ୱାଶିଂଟନ୍: ଆସନ୍ତା ନଭେମ୍ବର ମାସ ପ୍ରାରମ୍ଭରେ ସଂଯୁକ୍ତ ଆରବ ଏମିରେଟ୍ସର ରାଜଧାନୀ ଆବୁଧାବି ଠାରେ ବିଶ୍ୱର ତିନି ପ୍ରମୁଖ ଶକ୍ତିଙ୍କୁ ନେଇ ଏକ ବଡ଼ଧରଣର ଶାନ୍ତି ଆଲୋଚନା ଅନୁଷ୍ଠିତ ହେବାକୁ ଯାଉଛି। ରୁଷ୍, ୟୁକ୍ରେନ ଏବଂ ଆମେରିକା ମଧ୍ୟରେ ହେବାକୁ ଥିବା ଏହି ତ୍ରିପାକ୍ଷିକ ବୈଠକରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ଏକାଠି ହେବେ। ପଞ୍ଚମ ବର୍ଷରେ ପହଞ୍ଚିଥିବା ଏହି ବିଧ୍ୱଂସୀ ଯୁଦ୍ଧକୁ ସାମାପ୍ତ କରିବା ଦିଗରେ ଏହି କୂଟନୈତିକ ପଦକ୍ଷେପକୁ ଏଯାବତ୍ ସବୁଠାରୁ ବଡ଼ ସଫଳତା ଭାବେ ବିବେଚନା କରାଯାଉଛି।
ବର୍ତ୍ତମାନର ସୂଚନା ମୁତାବକ, ଗତ କିଛି ମାସ ଧରି ସ୍ଥଗିତ ରହିଥିବା ଆଲୋଚନାକୁ ପୁନର୍ବାର ଜୀବନ୍ତ କରିବା ପାଇଁ ଆମେରିକାର ସ୍ୱତନ୍ତ୍ର ଦୂତଙ୍କ ନେତୃତ୍ୱରେ ଏକ ତ୍ୱରିତ କୂଟନୈତିକ ପ୍ରୟାସ କରାଯାଇଥିଲା। ଆମେରିକୀୟ ଦୂତ ନରମ ଓ କଠୋର ଉଭୟ ନୀତି ଆପଣାଇ ପ୍ରଥମେ ଓସଲୋରେ ୟୁକ୍ରେନ ରାଷ୍ଟ୍ରପତି ଏବଂ ୟୁରୋପୀୟ ନେତାମାନଙ୍କୁ ଭେଟିଥିଲେ ଏବଂ ପରେ ସେଣ୍ଟ ପିଟର୍ସବର୍ଗ ଗସ୍ତ କରି ରୁଷ୍ ରାଷ୍ଟ୍ରପତିଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ଏହି ଲଗାତାର ମଧ୍ୟସ୍ଥତା ପରେ ଶେଷରେ ଉଭୟ ମସ୍କୋ ଏବଂ କିଭ୍ ୱାଶିଂଟନର ମଧ୍ୟସ୍ଥତାରେ ଆଲୋଚନାରେ ବସିବା ପାଇଁ ସ୍ୱାଗତଯୋଗ୍ୟ ସହମତି ପ୍ରକାଶ କରିଛନ୍ତି।
କ୍ରେମଲିନର ସ୍ପଷ୍ଟୋକ୍ତି ଅନୁଯାୟୀ, ରୁଷ୍ ସର୍ବଦା ଯୁଦ୍ଧ ସମାପ୍ତି ଉପରେ ଗୁରୁତ୍ୱ ଦେଇଆସିଛି ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ହେଉଥିବା ପ୍ରତ୍ୟକଟି ପ୍ରୟାସକୁ ସ୍ୱାଗତ କରୁଛି। ନିଜର ଦେଶକୁ ଦେଇଥିବା ଏକ ସାକ୍ଷାତକାରରେ ରୁଷ୍ ରାଷ୍ଟ୍ରପତି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଆଗାମୀ ବୈଠକରେ କୌଣସି ଅସ୍ଥାୟୀ ବା ଅଳ୍ପକାଳୀନ ଯୁଦ୍ଧବିରାମ ଅପେକ୍ଷା ଏକ ବ୍ୟାପକ ଶାନ୍ତି ଚୁକ୍ତି ଏବଂ ଦୀର୍ଘକାଳୀନ ସୁରକ୍ଷା ବ୍ୟବସ୍ଥା ଉପରେ ସର୍ବାଧିକ ପ୍ରାଥମିକତା ଦିଆଯିବ। ମସ୍କୋ ପକ୍ଷରୁ ନଭେମ୍ବର ୧୦ ଆଖପାଖରେ ଏହି ବୈଠକ କରିବାକୁ ପ୍ରସ୍ତାବ ଦିଆଯାଇଥିବା ବେଳେ, ୟୁକ୍ରେନ୍ ରାଷ୍ଟ୍ରପତି ଯଥାଶୀଘ୍ର ସମସ୍ତ ପକ୍ଷ ଏକତ୍ରିତ ହୋଇ ସମାଧାନର ସୂତ୍ର ବାହାର କରିବାକୁ ଅନୁରୋଧ କରିଛନ୍ତି। ତେଣୁ ଆଗାମୀ ଦିନରେ ଏହି ବୈଠକ ବିଶ୍ୱ ରାଜନୀତି ଏବଂ ଶାନ୍ତି ପ୍ରତିଷ୍ଠା ଦିଗରେ ଏକ ନୂତନ ମୋଡ଼ ଆଣିବ ବୋଲି ଆଶା କରାଯାଉଛି।


