Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦାନ ମାଝି ନୂଆ ଓଡିଶାର ସଙ୍କେତ ନୁହେଁ, ତେଣୁ ଦାନ ମାଝିକୁ ନେଇ ଦୁଃଖ ର କାହାଣୀ ଲେଖିବାର ନାହିଁ
ବିଶେଷ ଖବର

ଦାନ ମାଝି ନୂଆ ଓଡିଶାର ସଙ୍କେତ ନୁହେଁ, ତେଣୁ ଦାନ ମାଝିକୁ ନେଇ ଦୁଃଖ ର କାହାଣୀ ଲେଖିବାର ନାହିଁ

December 13, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଦାନ ମାଝି କିଏ ଏ କଥା ଅଲ୍ପେ ବହୁତେ ସମସ୍ତେ ଜାଣନ୍ତି ।ଦୁଇ ବର୍ଷତଳେ  ଅଗଷ୍ଟ ୨୦ ତାରିଖର ଦାନ ମାଝି ଯାହା ଥିଲେ ଆଜି ସେ ସେୟା ହୋଇ ରହି ନାହାନ୍ତି । ଗୋଟେ ଖବର ଆଉ କିଛି କରୁ ବା ନକରୁ, ଜଣେ ବ୍ୟକ୍ତିର ଜୀବନକୁ ବଦଳାଇ ଦେଇ ପାରିଛି । ଦାନ ମାଝି ଆଜି ଗୋଟେ କିମ୍ବଦନ୍ତି, ଅନେକ କବିତା ଓ କାହାଣୀର ନାୟକ, ଅନେକ ଖବର ର କେନ୍ଦ୍ରବିନ୍ଦୁ, ଅନେକ ରାଜନୀତିର ଚାଳିକାଶକ୍ତି ଓ ହଠାତ ବଦଳି ଯାଉଥିବା ଗୋଟେ ଜୀବନର ରୂପକଳ୍ପ । ଦାନ ମାଝି ଯେଉଁ ରାତିରେ ନିଜ ମୃତ ସ୍ତ୍ରୀ କୁ କାନ୍ଧରେ ପକେଇ ଭବାନୀପାଟଣା ଡାକ୍ତରଖାନାରୁ ନିଜ ଗାଁ ଆଡକୁ ବାଟ ଚାଲିବା ଆରମ୍ଭ କରିଥିଲେ, ସେ ରାତି ତାଂକ ଜୀବନରେ ଗୋଟେ ବଡ ପରିବର୍ତ୍ତନ ର ସଂକେତ ଆଣିଥିଲା। ଦାନ ମାଝୀ ଆମକୁ ଯାହା ଜଣେଇବାକୁ ଚାହୁଁଥିଲେ, ତାକୁ ଆମେ ଜାଣିବାକୁ ଚାହୁଁ ନଥିଲୁ।ତେଣୁ ରାତାରାତି ଆମେ ଦାନ ମାଝିଂକୁ ନାୟକ କରିଦେଲୁ । ତାଂକୁ ଦୟା ଓ କ୍ଷମତାଖୋର ରାଜନୀତିର ମୋହରା କରିଦେଲୁ । ତାଂକର ଚେହେରା ଆମଲାଗି ଗୋଟେ ପୋଷ୍ଟର ପାଲଟିଗଲା । ଏବେ ସେ ପୋଷ୍ଟରରେ ସ୍ତ୍ରୀ ର ଶବକୁ ବୋହି ଯେ ବାଟ ଚାଲୁଛି, ସେ ଏଇ ଦାନ ମାଝୀ ନୁହନ୍ତି । ଆଜି ଦାନ ମାଝି ଖବରରେ ଅଛନ୍ତି ସିନା, ସେ ଉଠେଇଥିବା ସମସ୍ୟା ଓ ସଂକଟ ଆଉ ଖବର ହୋଇ ରହିନାହିଁ ।

ମୃତ୍ୟୁ, ଜୀବନ,ଜୀବିକା, ସ୍ବାସ୍ଥ୍ୟ ଓ ସାମାଜିକ ସମ୍ବେଦନା ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଂଗରେ ସାମାଜିକ ବିତର୍କ ଦାନ ମାଝୀ ପାଖରୁ ଆରମ୍ଭ ହେବା କଥା। ସେକଥା ହେଲା ନାହିଁ । ଦାନ ମାଝି ଆଉ ସବୁଠୁ ଗରୀବ ଓ  ବଂଚିତ ଲୋକଂକର ପ୍ରତୀକ ନୁହନ୍ତି, ସେ ଖବର ର ଶୀକାର ଓ ବଡ ଲୋକଂକ ଦୟା ର ଏକ ଚିତ୍ରପଟ। ମର୍ୟାଦାଜନକ ଭାବରେ ରାଷ୍ଟ୍ର ଆଜି ତାଂକୁ ଓ ତାଂକ ପରି କୋଟି କୋଟି ଲୋକଂକୁ ବଂଚିବାର ସୁଯୋଗ ଦେଇ ନାହିଁ, ବରଂ ରାଷ୍ଟ୍ର ର ବିଫଳତାକୁ ଲୁଚେଇବାକୁ ଓ କୋଟି କୋଟି ଲୋକଂକୁ  ଫାଂକିଦେବାକୁ ଦାନ ମାଝୀକୁ ଏକ ମୁଖା ଭାବରେ ବ୍ୟବହାର କରାଯାଇଛି । ରାଷ୍ଟ୍ର ବା ସରକାର ଗୋଟେ ସଂକେତ ଭାବରେ ଦାନ ମାଝିକୁ ବ୍ୟବହାର କରିବା ଅପେକ୍ଷା ତାଂକୁ ମୋଟର୍ ସାଇକେଲ୍ ଓ ଟଂକା ବିଡା ଦେଇ ସନ୍ତୁଷ୍ଟ କରିଛି।

ଏ ଦେଶରେ ସ୍ବାସ୍ଥ୍ୟ ଓ ଶିକ୍ଷା ର ଯେଉଁ ଭୟଂକର ସଂକଟ ରହିଛି, ଦାନ ମାଝି ତାର ଏକ ସଂକେତ ମାତ୍ର। ଏହା ସହିତ ସାମାଜିକ ସ୍ତରରେ ଦାନ ମାଝିଙ୍କ ପ୍ରତି ଆମ ସମ୍ବେଦନା ର ମୂଲ୍ୟହୀନତା ମଧ୍ୟ ପ୍ରମାଣିତ ହୋଇଥିଲା। ଶବକୁ କାନ୍ଧରେ ବୋହି ଚାଲୁଥିବା ଜଣେ ଏକଲା ଶବ ବାହକ ଆମ ସମାଜର ସହଯୋଗ ଯେ ପାଏ ନାହିଁ, ସେ କଥା ମଧ୍ୟ ସେ ଘଟଣାରେ ପ୍ରମାଣିତ ହୋଇଥିଲା। ଜାତି, ଧର୍ମ ଓ ପରମ୍ପରାର ଆଳରେ ଆମେଯେ ଯେ ମାନବିକତା ଭୁଲି ଯାଇପାରୁ, ସେକଥା କେବଳ ଏହି ପ୍ରସଙ୍ଗରେ ନୁହଁ, ବହୁ ପ୍ରସଙ୍ଗରେ ଏହା ପ୍ରମାଣିତ ହୋଇଛି।  ହେଲେ ସେ ପ୍ରସଂଗରେ ଆମେ କିଛି ଭାବିବାର ସୁଯୋଗ ପାଇଲେ କି ? ସମସ୍ୟା ଅପେକ୍ଷା ବ୍ୟକ୍ତିର ଦୁଃଖକୁ ବିଭିନ୍ନ ରଂଗ ଦେଇ ଆମ ଗଣମାଧ୍ୟମରେ ଖବର ପରିବେଷଣ କରାଗଲା । ସେ ଖବରରେ କରୁଣ ରସର କବିତା ରହିଲା, ଆକ୍ରୋଶ ଓ ଆସ୍ଫାଳନର ବିଦ୍ରୋହ ରହିଲା, ସରକାର ବିରୋଧରେ ଧିକ୍କାର ରହିଲା, ହେଲେ ଗୋଟେ ସମାଜ ଭାବରେ ଆମ ବିଫଳତା ର ତର୍ଜମା ସମ୍ଭବପର ହେଲା ନାହିଁ । ଭାଗ୍ୟ ଯୋଗରୁ ଦାନ ମାଝିଂକ ବ୍ୟକ୍ତିଗତ ଦୁଃଖ ଏକ ମହାସୁଖର ବାଟ ଖୋଲିଦେଲା । ଅଥଚ ଆମ ପୃଥିବୀରେ ଦାନ ମାଝି ମାନେ ଯେମିତି ଥିଲେ, ସେମିତି ରହିଗଲେ। ଆଜି ବି ସ୍ତ୍ରୀ ଅବା ପୁଅର ଲାସ୍ କୁ କାନ୍ଧରେ ବୋହି ବାଟ ଚାଲୁଥିବା ଲୋକଂକ ଖବର ଆସୁଛି । ସେମାନେ କେହି ଦାନ ମାଝି ପରି ଭାଗ୍ୟବାନ ନୁହନ୍ତି।

ଅସଲ କଥାଟି ହେଉଛି, ଆମ ସମୟରେ ଖବର ଆଉ କାହାଣୀ ଭିତରେ ବେଶୀ ଫରକ ରହୁନି। ଆମେ ସାମାଜିକ ସଂକଟ ଓ ସମସ୍ୟାର ପରିବେଷଣ କଲାବେଳେ ସେଥିରେ ରହିଥିବା ନାଟକ ପ୍ରତି ବେଶୀ ଆଗ୍ରହୀ। ଦାନ ମାଝିର ଦାରିଦ୍ର୍ୟ ଅବା ତାଂକ ସ୍ତ୍ରୀ ପ୍ରତି ହୋଇଥିବା ସରକାରୀ ଅବହେଳା ବିଷୟରେ ଆମେ ଗଭୀର ଚର୍ଚ୍ଚା କରିବାକୁ ସକ୍ଷମ ହେଲୁନାହିଁ। ଆମକୁ ଶବ ବୋହି ଚାଲୁଥିବା ଗୋଟେ ଗାଉଁଲି ଲୋକ ଓ ତା ପଛରେ କାନ୍ଦି କାନ୍ଦି ଆସୁଥିବା ସାନଝିଅଟିର କରୁଣ ଛବି ଗୋଟେ ପରିପୂର୍ଣ୍ଣ ନାଟକର ପରିବେଶ ସୃଷ୍ଟି କଲା ଓ ଆମେ ସେଇ ନାଟକରେ ମାତିଲୁ। ଦାନ ମାଝିଂକୁ ତାଂକର ଦୁଃଖ ଲାଗି ପୁରଷ୍କାର ମିଳିଲା। ସେ ମଟର ସାଇକଲ କିଣି ଆଉ ଗୋଟେ ସ୍ତ୍ରୀ ଲୋକକୁ ବାହା ହେଲେ ଓ ଏବେ ରାଜନୀତି ମୈଦାନରେ ସକ୍ରିୟ। ଆମ ଦୃଶ୍ୟ ଦେଖି ଶବ୍ଦରେ କାଂଦିଲୁ ଓ କଥାଟିକୁ ବଡ ସହଜରେ ଭୁଲିଗଲୁ ।

ଗୋଟିଏ ଦାନ ମାଝି ଲାଗି କୋଟିଏ ଦାନ ମାଝିର କାହାଣୀ ଆଜି ଅଣଦେଖା ହୋଇ ରହିଯାଉଛି  ।  

Share. Facebook Twitter LinkedIn Email WhatsApp Copy Link

Related Posts

ସିିଜିମାଳି ବିସ୍ଥାପିତଙ୍କୁ ନ୍ୟାୟ ଦାବୀରେ ଯୁବ କଂଗ୍ରେସ ତରଫରୁ ପଦଯାତ୍ରା 

May 23, 2026

ଏଥର ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ବସିଲା ଉଚ୍ଚ ସ୍ତରୀୟ ବୈଠକ

May 23, 2026

ଜାତୀୟ ଆୟୁର୍ବେଦ କଂଗ୍ରେସ ପ୍ରତିଷ୍ଠା ଦିବସ, ୨୪ ତାରିଖରେ ହେବ ପାଳନ

May 22, 2026

ଡିଜିଟାଲ୍ ସେନସେସନ୍ CJPର କାହାଣୀ

May 22, 2026
Latest News

ଶଳାକୁ ଭିଣେଇର ଛୁରା ମାଡ

May 23, 2026

ସାଂସ୍କୃତିକ ବିବିଧତାକୁ ଜଗତିକରଣ ପରିବେଶ ମଧ୍ୟରେ ପାଳନ କରିବା ଉଚିତ୍‌: ବିଶେଷଜ୍ଞ

May 23, 2026

ଭାରତର ଦ୍ୱିତୀୟ ହସ୍ପିଟାଲ୍ ଭାବେ ସମ ହସ୍ପିଟାଲ୍‌ରେ ଅତ୍ୟାଧୁନିକ ଡିଜିସ୍କାନର ସ୍ଥାପନ

May 23, 2026

ଇୟୁଜେନିକ୍ସ ହେୟାର ସାଇନ୍ସେସ ପକ୍ଷରୁ ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ହେୟାର୍ ରିଷ୍ଟୋରେସନ୍ କ୍ଲିନିକର ଶୁଭାରମ୍ଭ

May 23, 2026

ସିିଜିମାଳି ବିସ୍ଥାପିତଙ୍କୁ ନ୍ୟାୟ ଦାବୀରେ ଯୁବ କଂଗ୍ରେସ ତରଫରୁ ପଦଯାତ୍ରା 

May 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.