Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମତାମତ»ଗବ୍ବର ସିଂ ସରକାର, ବହିଖାତାର ବଜେଟ ଓ ରିଜର୍ଭ ବ୍ୟାଙ୍କ ଅର୍ଥ ଅପହରଣ ଷଡଯନ୍ତ୍ର
ମତାମତ

ଗବ୍ବର ସିଂ ସରକାର, ବହିଖାତାର ବଜେଟ ଓ ରିଜର୍ଭ ବ୍ୟାଙ୍କ ଅର୍ଥ ଅପହରଣ ଷଡଯନ୍ତ୍ର

July 8, 2019No Comments6 Mins Read
Share Facebook Twitter LinkedIn Email WhatsApp Copy Link

ରଙ୍ଗାଚରଣ ପ୍ରଧାନ 

“ହାଁ …….
ଜବ୍ ତକ୍ ହୈ ଜାନ୍
ମେଁ ନାଚୁଙ୍ଗି ।”

ଆପଣ ଶୋଲେ ଦେଖିଛନ୍ତି ନା ? ଯଦି ଦେଖିଥିବେ, ଆପଣଙ୍କର ମନେଥିବ, ସିନେମାର ଶେଷ ଆଡକୁ ବାସନ୍ତୀ ଏହି ଗୀତ ଗାଇ ଭଙ୍ଗା ଟୁକୁଡା କାଚ ଉପରେ ନାଚୁଛି । ସେତେବେଳେ ବାସନ୍ତୀର ବୟଫ୍ରେଣ୍ଡ ବୀରୁ ହାତକୁ ଡକାୟତ ସର୍ଦ୍ଦାର ଗବର ସିଂ ବାନ୍ଧି ଦେଇଛି , ଆଉ ବାସନ୍ତୀକୁ କହୁଛି ନାଚ୍ । ନାଚ୍ ନହେଲେ ବୀରୁକୁ ମାରିଦେବି । ଯେ ପର୍ଯ୍ୟନ୍ତ ବାସନ୍ତୀର ପାଦ ଦୁଇଟା ନାଚୁଥିବେ ସେ ପର୍ଯ୍ୟନ୍ତ ବୀରୁର ନିଃଶ୍ବାସ ପ୍ରଶ୍ବାସ ଚାଲିଥିବ । ଦର୍ଶକମାନେ ନର୍ଭସ୍ । ସେତିକିବେଳେ ବୀରୁର ସାଙ୍ଗ ଜୟ ଆସି ଗବର୍ ସିଂ କବଳରୁ ଦୁହିଙ୍କୁ ବଞ୍ଚାଉଛି ଓ ତା’ପରେ ବୀରୁ ଓ ବାସନ୍ତି ଖୁସିରେ ଏକାଠି ଜୀବନ ବିତାଉଛନ୍ତି ।

ଶୋଲେ ମନେ ଅଛି ନା ଭୁଲିଗଲେଣି ମ ?

ପ୍ରକୄତରେ  ମୁଁ ବଜେଟ ବିଷୟରେ ଗୋଟିଏ କଥା ଲେଖିବାକୁ ଯାଉଛି ଯାହା ଶୋଲେର ଏହି ଦୄଶ୍ୟ ଭଳି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ହେଉଛନ୍ତି ଦେଶର ପ୍ରଥମ ମହିଳା ପୂର୍ଣ୍ଣ କାଳୀନ ଅର୍ଥମନ୍ତ୍ରୀ ଓ ସେ ଏଥର ପାଶ୍ଚାତ୍ୟ ସଂସ୍କୃତିକୁ ଛାଡି ଭାରତୀୟ ସଂସ୍କୃତି ଅନୁସାରେ ନାଲି କପଡାରେ ଗୁଡେଇ ବଜେଟକୁ ଆଣିଥିଲେ । ସରକାର କହୁଛନ୍ତି ଯେ ଏଥର ଏହାକୁ ଆଉ ବଜେଟ ନ କହି ବହିଖାତା କହିବା । ମୋ ମତରେ ଏଥିରେ ମନ୍ଦ କ’ଣ ଅଛି ? ଏହା ଦ୍ବାରା ଯଦି ଦେଶର ଅର୍ଥନୀତି ୫ ଟ୍ରିଲିଅନ୍ ଡଲାରର ହେଇଯାଉଛି, କାହିଁକି ତାଙ୍କ କଥା ନ ମାନିବା ?

ଏମିତି ବି ଏଥର ଅର୍ଥମନ୍ତ୍ରୀଙ୍କ ବଜେଟ ଭାଷଣରେ ବଜେଟକୁ ଛାଡି ବାକି ସବୁ ଥିଲା । ସରକାର କେଉଁ କେଉଁ ବିଭାଗ ଓ କାମ ପାଇଁ କେତେ ଟଙ୍କା ଖର୍ଚ୍ଚ କରିବେ ଓ ସେ ଟଙ୍କା ସେ କୋଉଠୁ ଆଣିବେ ପ୍ରତିବର୍ଷ ସେକଥା ବଜେଟ ଭାଷଣରେ ରହୁଥିଲା । ସାଧାରଣ ଲୋକଟିଏ ବି ଶୁଣୁଥିଲା ଓ ଟିକେ ଟିକେ ବୁଝୁଥିଲା । କିନ୍ତୁ ଏଥର ସେତକ ଗାୟବ । ମନ୍ତ୍ରୀ କହିଲେ ସେସବୁ ଡିଟେଲ୍ ଅନ୍ୟତ୍ର ଲେଖାଯାଇଛି ଓ ଆମ ଓ୍ବେବସାଇଟରେ ଅଛି ଦେଖି ନିଅ ।
ତେବେ, ଟିକେ ଡେରି ଲାଗିଲେ ବି, ସବୁକଥା ସାମନାକୁ ଆସିବାରେ ଲାଗିଲା ।

ସରକାର କହୁଛନ୍ତି ଏଥର ସେମାନେ ଇନକମ୍ ଟ୍ୟାକ୍ସ ବାବଦରେ କମ୍ପାନୀମାନଙ୍କଠାରୁ ୭,୬୬,୦୦୦ କୋଟି ଟଙ୍କା ଆଦାୟ କରିବେ । ଗତ ବର୍ଷ ଏହି ସୂତ୍ରରୁ ୬,୬୩,୫୭୨ କୋଟି ଟଙ୍କା ପାଇଥିଲେ । ଅର୍ଥାତ ଏଥର ଗତବର୍ଷ ଅପେକ୍ଷା ୧୫.୪% ପାଇବେ ବୋଲି ସରକାର ଆଶା ରଖିଛନ୍ତି । ଭଲକଥା ।

କମ୍ପାନୀ ବ୍ୟତୀତ ସାଧାରଣ ଆୟକରଦାତାଙ୍କଠାରୁ ଗତ ବର୍ଷ ସରକାର ୪,୬୧,୬୫୪ କୋଟି ଟଙ୍କାର ଆୟକର ଆଦାୟ କରିଥିଲେ । ଏଥର ସେମାନେ ତା’ଠାରୁ ଅଧିକ ୨୩.୩% ବା ୫,୬୯,୦୦୦ କୋଟି ଟଙ୍କା ଆଦାୟ କରିବେ ବୋଲି ଭାବିଛନ୍ତି । ଭଲକଥା ।

ଗତଥର ସରକାର ଜିଏସଟି ରୁ ୪,୫୭,୫୩୫ କୋଟିଟଙ୍କା ପାଇଥିଲେ । ଏଥର କହୁଛନ୍ତି ଯେ ସେମାନେ ଏହି ସୂତ୍ରରୁ ୫,୨୬,୦୦୦ କୋଟି ଟଙ୍କା ବା ଗତବର୍ଷଠାରୁ ୧୫% ଅଧିକ ପାଇବେ । ଉତ୍ତମ ।

ସେହିପରି କଷ୍ଟମ୍ ଡ୍ୟୁଟି କଥା ବିଚାରକୁ ନିଆଯାଉ । ଗତବର୍ଷ ପାଇଥିଲେ ୧,୧୭,୯୩୦ କୋଟି ଟଙ୍କା ଓ ଏବର୍ଷ ସେଥିରୁ ୧,୫୫,୯୦୪ କୋଟି ଟଙ୍କା ବା ୩୨.୨% ଅଧିକ ପାଇବେ ବୋଲି ସରକାର ତାଙ୍କ ‘ବହିଖାତା’ରେ ଲେଖିଛନ୍ତି ।

ବାକି ରହିଲା, କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ କଥା । କଥା ତ ଆପଣଙ୍କ ପାଖରେ ପହଞ୍ଚି ସାରିବଣି । ଆପଣ ସକାଳେ ଆଜି ବାଇକରେ ପେଟ୍ରୋଲ୍ ପକେଇବାକୁ ଯାଇ ନାହାନ୍ତି କି ? ଯାଆନ୍ତୁ । ଜାଣିପାରିବେ । ସରକାର ପେଟ୍ରୋଲ ଓ ଡିଜେଲ ଉପରେ ୨% ଉତ୍ପାଦନ ଶୁଳ୍କ ଲଗେଇ ଦେଇଛନ୍ତି । ଗୋଟିଏ ନିଉ ଇଣ୍ଡିଆ ତିଆରି ହେଉଛି ନା । ସେଥିପାଇଁ ବହୁତ ଟଙ୍କା ଦରକାର ହେଉଛି । ଏଥର ଧର୍ମେନ୍ଦ୍ର ପ୍ରଧାନ ଓଡିଶା ଆସିଲେ ଭୁବନେଶ୍ବରରେ ତାଙ୍କ ପାଇଁ ସମ୍ବର୍ଦ୍ଧନା ଉତ୍ସବ ଅବଶ୍ୟ ଆୟୋଜନ ହେବା ଦରକାର । ତେବେ ସେ ଯାହା ହେଉ, ଏଥର ସରକାର ଭାବିଛନ୍ତି ଯେ ଗତବର୍ଷର ୨,୩୦,୯୯୮ କୋଟି ଟଙ୍କା ଜାଗାରେ ଏବର୍ଷ ସେମାନେ ଏ ବାବଦରେ ୩,୦୦,୦୦୦ କୋଟି ଟଙ୍କା ପାଇବେ । ଅର୍ଥାତ୍ ୨୯.୯% ଅଧିକ । (ଉଁହୁଁ, ଜମାରୁ ନୁହେଁ । ରାଜ୍ୟମାନଙ୍କୁ ସବୁ କେନ୍ଦ୍ରୀୟ ଟିକସରୁ ଯେଉଁ ୪୨% ଭାଗ ମିଳିବା କଥା, ଏଥର ବି ଏହି ଉତ୍ପାଦନ ଶୁଳ୍କକୁ ସେଥିରୁ ବାଦ୍ ଦିଆଯାଇଛି । ମିଳିବ ଠେଙ୍ଗା ।)

ଏହି ପାଞ୍ଚୋଟି ହେଲା କେନ୍ଦ୍ର ସରକାରଙ୍କର ମୁଖ୍ୟ ଆଦାୟ ସ୍ରୋତ । ଏହି ପାଞ୍ଚୋଟି ସ୍ରୋତରୁ ସବୁ ମିଶେଇ ସରକାର ଗତ ବର୍ଷଠାରୁ ଏ ବର୍ଷ ୨୩.୨ ଲକ୍ଷ କୋଟି ଟଙ୍କା ବା ୨୦% ଅଧିକ ପାଇବେ ବୋଲି ଆଶା ରଖିଛନ୍ତି ।

କିନ୍ତୁ ଏହା ସମ୍ଭବ ହେବ ତ ?

ସରକାର କହୁଛନ୍ତି ଯେ ଏବର୍ଷ ଅର୍ଥନୀତିର ଅଭିବୄଦ୍ଧି ଦର ୭% ହେବ । ଏଇ ଗଲା ମାର୍ଚ୍ଚ ମାସରେ ସରିଥିବା ବର୍ଷରେ ଏହା ୬.୮% ଥିଲା । ଆପଣ ଭାବୁଥିବେ ଏହା ହୁଏତ ଧିରେ ଧିରେ ବଢୁଛି । କିନ୍ତୁ ନା । ଗତ ବର୍ଷର ଶେଷ ତ୍ରୈମାସିକରେ ଏହା କମି କମି ୫.୮% ଥିଲା । ଅର୍ଥାତ୍, ଏହାର ପୁର୍ବ ତ୍ରୈମାସିକ ଗୁଡିକରେ ଏହା ୫.୮%ଠାରୁ ଅଧିକ ଥିବାରୁ ହାରାହାରି ହିସାବରେ ଏହା ବାର୍ଷିକ ୬.୮%ରେ ପହଞ୍ଚିଲା । ତେଣୁ ଅଭିବୄଦ୍ଧି ହାର ଧୀରେ ଧୀରେ କମୁଛି ।

ଆପଣ ବଜେଟକୁ ଦେଶି ବହିଖାତା କୁହନ୍ତୁ, ବଜେଟକୁ ଭାରତର ବଜେଟ ନ କହି ଆର୍ଯ୍ୟାବର୍ତ୍ତର ବଜେଟ କୁହନ୍ତୁ, ଅର୍ଥମନ୍ତ୍ରୀଙ୍କୁ ମା’  ଅନ୍ନପୂର୍ଣ୍ଣା କୁହନ୍ତୁ, ବଜେଟକୁ ନାଲି କପଡାରେ ଗୁଡେଇ ଆଣନ୍ତୁ କି ହଳଦିଆ କପଡାରେ ଗୁଡେଇ ଆଣନ୍ତୁ, କିନ୍ତୁ ଦେଶ ଏକ ଆର୍ଥିକ ମାନ୍ଦା ଅବସ୍ଥା ଦେଇ ଗତି କରୁଛି ବୋଲି କ୍ରୁର ସତ୍ୟ ଆପଣଙ୍କ ଆଖି ଆଗରେ ଠିଆ ହୋଇଛି , ଯାହାକୁ ଆପଣ ଅସ୍ବୀକାର କରିପାରିବେ ନାହିଁ ।

ଖାଲି ଅଭିବୄଦ୍ଧି ହାର କାହିଁକି ? ବର୍ତ୍ତମାନ କାର୍ ଓ ଦୁଇଚକିଆ ଯାନର ବିକ୍ରୀ ମଧ୍ୟ କମି ଯାଇଛି, ଯାହାକୁ କି ଆର୍ଥିକ ଅବସ୍ଥାର ଏକ ମହତ୍ତପୂର୍ଣ୍ଣ  ସୂଚକାଙ୍କ ରୂପେ ଗଣା ଯାଏ ।

ଏପରି ସ୍ଥଳେ ଆପଣ ଭାରତର ଅର୍ଥନୀତିକୁ ବାସନ୍ତୀ ଓ ସରକାରକୁ ବୀରୁ ବୋଲି ଭାବି ପାରନ୍ତି । ବୀରୁ ବର୍ତ୍ତମାନ ଆର୍ଥିକ ମନ୍ଦି ବା ଗବର ସିଂ ଦ୍ବାରା ବନ୍ଧା ହୋଇ ରହିଛି । ଏତିକିବେଳେ ବୀରୁ ଓ ବାସନ୍ତୀକୁ ବଞ୍ଚେଇବା ପାଇଁ ଜୟ ଆସିବ କି ?

ବଜେଟର ଗୋଟିଏ ଜାଗାରେ ଲୁଚି ହୋଇ ଗୋଟିଏ କଥା ରହିଛି । ସରକାର ଏବର୍ଷ ରିଜର୍ଭବ୍ୟାଙ୍କ୍, ରାଷ୍ଟ୍ରାୟତ ବ୍ୟାଙ୍କ ଓ ଅନ୍ୟାନ୍ୟ ଆର୍ଥିକ ସଂସ୍ଥାରୁ କେତେ ଲାଭାଂଶ ଓ ବଳକା ପାଣ୍ଠି ପାଇବେ ବୋଲି ଆଶା ରଖିଛନ୍ତି, ସେହିକଥା ସେଠାରେ ଲେଖାଯାଇଛି । ବୀରୁକୁ ଜଙ୍ଗଲରେ ବାଟ ଖୋଜି ଗବର୍ ସିଂର ଆଡ୍ଡାରେ ପହଞ୍ଚିବାକୁ ଯେତିକି କଷ୍ଟ କରିବାକୁ ପଡିଥିଲା, ବଜେଟର ଏହି ଅଂଶରେ ପହଞ୍ଚିବାକୁ ତା’ଠାରୁ ବେଶି କଷ୍ଟ କରିବାକୁ ପଡିବ ।

ସରକାର ଭାବୁଛନ୍ତି ଯେ ଏବର୍ଷ ଏସବୁ ସୁତ୍ରରୁ ୧,୦୬,୦୪୨ କୋଟି ଟଙ୍କା ଆଦାୟ କରିବେ । ମାତ୍ର ସରକାରୀ ବ୍ୟାଙ୍କଗୁଡିକର ଅବତ୍ସା ଯାହା ଏବର୍ଷ କେଉଁ ବ୍ୟାଙ୍କ ଲାଭାଂଶ ଘୋଷଣା କରିବା ଅବସ୍ଥାରେ ନାହାନ୍ତି । ତେଣୁ ଏଥିରୁ ଅଧିକାଂଶ ରିଜର୍ଭ ବ୍ୟାଙ୍କରୁ, ବିଶେଷ କରି ପୂର୍ବ ଦଶନ୍ଧି ଦଶନ୍ଧିର ଗଚ୍ଛିତ ଲାଭ ପାଣ୍ଠିରୁ ନେବେ ବୋଲି ସରକାର ଭାବିଛନ୍ତି । ରିଜର୍ଭ ବ୍ୟାଙ୍କ ପାଖରେ ସାଢେ ୪ ଲକ୍ଷ କୋଟିରୁ ୭ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଗଚ୍ଛିତ ଲାଭ ପାଣ୍ଠି ଅଛି ବୋଲି ଧରାଯାଏ । ପୁର୍ବର ପ୍ରତିଟି ସରକାରକୁ ପ୍ରତିବର୍ଷ ଲାଭାଂଶ ଦେଇ ସାରିବା ପରେ ରିଜର୍ଭ ବ୍ୟାଙ୍କ ନିଜ ପାଖରେ ଏହି ପାଣ୍ଠି ବା ରିଜର୍ଭ କ୍ୟାପିଟାଲ୍ ରଖିଛି । ମୋଦୀ ସରକାରଙ୍କର ଏହି ସୁଟକେଶ୍ ଉପରେ ନଜର ପଡିଛି ।

ସରକାରଙ୍କୁ ଏହି ଟଙ୍କା ଦିଆଯାଇ ପାରିବ କି ନାହିଁ ଓ, ଯଦି ଦିଆଯିବ, କେତେ ଦିଆଯିବ ସେ ବିଷୟରେ ବିଚାର କରିବା ପାଇଁ ଏକ କମିଟି ବସିଛି । ଏହି କମିଟିର ଅଧ୍ୟକ୍ଷ ଅଛନ୍ତି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ବିମଲ ଜଲାନ୍ । କମିଟିର ଅଧିକାଂଶ ସଭ୍ୟ ସରକାରଙ୍କୁ ଏହି ‘ଅତ୍ୟଧିକ ପୁଞ୍ଜି’ ଦେବା ସପକ୍ଷରେ ଅଛନ୍ତି ବୋଲି ଶୁଣାଯାଏ । କିନ୍ତୁ ସେମାନଙ୍କ କହିବା କଥା ହେଲା ଏହା ଏକାବେଳକେ ନ ହୋଇ ଥରକୁ ଥର ହେଉ । କିନ୍ତୁ ସରକାର ଚାହୁଁଛନ୍ତି ଏକାବେଳକେ ଓ ଏହି ବର୍ଷ ସେସବୁ ସରକାରଙ୍କୁ ମିଳୁ ।

ଭାରତର ଆର୍ଥିକ ଅବସ୍ଥା ଯେତେବେଳେ ଯାହା ଥାଉ ନା କାହିଁକି, କିନ୍ତୁ ସବୁ ସମୟରେ ଆନ୍ତର୍ଜାତିକ ଆର୍ଥିକ ମହଲରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ ସ୍ବତନ୍ତ୍ର ସମ୍ମାନ ଓ ଭରସାଯୋଗ୍ୟତା ରହିଛି । ଯେତେବେଳେ ବି ଦେଶ କୌଣସି ବୈଦେଶିକ ଆର୍ଥିକ ସଙ୍କଟକୁ ସାମନା କରିଛି, ସେତେବେଳେ ରିଜର୍ଭ ବ୍ୟାଙ୍କର ଏହି ଭରସାଯୋଗ୍ୟତା ତାକୁ ସାହାଯ୍ୟ କରିଛି । ବୈଦେଶିକ ସଂସ୍ଥାଗୁଡିକର ଭାରତୀୟ ରିଜର୍ଭ ବ୍ୟାଙ୍କର ଏହି ରିଜର୍ଭ ଉପରେ ଭରସା ଅଛି । ନିଜ କାର୍ଯ୍ୟକାଳର ଶେଷ ଦିନ ପୂର୍ବତନ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ରଘୁରାମ ରାଜନ ଏହି କଥା କହିଥିଲେ । ମୋଦିଙ୍କର ନିଜ ଲୋକ ବୋଲି କୁହା ଯାଉଥିବା ପରବର୍ତ୍ତୀ ଗଭର୍ଣ୍ଣର ଉର୍ଜିତ୍ ପଟେଲ ମଧ୍ୟ ଏହି ରିଜର୍ଭ ଟଙ୍କା ହସ୍ତାନ୍ତରକୁ ବିରୋଧ କରିଥିଲେ । ସେ କାର୍ଯ୍ୟକାଳ ଶେଷ ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଇଥିଲେ । ଗତ ସପ୍ତାହରେ ଇସ୍ତଫା ଦେଇଥିବା ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ ମଧ୍ୟ ଏହାକୁ ବିରୋଧ କରିଥିଲେ ।

ରିଜର୍ଭ ବ୍ୟାଙ୍କ ହୁଏତ ଏ ବର୍ଷ ପ୍ରତିବର୍ଷ ଅପେକ୍ଷା ଅଧିକ ଲାଭାଂଶ ଓ ସରକାର କହୁଥିବା ଅତ୍ୟଧିକ ଗଚ୍ଛିତ ପାଣ୍ଠି ଦେଇ ସରକାରକୁ ବଞ୍ଚେଇ ଦେବେ, କିନ୍ତୁ ପରବର୍ତ୍ତୀ ବର୍ଷ ଗୁଡିକରେ ? ସରକାରଙ୍କ ଖର୍ଚ୍ଚ ତ ପ୍ରତି ବର୍ଷ ବଢେ ।

ସରକାର ଚାହୁଁଛନ୍ତି ରିଜର୍ଭ ବ୍ୟାଙ୍କ୍ ଏବେ ଜୟ ହୋଇ ବାସନ୍ତୀ ଓ ବୀରୁକୁ ଉଦ୍ଧାର କରୁ । କିନ୍ତୁ ଶୋଲେରେ ଜୟର ଅନ୍ତିମ ଦଶା କ’ଣ ହୋଇଥିଲା ମନେ ଅଛି ତ ?

(ଦି ନିଉଜଲଣ୍ଡ୍ରିରେ ପ୍ରକାଶିତ ବିବେକ କାଉଲଙ୍କ ଲେଖାର ଅବଲମ୍ବନରେ )

Share. Facebook Twitter LinkedIn Email WhatsApp Copy Link

Related Posts

“ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣକୁ ସ୍ୱାଗତ କରୁଛି”: ପ୍ରିୟଙ୍କା ଚତୁର୍ବେଦୀଙ୍କ ବଡ଼ ବୟାନ

March 23, 2026

ତିନୋଟି ନୂତନ ଉପକ୍ରମର ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 23, 2026

‘ଯଦି ସତ ହୁଏ, ତେବେ ମୁଁ….’: ରାଘବ ଚଢାଙ୍କ ବିଜେପି ରେ ଯୋଗଦେବା ପ୍ରସଙ୍ଗରେ କହିଲେ AAP ସାଂସଦ

March 23, 2026

ଚୂଡ଼ାନ୍ତ ହେଲା ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ!: ଚିରାଗ ପାସୱାନଙ୍କ ବଡ଼ ଖୁଲାସା 

March 23, 2026
Latest News

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

“ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣକୁ ସ୍ୱାଗତ କରୁଛି”: ପ୍ରିୟଙ୍କା ଚତୁର୍ବେଦୀଙ୍କ ବଡ଼ ବୟାନ

March 23, 2026

ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

March 23, 2026

ତିନୋଟି ନୂତନ ଉପକ୍ରମର ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.