
ପୁରୀ: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପୁରୀ ଗସ୍ତ କରି ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଆସନ୍ତା ୨୭ ତାରିଖରେ ମହାପ୍ରଭୁଙ୍କର ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ କିଭଳି ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ କରାଯିବ ସେ ନେଇ ମୁଖ୍ୟ ଶାସନ ସଚିବ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ଶ୍ରୀ ଆହୁଜା ନୀତି ପ୍ରଶାସକ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଥିଲେ। ସେ ରଥ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିବା ସହିତ ତିନି ରଥର ମୁଖ୍ୟ ବିଶ୍ବକର୍ମାଙ୍କ ସହ ଆଲୋଚନା କରିଛନ୍ତି।
ମହାପ୍ରଭୁଙ୍କ ଆଶୀର୍ବାଦରୁ ସୁଚାରୁ ରୂପେ ରଥଯାତ୍ରା ଆୟୋଜନ ପାଇଁ ପ୍ରଶାସନିକ ସ୍ତରରେ ଜୋରଦାର ପ୍ରସ୍ତୁତି ଚାଲିଛି। ତିନି ରଥର ନିର୍ମାଣ କାମ ଦ୍ରୁତଗତିରେ ଆଗେଇ ନିଆଯାଉଛି। ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା କରାଯାଇଛି। ସେହିପରି ଶ୍ରୀମନ୍ଦିର ସିଂହଦ୍ବାରଠାରେ ଚାଲିଥିବା ସମସ୍ତ ଚିତ୍ର କାର୍ଯ୍ୟକୁ ମଧ୍ୟ ମୁଖ୍ୟ ଶାସନ ସଚିବ ବୁଲି ଦେଖିଛନ୍ତି। ଏଥର ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ଆୟୋଜନ ନେଇ ସେ ଆଶାବ୍ୟକ୍ତ କରିଛନ୍ତି।