ଭୁବନେଶ୍ବର: ଆଜି ସକାଳେ ସମୀକ୍ଷା ଡଟ କମ ରେ ଯେଉଁ ରିପୋର୍ଟ ପ୍ରକାଶ ପାଇଥିଲା ତାହା ଏବେ ସତ ହେଲା। ଶେଷରେ ବିଜେଡିର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି ସାଂସଦ ଦେବାଶିଷ ସାମନ୍ତରାୟ। ସକାଳେ ପ୍ରକାଶ କରାଯାଇଥିଲା ଯେ, ସାଂସଦ ଦେବାଶିଷ ସାମନ୍ତରାୟ ବିଜେଡିରୁ ଇସ୍ତଫା ଦେବେ। ଏହାପରେ ସେ ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେବେ। ପରେ ସେ ବିଜେପିରେ ସାମିଲ ହୋଇ ରାଜ୍ୟସଭାକୁ ପୁଣି ନିର୍ବାଚିତ ହୋଇ ଯିବେ। ବର୍ତ୍ତମାନ ସେ ତାଙ୍କର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି।

ସେ ସେଥିରେ ଉଲ୍ଲେଖ କରିଛନ୍ତି ଯେ, ଆପଣ ମୋତେ ରାଜ୍ୟସଭାକୁ ମନୋନିତ କରିଥିବାରୁ ମୁଁ ଋଣି। ଏହାଦ୍ବାରା ମୁଁ ଅବିଭକ୍ତ କଟକ ଜିଲ୍ଲାର ଲୋକଙ୍କର ସେବା କରିପାରିଛି। ଜାତୀୟ ସ୍ତରରେ ଓଡିଶାର ଦାବୀକୁ ଉପସ୍ଥାପିତ କରିପାରିଛି। ହେଲେ କିଛି ମାସ ଧରି ମୋତେ ଦଳରୁ ଅଲଗା କରି ରଖାଯାଇଛି। ମୋର ଦଳର କିଛି ଆବଶ୍ୟକତା ନାହିଁ ବୋଲି ଅନୁଭବ ହେଉଛି। ସେଥିପାଇଁ ମୁଁ ବିଜେଡିର ପ୍ରାଥମିକ ସଭ୍ୟପଦରୁ ଇସ୍ତଫା ଦେଲି ବୋଲି ସେ ଲେଖିଛନ୍ତି।


