ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୁର ସମୟରେ ଭାରତ ପାକିସ୍ତାନକୁ ଗଭୀର ଝଟକା ଦେଇଥିଲା। ଅପରେସନ୍ ର କିଛି ମାସ ପରେ ମଧ୍ୟ ବଡ଼ ଖୁଲାସା କରାଯାଉଛି। ଜୈଶ-ଏ-ମହମ୍ମଦର ଶୀର୍ଷ କମାଣ୍ଡର ମାସୁଦ ଇଲିଆସ୍ କାଶ୍ମୀରୀ ଆତଙ୍କବାଦୀ ମସୁଦ ଆଝାରର ପରିବାର ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ଯେତେବେଳେ ଭାରତ ମେ ୭ ତାରିଖରେ ବହାୱାଲପୁର ଉପରେ ଆକ୍ରମଣ କରିଥିଲା, ସେତେବେଳେ ମସୁଦ ଆଝାରର ପରିବାରକୁ ଖଣ୍ଡ ଖଣ୍ଡ କରି ଦିଆଯାଇଥିଲା।
ଜୈଶ-ଏ-ମହମ୍ମଦର କମାଣ୍ଡର ଇଲିଆସ୍ କାଶ୍ମୀରୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ କହିଛନ୍ତି ଯେ, ଅପରେସନ୍ ସିନ୍ଦୁର ସମୟରେ ମାସୁଦ ଆଝାରର ପରିବାର ବହୁତ କଷ୍ଟ ପାଇଛି। ମସୁଦ ଆଝାରର ପରିବାର ସମ୍ପର୍କରେ ଇଲିଆସ୍ କହିଛନ୍ତି ଯେ, “ସର୍ବସ୍ୱ ବଳିଦାନ ଦେବା ପରେ ମେ ୭ ତାରିଖରେ ମୌଲାନା ମାସୁଦ ଆଝାରର ପରିବାର ସଦସ୍ୟ ବାହାୱାଲପୁରରେ ଖଣ୍ଡ ଖଣ୍ଡ କରି ଦିଆଯାଇଥିଲା।”
ଭାରତୀୟ ସେନା ଜୈଶର ମୁଖ୍ୟାଳୟକୁ ଟାର୍ଗେଟ କରିଥିଲା
ବହାୱଲପୁର ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଅବସ୍ଥିତ। ଏଠାରେ ମର୍କଜ ସୁଭାନ ଆଲ୍ଲାହ ନାମକ ଏକ ମସଜିଦ ଅଛି, ଯେଉଁଥିରେ ଜୈଶ-ଏ-ମହମ୍ମଦର ମୁଖ୍ୟାଳୟ ରହିଛି। ଭାରତୀୟ ସେନା ଅପରେସନ ସିନ୍ଦୁର ସମୟରେ ଜୈଶର ମୁଖ୍ୟାଳୟ ସମେତ ଅନେକ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିଥିଲା। ଭାରତର ଏହି ଆକ୍ରମଣରେ ଆତଙ୍କବାଦୀମାନେ ବହୁ କ୍ଷତି ସହିଥିଲେ। ଜୈଶର ସମ୍ପୂର୍ଣ୍ଣ ଘାଟି ଧ୍ୱଂସ ପାଇଥିଲା। ମସୁଦ ଆଝାରର ପରିବାର ମଧ୍ୟ ଏହି ଜୈଶ ଘାଟିରେ ରହୁଥିଲେ। ଭାରତୀୟ ସେନାର କର୍ଣ୍ଣେଲ ସୋଫିଆ କୁରେଶୀ ଏକ ପ୍ରେସ ବ୍ରିଫିଂରେ ନିଶ୍ଚିତ କରିଥିଲେ ଯେ, ଭାରତ ବିରୁଦ୍ଧରେ ଆକ୍ରମଣ ଜୈଶର ମୁଖ୍ୟାଳୟରୁ ଯୋଜନା କରାଯାଇଥିଲା।
ଭାରତ ଅପରେସନ ସିନ୍ଦୁର ମାଧ୍ୟମରେ ପହଲଗାମର ପ୍ରତିଶୋଧ ନେଇଥିଲା
ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଅପରେସନ ସିନ୍ଦୁର ଆରମ୍ଭ କରିଥିଲା। ଏହି ସମୟରେ ଭାରତୀୟ ସେନା ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଅବସ୍ଥିତ ନଅଟି ଆତଙ୍କବାଦୀ ଆଡ୍ଡାକୁ ଧ୍ଵଂସ କରିଥିଲା। ଭାରତର ଆକ୍ରମଣରେ ଶହେରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ସେନା ବହାବଲପୁର ସହିତ ମୁରିଦକେ, ସିଆଲକୋଟ, କୋଟଲି ଏବଂ ମୁଜାଫରାବାଦକୁ ଟାର୍ଗେଟ କରିଥିଲା।