ବାଣପୁର: ସମ୍ଭାବ୍ୟ ବାତ୍ୟା ‘ଅକଭାନ’କୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଜାରି ରହିଛି। ଜିରୋ କାଜୁଆଲିଟି ଲକ୍ଷ୍ୟ ନେଇ ମାଟି କାନ୍ଥ ଓ କଚ୍ଚା ଘରେ ରହୁଥିବା ବିପଦସଙ୍କୁଳ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି। ଏଥିସହ ଆଶ୍ରୟସ୍ଥଳୀଗୁଡ଼ିକରେ ପାନୀୟ ଜଳ, ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯାଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ଆଜି ଖୋର୍ଦ୍ଧା ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତିଶଙ୍କର ସାହୁ ବାତ୍ୟାର ମୁକାବିଲା ନେଇ ବାଣପୁର ବ୍ଲକ ଠାରେ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଉକ୍ତ ବୈଠକରେ ଖୋର୍ଦ୍ଧା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା, ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଉପ ଜିଲ୍ଲାପାଳ ସ୍ବସ୍ତିକ ସାହୁ, ବିଡିଓ ଦାଶରଥୀ ଜେନା, ତହସିଲଦାର ହରପ୍ରୀୟା ମଲ୍ଲିକ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ମୃତିରଞ୍ଜନ ଜେନା, ବ୍ଲକ ମଙ୍ଗଳ ଅଧିକାରୀ, ପାନୀୟଜଳ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅଧିକାରୀ ପ୍ରମୁଖମାନଙ୍କ ସହ ଶ୍ରୀ ସାହୁ ଆଲୋଚନା କରିଛନ୍ତି।


