ଭୁବନେଶ୍ଵର: IIT ମାଡ୍ରାସ ସହିତ ମିଳିତ ଭାବରେ ଓଡ଼ିଶା ସରକାର, ଏକ ଅଗ୍ରଣୀ ରିଅଲ୍-ଟାଇମ୍ ସଡ଼କ ସଚେତନତା ଏବଂ ଟ୍ରାଫିକ ସମନ୍ୱୟ ଭିତ୍ତିକ ସଡ଼କ ସୁରକ୍ଷା ଡ୍ୟାସବୋର୍ଡ ବିକଶିତ କରୁଛନ୍ତି। ବାଣିଜ୍ୟ ଏବଂ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ପଦକ୍ଷେପ ନେଇ ଆଲୋଚନା ହୋଇଛି। ସଡ଼କ ସୁରକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ସହ ଡଜିଟାଲ୍ ସମାଧାନ ପାଇଁ ରିଅଲ-ଟାଇମ୍ ତଥ୍ୟ, ବିଶ୍ଳେଷଣ ଏବଂ ଭିଜୁଆଲ୍ ଇନସାଇଟ୍ ପ୍ରଦାନ କରିବା ବ୍ୟବସ୍ଥା ସହ ଏହି ଡ୍ୟାସବୋର୍ଡକୁ ବିକଶିତ କରାଯାଉଛି।
ଏହି ଅବସରରେ ଶ୍ରୀମତୀ ପାଢୀ କହିଛନ୍ତି, ସଡ଼କ ସୁରକ୍ଷା ଏକ ସାମୂହିକ ଦାୟିତ୍ୱ ଏବଂ ଏହି ଡ୍ୟାସବୋର୍ଡ ଜୀବନ ରକ୍ଷା ପାଇଁ ରିଅଲ୍-ଟାଇମ୍ ତଥ୍ୟ, ନାଗରିକ ଇନପୁଟ୍ ଏବଂ ସାଂସ୍ଥାଗତ ସମନ୍ୱୟ ବ୍ୟବହାର କରିବାରେ ଏକ ପ୍ରମୁଖ ପଦକ୍ଷେପ। ଏହା ଓଡ଼ିଶାରେ ଏକ ସୁରକ୍ଷିତ ଏବଂ ଅଧିକ ପ୍ରତିକ୍ରିୟାଶୀଳ ପରିବହନ ଇକୋସିଷ୍ଟମ ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଏହି ବୈଠକରେ ପରିବହନ କମିଶନର ଅମିତାଭ ଠାକୁର, କ୍ରାଇମବ୍ରାଞ୍ଚ ଆଇଜି ସାର୍ଥକ ଷଡ଼ଙ୍ଗୀ, ଆଇପିଏସ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।