Categories
ଆଞ୍ଚଳିକ

ବାଣପୁରରେ ଜନ ପ୍ରତିନିଧି ପ୍ରଶାସନ ମୁହାଁମୁହିଁ, ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଏତଲା ଦେଲେ ବିଡିଓ

ବାଣପୁର( ସୀତାରାମ ଅଗ୍ରଲାୱ): ଶୀର୍ଷରେ ପହଁଚିଲା ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଜନ ପ୍ରତିନିଧି ଓ ପ୍ରଶାସନ ମଧ୍ୟରେ କଳି। ଦୀର୍ଘ ମାସ ଧରି ବାଣପୁର ବିଡିଓ ଏବଂ ଅଧ୍ୟକ୍ଷଙ୍କ ମଧ୍ୟରେ ଜାରି ରହିଥିବା ଶୀତଳ ଯୁଦ୍ଧ ବିସ୍ଫୋରଣର ରୂପ ନେଇଛି। ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେଇଛନ୍ତି ବିଡ଼ିଓ ଶୀତଲ ଅଗ୍ରୱାଲ। ଏ ନେଇ କେସ ନମ୍ବର ୧୨୬/୨୪ ଆଇପିସି ଦଫା ୧୮୯/୩୪/୩୫୩ ରେ ବାଣପୁର ଥାନାରେ ମାମଲା ରୁଜୁ ହୋଇଛି।

ସୂଚନା ମୁତାବକ ନିକଟରେ ଚିଲିକା ବିଧାୟକଙ୍କ ଆଞ୍ଚଳିକ ପାଣ୍ଠି କାର୍ଯ୍ୟାଦେଶ ପାଇବା ଦାବିରେ ଏକାଧିକ ଆଶାୟୀମାନେ ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ତେବେ ବ୍ଲକ ଅଧ୍ୟକ୍ଷ ଶ୍ରୀ ରଣସିଂହ ଏହାକୁ ସମର୍ଥନ ଜଣାଇ ଆନ୍ଦୋଳନରତ ଆଶାୟୀଙ୍କ ସହ ଧାରଣା ଦେଇଥିଲେ ଏବଂ ବ୍ଲକ କାର୍ଯ୍ୟାଳୟରେ ତାଲା ପଡିଥିଲା।

ବିଡ଼ିଓ ବ୍ଲକରେ ସଦାବେଳେ ଅନୁପସ୍ଥିତ ରହୁଛନ୍ତି, ପାତର ଅନ୍ତର ନିତି ଆପଣଉଛନ୍ତି, ଜନପ୍ରତିନିଧି ଙ୍କୁ ଉପଯୁକ୍ତ ସମ୍ମାନ ଦେଉନାହାନ୍ତି ଏବଂ ଏକ ନିର୍ଦିଷ୍ଟ ଦଳର ହାତବାରିସୀ ସାଜିଥିବା ଅଭିଯୋଗ କରିଥିଲେ ଅଧ୍ୟକ୍ଷ ଓ ଉପସ୍ଥିତ ଜନ ପ୍ରତିନିଧି। ବ୍ଲକ କାର୍ଯ୍ୟାଳୟ ଅଚଳ ଦ୍ୱାରା ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା ।

ଏହି ପରିପ୍ରେକ୍ଷୀରେ ଚଳିତ ୧୬ ତାରିଖ ରାତିରେ ବାଣପୁର ବିଡିଓଙ୍କ ପକ୍ଷରୁ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ସରକାରୀ ଅଧିକାରୀଙ୍କୁ ଧମକାଇବା ଆଦି ଅଭିଯୋଗରେ ଥାନାରେ ଏତଲା ଦିଆଯାଇଛି।  ପୁର୍ବରୁ ମଧ୍ୟ ବାଣପୁର ବ୍ଲକରେ ଅଧ୍ୟକ୍ଷ ଓ ବିଡିଓ ବିବାଦ ଲାଗି ରହିଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନ ଏହାକୁ ସମାଧାନ କରିବାରେ ଏକ ରକମର ବିଫଳ ହୋଇଛି। ଯାହାଫଳରେ ଆଜି ଉକ୍ତ କଳି ଚରମ ସୀମାରେ ପହଁଚିଛି।

ତେବେ ଏ ନେଇ ବ୍ଲକ ଅଧ୍ୟକ୍ଷ ଶ୍ରୀ ରଣସିଂହଙ୍କୁ ପଚାରିବାରୁ ଉକ୍ତ ଦିନ କାର୍ଯ୍ୟାଦେଶ ପାଇବା ଆଶାୟୀମାନେ ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ବେଳେ ତାହାକୁ ନୈତିକତା ଦୃଷ୍ଟିରୁ ଏକାଧିକ ସରପଞ୍ଚ, ସମିତି ସଭ୍ୟଙ୍କ ସହ ଅଧ୍ୟକ୍ଷ ମଧ୍ୟ ସମର୍ଥନ କରିଥିଲେ। ଏପରିକି ପ୍ରଥମ ଦିନ ଅଧ୍ୟକ୍ଷ ବିଡିଓଙ୍କ ସହ ଫୋନରେ ଯୋଗାଯୋଗ କରି ଘଟଣାର ସମାଧାନ କରିବା ପାଇଁ ଚେଷ୍ଟା ମଧ୍ୟ କରିଥିଲେ। ତେବେ ବ୍ଲକ ତାଲା ପକେଇବା ବିଷୟରେ ସେ ଅବଗତ ନଥିବା କହିଛନ୍ତ।

Categories
ଆଞ୍ଚଳିକ

ତୁଟୁନି ବିଧାୟକ ପାଣ୍ଠି କାର୍ଯ୍ୟାଦେଶ ପ୍ରଦାନ ବିବାଦ: ଦୁଇ ଦିନ ହେଲା ବାଣପୁର ବ୍ଲକରେ ଝୁଲୁଛି ତାଲା, ପ୍ରଶାସନ ଚୁପ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ପୁଣି ପଡ଼ିଲା ତାଲା।  ବିଧାୟକ ପାଣ୍ଠି କାର୍ଯ୍ୟାଦେଶ ପାଇବା ଦାବିରେ ଏକାଧିକ ଆଶାୟୀ ଦୁଇ ଦିନ ହେଲା ବ୍ଲକ କାର୍ଯ୍ୟାଳୟରେ ଧାରଣା ଦେଇଛନ୍ତି। ତେବେ ଆଶାୟୀଙ୍କ ଦାବିକୁ ସମର୍ଥନ ଜଣାଇ ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି।

ସୂଚନା ଥାଉକି ଦୁଇ ଦିନ ତଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିଧାୟକ ପାଣ୍ଠିରୁ ପାଖାପାଖି ୬ ମାସ ହେଲା ସୁପାରିଶ ବ୍ୟକ୍ତିଙ୍କୁ କାର୍ଯ୍ୟାଦେଶ ମିଳୁନଥିବା ପ୍ରତିବାଦରେ ଆଶାୟୀ ମାନେ ଧାରଣା ଦେଇଥିଲେ। ତେବେ ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ହସ୍ତକ୍ଷେପକ୍ରମେ ପରିସ୍ଥିତି ଶାନ୍ତ ପଡିଥିଲା ଏବଂ ବିଡିଓ କାର୍ଯ୍ୟାଦେଶ ପ୍ରଦାନ କରିବେ ବୋଲି କହିଥିଲେ।

ତେବେ ଗତକାଲି କାର୍ଯ୍ୟାଦେଶ ନମିଳିବାରୁ ଆଶାୟୀ ମାନଙ୍କ ଦାବିକୁ ସମର୍ଥନ ଜଣାଇ ଅଧ୍ୟକ୍ଷ ବ୍ଲକ କାର୍ଯ୍ୟାଳୟରେ ତାଲା ପକେଇବା ସହ ଆଶାୟୀଙ୍କ ସହ ଧାରଣାରେ ବସିଥିଲେ।  ବିଧାୟକ ପାଣ୍ଠି ଅନୁଦାନ ଏକ ସାମ୍ବିଧାନିକ ପ୍ରକ୍ରିୟା। ତାହାକୁ ଉନ୍ନୟନ କାର୍ଯ୍ୟରେ ନିୟୋଜିତ କରିବା ବିଧାୟକଙ୍କ ସାମ୍ବିଧାନିକ ଅଧିକାର। ତେବେ ତାହାକୁ ବ୍ଲକ ପ୍ରଶାସନ କ୍ଷୁର୍ଣ୍ଣ କରୁଛି ବୋଲି କହିଛନ୍ତି ଅଧ୍ୟକ୍ଷ।

ତେବେ ବିଧାୟକ ଜଗଦ୍ଦେବ ବିଜେଡିରୁ ନିଲମ୍ବନ ହେବା ଏବଂ ବିଜେପିରେ ମିଶିବା କାରଣରୁ ବିଜେଡି ନେତାଙ୍କ ଇଙ୍ଗିତରେ ଜାଣିଶୁଣି ବିଡ଼ିଓ କାର୍ଯ୍ୟାଦେଶ ଦେଉନଥିବା ଆନ୍ଦୋଳନରତ ଆଶାୟୀମାନେ ଅଭିଯୋଗ କରିଛନ୍ତି। ତେବେ ଅଦ୍ୟାବଧି କୌଣସି ଅଧିକାରୀ ଏହାର ସମାଧାନ ପାଇଁ ଆସି ନଥିବା ବେଳେ ବିଡିଓ ମଧ୍ୟ ଅଧ୍ୟକ୍ଷଙ୍କ ସହ ଯୋଗାଯୋଗ କରି ନଥିବା ବ୍ଲକ ଅଧ୍ୟକ୍ଷ ଶ୍ରୀ ରଣସିଂହ କହିଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଦୁଇ ଦିନ ହେଲା ବ୍ଲକ କାର୍ଯ୍ୟାଳୟ ଅଚଳ ହୋଇଥିବା ସତ୍ତ୍ୱେ କୌଣସି ସ୍ଥାନୀୟ ଅବା ଜିଲ୍ଲା ଅଧିକାରୀଙ୍କ ବ୍ଲକରେ ଦେଖା ମିଳୁନାହିଁ।

ଅପରପକ୍ଷେ ବ୍ଲକ ବନ୍ଦ ଦ୍ୱାରା ସାଧାରଣ ଜନତା ନାହିଁ ନଥିବା ହଇରାଣର ସମ୍ମୁଖୀନ ହେଉଛନ୍ତି। ତେବେ ଏ ନେଇ ବାଣପୁର ବିଡ଼ିଓଙ୍କୁ ଯୋଗାଯୋଗ କରାଯିବାରୁ ତାହା ସମ୍ଭବ ହୋଇପାରିନାହିଁ। ଖୋର୍ଦ୍ଧା ଜିଲ୍ଲାପାଳ ଉକ୍ତ ଘାଟଣାରେ ତୁରନ୍ତ ହସ୍ତକ୍ଷେପ କରି ସମାଧାନ କରିବା ପାଇଁ ଦାବି ହୋଇଛି।

Categories
ଆଞ୍ଚଳିକ

ଉପ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ବାଣପୁର ବ୍ଲକ ଫାଟକରୁ ଖୋଲିଲା ତାଲା: ପ୍ରତ୍ୟାହୃତ ହେଲା ଆନ୍ଦୋଳନ

ବାଣପୁର (ସୀତାରାମ ଅଗ୍ରୱାଲ): ଗତ କାଲିଠାରୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ପଡ଼ିଥିବା ତାଲା ଉପ ଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠିଙ୍କ ହସ୍ତକ୍ଷେପ ପରେ ଆଜି ମଧ୍ୟାହ୍ନରେ ଖୋଲିଛି। ପ୍ରକାଶଥାଉ କି ବାଣପୁର ବିଡ଼ିଓଙ୍କ ମନଇଚ୍ଛା ଛୁଟି ନେବା ଏବଂ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ଓ ଅବହେଳା କରିବା ଅଭିଯୋଗରେ ବ୍ଲକ ଅଧ୍ୟକ୍ଷଙ୍କ ସମେତ ବହୁ ସରପଞ୍ଚ ଓ ସମିତିସଭ୍ୟ ମାନେ ବ୍ଲକ ମୁଖ୍ୟ ଫାଟକରେ ତାଲା ପକାଇ ଗୁରୁବାର ଠାରୁ ଆନ୍ଦୋଳନ ଜାରି ରଖିଥିଲେ।

ଆଜି ଆନ୍ଦୋଳନ ଜାରି ରହିଥିବା ବେଳେ ଜିଲ୍ଲା ପ୍ରଶାସନ ତରଫରୁ ଉପ ଜିଲ୍ଲାପାଳ ଶ୍ରୀ ସେଠୀ, ବିଡ଼ିଓ ଶୀତଲ ଅଗ୍ରୱାଲ, ବାଲୁଗାଁ ଏସ୍ଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ବାଣପୁର ଆଇଆଇସି ରମେଶ କୁମାର ଦେବତା ଆନ୍ଦୋଳନ ସ୍ଥଳରେ ପହଞ୍ଚି ନିର୍ବାଚିତ ଜନପ୍ରତିନିଧିଙ୍କୁ ବୁଝାସୁଝା କରି ଫାଟକ ଖୋଲି ବ୍ଲକ ଅଫିସ ଭିତରେ ଆଲୋଚନା କରିବାକୁ କହିଥିଲେ। କିନ୍ତୁ ବ୍ଲକ ବାହାରେ ଆଲୋଚନା କରିବାକୁ ସମସ୍ତେ ଅଡ଼ି ବସିଥିଲେ।

ଶେଷରେ ଉପ ଜିଲ୍ଲାପାଳଙ୍କ ନିଷ୍ପତ୍ତି କ୍ରମେ ତହସିଲ ଅଫିସ ଆଇବିରେ ଦୀର୍ଘ ୧ଘଣ୍ଟା ଧରି ରୁଦ୍ଧଦ୍ୱାର ବୈଠକ ହୋଇଥିଲା। ବୈଠକ ପରେ ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଆନ୍ଦୋଳନ ପ୍ରତ୍ୟାହୃତ ହେବା ନେଇ ସୂଚନା ଦେବା ସହ ଆମର ଥିବା ସମସ୍ତ ଅଭିଯୋଗକୁ ଉପ ଜିଲ୍ଲାପାଳ ଗ୍ରହଣ କରିବା ସହ ବିଡ଼ିଓଙ୍କୁ ତାଗିଦ କରିଛନ୍ତି।

ଆଗକୁ ସରପଞ୍ଚ ଓ ସମିତିସଭ୍ୟମାନଙ୍କୁ ମିଳିତ ଭାବେ ନେଇ କାମ କରିବାକୁ ବିଡ଼ିଓ ପ୍ରତିଶୃତି ଦେଇଥିବାରୁ ବ୍ଲକ ତାଲା ଖୋଲା ଯାଇଥିବା ଅଧ୍ୟକ୍ଷ ଶ୍ରୀ ରଣସିଂହ କହିଛନ୍ତି।

Categories
ଆଞ୍ଚଳିକ

ବାଣପୁରରେ ଶୁଭାରମ୍ଭ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଅର୍ପଣ ରଥ

ବାଣପୁର (ସୀତାରାମ ଅଗ୍ରୱାଲ): ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ବିଡ଼ିଓ ଶୀତଲ ଅଗ୍ରୱାଲଙ୍କ ତତ୍ୱାବଧାନରେ ଅର୍ପଣ ରଥର ଶୁଭାରମ୍ଭ କରାଯାଇଛି। ଆଜି ବ୍ଲକର ସାତ ଗୋଟି ପଞ୍ଚାୟତରେ ଉକ୍ତ ରଥର ଶୁଭାରମ୍ଭ ହୋଇଛି।

ନନ୍ଦପୁର ଗ୍ରାମ ପଞ୍ଚାୟତର ମଠପଟଣା ଗ୍ରାମ ଜଗନ୍ନାଥମନ୍ଦିର ନିକଟରୁ ଅର୍ପଣ ରଥକୁ ପୂଜାର୍ଚ୍ଚନା କରି ଶୁଭାରମ୍ଭ କରାଯାଇଛି। ନନ୍ଦପୁର ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆ, ପଞ୍ଚାୟତ ନିର୍ବାହୀ ଅଧିକାରୀ ନୃସିଂହ ପ୍ରସାଦ ଜେନାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦନ କରାଯାଇଥିବା ବେଳେ ନଡ଼ିଆ ଫଟାଇ ଶ୍ରୀ ଖୁଣ୍ଟିଆ ଅର୍ପଣ ରଥକୁ ଉଦଘାଟନ କରିଥିଲେ। ସମସ୍ତ ଏମବିକେ, ସିଆରପି, ସ୍ୱୟଂ ସହାୟକ ସଙ୍ଘର ସଭାପତିଙ୍କ ସମେତ ସଙ୍ଘର କର୍ମକର୍ତ୍ତାମାନେ ଏଥିରେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ।

ହରିବୋଲ ହୁଳହୁଳି ଧ୍ୱନିରେ ରଥକୁ ଗ୍ରାମବାସୀ ସ୍ୱାଗତ କରିଥିବା ବେଳେ କର୍ମକର୍ତ୍ତା ମାନେ ଘର ଘର ବୁଲି ଚାଉଳ ଓ ଗୁଆ ସଂଗ୍ରହ କରିଥିଲେ।

ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ବିଭିନ୍ନ ପଞ୍ଚାୟତର ଅର୍ପଣ ରଥ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ଅନୁରୂପ ଭାବେ ଆଜି ବାଣପୁର ଏନଏସିରେ କାର୍ଯ୍ୟନିର୍ବାହୀ ଅଧିକାରିଣୀ କାଦମ୍ବିନୀ ଜେନାଙ୍କ ତତ୍ୱାବଧାନରେ ପରିକ୍ରମା ଅର୍ପଣ ରଥର ଉଦଘାଟନ କରାଯାଇଛି। ସବୁ ସ୍ଥାନରେ ଜନସାଧାରଣଙ୍କର ଅପୂର୍ବ ଭକ୍ତିଭାବ ପରିଲକ୍ଷିତ ହେଉଥିବା ବେଳେ ଜୟ ଜଗନ୍ନାଥ ଧ୍ଵନିରେ ଗ୍ରାମ ଗୁଡିକ ପ୍ରକମ୍ପିତ ହୋଇଥିଲା।

Categories
ଆଞ୍ଚଳିକ

ବାଣପୁର ବ୍ଲକ ପରିସରରେ ନିଯୁକ୍ତି ଭିତ୍ତିକ ତାଲିମ ଓ ପରାମର୍ଶ ଶିବିର ଅନୁଷ୍ଠିତ

ବାଣପୁର (ସୀତାରାମ ଅଗ୍ରୱାଲ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ବାଣପୁର ବ୍ଲକ ପରିସରରେ ଏକ ନିଯୁକ୍ତି ଭିତ୍ତିକ ତାଲିମ ଓ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି।  ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷ ଅମରେନ୍ଦ୍ର ରଣସିଂହ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଏନଏସି ଅଧ୍ୟଶ ମିଟୁ ନାୟକ, ବ୍ଲକ ଶିକ୍ଷା ଅଧିକାରୀ ସନାତନ ଜାଲିଙ୍କ ସହ ନିଯୁକ୍ତି ବିଭାଗ ଉପ ନିର୍ଦ୍ଦେଶକ ବିଜୟ କୁମାର ପାତ୍ର ଯୋଗ ଦେଇଥିଲେ। ଅଂଚଳର ଦଶମ ଓ ଦ୍ୱାଦଶ ଶ୍ରେଣୀରେ ଅକୃତକାର୍ଯ୍ୟ ଏବଂ ବେକାରୀ ଛାତ୍ରଛାତ୍ରୀ ମାନଙ୍କୁ ଉକ୍ତ ଶିବିର ମାଧ୍ୟମରେ ପରାମର୍ଶ ଦେବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏହାର ମୂଳ ଲକ୍ଷ ବୋଲି ଅଧକ୍ଷ ଶ୍ରୀଯୁକ୍ତ ରଣସିଂହ ପରିପ୍ରକାଶ କରିଥିଲେ।

ଆଇଟିଆଇ, ଗ୍ରାମ ତରଙ୍ଗ କ୍ଷେତ୍ର ସହ ସମୁଦାୟ ୮ଟି ବିଭାଗରୁ ଅଧିକାରୀ ମାନେ ଯୋଗ ଦେଇ ଛାତ୍ରଛାତ୍ରୀ ମାନେ ବିଭିନ୍ନ କ୍ଷେତ୍ରରେ କିପରି ନିଯୁକ୍ତି ପାଇପାରିବେ ସେ ବିଷୟରେ ତାଲିମ ପ୍ରଦାନ କରିଥିଲେ।

ତାଲିମ ଶିବିରରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ ମାନେ ନିଯୁକ୍ତି ପାଇବା ନିମିତ୍ତ ଉତତ୍ସାହିତ ହୋଇ ସମୁଦାୟ ୧୬୨ଜଣ ତାଲିମ ନିମିତ୍ତ ନାମ ପଞ୍ଜିକରଣ କରିଥିବା ବିଡ଼ିଓ ଶ୍ରୀମତୀ ଅଗ୍ରୱାଲ ଜଣାଇଛନ୍ତି। ଏସ୍ଡ଼ିସି ପ୍ରସନ୍ନ ବେହେରା, ବିପିଏମ ଶିବ ପ୍ରସାଦ ଜାଲି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ଚିଲିକା: ମଣ୍ଡଳସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦଘାଟନ

ଚିଲିକା (ସୀତାରାମ ଅଗ୍ରୱାଲ): କେନ୍ଦ୍ର ସରକାରଙ୍କ ନିର୍ଦ୍ଧେଶ କ୍ରମେ ରାଜ୍ୟ ସରକାର ତତ୍ୱାବଧାନରେ ପ୍ରତ୍ୟେକ ବ୍ଲକରେ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କର ବିଜ୍ଞାନ ସମ୍ବଦ୍ଧରେ ବିକାଶ ସହ ଆଗ୍ରହ ସୃଷ୍ଟି କରିବା ଲକ୍ଷରେ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଆୟୋଜିତ କରାଯାଉଛି।  ଏହି ପରିପ୍ରେକ୍ଷୀରେ ଶୁକ୍ରବାର ବାଣପୁର ଗୋଦାବରୀଶ ବିଦ୍ୟାଳୟରେ ଉକ୍ତ କାର୍ଯ୍ୟକ୍ରମ ଦୁଇଟି ଅଧିବେଶନରେ ଆୟୋଜିତ ହୋଇଥିଲା। ପ୍ରଥମ ଅଧିବେଶନକୁ ବ୍ଲକ ଶିକ୍ଷାଧିକାରୀ ସନାତନ ଜାଲି ଉଦଘାଟନ କରି କାର୍ଯ୍ୟକ୍ରମକୁ ଆଗକୁ ନେବାକୁ ସୁଚିନ୍ତିତ ପରାମର୍ଶ ଦେଇଥିଲେ।

ସେହିଭଳି ଦ୍ଵିତୀୟ ଅଧିବେଶନର ମୁଖ୍ୟ ଅତିଥି ବାଣପୁର ବ୍ଲକ ଅଧକ୍ଷ ମିଟୁ ନାୟକ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେଅତିରିକ୍ତ ଶିକ୍ଷାଧିକାରୀ ସନ୍ଧ୍ୟାରାଣୀ ହରିଚନ୍ଦନ ଓ ଲକ୍ଷ୍ମୀ ନାରାୟଣ ପ୍ରସାଦ ନାୟକ, ମୁଖ୍ୟ ବକ୍ତା ଭାବେ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ବେହେରା, ବୈଜ୍ଞାନିକ ପ୍ରଦର୍ଶନୀରେ ଯୋଗ ଦେଇଥିଲେ। ବ୍ଲକ ସ୍ତରରୁ ଜିଲ୍ଲା ସ୍ତରକୁ ୫ଜଣ କୃତୀ ଛାତ୍ରଛାତ୍ରୀ ୫ଟି ବିଭାଗକୁ ଉତ୍ତୀର୍ଣ୍ଣ ହୋଇଥିଲେ।

ଗୋଦାବରୀଶ ଉଚ୍ଚ ବିଦ୍ୟାଳୟର ସୁମନ୍ତ ଜେନା ଭେଟିନାଥ ଦେବ ଉଚ୍ଚ ବିଦ୍ୟାଳୟରୁ ରଚିତା ସାସମଲ, ନୀଳକଣ୍ଠେଶ୍ଵର ବିଦ୍ୟାପୀଠରୁ ଶୁଭମ ସାହୁ, ନାଚୁଣୀ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟରୁ ସର୍ବେଶ୍ୱର ବରାଳ ଏବଂ ବାନାମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟରୁ ବଳରାମ ସ୍ୱାଇଁ ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀକୁ ମନୋନୀତ ହୋଇଥିଲେ।

ଉକ୍ତ ପ୍ରଦର୍ଶନୀରେ ବିଭିନ୍ନ ବିଭାଗରୁ ବିଜ୍ଞାନ ପ୍ରକଳ୍ପ ଆସିଥିଲା। ଉଚ୍ଚ ବିଦ୍ୟାଳୟ ସ୍ତରରୁ ୨୪ଟି, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରୁ ୫୪ଟି ପ୍ରକଳ୍ପ ପ୍ରଦର୍ଶନୀରେ ଅଂଶ ଗ୍ରହଣ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମକୁ ବ୍ଲକର ସମସ୍ତ ସିଆରସିସି, ପ୍ରଧାନ ଶିକ୍ଷକ, ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପରିଚାଳନା କରିଥିଲେ।

ସେହିଭଳି ଶନିବାର ପୂର୍ବାହ୍ନରେ ଚିଲିକା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ବିରିବାଡି ସ୍ଥିତ ଶ୍ରୀ ଲୋକନାଥ ଦେବ ମାନସିଂହ ବିଦ୍ୟାପୀଠରେ ମଣ୍ଡଳସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫୦ରୁ ଉର୍ଦ୍ଧ୍ବ ବିଦ୍ୟାଳୟରୁ ୧୨୪ ଟି ବିଜ୍ଞାନ, କୃଷି, ପରିବେଶ, ଘଟଣା ଦୁର୍ଘଟଣା ଓ ସ୍ୱାସ୍ଥ୍ୟ ଭିତ୍ତିକ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।

ଉଦଘାଟନୀ ଉତ୍ସବରେ ଚିଲିକା ଗୋଷ୍ଠୀ ଶିକ୍ଷା ଅଧିକାରୀ କିଶୋର ଚନ୍ଦ୍ର ଦାଶଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଚିଲିକା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ବିକାଶ ଗୋଏଲ,ବିଶିଷ୍ଟ ଅତିଥି ଭାବେ ବିରିବାଡି ସରପଞ୍ଚ ବିଷ୍ଣୁପ୍ରିୟା ସେଣ, ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ଚରଣ ସେଣ,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିଳାଦ୍ରୀ ଭୂଷଣ ଦାଶ, ମିନତୀ ଶତପଥୀ, ଗୀତାଞ୍ଜଳୀ ନାୟକ, ବିଜ୍ଞାନ ମେଳା କମିଟି ସମ୍ପାଦକ କୁନା ମହତ୍ୱ,ସାଧନ କେନ୍ଦ୍ର ସଂଯୋଜକ ଦେବରାଜ ପରିଡା ପ୍ରମୁଖ ଯୋଗ ଦେଇ ପ୍ରକଳ୍ପ ପରିଦର୍ଶନ କରିବାସହ ତୃଣମୂଳ ସ୍ତରରେ ଥିବା ସୁପ୍ତ ପ୍ରତିଭାଙ୍କୁ ବିକଶିତ କରିବା ଏବଂ ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ଫଳରେ ଅନେକ କୁନି ବୈଜ୍ଞାନିକ ସୃଷ୍ଟି ହୋଇପାରିବେ ବୋଲି ମତ ଦେଇଥିଲେ।

ଅପରାହ୍ନରେ ଆୟୋଜିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ବାଲୁଗାଁ ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼ କଳ୍ପନା ଦାଶ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ମମତା ପାଇକରାୟ, ସରପଞ୍ଚ ବିଷ୍ଣୁପ୍ରିୟା ସେଣ, ପୂର୍ବତନ ଚିକିତ୍ସା ଅଧିକାରୀ ମଧୁସୂଦନ ସେନାପତି, ଶିଶୁ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ଜିଲ୍ଲା ମାଧ୍ୟମିକ ଶିକ୍ଷକ ସଂଘ ସଦସ୍ୟ ପ୍ରମୋଦ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ଶୃଙ୍ଖଳା ଓ ସମାୟାନୁବର୍ତ୍ତୀ ହେବାସହ ସାଧନାରେ ଏକାଗ୍ରତା ରଖିବାପାଇଁ ଦିଗଦର୍ଶନ ଦେଇଥିଲେ।

ବାଲ ବୈଜ୍ଞାନିକ ପ୍ରଦର୍ଶନୀରେ ଉତ୍କୃଷ୍ଟ ପ୍ରକଳ୍ପ ପ୍ରଦର୍ଶନ ନେଇ ଅତିଥି ଗହଣରେ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଚିଲିକା ବିଜ୍ଞାନ ମେଳା କମିଟିର ସମସ୍ତ ସଦସ୍ୟ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ବାଣପୁର: ୧୯୮ ଶିକ୍ଷକଙ୍କୁ କମ୍ପୁଟର ଟାବଲେଟ ବଣ୍ଟନ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ବାଣପୁର ବ୍ଲକ ଅଧୀନ ସମସ୍ତ ସ୍କୁଲର ସହକାରୀ ଶିକ୍ଷକ ମାନଙ୍କୁ ବ୍ଲକ ଶିକ୍ଷଧିକାରୀ ସନାତନ ଜାଲି କମ୍ପୁଟର ଟାବଲେଟ ବଣ୍ଟନ କରିଛନ୍ତି। ଓଡିଶା ଶିକ୍ଷା ପ୍ରାଧିକାରଣ ଆୟୋଗଙ୍କ ନିର୍ଦ୍ଧେଶ କ୍ରମେ ଶିକ୍ଷକ ମାନେ ଶିକ୍ଷା ସମ୍ବନ୍ଧିତ ସମସ୍ତ ତଥ୍ୟ ରାଜ୍ୟ ସରକାରଙ୍କୁ ଜଣାଇବା ଲକ୍ଷରେ ୧୯୮ଜଣ ଶିକ୍ଷକଙ୍କୁ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କମ୍ପୁଟର ବଣ୍ଟନ କରାଯାଇଛି।

ଏହି ପରିପ୍ରେକ୍ଷୀରେ ଶିକ୍ଷକମାନେ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି, ସ୍କୁଲର ପ୍ରୋଗ୍ରେସିଭ କାର୍ଯ୍ୟ ସରକାର ଜାଣିବା ନିମନ୍ତେ ଟାବଲେଟ ବଣ୍ଟନ କରାଯାଇଛି ବୋଲି ଶ୍ରୀଯୁକ୍ତ ଜାଲି କହିଛନ୍ତି।

Categories
ଆଞ୍ଚଳିକ

ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ବିରୋଧରେ ବାଣପୁର ବ୍ଲକ ଘେରାଉ କଲା ବିଜେପି

ବାଣପୁର (ସୀତାରାମ ଅଗ୍ରୱାଲ): ରାଜ୍ୟ ସରକାରଙ୍କ ଦୀର୍ଘଦିନର ଶାସନରେ ପିସି କାରବାର, ବିନା ଗ୍ରାମସଭାରେ ପ୍ରକଳ୍ପ ସମ୍ପାଦନ, ୫-ଟି ନାମରେ ଜାଲିଆତି, ଦୁର୍ନୀତି, ଭ୍ରଷ୍ଟାଚାର ଏବଂ ବାଣପୁର ବ୍ଲକରେ ମନମୁଖୀ କାର୍ଯ୍ୟ ସହିତ ସାଧାରଣ ଲୋକଙ୍କ ସମସ୍ୟାକୁ ନେଇ ବିଜେପି ପକ୍ଷରୁ ଆଜି ବାଣପୁର ବ୍ଲକ ଘେରାଉ କରାଯାଇଛି।

ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ନେତୃତ୍ୱରେ ସହସ୍ରାଧିକ ବିଜେପି କାର୍ଯ୍ୟକର୍ତ୍ତା ଶ୍ରୀ ଶ୍ରୀ ଚକାଦେବଙ୍କ ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବ୍ଲକ ସମ୍ମୁଖରେ ସରକାର ବିରୋଧୀ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ବ୍ଲକର ସମ୍ମୁଖ ଗେଟ ବନ୍ଦ କରି ସେଠାରେ ପ୍ରତିବାଦ ସଭା କରାଯାଇଥିଲା।

ଜନସାଧାରଣଙ୍କୁ ରାଜ୍ୟ ସରକାର ଦୀର୍ଘ ଚବିଶ ବର୍ଷ ଧରି ଶୋଷଣ କରିଚାଲିଛନ୍ତି ବୋଲି ପୃଥ୍ୱୀରାଜ ହରିଚନ୍ଦନ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ କହିଥିଲେ। ତତସହିତ ଗରିବ ଲୋକଙ୍କ ପଇସା ଚିଟଫଣ୍ଡ କମ୍ପାନୀ ମାନେ ଠକିଥିବା ବେଳେ ସରକାର କର୍ପସ ଫଣ୍ଡ ଦ୍ୱାରା ଟଙ୍କା ଫେରସ୍ତର ମିଛ ପ୍ରତିଶୃତିରେ ବିମୋହିତ କରି ଭୋଟ ହାତେଇ ଥିବାବେଳେ ଟଙ୍କା ଫେରସ୍ତର ତ ଦୁରକଥା କ୍ଷତିଗ୍ରସ୍ତ ଲୋକମାନଙ୍କୁ ଆଶ୍ୱାସନା ମଧ୍ୟ ଦେଇନାହାନ୍ତି। ତେଣୁ ଆସନ୍ତା ନିର୍ବାଚନରେ ଏପରି ଦୁର୍ନୀତିଗ୍ରସ୍ତ ଓ ଭ୍ରଷ୍ଟାଚାର ସରକାରକୁ ହଟେଇବା ଦରକାର ବୋଲି ମତ ରଖିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ପୂର୍ବତନ ସରପଞ୍ଚ ଜିତେନ୍ଦ୍ର ନାଥ ଭୋଳ, ଜିଲ୍ଲା ଉପ ସଭାପତି ବିଜୟ ବିଶ୍ୱାଳ, ସରପଞ୍ଚ ସୁରେଶ ଚନ୍ଦ୍ର ବାରିକି ପ୍ରମୁଖ ରାଜ୍ୟ ସରକାରଙ୍କ ବିରୋଧରେ ବିଷୋଦଗାର କରିବା ସହ ବାଣପୁର ବ୍ଲକରେ ବିଡ଼ିଓଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ରଣ ହୁଙ୍କାର ଦେଇଥିଲେ।

ଆଗାମୀ ଦିନରେ ଏହିଭଳି ମନମୁଖୀ କାର୍ଯ୍ୟ ଜାରି ରହିଲେ ବାଣପୁରବାସି ସବୁଦିନ ପାଇଁ ବ୍ଲକରେ ତାଲା ପକାଇଦେବେ ବୋଲି ନେତାମାନେ ତାଗିଦ କରିଥିଲେ। ପୂର୍ବତନ ସରପଞ୍ଚ ଜିତେନ୍ଦ୍ର ଭୋଳ ଆଗାମୀ ନିର୍ବାଚନରେ ବିଜେଡି ନେତା ଓ କର୍ମୀ ମାନଙ୍କୁ ଗାଁ ଗଣ୍ଡାରେ ପୁରାଇ ଦିଆଯିବନି ବୋଲି ମତ ରଖିଥିଲେ।

ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରତ୍ୟେକ ଗ୍ରାମକୁ ସ୍ୱଚ୍ଛପାଣିର ବ୍ୟବସ୍ଥା ସହ କୃଷକ ମାନଙ୍କର ଉନ୍ନତି ପାଇଁ ସରକାର ସୁବିଧା କରିବାକୁ ନେତାମାନେ ଦାବୀ କରିଥିଲେ।

Categories
ଆଞ୍ଚଳିକ

‘ଗୋ’ ସମ୍ବର୍ଦ୍ଦନା ସପ୍ତାହ ପାଳନ ଅବସରରେ ବାଣପୁରରେ ପ୍ରାଣୀ ଚିକିତ୍ସା ଶିବର ଅନୁଷ୍ଠିତ

ବାଣପୁର (ସୀତାରାମ ଅଗ୍ରୱାଲ): ୭୨ ତମ “ଗୋ” ସମ୍ବର୍ଦ୍ଦନା ସପ୍ତାହ ପାଳନ ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗାଲୁଆ ଗ୍ରାମ ପାଞ୍ଚାୟତ ଅଧିନସ୍ଥ ସାନହନ୍ତୁଆଡ଼ ଗ୍ରାମରେ ଏକ ପ୍ରାଣୀ ଚିକିତ୍ସା ଶିବର ଅନୁଷ୍ଠିତ ହୋଇ ଯାଇଛି। ସ୍ଥାନୀୟ ଲୋକଙ୍କ ସହଯୋଗରେ ଉକ୍ତ ଗୋଶାଳାରେ ଗୋମାତାଙ୍କ ସେବା କାର୍ଯ୍ୟ କରାଯାଉଛି। ତେବେ କଂସେଇ ଖାନାକୁ ନିଆଯାଉଥିବା ବେଳେ ଏହି ସବୁ ଗାଈଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି।

ଏତଦବ୍ୟତୀତ ଯେଉଁମାନଙ୍କର ଗାଈ ଅଛନ୍ତି, କିନ୍ତୁ ପାଳନ କରିବାରେ ଅସମର୍ଥ, ସେମାନେ ମଧ୍ୟ ଏହି ଗୋଶାଳାକୁ ଗାଈ ପଠାଇଥା’ନ୍ତି। କେବଳ ହିନ୍ଦୁମାନଙ୍କ ପାଇଁ ନୁହେଁ ସମଗ୍ର ବିଶ୍ଵ ପାଇଁ ଗୋମାତାଙ୍କ ଆବଶ୍ୟକତା ରହିଛି। ଗୋମାତାଙ୍କ ନିକଟରେ ୩୩ କୋଟି ଦେବତା ବିରାଜମାନ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ମାନବ ଜାତିକୁ ଗୋମାତାଙ୍କ ଆବଶ୍ୟକତା ରହିଛି। ଗୋମାତା ଏଭଳି ଏକ ଜୀବ, ଯାହାର ପ୍ରତ୍ୟେକ ଜିନିଷ ମଣିଷ ପାଇଁ ଜରୁରୀ। ବାୟୁ ବିନା ମଣିଷ ବଞ୍ଚିବା ଯେପରି ଅସମ୍ଭବ, ଗୋମାତା ବିନା ମଣିଷ ବଞ୍ଚିବା କଷ୍ଟକର। କ୍ଷୀର ଠାରୁ ଗୋବର ପର୍ଯ୍ୟନ୍ତ ଗୋମାତା ଯୋଗାଉଥିବା ବେଳେ ସେମାନଙ୍କର ଯତ୍ନ ପ୍ରତି କାହାର ଧ୍ୟାନ ନାହିଁ। ଏବେ ଗ୍ରାମାଞ୍ଚଳରେ ମଧ୍ୟ ଗାଈ ଗୋରୂଙ୍କୁ ଦେଖିବା ସ୍ଵପ୍ନ ହୋଇପଡୁଛି।

ଏଥିରେ ପ୍ରାଣୀ ସମ୍ପଦ ବିଭାଗ ଖୋର୍ଦ୍ଧା ଆନୁକୂଲ୍ୟରେ ଓ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସନ୍ଦୀପ କୁମାର ପଟ୍ଟନାୟକ ତତ୍ତ୍ଵାବଧାନରେ ଏହି ଶିବର ଅନୁଷ୍ଠିତ ହୋଇଥିଲା ସାନହନ୍ତୁଆଡ଼ ଗ୍ରାମର ସତାଧିକ ଗୋ ପାଳକ ଭାଇ ଭଉଣୀ ସେମାନଙ୍କ ଗାଇଗୋରୁ ମାନଙ୍କର ଡାକ୍ତର ଅମିତି କୁମାର ବେହେରା ଓ ଲ. ଇ. ରବୀନ୍ଦ୍ର ନାରାୟଣ ନାୟକ ଙ୍କ ଦ୍ୱରା ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଶିବରରେ ଚିକିତ୍ସା କରା ଯାଇଥିଲା ଚାଷୀ ମାନଙ୍କୁ ବିଭିନ୍ନ ପ୍ରକାର ଔଷଧ ବଣ୍ଟନ କରିବା ସହ ଗୋମାତାର ମାହାତ୍ମ୍ୟ ବିଷୟରେ ଡାକ୍ତର ବେହେରା ସମସ୍ତଙ୍କୁ ଅବଗତ କରାଇଥିଲେ।

ଏହି କାର୍ଯ୍ୟକ୍ରମ ଗ୍ରାମର ବହୁ ଯୁବକ ସ୍ଵଚ୍ଛାସେବୀ ନିରଞ୍ଜନ ପ୍ରଧାନ, ଜଜ୍ଞ ଭୁଷଣ ଜେନା, ଶ୍ରୀଧର୍ଥ ରାଉଳ, ଜିତେନ୍ଦ୍ର ମହାରଣା, ରାଜେଶ ବରାଳ, ବାପି ପ୍ରଧାନ, ଯୋଗେନ୍ଦ୍ର ଜେନା, ଯଶୋବନ୍ତ ସୁନ୍ଦରାୟ, ରୀଙ୍କୁ ବିଶ୍ଵାଳ, କୈଳାଶ ବାରିକ, ଅରୁପ ରାଉଳ, ଗୌରାଙ୍ଗ ବରାଳ ଓ ରାମଚେଲା ମଠର ସମସ୍ତ ସଦସ୍ୟ ଏଥିରେ ଅଂଶ ଗ୍ରହଣ କରିଥିଲେ।

Categories
ଆଞ୍ଚଳିକ

ବାଣପୁର ବ୍ଲକ ପରିସରରେ ମିଳିତ ଜନଶୁଣାଣୀ: ବିଚାର ପାଇଁ ଆସିଲା ୧୧୯ ଟି ଦରଖାସ୍ତ

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ପୂର୍ବାହ୍ନରେ ବାଣପୁର ବ୍ଲକ ପରିସରରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉକ୍ତ ଶିବିରରେ ଏସପି ସିଦ୍ଧାର୍ଥ କଟାରିଆ, ଉପ ଜିଲ୍ଲାପାଳ ଦିପ୍ତୀରଞ୍ଜନ ସେଠି, ବିଡ଼ିଓ ଶୀତଲ ଅଗ୍ରୱାଲ, ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ତହସିଲଦାର ଟି. ପଦ୍ମନାଭ ଦୋରା, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ କାଦମ୍ବିନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ବାଣପୁର ବ୍ଲକ ଅନ୍ତର୍ଗତ ମୋଟ ୧୭ ଗୋଟି ପଞ୍ଚାୟତ ଓ ଏନଏସିର ବିଭିନ୍ନ ୱାର୍ଡରୁ ସମୁଦାୟ ୧୧୯ ଟି ଦରଖାସ୍ତ ବିଚାର ପାଇଁ ଆସିଥିବା ବେଳେ ତନ୍ମଧ୍ୟରୁ ୧୦୭ ଟି ବ୍ୟକ୍ତିଗତ ଓ ୪ ଗୋଟି ସାମୁହିକ ଦରଖାସ୍ତ ଥିଲା। ତତ୍କାଳ ୩ ଗୋଟି ଆବେଦନର ସମାଧାନ ହୋଇଥିଲା।

ଅନୁରୂପ ଭାବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଜଣେ ହିତାଧିକାରୀଙ୍କୁ ୧୨ ହଜାର ଟଙ୍କା ଏବଂ ରେଡ କ୍ରସ ପାଣ୍ଠିରୁ ୪ ଜଣ ହିତାଧିକାରୀଙ୍କୁ ୫-୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା।

ଏହି ଅବସରରେ ବାଣପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ, ଯନ୍ତ୍ରୀ, ସ୍ଵାସ୍ଥ୍ୟ ବିଭାଗ ଅଧିକାରୀ, ସିଡିପିଓ, ଜଳସେଚନ ବିଭାଗ ଅଧିକାରୀଙ୍କ ସହ ବିଭିନ୍ନ ପଦସ୍ଥ ଅଧିକାରୀ, ୧୭ଟି ପଞ୍ଚାୟତର ଜନ ପ୍ରତିନିଧିମାନେ ଉପସ୍ଥିତ ରହି ସମସ୍ୟା ସମାଧାନ ଦିଗରେ ଶିବିରକୁ ଆସୁଥିବା ବ୍ୟକ୍ତିଙ୍କୁ ସହଯୋଗ କରିଥିଲେ। ଆଈନ ଶୃଙ୍ଖଳା ଦୃଷ୍ଟିରୁ ବାଣପୁର ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀଙ୍କ ଆତ୍ମହତ୍ୟା: ପୋଲିସର ତଦନ୍ତ ଜାରି

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାଣପୁର ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ତପନ କୁମାର ନାୟକ (୫୩) ବେକରେ ଲୁଗା ଲଗାଇ ପଲଟନ ପଡିଆ ନିକଟରେ ରହୁଥିବା ଭଡ଼ା ଘରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

ସୂଚନା ମୁତାବକ ଶ୍ରୀ ନାୟକଙ୍କ ନିଜ ଘର ଖୋର୍ଦ୍ଧା ମଳିପଡ଼ା ହୋଇଥିବା ବେଳେ ଆଜି ଭଡ଼ାଘର ବାଣପୁରରେ କେହି ନଥିବା ବେଳେ ବେକରେ ଲୁଗା ଲଗାଇ ଝୁଲିପଡ଼ିଥିଲେ।  ତେବେ ଅପରାହ୍ନରେ ଶ୍ରୀ ନାୟକଙ୍କ ଧର୍ମପତ୍ନୀ ଘରକୁ ଫେରି କବାଟ ବାଡେଇଥିବା ବେଳେ କବାଟ କେହି ଖୋଳିନଥିଲେ। ସନ୍ଦେହ ହେବାରୁ କବାଟ ଭଙ୍ଗାଯାଇଥିଲା ଏବଂ ସ୍ୱାମୀ ଘର ପଙ୍ଖାରେ ଝୁଲୁଥିବାର ପତ୍ନୀ ଦେଖିବାକୁ ପାଇଥିଲେ।

ଏ ନେଇ ଶ୍ରୀ ନାୟକଙ୍କ ପତ୍ନୀ ବାଣପୁର ପୋଲିସକୁ ସୂଚନା ଦେବାପରେ ଆଇଆଇସି ରମେଶ ଚନ୍ଦ୍ର ଦେବତା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅନୁରୂପ ଭାବେ ଖବର ପାଇ ଘଟଣାସ୍ଥଳରେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଗାଲୁଆ ପଞ୍ଚାୟତ ସରପଞ୍ଚ ସୁରେଶ ଚନ୍ଦ୍ର ବାରିକି ଏବଂ ଅନ୍ୟମାନେ ଉପସ୍ଥିତ ଅଛନ୍ତି।

ସୂଚନା ଥାଉକି ପାଖାପାଖି ଦୁଇ ବର୍ଷ ହେବ ଶ୍ରୀ ନାୟକ ବାଣପୁର ବ୍ଲକରେ ନିଯୁକ୍ତି ପାଇଥିଲେ। ତେବେ ସେ କ’ଣ ପାଇଁ ଆତ୍ମହତ୍ୟା କଲେ ତାହା ଏବେ ସନ୍ଦେହଘେରରେ ଥିବା ବେଳେ ତଦନ୍ତ ପରେ ମୃତ୍ୟର କାରଣ ଜଣାପଡିବ।

Categories
ଆଞ୍ଚଳିକ

ଅସହାୟ ଶ୍ରୀଧରଙ୍କୁ ସହାୟ ହେଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ: ଥଇଥାନ ବ୍ୟବସ୍ଥା କଲେ ବାଣପୁର ବିଡ଼ିଓ

ଭୁବନେଶ୍ଵର/ଖୋର୍ଦ୍ଧା: ଅସହାୟଙ୍କୁ ସାହା ହେଲା ପ୍ରଶାସନ। ପାଇଲେ ନୂଆ ଜୀବନ। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଞ୍ଚଳରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି।

ସୂଚନା ମୁତାବକ ଦୁଇ ଦିନ ତଳେ ଆମ ଚିଲିକା ପ୍ରତିନିଧି ସୀତାରାମ ଅଗ୍ରୱାଲ ବାଣପୁର ଏନଏସି ବଜାର ସାହିସ୍ଥିତ ଲକ୍ଷ୍ମୀ ମନ୍ଦିର ଧର୍ମଶାଳାକୁ କୌଣସି କାର୍ଯ୍ୟରେ ଯାଇଥିବା ବେଳେ ଜଣେ ଅସହାୟ ବୃଦ୍ଧଙ୍କ ଉପରେ ତାଙ୍କର ନଜର ପଡିଥିଲା। ଯିଏକି ଦୀର୍ଘ ଏକ ମାସ ହେବ ଉକ୍ତ ଧର୍ମଶାଳାରେ ରହୁଥିଲେ।

ବୃଦ୍ଧ ଜଣକ ବାଣପୁର ବ୍ଲକ ଗମ୍ଭାରୀମୁଣ୍ଡା ପଞ୍ଚାୟତ ବେଲେଡି ଗ୍ରାମର ଶ୍ରୀଧର ସାହୁ ବୋଲି ପରିଚୟ ମିଳିଥିଲା। ତେବେ ଶ୍ରୀଧରଙ୍କ ପାଖରେ ଖାଇବା ପାଇଁ ଏବଂ ଧର୍ମଶାଳା ଭଡ଼ା ପାଇଁ ପଇସା ସରିଯାଇଥିବାରୁ ସେ ନିଜର ଏକମାତ୍ର ସାହାରା ଥିବା ସାଇକେଲଟିକୁ ବିକ୍ରି କରିବା ପାଇଁ ଗ୍ରାହକ ଖୋଜୁଥିଲେ। ଏ କଥା ଉକ୍ତ ଧର୍ମଶାଳା ପରିଚାଳକ ଆମ ପ୍ରତିନିଧିଙ୍କୁ ଜଣାଇଥିଲେ।

ଏହାପରେ ଶ୍ରୀଧରଙ୍କୁ ସୀତାରାମ ତାଙ୍କ ଅସୁବିଧା ବିଷୟରେ ପଚାରିଥିଲେ। ଶ୍ରୀଧରଙ୍କ ଧର୍ମ ପତ୍ନୀ ଚିକିତ୍ସାରେ ଅବହେଳା ଲାଗି ମରିଯାଇଥିବା ବେଳେ ତାଙ୍କ ପୁତ୍ର ରହିବା ଘର ବିକ୍ରି କରିଦେଇ ଖୋର୍ଦ୍ଧା ଅରଗୁଳରେ ଏକ ସ୍ପେଆର ପାର୍ଟସ ଦୋକାନ କରି ସପରିବାର ରହୁଥିବା କଥା କହିଥିଲେ। ପିତାଙ୍କୁ ଘରୁ ତଡିଦେଇଥିବା ଶ୍ରୀଧର କୋହଭରା କଣ୍ଠରେ ଆମ ପ୍ରତିନିଧିଙ୍କୁ କହିଥିଲେ। ସେବେଠାରୁ ଶ୍ରୀଧର ନିରୁପାୟ ହୋଇ ଉକ୍ତ ଧର୍ମଶାଳାକୁ ଚାଲିଆସିଥିବା ବେଳେ ବର୍ତ୍ତମାନ ପଇସା ପାଖରେ ନଥିବାରୁ ବହୁ ଦୁଃଖରେ ସମୟ କାଟୁଛନ୍ତି। ଏପରିକି ଧର୍ମଶାଳା ପରିଚାଳକ ଶ୍ରୀଧରଙ୍କ ପାଖେ ପଇସା ନଥିବା ଜାଣି ମଧ୍ୟ ତାଙ୍କୁ ଆଶ୍ରୟ ଦେଇଥିଲେ।

ଶ୍ରୀଧରଙ୍କ ଶରୀର ମଧ୍ୟ ଅସୁସ୍ଥ ଥିବାରୁ ସେ ଅସହାୟ ହୋଇ ଉକ୍ତ ଧର୍ମଶାଳାରେ ପଡ଼ିରହିଥିଲେ। ତାଙ୍କୁ କୌଣସି ବୃଦ୍ଧାଶ୍ରମରେ ରଖିବା ବ୍ୟବସ୍ଥା ପ୍ରଶାସନ କରିବା ପାଇଁ ଶ୍ରୀଧର ଆମ ପ୍ରତିନିଧି ସୀତାରାମଙ୍କୁ ନେହୁରା ହୋଇଥିଲେ। ଏହାପରେ ସୀତାରାମ ଶ୍ରୀଧରଙ୍କ ଉକ୍ତ ସମସ୍ୟାକୁ ନେଇ ଜିଲ୍ଲା ଏବଂ ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ଆରମ୍ଭ ହୋଇଥିଲା ଶ୍ରୀଧରଙ୍କୁ ଥଇଥାନ କରିବା ଅଭିଯାନ।

ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ଏବଂ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଡା ବାଦଲ କୁମାର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ତତ୍ପରତା ଦେଖାଇଥିଲେ ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲ। ବିଡ଼ିଓ ବ୍ୟକ୍ତିଗତ ଭାବେ ଉକ୍ତ ଧର୍ମଶାଳାକୁ କର୍ମଚାରୀଙ୍କ ସାଥିରେ ଯାଇ ଅସୁସ୍ଥ ଶ୍ରୀଧରଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟ ପଚାରିବା ସହ ତାଙ୍କୁ କିଛି ଆର୍ଥିକ ସହାୟତା ମଧ୍ୟ ଯୋଗାଇଥିଲେ।

ଏହାପରେ ବିଡିଓ ଶ୍ରୀମତୀ ଅଗ୍ରୱାଲ ଶ୍ରୀଧରଙ୍କୁ ମଙ୍ଗରାଜପୁର ସ୍ଥିତ ସରକାରୀ ସହାୟତା ପ୍ରାପ୍ତ ଜନୈକ ବୃଦ୍ଧାଶ୍ରମରେ ଥଇଥାନ କରିଛନ୍ତି। ତତସହିତ ସୋମବାର ଦିନ ଶ୍ରୀଧରଙ୍କ ପୁତ୍ରଙ୍କ ନିକଟକୁ ପିତାଙ୍କ ଭରଣପୋଷଣ ପାଇଁ ନୋଟିସ ପଠାଇବେ ବୋଲି ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

ଜିଲ୍ଲା ପ୍ରଶାସନ ଏବଂ ବିଡ଼ିଓଙ୍କ ଉକ୍ତ ମହତ ପ୍ରଚେଷ୍ଟା ଏବଂ ତ୍ୱରିତ ପଦକ୍ଷେପ ଫଳରେ ଶ୍ରୀଧରଙ୍କ ଥଇଥାନ ବ୍ୟବସ୍ଥା ହୋଇଥିବାରୁ ଶ୍ରୀଧର ଆମ ପ୍ରତନିଧି ସୀତାରାମ, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏବଂ ବାଣପୁର ବିଡ଼ିଓଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା: ନିର୍ମାଣ ଶ୍ରମିକ କଲ୍ୟାଣ ସହାୟତା ଶିବିରରେ ୨ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ବାଣ୍ଟିଲେ ସାଂସଦ ମାନସ ମଙ୍ଗରାଜ

ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ସହକାରୀ ଶ୍ରମ କାର୍ଯ୍ୟାଳୟ, ବାଲୁଗାଁ ଅଧିନସ୍ଥ ବାଣପୁର, ବାଲୁଗାଁ ଓ ଚିଲିକା ବ୍ଲକ ତଥା ପୌର ପରିଷଦରେ ପଞ୍ଜୀକୃତ ନିର୍ମାଣ ଶ୍ରମିକମାନଙ୍କ ପାଇଁ ଏକ ସହାୟତା ଶିବିର ଅନୁଷ୍ଠିତ ହୋଇଯାଇଛି। ଯୁଗ୍ମ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ, ଭୁବନେଶ୍ୱର ଦ୍ୱାରା ପରଚାଳିତ ‘ନିର୍ମାଣ ଶ୍ରମିକ କଲ୍ୟାଣ’ ଯୋଜନା ଅଧିନରେ ଏହି ସହାୟତା ଶିବିର ପୂର୍ତ୍ତ ବିଭାଗ ଡାକବଙ୍ଗଳା, ସୁନାଖଳାଠାରେ ଆୟୋଜିତ ହୋଇଥିଲା। ଏହି ଶିବିରରେ କଲ୍ୟାଣ ବୋର୍ଡ ଅଧୀନରେ ପଂଜିକୃତ ୧୦୫ଜଣ ଶ୍ରମିକଙ୍କୁ ମୃତୁ୍ୟକାଳୀନ ସହାୟତା ବାବଦରେ ସେମାନଙ୍କ ମନୋନୀତ/ଉତ୍ତରାଧିକାରୀଙ୍କୁ ୨,୦୪,୦୦,୦୦୦/- ଓ ୧୦୩ ଜଣଙ୍କୁ ଅନ୍ତେଷ୍ଟିକ୍ରୀୟା ସହାୟତା ବାବଦରେ ୫,୧୫,୦୦୦/- ଟଙ୍କା ପ୍ରଦାନ କରାଯାଇଥିଲା।

ସେହିପରି ବିବାହକାଳୀନ ସହାୟତା ବାବଦରେ ୬୦ଜଣଙ୍କୁ ୨୯,୦୦,୦୦୦/-ଟଙ୍କା ସହାୟତା ରାଶି, ଶିକ୍ଷା ସହାୟତା ବାବଦରେ ୧୩୧ ଜଣଙ୍କୁ ୯,୦୯,୦୦୦./- ଟଙ୍କା, ପ୍ରସବକାଳୀନ ସହାୟତା ବାବଦରେ ୧୦ ଜଣଙ୍କୁ ୧,୦୦,୦୦୦/ ଟଙ୍କା ପ୍ରଦାନ କରାଯାଇଥିଲା। ଏହିସବୁ ସହାୟତା ବାବଦରେ ସର୍ବମୋଟ ୪୦୯ ଜଣଙ୍କୁ ୨,୪୮,୧୯,୦୦୦/- ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା।

ଏହି ଶିବିରରେ ରାଜ୍ୟସଭା ସାଂସଦ ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ ମୁଖ୍ୟ ଅତିଥିଭାବେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନାରେ ଅଧିକରୁ ଅଧିକ ନିର୍ମାଣ ଶ୍ରମିକ ଭଉଣୀ ଓ ଭାଇମାନେ ସାମିଲ ହେବା ପାଇଁ ନିବେଦନ କରିଥଲେ। ଏଥି ସହ ୨୩୭ ଜଣ ନୂତନ ଭାବେ ପଂଜିକୃତ ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ବଣ୍ଟନ କରାଯାଇଥିଲା।
ଏହି ଶିବିରକୁ ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ (ଖୋର୍ଦ୍ଧା) ଭୁବନେଶ୍ୱର ଶ୍ରୀ ପ୍ରଭାକର ବିଶ୍ୱାଳ ପରିଚାଳନା କରିବା ସହିତ ଯୋଜନା ବିଷୟରେ ଶ୍ରମିକମାନଙ୍କୁ ଅବଗତ କରାଇଥିଲେ।

ଏହି କାର୍ଯ୍ୟକ୍ରମରେ କଲ୍ୟାଣ ସଂଯୋଜକ ଲମ୍ବୋଦର ରାଉତଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଯୋଗଦେଇ ଥିଲେ। ଶେଷରେ ବାଲୁଗାଁ ସହକାରୀ ଶ୍ରମ ଅଧିକାରୀ ଚନ୍ଦନ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ବାଣପୁରରେ ଆନ୍ତର୍ଜାତିକ ବାଳିକା ଦିବସ ଓ ସୁରଭି-2023 ଅନୁଷ୍ଠିତ

ବାଣପୁର: ( ସୀତାରାମ ଅଗ୍ରୱାଲ) ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ମାନସିଂହ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ଲକସ୍ତରୀୟ ଆନ୍ତର୍ଜାତିକ ବାଳିକା ଦିବସ ଉପଲକ୍ଷେ ସୁରଭି 2023 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ତାପସ ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷା ଅଧିକାରୀ ସନାତନ ଜାଲି ଓ ଅତିରିକ୍ତ ଶିକ୍ଷାଧିକାରୀ ଅତିଥି ଭାବେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୫୨ଟି ପ୍ରାଥମିକ ଓ ୨୧ଟି ଉଚ୍ଚ ବିଦ୍ୟାଳୟର ୧୦୦ରୁ ଉର୍ଦ୍ଧ ବାଳିକା ବକୃତା , ଚିତ୍ରାଙ୍କନ ଓ ଗୀତ ଆଦି ପ୍ରତିଯୋଗିତାରେ ଭାଗ ନେଇଥିଲେ।

ସେଥିମଧ୍ୟରୁ ୧ମଶ୍ରେଣୀରୁ ୭ମଶ୍ରେଣୀ ପର୍ଯ୍ୟନ୍ତ ଜୁନିଅର ଶ୍ରେଣୀରୁ ୯ଜଣ ଏବଂ ୮ମ ଶ୍ରେଣୀରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ସିନିଅର ଶ୍ରେଣୀରୁ ୯ଜଣ ସମୁଦାୟ ୧୮ଜଣ ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ପୁରସ୍କୃତ ହୋଇଥିବା ଛାତ୍ରୀମାନଙ୍କ ମଧ୍ୟରୁ ୧ମ ସ୍ଥାନ ଅଧିକାର କରିଥିବା ଛାତ୍ରୀମାନେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାକୁ ମନୋନୀତ ହୋଇଥିଲେ। ପ୍ରଧାନ ଶିକ୍ଷକ ନିରୋଦ କୁମାର ସାମନ୍ତରାୟ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ତତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରାଯାଇଥିଲା।

Categories
ଆଞ୍ଚଳିକ

ବାଣପୁର ବ୍ଲକ ୧୪ ନମ୍ବର ଜୋନରେ ବିଜୁ ଜନତା ଦଳର ଜନସମ୍ପର୍କ ପଦ ଯାତ୍ରା

ଚିଲିକା (ସୀତାରାମ ଅଗ୍ରୱାଲ): ଚିଲିକା ନିର୍ବାଚନ ମଣ୍ଡଳୀ ବାଣପୁର ବ୍ଲକ ୧୪ ନମ୍ବର ଜୋନର ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ କୁମାର ଜଗତ ବଲ୍ହବ ମହାରଥା ଙ୍କ ନେତୃତ୍ୱରେ ୧୪ ନମ୍ବର ଜୋନ ର ବାଣପୁର ବ୍ଲକ ବିଜୁଜନତା ଦଳର ସଭାପତି ଭବାନୀ ଶଙ୍କର ବଳିୟାରସିଂ, ଗମ୍ବlରୀ ମୁଣ୍ଡା ସରପଞ୍ଚଙ୍କ ପ୍ରତିନିଧି ଚିନ୍ମୟ କୁମାର ପଟ୍ଟନାୟକ, ସରପଞ୍ଚ ରାକେଶ ପ୍ରଧାନ, ନାରୀ ନେତ୍ରୀ ସମେତ ବିଜୁଜନତା ଦଳର ବହୁ ମୁଖିଆ ମାନେ ଯୋଗ ଦେଇଥବା ବେଳେ ୧୪ ନମ୍ବର ଜୋନରୁ ହଜାର ହଜାର ସଂଖ୍ୟାରେ ବିଜୁ ଜନତା ଦଳର ସଦସ୍ୟ ମାନେ ଯୋଗ ଦେଇ ଜନ ସମ୍ପର୍କ ପଦଯାତ୍ରାକୁ ସଫଳ କରିଥିଲେ।

ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ ସବୁ ଯୋଜନା ସାମିଲ ହୋଇଛି ଏଥିରୁ କେହିବି ବଞ୍ଚିତ ନ ହୁଅନ୍ତୁ ଏବଂ ସରକାରଙ୍କ ହାତ ମୁଠାକୁ ଟାଣ କରିବା ସହିତ ଷଷ୍ଠ ଥର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନକୁ ସାକାର କରିବା ନିମନ୍ତେ ବିଜୁଜନତା ଦଳର କର୍ମୀମାନେ ଦିନ ରାତି ଏକ କରି ସଂଗଠନ ସୃଦୁଢ କରିବାକୁ ଆହ୍ୱାନ ଦେଇଥିଲେ।

ଏହି ପଦ ଯାତ୍ରା ଆୟତପୁର ଠାରୁ ଗମ୍ଭାରୀମୁଣ୍ଡା ପଞ୍ଚାୟତ ପର୍ଯ୍ୟନ୍ତ ଶେଷ ହୋଇଥିଲା।

Categories
ଆଞ୍ଚଳିକ

ବାଣପୁର ବ୍ଲକରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକ କୃତିବାସ ଭବନରେ ବିଜୁ ଯୁବ ଛାତ୍ର ଜନତା ଦଳର ତତ୍ୱାବଧାନରେ ବିରାଟ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଅଛି। ଏହି ଶିବିରକୁ ଖୋର୍ଦ୍ଧା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା ପ୍ରଦିପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।

ଏହି ରକ୍ତଦାନ ଶିବିରରେ ମହିଳାଙ୍କ ସମେତ ପୁରୁଷମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ। ଏଥିରେ ୧୧୫ ରୁ ଊର୍ଦ୍ଧ୍ଵ ୟୁନିଟ ରକ୍ତ ସଂଗ୍ରହ କରିଯାଇଥିବା ଜଣାପଡିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ ଯୁବକ ମାନେ ତୁମେ ରକ୍ତଦାନ କର ଯେପରି ମୋ ଓଡ଼ିଶାର କେହି ରକ୍ତର ଅଭାବରେ ମୃତ୍ୟୁବରଣ କରିବେ ନାହିଁ ଓ ବାହାନଗା ରେଳ ଦୃଘଟଣାରେ ସ୍ଥାନିୟ ଯୁବକ ମାନଙ୍କ କାର୍ଯ୍ୟକଳାପ ଉପରେ ଉପାଧ୍ୟକ୍ଷ ବକ୍ତବ୍ୟ ରଖିଥିଲେ।

କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ସାସଂଦ ପ୍ରତିନିଧି ମାନସ ପ୍ରଧାନ, କୁମାର ଜଗ୍ଗତ ବଲ୍ଲଭ ମହାରଥା, ମନୋଜ ପ୍ରଧାନ ବାଣପୁର ବ୍ଲକ ଯୁବ ସଭାପତି କୈଳାସ ମହାପାତ୍ର, ବେବିନା ତ୍ରିପାଠୀ, କବିତା ମହାପାତ୍ର, ଅଜୟ ରାଉଳ, ଚିତ୍ତରଂଜନ ସାମନ୍ତରାୟ ପ୍ରମୁଖ ଯୋଗଦେଇଥିଲେ।

ଏଥିରେ ସବଡ଼ିଭିଜିନାଲ ହସ୍ପିଟାଲର ରକ୍ତ ସଂଗ୍ରହ ଅଧିକାରୀ ଡକ୍ଟର ଗୋବିନ୍ଦଚନ୍ଦ୍ର ମହାପତ୍ରଙ୍କ ସହଯୋଗ କ୍ରମେ ଅନ୍ୟ ମେଡିକାଲ କର୍ମଚାରୀ ମାନେ ଅଂଶ କରିଥିଲେ। ଏହା ଦିବା ୧୦ ଘଣ୍ଟିକା ଠାରୁ ଆରମ୍ଭ ହୋଇ ଦିନ ଓ୨ ଘଣ୍ଟିକା ପର୍ଯ୍ୟନ୍ତ ରକ୍ତଦାନ ଚାଲୁ ରହିଥିଲା। ରକ୍ତଦାନ କରି ସମସ୍ତ ଦାତା ମାନେ ଖୁସି ବ୍ୟକ୍ତ କରିଥିଲେ।

Categories
ଆଞ୍ଚଳିକ

ବାଣପୁର ବ୍ଲକରେ ଆଇନ ସହାୟକ ଭାବେ ଦୁଇ ଓକିଲଙ୍କୁ ମିଳିଲା ନିଯୁକ୍ତି

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଆଇନ ସହାୟକ ଭାବେ ଦୁଇ ବରିଷ୍ଠ ଆଇନଜୀବୀଙ୍କୁ ନିଯୁକ୍ତି ମିଳିଛି। ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଉକ୍ତ ନିଯୁକ୍ତି ଦିଆଯାଇଛି। ଆଇନଜୀବୀ ଦ୍ବୟ ହେଲେ ରଞ୍ଜନ କୁମାର ବେଦମତ୍ତା ଏବଂ ବିଭୁତି ନାୟକ।

ଉକ୍ତ ଦୁଇ ଆଇନଜୀବୀ ବର୍ତ୍ତମାନ ବାଣପୁର କୋର୍ଟରେ ଓକିଲାତି ଜାରି ରଖିଛନ୍ତି।  ବ୍ଲକ କାର୍ଯ୍ୟାଳୟକୁ ଆସୁଥିବା ବିଭିନ୍ନ ଅସହାୟ ଏବଂ ଗରିବ ନାଗରିକ ମାନଙ୍କୁ ସେମାନେ ନିଃଶୁଳ୍କ ଆଇନଗତ ସହାୟତା ଯୋଗାଇବେ। ଏ ନେଇ ଆଜି ଖୋର୍ଦ୍ଧା ଜିଲ୍ଲା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ନିଶିଥ ନିଶଙ୍କ ଜିଲ୍ଲାର ସମସ୍ତ ବ୍ଲକରେ ଏକାଧିକ ଆଇନଜୀବୀ ମାନଙ୍କୁ ଆଇନ ସହାୟକ ଭାବେ ନିଯୁକ୍ତି ଦେଇଛନ୍ତି।

ନିଯୁକ୍ତିପତ୍ର ଗ୍ରହଣ କରିବା ପରେ ଆଜି ଅପରାହ୍ନରେ ଉକ୍ତ ଦୁଇ ଆଇନଜୀବୀ ବାଣପୁର ବ୍ଲକ କାର୍ଯ୍ୟାଳୟକୁ ଯାଇ ନିଜର ନୂତନ ଦାଇତ୍ୱ ଗ୍ରହଣ କରିଛନ୍ତି।  ବାଣପୁର ବ୍ଲକର ନିଷ୍ପେସିତ ଏବଂ ଅସହାୟ ନାଗରିକମାନଙ୍କୁ ଆଇନ ସହାୟତା ଯୋଗାଇବା ଦିଗରେ ପ୍ରତିକାରବଦ୍ଧ ବୋଲି ଉଭୟ ଆଇନଜୀବୀ ଗଣମାଧ୍ୟମକୁ କହିଛନ୍ତି। ତେବେ ଉଭୟ ଆଇନଜୀବୀଙ୍କୁ ନୂତନ ନିଯୁକ୍ତି ପାଇଁ ବାଣପୁର ଓକିଲ ସଂଘ ଅଭିନନ୍ଦନ ଜଣାଇଛି।

Categories
ଆଞ୍ଚଳିକ

ବାଣପୁର ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ପରିସରରେ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଅତିରିକ୍ତ ଏସପି ସୁରେନ୍ଦ୍ରନାଥ ମୁର୍ମୁ , ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ବାଦଲ ମହାନ୍ତି, ଉପଜିଲ୍ଲାପାଳ ଦିପ୍ତୀରଞ୍ଜନ ସେଠି,ବିଡ଼ିଓ ଶୀତଲ ଅଗ୍ରୱାଲ, ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ସିଡ଼ିଏମଓ ଡା ଆର୍ତ୍ତବନ୍ଧୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ବାଣପୁର ବ୍ଲକ ଅନ୍ତର୍ଗତ ମୋଟ ୧୭ ଟି ପଞ୍ଚାୟତ ଓ ଏନଏସିର ବିଭିନ୍ନ ସ୍ଥାନରୁ ସମୁଦାୟ ୧୫୭ଟି ଦରଖାସ୍ତ ବିଚାର ପାଇଁ ଆସିଥିବା ବେଳେ ତନ୍ମଧ୍ୟରୁ ୧୫୩ ଟି ବ୍ୟକ୍ତିଗତ ଓ ୨ ଗୋଟି ସାମୁହିକ ଦରଖାସ୍ତ ଥିଲା। ତତ୍କାଳ ଦୁଇଟି ଆବେଦନର ସମାଧାନ ହୋଇଥିଲା। ଏହି ଅବସରରେ ବାଣପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ, ଯନ୍ତ୍ରୀ, ସ୍ଵାସ୍ଥ୍ୟ ବିଭାଗ ଅଧିକାରୀ, ସିଡିପିଓ, ବିଭିନ୍ନ ପଦସ୍ଥ ଅଧିକାରୀ, ୧୭ଟି ପଞ୍ଚାୟତର ଜନ ପ୍ରତିନିଧିମାନେ ଉପସ୍ଥିତ ରହି ସମସ୍ୟା ସମାଧାନ ଦିଗରେ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ଆଜି ବାଣପୁର ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର: ହଠାତ ମେଡିକାଲ ପରିଦର୍ଶନ କଲେ ସିଡ଼ିଏମଓ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ବାଣପୁର ବ୍ଲକରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ ହେବ। ତେବେ ହଠାତ ବାଣପୁର ମେଡିକାଲ ଗସ୍ତରେ ସିଡ଼ିଏମଓ ଡା ଆର୍ତ୍ତବନ୍ଧୁ ନାୟକ ଆସିଥିଲେ। ଡା ନାୟକ ବାଣପୁର ମେଡିକାଲ ପରିସରରେ ରୋଗୀଙ୍କୁ ଦିଆ ଯାଉଥିବା ବିଭିନ୍ନ ସେବା ଗୁଡିକ ତଦାରଖ କରିଥିଲେ। ମେଡିକାଲ ପରିସରରେ ଚାଲିଥିବା ସମସ୍ତ ବହିର୍ବିଭାଗ ସେଣ୍ଟରକୁ ଯାଇ ସେଠାରେ କାର୍ଯ୍ୟରତ ଡାକ୍ତରଙ୍କୁ ସେ ବିଭିନ୍ନ ବିଷୟ ପଚାରିଥିଲେ।

ରୋଗୀ ମାନଙ୍କ ସଠିକ କ୍ରମରେ ନାମ ପଞ୍ଜିକରଣ, ଉପଯୁକ୍ତ ସେବା, ବେସରକାରୀ ମେଡ଼ିସିନ ପ୍ରେସକ୍ରାଇବ ନକରିବା ଆଦି ବିଷୟରେ ତାଗିଦ କରିଥିଲେ। ଏହି ସମୟରେ କିଛି ଜନସାଧାରଣ ବାଣପୁର ମେଡିକାଲରେ ଆଖି ଓ ଦାନ୍ତ ଡାକ୍ତରଙ୍କୁ ନିଯୁକ୍ତି ଦେବା ପାଇ ସିଡ଼ିଏମଓ ଙ୍କୁ ଅନୁରୋଧ କରିଥିବା ବେଳେ ଜଣେ ଫିଜିଓଥେରାପି ଡାକ୍ତର ବାଣପୁର ମେଡିକାଲରେ ନିକଟରେ ନିଯୁକ୍ତି ହୋଇଛନ୍ତି ଏବଂ ଅନ୍ୟ ବିଭାଗର ଡାକ୍ତରମାନେ ଖୁବ ଶୀଘ୍ର ନିଯୁକ୍ତି ହେବେ ବୋଲି ସିଡ଼ିଏମଓ ଡା ନାୟକ କହିଥିଲେ।

ବାଣପୁର ମେଡିକାଲ ଆମ ହସ୍ପିଟାଲ ଯୋଜନାରେ ସାମିଲ ହୋଇଥିବାରୁ ଖୁବଶୀଘ୍ର ଏହାର କୟାକଳ୍ପ ହେବ ବୋଲି ସିଡ଼ିଏମଓ କହିଥିଲେ। ତତସହିତ ମେଡିକାଲ ଅଧିକାରୀ ଡା ରମାକାନ୍ତ ନାୟକଙ୍କ ସହ ମେଡିକାଲର ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରି ବ୍ଲକ ଅଭିମୁଖେ ସିଡ଼ିଏମଓ ଗସ୍ତ କରିଥିଲେ।

Categories
ଆଞ୍ଚଳିକ

ବାଣପୁର ବ୍ଲକରେ ନୂତନ ବିଜୁ ଯୁବ ଜନତା ଦଳର ସଭାପତି ହେଲେ କୈଳାଶ ମହାପାତ୍ର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ନୂତନ ବିଜୁ ଯୁବ ଜନତା ଦଳର ସଭାପତି ଭାବେ କୈଳାଶ ମହାପାତ୍ରଙ୍କୁ ନିଯୁକ୍ତି ମିଳିଛି। ଶ୍ରୀ ମହାପାତ୍ରଙ୍କୁ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟ ଏହି ନିଯୁକ୍ତି ଦେଇଛନ୍ତି। ଶ୍ରୀ ମହାପାତ୍ର ବିଜେଡିର ଜଣେ ଭଲ ସଂଗଠକ ଭାବେ ବାଣପୁର ଅଞ୍ଚଳରେ ବେଶ ପରିଚିତ। ଦଳ ପ୍ରତି ତାଙ୍କର ନିଷ୍ଠା ଓ କର୍ତ୍ତବ୍ୟପରାୟଣତା କୁ ଦେଖି ତାଙ୍କୁ ଏହି ନୂତନ ନିଯୁକ୍ତି ମିଳିଛି।

ତେବେ ନୂତନ ଦାଇତ୍ୱ ମିଳିବା ପରେ ବାଣପୁର ବ୍ଲକରେ ଯୁବ ବିଜେଡିକୁ ଆହୁରି ସକ୍ରିୟ କରିବା ସହ ଆଗାମୀ ଦିନରେ ଦଳ କିପରି ସାଧାରଣ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ସେ ଦିଗରେ କାମ କରିବେ ବୋଲି କହିଛନ୍ତି ଶ୍ରୀ ମହାପାତ୍ର। ନୂତନ ଦାୟିତ୍ୱ ମିଳିବା ପରେ ଶ୍ରୀ ମହାପାତ୍ରଙ୍କୁ ଦଳୀୟ କର୍ମୀମାନେ ଶୁଭେଚ୍ଛା ଜଣାଇଛନ୍ତି।

Categories
ଆଞ୍ଚଳିକ

ବାଣପୁର: ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନ୍ତର୍ଗତ ବିଜ୍ଞାନ ମେଳା ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ
ବାଣପୁର: ଆଜି ବାଣପୁର ବ୍ଲକ ଶିକ୍ଷାବିଭାଗ ଭୀମପୁର ଠାରେ ଥିବା ବାନାମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଏକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା। ଯାହାକି କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତରଫରୁ ଆୟୋଜିତ ହୋଇଥିଲା।

ଉକ୍ତ ବିଜ୍ଞାନ ମେଳାରେ ବ୍ଲକ ଶିକ୍ଷା ଅଧିକାରୀ ସନାତନ ଜାଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅତିରିକ୍ତ ଶିକ୍ଷାଅଧିକାରୀ ସାନ୍ଧ୍ୟରାଣୀ ହରିଚନ୍ଦନ, ସିଆରସିସି କୈଳାସ ଚନ୍ଦ୍ର ହୋତା ଏବଂ ବାନାମ୍ବର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଧାକାନ୍ତ ଗଡ଼ନାୟକ ସହ ଅତିଥିଭାବେ ପ୍ରକଳ୍ପ ଗୁଡିକର ପରୀକ୍ଷଣ କରିଥିଲେ। ବ୍ଲକର ସମୁଦାୟ ୧୯ ଟି ବିଦ୍ୟାଳୟ ମଧ୍ୟରୁ ୧୭ ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇଥିଲେ। ସର୍ବମୋଟ ୨୬ ଟି ବିଜ୍ଞାନ ପ୍ରକଳ୍ପ ଛାତ୍ରଛାତ୍ରୀ ମାନେ ପ୍ରଦର୍ଶିତ କରିଥିଲେ। ସେଥିରୁ ୧୦ ଟି ପ୍ରକଳ୍ପ ଉତ୍କୃଷ୍ଟ ଧରଣର ହୋଇଥିବାରୁ ଜିଲ୍ଲାସ୍ତରରେ ପ୍ରଦର୍ଶିତ ପାଇଁ ଅତିଥି ମାନେ ଯୋଗ୍ୟ ବିବେଚିତ କରିଥିଲେ।

ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆୟୋଜିତ ବର୍ଜ୍ୟବସ୍ତୁ ଗୁଡିକର ସୁ ପରିଚାଳନା ଏବଂ ଲାଇ – ଫାଇ ପ୍ରକଳ୍ପକୁ ଅତିଥି ମାନେ ଭୁୟସୀ ପ୍ରଂଶସା କରିଥିଲେ। ଯେଉଁଭଳି ଇଣ୍ଟରନେଟ ମାଧ୍ୟମରେ ଲେଖା, ଫୋଟୋ ଯାତାୟତ ହୁଏ ଅନୁରୂପ ଭାବେ ଲାଇଟ ମାଧ୍ୟମରେ ମଧ୍ୟ ପ୍ରତ୍ୟେକ ଫୋଟୋ ଓ କଥା ଲାଇଫାଇ ମାଧ୍ୟମରେ ପ୍ରେରଣ କରାଯାଇ ପାରିବ ବୋଲି ପ୍ରକଳ୍ପ ନିର୍ମାଣ କରିଥିବା ଛାତ୍ର ବଳରାମ ସ୍ୱାଇଁ ଅତିଥି ମାନଙ୍କୁ ବ୍ୟାଖ୍ୟା କରିଥିଲେ।

ଜିଲ୍ଲା ସ୍ତରକୁ ଯୋଗ୍ୟ ବିବେଚିତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଶ୍ରୀଯୁକ୍ତ ଜାଲି ମାନପତ୍ର ଦେଇ ସମ୍ବର୍ଦ୍ଧନା କରିଥିଲେ।  ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।