ବାଣପୁର: ଜିଲ୍ଲା ସ୍ତରୀୟ ଯୋଗାସନ ସ୍ପୋର୍ଟ ଚାମ୍ପିୟାନଶିପ ଅନୁଷ୍ଠିତ

Published: Jan 19, 2025, 9:56 pm IST

ବାଣପୁର: ଗୁରୁକୃପା ଯୋଗଶାଳା ଓ ସେଣ୍ଟ ଜ଼ାଭିୟର ହାଇସ୍କୁଲର ମିଳିତ ପ୍ରଚେଷ୍ଟାରେ ବାଣପୁର ସହିଦ କୃତିବାସ ଭବନ ପରିସରରରେ “ୟୋଗସନା ସ୍ପୋର୍ଟ ଫେଡରେଶନ ଅଫ ଭାରତ”ର ଜିଲ୍ଲା ସ୍ତରୀୟ ଯୋଗାସନ ସ୍ପୋର୍ଟ ଚାମ୍ପିୟାନଶିପ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମିଟୁ ନାୟକ ଯୋଗ ଦେଇ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ବୈରାଗୀ ଚରଣ ବଳ ଯୋଗ ଦେଇଥିଲେ।

ଆୟୋଜକଙ୍କ କହିବା ଅନୁସାରେ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କ ଭିତରେ ଯୋଗ ପ୍ରତି ଆଗ୍ରହ ସୃଷ୍ଟି କରିବା ମୁଖ୍ୟ ଉଦ୍ଦେଶ୍ୟ ନେଇ ଏଇ ଯୋଗ ସମ୍ବନ୍ଧିତ ପ୍ରତିଯୋଗିତାର ଆୟୋଜନ କରାଯାଇଛି। ତା’ସହ ଭାରତୀୟ ସଂସ୍କୃତିର ପ୍ରଚାର ଓ ପ୍ରସାର ତଥା ରୋଜଗାର କ୍ଷମ କରିବା ଏହି ଯୋଗ କାର୍ଯ୍ୟକ୍ରମରେ ଆଲୋକପାତ କରାଯାଇଥିଲା। ଯୋଗ ଶିକ୍ଷା କେବଳ ଆସନ, ପ୍ରାଣାୟମ ମଧ୍ୟରେ ସୀମିତ ନୁହେଁ,ଏଥିରେ ଉଚ୍ଚ ଶିକ୍ଷା ଲାଭ କରି ଜଣେ ନିଜକୁ ସୁସ୍ଥ ରଖିବା ସହିତ ପରିବାର ଓ ସମାଜର କଲ୍ୟାଣ କରିପାରିବା।

ଜିଲ୍ଲାର ବିଭିନ୍ନ ସ୍ଥାନରୁ ବିଭିନ୍ନ ବୟସ ବର୍ଗର ୮୦ ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଉକ୍ତ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀ ମନେ ଆଗାମୀ ଦିନରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ସେଣ୍ଟ ଜ଼ାଭିୟର ହାଇସ୍କୁଲ ର ଅଧ୍ୟକ୍ଷ ଶକ୍ତି ପ୍ରସାଦ ମହାନ୍ତି ଓ ବୈରାଗୀ ଚରଣ ବଳ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିବା ବେଳେ ପରିଶେଷରେ ଗୁରୁକୃପା ଯୋଗଶାଳାର ନିର୍ଦ୍ଦେଶକ ତଥା”ୟୋଗସନା ସ୍ପୋର୍ଟ ଫେଡରେଶନ ଅଫ ଭାରତ”ର ଓଡ଼ିଆ ପ୍ରଭାରୀ ପ୍ରସନ୍ନ କୁମାର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Related posts