ପ୍ରଶିକ୍ଷଣ ନେଲେ ପି. ଏମ୍ ଶ୍ରୀ ଭେଟିନାଥ ଦେବ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ

Published: Apr 3, 2025, 7:07 pm IST

ବାଣପୁର: ବାଣପୁର ବ୍ଲକ ଅଧିନସ୍ଥ ଭେଟେଶ୍ୱର ଗ୍ରାମପଞ୍ଚାୟତରେ ଥିବା ପି. ଏମ୍ ଶ୍ରୀ ଭେଟିନାଥ ଦେବ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପରିସର ମଧ୍ୟରେ ସମାଜସେବୀ ତଥା ସେଣ୍ଟ ଜନ୍ ଆମ୍ବୁଲାନ୍ସ ଆସୋସିଏସନର ଆଜୀବନ ସଦସ୍ୟ ଅନନ୍ତ ଚରଣ ଖଟେଇଙ୍କ ନେତୃତ୍ୱରେ ପ୍ରାଥମିକ ଉପଚାର ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାଥମିକ ଚିକିତ୍ସା କଣ ଓ କିପରି ପ୍ରାଥମିକ ଉପଚାର କରି ରୋଗୀ ଅବା ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ପହଞ୍ଚାଇ ପାରିବେ ସେ ନେଇ ଶ୍ରୀ ଖଟେଇ ମହୋଦୟ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେବା ସହିତ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନଙ୍କୁ ମଧ୍ୟ ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ। ଅସାବଧାନତା ବଶତଃ ଦୁର୍ଘଟଣାରେ ଗୋଡ଼, ହାତ ଭାଙ୍ଗିବା, ମୁଣ୍ଡ ଫାଟିବା, ରକ୍ତ ସ୍ରାବ ହେଲେ ପ୍ରାଥମିକ ଉପଚାର ଆଦି ବିଷୟରେ ସଚେତନ କରାଇବା ସହ ସାପ କାମୁଡ଼ା, କୁକୁର କାମୁଡ଼ା, ହୃତଘାତ, ଜଳାପୋଡା ଜନିତ ସମସ୍ୟା ହେଲେ ନିଜକୁ ଏବଂ ଅନ୍ୟ ମାନଙ୍କୁ କିପରି ରକ୍ଷା କରାଯାଇପାରିବ ସେ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ୪୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ଭେଟେଶ୍ୱର ଗ୍ରାମ ପଞ୍ଚାୟତର ସମିତିସଭ୍ୟା ରଶ୍ମିତା ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସତ୍ୟ ନାରାୟଣ ରଣା, ପୂର୍ବତନ ସରପଞ୍ଚ ଜୀତେନ୍ଦ୍ର କୁମାର ସାମନ୍ତରାୟଙ୍କ ଉପସ୍ଥିତି ସହିତ ବିଦ୍ୟାଳୟର ଅଧ୍ୟକ୍ଷ ଗଜେନ୍ଦ୍ର ପ୍ରସାଦ ଜେନା, ବରିଷ୍ଠ ଶିକ୍ଷକ ମହେନ୍ଦ୍ର କୁମାର ଦାସ, କ୍ରୀଡା ଶିକ୍ଷକ ଅବିନାଶ ଜେନାଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଯୋଗଦାନ କରିଥିଲେ।

ପ୍ରାଥମିକ ଚିକିତ୍ସା ତାଲିମର ଶେଷ ପର୍ଯ୍ୟାୟରେ ବିଦ୍ୟାଳୟ ତରଫରୁ ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ତାଲିମ ଦାତା ଅନନ୍ତ ଚରଣ ଖଟେଇଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

Related posts