ନୂଆଦିଲ୍ଲୀ: ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ଗୁରୁପତୱନ୍ତ ସିଂହ ପନ୍ନୁନ୍ଙ୍କ ଦ୍ୱାରା ଦାୟର ଏକ ଦେୱାନୀ ମାମଲାରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସ୍ଏ) ଅଜିତ୍ ଡୋଭାଲ୍ ଏବଂ ପୂର୍ବତନ ‘ର’ ମୁଖ୍ୟ ସାମନ୍ତ ଗୋୟଲଙ୍କୁ ସମନ ପଠାଇବା ପାଇଁ ଆମେରିକାର ଏକ ଜିଲ୍ଲା ଅଦାଲତ ଦିଲ୍ଲୀର ତିନୋଟି ଜିଲ୍ଲା କୋର୍ଟଙ୍କ ସହାୟତା ଲୋଡ଼ିଛନ୍ତି। ନ୍ୟୁୟର୍କର ସାଉଦର୍ଣ୍ଣ ଡିଷ୍ଟ୍ରିକ୍ଟ କୋର୍ଟର ବିଚାରପତି କ୍ୟାଥରିନ୍ ପୋଲ୍କ ଫେଲା ଗତ ନଭେମ୍ବର ୧୩ ତାରିଖରେ ଏନେଇ ଏକ ଆଦେଶ ଜାରି କରିଛନ୍ତି। ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ, ଦ୍ୱାରକା କୋର୍ଟ ଏବଂ ତିସ୍ ହଜାରୀ କୋର୍ଟକୁ ଡୋଭାଲ ଓ ଗୋୟଲଙ୍କ ନିକଟରେ ସମନ ଏବଂ ଅନ୍ୟାନ୍ୟ ନ୍ୟାୟିକ ଦସ୍ତାବିଜ ପହଞ୍ଚାଇବାରେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। ଏଥିପାଇଁ ଅନ୍ତର୍ଜାତୀୟ ଡାକ କିମ୍ବା କୋରିଅର ଜରିଆରେ ଏହି ଦସ୍ତାବିଜଗୁଡ଼ିକୁ ଦିଲ୍ଲୀ ଅଦାଲତକୁ ପଠାଇବାକୁ କୋର୍ଟ କ୍ଲର୍କଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ନିଷିଦ୍ଧ ସଂଗଠନ ‘ଶିଖ୍ସ ଫର୍ ଜଷ୍ଟିସ୍’ର ମୁଖ୍ୟ ଗୁରୁପତୱନ୍ତ ସିଂହ ପନ୍ନୁନ୍ ୨୦୨୪ ମସିହାରେ ଆମେରିକୀୟ କୋର୍ଟରେ ଏହି ମାମଲା ଦାୟର କରିଥିଲେ। ଖଲିସ୍ତାନ ଆନ୍ଦୋଳନରେ ତାଙ୍କର ଭୂମିକାକୁ ନେଇ ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରାଯାଇଥିବା ଅଭିଯୋଗ କରି ସେ ଏହି ମାମଲାରେ ଭାରତ ସରକାର, ଅଜିତ ଡୋଭାଲ, ସାମନ୍ତ ଗୋୟଲ, ବିକ୍ରମ ଯାଦବ ଏବଂ ନିଖିଲ ଗୁପ୍ତାଙ୍କୁ ପକ୍ଷଭୁକ୍ତ କରିଛନ୍ତି। ପୂର୍ବରୁ ଡୋଭାଲଙ୍କ ଆମେରିକା ଗସ୍ତ ସମୟରେ ପନ୍ନୁନ୍ ତାଙ୍କୁ ସିଧାସଳଖ ସମନ ଦେବାକୁ ତିନିଥର ଉଦ୍ୟମ କରି ସୁରକ୍ଷା କର୍ମୀଙ୍କ ଯୋଗୁଁ ବିଫଳ ହୋଇଥିଲେ। ଏପରିକି ଭାରତର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ମାଧ୍ୟମରେ ସମନ ପଠାଇବା ପ୍ରୟାସ ମଧ୍ୟ ସଫଳ ହୋଇନଥିଲା। ଏହାପରେ ‘ହେଗ୍ କନଭେନସନ୍’ ଅଧୀନରେ ବିକଳ୍ପ ବ୍ୟବସ୍ଥା ସ୍ୱରୂପ ଦିଲ୍ଲୀ ଅଦାଲତ ଜରିଆରେ ସମନ ପଠାଇବାକୁ ଆମେରିକୀୟ କୋର୍ଟ ପଦକ୍ଷେପ ନେଇଛନ୍ତି। ଅନ୍ୟପକ୍ଷେ, ସୂତ୍ର ମୁତାବକ ଏହି ସମନ ଭାରତ ପାଇଁ ବାଧ୍ୟତାମୂଳକ ନୁହେଁ।


