
ନୂଆଦିଲ୍ଲୀ: ମହାରାଷ୍ଟ୍ରର ଔରଙ୍ଗଜେବ ପ୍ରସଙ୍ଗରେ ସମାଜବାଦୀ ପାର୍ଟି ବିଧାୟକ ଆବୁ ଆଜମୀ ଦେଇଥିବା ବିବୃତ୍ତି ଉପରେ ଉତ୍ତରପ୍ରଦେଶରେ ମଧ୍ୟ ରାଜନୀତି ଗରମ ହୋଇଛି। ୟୁପି ବିଧାନସଭାର ବଜେଟ୍ ଅଧିବେଶନର ଶେଷ ଦିନରେ ବିଧାନ ପରିଷଦରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ପ୍ରସଙ୍ଗରେ ମନ୍ତବ୍ୟ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମାଜବାଦି ପାର୍ଟି ଔରଙ୍ଗଜେବଙ୍କୁ ଏକ ଆଦର୍ଶ ବୋଲି ବିଚାର କରୁଛି। ଔରଙ୍ଗଜେବଙ୍କ ପିତା ଶାହାଜାହାନ ତାଙ୍କ ଜୀବନୀରେ ଲେଖିଛନ୍ତି ଯେ, ଏଭଳି କୁଳାଙ୍ଗାରକୁ ଆଲ୍ଲାହ କେବେ ଜନ୍ମ ଦିଅନ୍ତୁ ନାହିଁ। ସେ ତାଙ୍କ ପିତାଙ୍କୁ ଆଗ୍ରା ଦୁର୍ଗରେ ବନ୍ଦୀ କରି ରଖିଥିଲେ। ଆବୁ ଆଜମୀଙ୍କୁ ପାର୍ଟିରୁ ବାହାର କରିଦିଅନ୍ତୁ। ତାଙ୍କୁ ଥରେ ୟୁପି ପଠାନ୍ତୁ, ଆମେ ତାଙ୍କ ଉଚିତ ସେବା କରିବୁ। ତାଙ୍କର ଭାରତରେ ରହିବାର ଅଧିକାର ରହିବା ଉଚିତ କି? ସମାଜବାଦୀ ପାର୍ଟି ଏହାର ଉତ୍ତର ଦେବା ଉଚିତ, କାହିଁକି ଅବୁ ଆଜମୀଙ୍କୁ ଦଳରୁ ବହିଷ୍କାର କରାଯାଉ ନାହିଁ?
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୁଁ ସମାଜବାଦୀ ପାର୍ଟିର ବନ୍ଧୁମାନଙ୍କୁ କହିବାକୁ ଚାହେଁ ଯେ ଆପଣ ଭାରତର ଐତିହ୍ୟ ପାଇଁ ଗର୍ବ ଅନୁଭବ କରୁନାହାଁନ୍ତି, ଆପଣ ଅନ୍ତତଃ ପକ୍ଷେ ରାମ ମନୋହର ଲୋହିଆଙ୍କ କଥା ଗ୍ରହଣ କରନ୍ତୁ। ସେ କହିଥିଲେ ଯେ, ଭାରତର ଏକତାର ତିନୋଟି ଆଧାର ଅଛି – ଭଗବାନ ରାମ, ଭଗବାନ ଶିବ ଏବଂ ଭଗବାନ କୃଷ୍ଣ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଡକ୍ଟର ରାମ ମନୋହର ଲୋହିଆ ଜଣେ ଶକ୍ତିଶାଳୀ ସମାଜବାଦୀ ଥିଲେ। ଆଜି ସମାଜବାଦୀ ପାର୍ଟି ଲୋହିଆ ଜିଙ୍କ ବିଚାରଧାରାଠାରୁ କେତେ ଦୂରକୁ ଚାଲି ଯାଇଛି? ଆଜି ଭାରତର ଐତିହ୍ୟକୁ ପରିହାସ କରିବା ସମାଜବାଦୀ ଦଳର ଲକ୍ଷ୍ୟ ପାଲଟିଛି।