ଇଣ୍ଡୋ-ଜାପାନ ଫ୍ରେଣ୍ଡସିପ୍ ସେଣ୍ଟର ପକ୍ଷରୁ ତାଳବଣିଆ ପଡିଆ ଠାରେ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ

Published: Feb 11, 2025, 1:48 pm IST

ପୁରୀ: ପୁରୀର ଇଣ୍ଡୋ-ଜାପାନ ଫ୍ରେଣ୍ଡସିପ୍ ସେଣ୍ଟର ପକ୍ଷରୁ ସ୍ଥାନୀୟ ତାଳବଣିଆ ପଡିଆ ଠାରେ ଓଡିଶା ଜାପାନ ସାଂସ୍କୃତିକ କଳାକାର ମାନଙ୍କ ମିଳିତ ଆନୁକୂଲ୍ୟରେ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଭାରତ ଓ ଜାପାନୀ କଳାକାରଙ୍କ ସାଂସ୍କୃତିକ ବିଚିତ୍ରା ଓ ବିବିଧତାର କଳା କୁ ଦେଖି ଉପସ୍ଥିତ ହଜାର ହଜାର ଦର୍ଶକ ମନ୍ତ୍ର ମୁଗ୍ଧ ହୋଇଉଠିଥିଲେ।

ଇଣ୍ଡୋ-ଜାପାନ ଫ୍ରେଣ୍ଡସିପ୍ ସେଣ୍ଟରର ସଭାପତି ଶ୍ରୀମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ମହୋତ୍ସବ ଥିଲା ବେଶ ଚିତ୍ତକର୍ଷକ। ଅତିରିକ୍ତ ଜିଲ୍ଲାପାଳ ନିଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଉପ ଜିଲ୍ଲାପାଳ ରାଜ କିଶୋର ଜେନା,ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଆଇ ଆଇ ସି ସୁନିଲ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଏହି ପର୍ବ ଭାରତ-ଜାପାନ ମଧ୍ୟରେ ସାଂସ୍କୃତିକ ଭାବ ବିନିମୟ ସହ ଦୁଇଦେଶ ମଧ୍ୟରେ ଭାଇଚାରା ପ୍ରତିଷ୍ଠା କରିବାରେ ସହାୟକ ହୋଇଥିବା ମତ ରଖିଥିଲେ।

ଶ୍ରୀଜଗନ୍ନାଥ ସଂସ୍କୃତିକୁ ଜାପାନ ରେ ଅଧିକ ପ୍ରଚାର ପ୍ରସାର ସହ ଦୁଇ ଦେଶର କଳାକାରଙ୍କ ମଧ୍ୟରେ ସାଂସ୍କୃତିକ ଭାବ ବିନିମୟ ଏହି ମହୋତ୍ସବର ମୂଳ ଲକ୍ଷ୍ୟ ରହିଅଛି।ଏହି ଅବସରରେ ଓଡ଼ିଶା-ଜାପାନ ପର୍ବର ସଫଳତା କାମନା କରିବା ସହ ସମସ୍ତ ସଦସ୍ୟ ଓ କଳାକାର ମାନଙ୍କୁ ଅତିଥି ମାନେ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ଜାପାନର ବିଶିଷ୍ଟ କଳାକାର ମାନଙ୍କ ସହ ଓଡ଼ିଆ କଳାକାର ମାନେ ମିଳିତ ଭାବେ ଭାରତୀୟ ନୃତ୍ୟ ଗୀତ ସହ ଜାପାନୀ ନୃତ୍ୟ ଓ ସଂଗୀତ ର ସାଂସ୍କୃତିକ ବିବିଧତା କୁ ଋଦ୍ଧିମନ୍ତ କରିଥିଲେ। ଉତ୍ସବରେ ବିଶେଷ ଆକର୍ଷଣ ସାଜିଥିଲା ଜାପାନ ତରଫରୁ ଆୟୋଜିତ ବିଭିନ୍ନ ଷ୍ଟଲରେ ଜାପାନ ର ସଂସ୍କୃତି ତଥା ନିତ୍ୟ ବ୍ୟବହାର ଶୈଳୀ ଯାହାକୁ ଅତିଥି ମାନେ ପରିଦର୍ଶନ କରିଥିଲେ।

ଜାପାନରୁ ଆସିଥିବା କଳାକାର ମାନେ ମଧ୍ୟ ପୁରୀରେ ସେମାନଙ୍କର ନୃତ୍ୟଗୀତ ପ୍ରଦର୍ଶନ କରି ବେଶ ଆନନ୍ଦ ପ୍ରକାଶ କରିଥିବା ବେଳେ ଏପରି ଉତ୍ସବ ଉଭୟ ଦେଶର କଳା ସଂସ୍କୃତି ସମେତ ପର୍ଯ୍ୟଟନର ବିକାଶରେ ମଧ୍ୟ ସହାୟକ ହୋଇପାରିବ।

Related posts