ଚିଲିକା ବ୍ଲକରେ ସରିଲା ପ୍ରଥମ ଦିନର ମାଟ୍ରିକ ପରୀକ୍ଷା: ୯ ପରୀକ୍ଷାର୍ଥୀ ଅନୁପସ୍ଥିତ, ଜାଣନ୍ତୁ ମୋଟ ବିଦ୍ୟାର୍ଥୀ କେତେ?

Published: Feb 21, 2025, 7:37 pm IST

ବାଲୁଗାଁ: ଆଜି ଠାରୁ ସାରା ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଯାଇଛି। ଫେବୃଆରୀ ୨୧ ତାରିଖରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ୧୪୨୪ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ପ୍ରଥମ ଦିନରେ ୯ ଜଣ ଅନୁପସ୍ଥିତ ଥିବା ବିଇଓ କିଶୋର ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି।

ଖବର ମୁତାବକ ଚିଲିକା ବ୍ଲକ ଅନ୍ତର୍ଗତ ସରକାରୀ ବାଲୁଗାଁ ଉଚ୍ଚ ବିଦ୍ୟାଳୟ-ବାଲୁଗାଁ, ଭାଲେରି ଉଚ୍ଚ ବିଦ୍ୟାଳୟ-ଚାଷଙ୍ଗରା, ଚିଲିକା ସରକାରୀ ଉଚ୍ଚ ବିଦ୍ୟାଳୟ-ବଡ଼କୁଳ, ଯୁଗଳ ଚରଣ ବାଳିକା ବିଦ୍ୟାପୀଠ-ବାଲୁଗାଁ, ପଞ୍ଚୁପଲ୍ଲୀ ଉଚ୍ଚ ବିଦ୍ୟାଳୟ-ଆଁକୁଲା, ଲକ୍ଷ୍ମୀଧର ଉଚ୍ଚ ବିଦ୍ୟାଳୟ-ହରିପୁର, ଚିଲିକା ଉଚ୍ଚ ବିଦ୍ୟାଳୟ-ହାଟବରଡି, ଭଗବତୀ ଉଚ୍ଚ ବିଦ୍ୟାଳୟ-ସୋରଣ, ଦାଶରଥି ଉଚ୍ଚ ବିଦ୍ୟାଳୟ-କାଲୁପଡା ଆଦି ୯ ଟି ପରୀକ୍ଷା କେନ୍ଦ୍ର ରହିଥିବା ବେଳେ ସରକାରୀ ବାଲୁଗାଁ ଉଚ୍ଚ ବିଦ୍ୟାଳୟକୁ ନୋଡାଲ କେନ୍ଦ୍ର କରାଯାଇଛି।

ପ୍ରଶ୍ନପତ୍ର ଲିକ ଠାରୁ ଆରମ୍ଭ କରି କପି ରୋକିବା ଦିଗରେ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ହୋଇଥିବା ପରୀକ୍ଷା ଅଧିକ୍ଷକ ସ୍ଵାଧିନା ମଞ୍ଜରୀ ବେହେରା କହିଛନ୍ତି। ପ୍ରଥମ ଦିନରେ ଛାତ୍ରଛାତ୍ରୀ ମାନେ ଶୃଙ୍ଖଳିତ ଭାବେ ଧାଡିରେ ପରୀକ୍ଷା ହଲକୁ ପ୍ରବେଶ କରିଥିବା ବେଳେ ମାତୃଭାଷା ଓଡ଼ିଆ ପରୀକ୍ଷା ସାରି ପରୀକ୍ଷାର୍ଥୀମାନେ ଖୁସିରେ ଫେରୁଥିବା ଦେଖିବାକୁ ମିଳିଛି।

Related posts