
ପ୍ରୟାଗରାଜ: ପ୍ରୟାଗରାଜକୁ ଦିନିକିଆ ଗସ୍ତ ସମୟରେ, କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଇଲେକ୍ଟ୍ରୋନିକ୍ସ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବ୍ୟକ୍ତିଗତ ଭାବେ ରେଳ ଅଧିକାରୀ ଏବଂ କର୍ମଚାରୀଙ୍କୁ ଭେଟି ମହାକୁମ୍ଭ ୨୦୨୫ରେ ସେମାନଙ୍କର ଯୋଗଦାନକୁ ଉଚ୍ଚପ୍ରଶଂସା କରିଛନ୍ତି। ଜାନୁଆରୀ ୧୩ରୁ ଫେବୃଆରୀ ୨୬ ମଧ୍ୟରେ ଅନୁଷ୍ଠିତ ମହାକୁମ୍ଭ ସମୟରେ ଦେଶର ସମସ୍ତ ଭାଗରୁ କୋଟି କୋଟି ଭକ୍ତଙ୍କ ସୁଗମ ଯାତ୍ରା ସୁନିଶ୍ଚିତ କରିଥିବା ରେଳ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କର ଅବଦାନକୁ ରେଳ ମନ୍ତ୍ରୀ ପ୍ରଶଂସା କରିଥିଲେ।
ଏହି ଗସ୍ତ ସମୟରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରୟାଗରାଜ ଜଙ୍କସନ ରେଳ ଷ୍ଟେସନ (ଏନସିଆର), ପ୍ରୟାଗ ଜଙ୍କସନ ରେଳ ଷ୍ଟେସନ (ଏନଆର), ପ୍ରୟାଗରାଜ ରାମବାଗ ରେଳ ଷ୍ଟେସନ (ଏନଇଆର) ଏବଂ ସୁବେଦାରଗଞ୍ଜ ରେଳ ଷ୍ଟେସନ ପରିଦର୍ଶନ କରିଥିଲେ। ମହାକୁମ୍ଭ ସମୟରେ ସେବା ପ୍ରଦାନ କରିଥିବା ଅଧିକାରୀ ଓ କର୍ମଚାରୀଙ୍କୁ ସେ ଭେଟିଥିଲେ ଏବଂ ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।
ରେଳ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ରେଳ ପ୍ରଶାସନ, ବେସାମରିକ ପ୍ରତିରକ୍ଷା, ସରକାରୀ ରେଳ ପୁଲିସ (ଜିଆରପି), ରେଳବାଇ ସୁରକ୍ଷା ବାହିନୀ (ଆରପିଏଫ), ଯାନ୍ତ୍ରିକ, ବୈଦ୍ୟୁତିକ ଏବଂ ଇଞ୍ଜିନିୟରିଂ ବିଭାଗର ସମନ୍ୱିତ ପ୍ରୟାସକୁ ପ୍ରଶଂସା କରିଥିଲେ।
ସେ କହିଥିଲେ ଯେ, ଭାରତୀୟ ରେଳବାଇ ପ୍ରଥମେ ଏହି କାର୍ଯ୍ୟକ୍ରମ ପାଇଁ ୧୩,୦୦୦ ଟ୍ରେନ୍ ଚଳାଇବାକୁ ଯୋଜନା କରିଥିଲା, କିନ୍ତୁ ଶେଷରେ, ଭକ୍ତମାନଙ୍କ ଯାତ୍ରାକୁ ସୁଗମ କରିବା ପାଇଁ ୧୬,୦୦୦ ରୁ ଅଧିକ ଟ୍ରେନ୍ ପରିଚାଳିତ ହୋଇଥିଲା। ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଭାରତୀୟ ରେଳବାଇ ମହାକୁମ୍ଭ ସମୟରେ ପ୍ରାୟ ୪.୫ ରୁ ୬ କୋଟି ଭକ୍ତଙ୍କୁ ପ୍ରୟାଗରାଜକୁ ଏବଂ ସେଠାରୁ ସଫଳତାର ସହ ପରିବହନ କରିଛି।
କେନ୍ଦ୍ର ମନ୍ତ୍ରୀ ଆଲୋକପାତ କରିଥିଲେ ଯେ ୨୧ରୁ ଅଧିକ ଫ୍ଲାଇଓଭର, ଅଣ୍ଡରପାସ ଏବଂ ସେତୁ ନିର୍ମାଣ ପାଇଁ ୫ହଜାର କୋଟି ଟଙ୍କା ନିବେଶ ସହିତ ମହାକୁମ୍ଭ ପାଇଁ ପ୍ରସ୍ତୁତି ଅଢ଼େଇ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା।
ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପ୍ରୟାଗରାଜରେ ମହାକୁମ୍ଭ ଆୟୋଜନ ବିଶ୍ୱ ସମ୍ମୁଖରେ ଭାରତର ଏକତା ଏବଂ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରିଛି। ସେ ଆହୁରି ମଧ୍ୟ କହିଥିଲେ, ମହାକୁମ୍ଭ ହେଉଛି ଦେଶର ବିଶ୍ୱାସ ଏବଂ ଏକତାର ପ୍ରତୀକ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ସମସ୍ତ ବିଭାଗର ମିଳିତ ପ୍ରୟାସକୁ ମଧ୍ୟ କେନ୍ଦ୍ର ମନ୍ତ୍ରୀ ପ୍ରଶଂସା କରିଥିଲେ।