ବାଣପୁର ପୋଲିସକୁ ଆକ୍ରମଣ ଅଭିଯୋଗରେ ଯୁବକ ଗିରଫ

Published: Feb 13, 2025, 7:07 am IST

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୋଲିସକୁ ଆକ୍ରମଣ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି।

ଅଭିଯୋଗ ମୁତାବକ ଆଜି ମାଘ ପୂର୍ଣ୍ଣିମା ଉପଲକ୍ଷେ ବାଣପୁର ଥାନା ଅଧିନସ୍ଥ ଦୀକ୍ଷିତପଡା ଠାରେ ଥିବା ବିରଞ୍ଚି ନାରାୟଣ ସୂର୍ଯ୍ୟ ମନ୍ଦିରରେ ପୂଜା ପାଇଁ ହଜାର ହାଜର ଶ୍ରଦ୍ଧାଳୁଙ୍କର ଭିଡ଼ ଜମିଥିଲା। ଏହି ଉପଲକ୍ଷେ ବାଣପୁର ପୋଲିସ ତରଫରୁ ଟ୍ରାଫିକ ନିୟନ୍ତ୍ରଣ ଜାରି ରହିଥିଲା।  ଏଏସଆଇ ସଞ୍ଜୟ କୁମାର ପାତ୍ର ଏବଂ ଅନ୍ୟ ପୋଲିସ ମାନେ ଭିଡ଼ ଭିତରକୁ କୌଣସି ଗାଡି ମଟର ଛାଡୁ ନଥିବା ବେଳେ ସୁବ୍ରତ ରଣସିଂହ (୨୧) ନାମକ ଜଣେ ଯୁବକ ଏକ ସ୍କୁଟି ନେଇ ଜୋର ଜବରଦସ୍ତ ଭିଡ଼ ଭିତରକୁ ଯିବାକୁ ଚାହିଁଥିଲେ।

ତେବେ ଟ୍ରାଫିକ ପରିଚାଳନା ଦାଇତ୍ୱରେ ଥିବା ଏଏସଆଇ ଶ୍ରୀ ପାତ୍ର ସୁବ୍ରତଙ୍କୁ ଏ ନେଇ ବାରଣ କରିବାରୁ ପୋଲିସ କଥା ନ ମାନି ବିଭିନ୍ନ ଅଶ୍ରବ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ ଅଭିଯୁକ୍ତ ସୁବ୍ରତ ଏବଂ ସ୍କୁଟିକୁ ଜୋରଜବରଦସ୍ତି ଭିଡ଼ ଭିତରେ ନେବାକୁ ଉଦ୍ୟତ ହୋଇଥିଲେ। ତେବେ ଏଏସଆଇ ଶ୍ରୀ ପାତ୍ର ସ୍କୁଟିକୁ ଅଟକାଇବାରୁ ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ସୁବ୍ରତ ପୋଲିସ ଅଧିକାରୀଙ୍କୁ ଜୋରରେ ଧକ୍କା ମାରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ। ଉପସ୍ଥିତ ଅନ୍ୟ ପୋଲିସ ସାଥିମାନେ ସୁବ୍ରତଙ୍କ କବଳରୁ ଏଏସଆଇ ଶ୍ରୀ ପାତ୍ରଙ୍କୁ ମୁକୁଳାଇଥିବା ବେଳେ ସୁବ୍ରତଙ୍କୁ କାବୁ କରିଥିଲେ।

ଉକ୍ତ ଘଟଣାକୁ ନେଇ ଏଏସଆଇ ଶ୍ରୀ ପାତ୍ର ବାଣପୁର ଥାନାରେ ଏତଲା ଦେବା ପରେ ଥାନାଧିକାରୀ ରମେଶ କୁମାର ଦେବତା ଏହାକୁ ଗମ୍ଭୀରତାର ସହ ନେଇ କେସ ନମ୍ବର ୩୮/୨୦୨୫ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛନ୍ତି। ଜାମିନ ନାମଂଜୁର ହେବାରୁ ଅଭିଯୁକ୍ତ ଜେଲ ଯାଇଥିବା ଜଣାପଡିଛି।

Related posts