ନୂଆଦିଲ୍ଲୀ: ଟ୍ରମ୍ଫଙ୍କ ଶୁଳ୍କକୁ ସମାଲୋଚନା କରିବା ପରେ ଆଜି ଜନ୍ ବୋଲ୍ଟନଙ୍କ ଘରେ FBI ଚଢାଉ କରିଛି। ଜନ୍ ବୋଲ୍ଟନ ଟ୍ରମ୍ପଙ୍କ ପୂର୍ବତନ ସହଯୋଗୀ ଥିଲେ ଏବଂ ଶୁଳ୍କକୁ ନେଇ ଅନେକ ଥର ଆମେରିକୀୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।
ସୂଚନା ଅନୁଯାୟୀ, ଡକ୍ୟୁମେଣ୍ଟ ସମ୍ପର୍କିତ ତଦନ୍ତର ଅଂଶ ଭାବରେ FBI ଅଧିକାରୀମାନେ ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଜନ୍ ବୋଲ୍ଟନଙ୍କ ୱାଶିଂଟନ ଡିସି ବାସଭବନରେ ଚଢାଉ କରିଥିଲେ।
ଜଣେ ଅଧିକାରୀ କହିଛନ୍ତି ଯେ, FBI ନିର୍ଦ୍ଦେଶକ କାଶ ପଟେଲଙ୍କ ନିର୍ଦ୍ଦେଶରେ ସକାଳ ୭ଟା ସମୟରେ ମେରିଲ୍ୟାଣ୍ଡରେ ଥିବା ବୋଲ୍ଟନଙ୍କ ଘରେ ଚଢାଉ କରାଯାଇଥିଲା। ଚଢାଉ ଆରମ୍ଭ ହେବାର କିଛି ସମୟ ପରେ ପଟେଲ X ରେ ପୋଷ୍ଟ କରି ଲେଖିଥିଲେ ଯେ, “ଆଇନଠାରୁ କେହି ଉର୍ଦ୍ଧ୍ୱ ନୁହଁନ୍ତି। FBI ଏଜେଣ୍ଟମାନେ ଏକ ମିଶନରେ ଅଛନ୍ତି।”
ବୋଲ୍ଟନ୍ X ରେ ଏକ ପୋଷ୍ଟରେ କହିଥିଲେ ଯେ, “ଟ୍ରମ୍ପ୍ ରୁଷୀୟ ତେଲ କିଣିବା ପାଇଁ ଭାରତ ଉପରେ ଶୁଳ୍କ ଲଗାଇଛନ୍ତି, କିନ୍ତୁ ଚୀନ୍ କୁ ଛାଡ କରିଛନ୍ତି, ଏହା ଭାରତ ରୁଷ-ଚୀନର ନିକଟତର ହେବାର କାରଣ ହୋଇପାରେ। ଟ୍ରମ୍ପ ପ୍ରଶାସନର ଏଥିପ୍ରତି ଧ୍ୟାନ ନ ଦେବା ଏକ ଅନିଚ୍ଛାକୃତ ଭୁଲ।”
ହିନ୍ଦୁସ୍ତାନ ଟାଇମ୍ସକୁ ଏକ ସାକ୍ଷାତକାରରେ ବୋଲ୍ଟନ୍ କହିଥିଲେ ଯେ, ଟ୍ରମ୍ପଙ୍କୁ ଭାରତ ସହିତ ସମ୍ପର୍କ ସୁଧାରିବା ଆବଶ୍ୟକ। ସେ କହିଥିଲେ ଯେ, “ଆମକୁ ସମ୍ପର୍କର କ୍ଷତି ଉପରେ ଧ୍ୟାନ ଦେବା ଉଚିତ। ଆମେ ଚିନ୍ତା କରିବା ଉଚିତ ଯେ, ଭାରତ ସହିତ ସମ୍ପର୍କକୁ କିପରି ଯଥାଶୀଘ୍ର ଉନ୍ନତ କରାଯାଇପାରିବ। ଭାରତ ଏବଂ ଆମେରିକାର ସମ୍ପର୍କ ଖରାପ ଅବସ୍ଥାରେ ଅଛି। ଏହା ଭାରତକୁ ଚୀନ୍ ଏବଂ ରୁଷର ନିକଟତର କରୁଛି, ଯାହା ଭବିଷ୍ୟତରେ ଆମେରିକା ପାଇଁ ସମସ୍ୟା ସୃଷ୍ଟି କରିପାରେ।”
ବୋଲ୍ଟନ୍ କହିଥିଲେ ଯେ, “ଯଦି ଟ୍ରମ୍ପ୍ ଏବଂ ଆମେରିକାର ଭାରତ ରୁଷୀୟ ତେଲ କିଣିବା, ଏହାକୁ ବିଶୋଧନ କରିବା ଏବଂ ଅନ୍ତର୍ଜାତୀୟ ବଜାରରେ ବିକ୍ରୟ କରିବାରେ ସମସ୍ୟା ଅଛି, ତେବେ ଏହା ଉପରେ ଆଲୋଚନା ହେବା ଉଚିତ। ଏହା ମଧ୍ୟ ସତ୍ୟ ଯେ ଭାରତ କୌଣସି ପ୍ରକାରର ପ୍ରତିବନ୍ଧକ ଉଲ୍ଲଂଘନ କରିନାହିଁ।”