧୁଙ୍କର ନିଃସ୍ୱାର୍ଥ ଜନସେବା, ଦରିଦ୍ର-ନାରାୟଣଙ୍କ ପ୍ରତି ଗଭୀର ସମବେଦନାକୁ ସ୍ମରଣ କରି ସେହି ମହାନ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ ପୂର୍ବକ ଗାନ୍ଧୀଜୀ ତାଙ୍କର ୟଙ୍ଗ ଇଣ୍ଡିଆ ପତ୍ରିକାରେ ବର୍ଣ୍ଣନା କରିଥିଲେ। ବାଲେଶ୍ବର ଗସ୍ତକାଳରେ ଗାନ୍ଧୀଜୀ ବହୁ ବନ୍ୟାଞ୍ଚଳ ଗସ୍ତ କରିଥିଲେ ।

ପଞ୍ଚମ ଗସ୍ତ: ୧୯୩୪: ମହାତ୍ମା ଗାନ୍ଧୀ୧୯୩୪ ମସିହା ମଇ ମାସ ୫ ତାରିଖରେ ସେ ଝାରସୁଗୁଡା ଆସିଥିଲେ। ସେଠାରେ ପହଞ୍ଚିବା ପରେ ଅନୁଗୋଳ ଦେଇ ପୁରୀରେ ପହଞ୍ଚିଥିଲେ । ୮ ତାରିଖରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରି ୯ ତାରିଖରେ ହରିଜନ ପଦଯାତ୍ରା ଆରମ୍ଭ କରିଥିଲେ।