
ଭୁବନେଶ୍ବର: ବିଜେଡିର ଚାଣକ୍ୟ ବୋଲି କୁହାଯାଉଥିବା ଭି କେ ପାଣ୍ଡିଆନଙ୍କୁ ନେଇ ଚର୍ଚ୍ଚା ପୁଣି ଆରମ୍ଭ ହୋଇଯାଇଛି। ତାହା ହେଲା ଯେ, ସେ କୁଆଡେ ଓଡିଶା ଛାଡିବେ। ଅର୍ଥାତ ଆଉ ନବୀନ ନିବାସରେ ଡେରା ପକାଇବେ ନାହିଁ। ଆଉ ସେ ବିଜେଡି କଥା ବୁଝିବେ ନାହିଁ। ଆଉ ଓଡିଶା ଛାଡିବାର କାରଣ ହେଲା ସେ କୁଆଡେ ଏକ ଆନ୍ତର୍ଜାତୀୟ ସଂସ୍ଥାରେ ଚାକିରୀ କରିବା ପାଇଁ ଅଫର ପାଇଛନ୍ତି।
ସୂଚନା ଅନୁସାରେ ତାଙ୍କୁ ଲଣ୍ଡନର ଏକ କଂପାନୀ ଅଫର ଦେଇଛି ବୋଲି କୁହାଯାଉଛି। କେତେକ ବିଲ ଗେଟସ ସଂସ୍ଥାରୁ ଅଫର ମିଳିଛି ବୋଲି ସେ କେତେକ ନେତାଙ୍କ ସହିତ ଆଲୋଚନା କରିଛନ୍ତି। ତେବେ ସେହି ସଂସ୍ଥାର ଦିଲ୍ଲୀରେ ମଧ୍ୟ ଏକ ଶାଖା ରହିଛି। ତେବେ ସେ ଲଣ୍ଡନ ଯିବେ କି ଦିଲ୍ଲୀରେ ରହିବେ କିଛି ଚିନ୍ତା କରିପାରି ନାହିଁନ୍ତି ବୋଲି ଜଣାପଡିଛି। ସେ ଯାହା ହେଲେ ମଧ୍ୟ ପାଣ୍ଡିଆନ ଏକ ଅନ୍ତର୍ଜାତୀୟ ସଂସ୍ଥାରେ ଚାକିରୀ କରିବା ନିଶ୍ଚିତ ବୋଲି ତାଙ୍କ ସମର୍ଥକମାନେ କହିବାରେ ଲାଗିଛନ୍ତି।
ଏହି ଖବରକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି। କାରଣ ହେଲା ଯେ,ସେ ଥିଲେ ବିଜେଡିର ହର୍ତ୍ତାକର୍ତ୍ତା। ତାଙ୍କ ନିର୍ଦ୍ଦେଶ ବିନା ବିଜେଡିରେ କିଛି ହେଉ ନ ଥିଲା। ତାଙ୍କ ନେତୃତ୍ବରେ ଏଥର ବିଜେଡି ନିର୍ବାଚନ ଯୁଦ୍ଧରେ ଅବତୀର୍ଣ୍ଣ ହୋଇଥିଲା। ହେଲେ ଦଳର ବଡ ବିପର୍ଯ୍ୟୟ ଘଟିଲା। ଆଉ ସମସ୍ତେ ସେହି ପାଣ୍ଡିଆନଙ୍କୁ ଦୋଷ ଦେବାରେ ଲାଗିଲେ। ତାଙ୍କ ଯୋଗୁ ଦଳ ହାରିଲା ବୋଲି ସମସ୍ତ କହିଲେ। ଯାହାକୁ ନେଇ ନିଜେ ପାଣ୍ଡିଆନ ଅଡୁଆରେ ପଡିଲେ।
ସେତେକି ନୁହେଁ ଦଳ ଭିତରୁ ମଧ୍ୟ ତାଙ୍କୁ ତୀବ୍ର ବିରୋଧ ଆରମ୍ଭ ହୋଇଗଲା। ନିର୍ବାଚନ ପରେ ସେ ରାଜନୀତିରୁ ସନ୍ୟାସ ନେଇଛନ୍ତି ବୋଲି ଘୋଷଣା କରିଥିଲେ। ହେଲେ ସେ ନବୀନ ନିବାସରେ ରହି ବିଜେଡିକୁ ପରିଚାଳନା କରୁଛନ୍ତି ବୋଲି ଚର୍ଚ୍ଚା ହେଲା। ତାଙ୍କ ବ୍ୟତିରକେ ବିଜେଡିର ସେମିତି କେହି ମଙ୍ଗ ଧରିବାକୁ ନାହାଁନ୍ତି ବୋଲି କୁହାଗଲା। ହେଲେ ନିର୍ବାଚନ ପରେ ସେ କେବେ ବି ବିଜେଡି ରାଜନୀତିରେ ମୁଣ୍ଡ ପୁରାଇ ନାହାଁନ୍ତି ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି।
ଯଦି ସତରେ ପାଣ୍ଡିଆନ ଓଡିଶା ଛାଡୁଛନ୍ତି ତେବେ ବିଜେଡି ଭାଗ୍ୟ କଣ ହେବ ସେ ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି। କାରଣ ବିଜେଡିର ଯେତେ ନେତା ଅଛନ୍ତି ସେମାନେ କେବେ କାହାର ନେତୃତ୍ବକୁ ମାନିବାକୁ ପ୍ରସ୍ତୁତ ହେବେ ନାହିଁ। ଦେବୀ ମିଶ୍ର ହୁଅନ୍ତୁ କିମ୍ବା ବବି ଦାସ। ଏମାନଙ୍କୁ ବଡ ନେତାମାନେ କିପରି ମାନିବେ ସେ ନେଇ ସନ୍ଦେହ ରହିଛି।