ଭୁବନେଶ୍ବର: ଆଜି ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ ହୋଇଛି। ତେବେ ଶୋକ ପ୍ରସ୍ତାବ ଆଗତ ପରେ ଆଜିର ଅଧିବେସନ ଗୋଟିଏ ଦିନ ପାଇଁ ମୁଲତବି ହୋଇଛି। ତେବେ ଏହାପରେ ବିଧାନସଭା ପରିସରରେ ମାଙ୍କ ପାଇଁ ଗଛଟିଏ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ବିଧାନସଭା ପରିସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏକ ଚନ୍ଦନ ଗଛ ଲଗାଇଥିଲେ।
ଏହାପରେ ସମସ୍ତ ଗଣମାଧ୍ୟମ ତାଙ୍କଠାରୁ ପ୍ରତିକ୍ରିୟା ନେବା ପାଇଁ ଅପେକ୍ଷା କରିଥିଲେ। ହେଲେ ହଠାତ ଅନ୍ୟତମ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ନ୍ୟୁଜ ଏଜେନ୍ସି ଏଏନଆଇ ର ବୁମ ଟି ଧରି ପ୍ରଭାତୀଙ୍କ ପ୍ରଶ୍ନ କରିଥିଲେ। ଏହା ଦେଖି ପ୍ରଭାତୀ ଜୋରରେ ହସିଥିଲେ।
କନକବର୍ଦ୍ଧନ ଏହାକୁ ଖାତିରି ନ କରି ଜଣେ ସତସତିକା ସାମ୍ବାଦିକଙ୍କ ପରି ପ୍ରଶ୍ନ କରିଥିଲେ। ସେ ପଚାରିଥିଲେ ଯେ, ଆଜି ଆପଣ ଯେଉଁ ଚନ୍ଦନ ଗଛ ଲଗାଇଲେ ସମାଜକୁ କଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି। ପ୍ରଭାତୀ କିଛି ଓଡିଆରେ କହିବାକୁ ଯିବା ବେଳେ କନକବର୍ଦ୍ଧନ କହିଲେ, ଏହା ହିନ୍ଦି ଚ୍ୟାନେଲ ହିନ୍ଦିରେ କୁହନ୍ତୁ। ଏହାପରେ ପ୍ରଭାତୀ ହିନ୍ଦିର କହିଥିଲେ ଯେ, ମା ପରି ପ୍ରକୃତିକୁ ମଧ୍ୟ ସମସ୍ତେ ଭଲ ପାଆନ୍ତି। ସେଥିପାଇଁ ମା ଙ୍କ ନାମରେ ସମସ୍ତେ ଗଛଟିଏ ଲଗାନ୍ତୁ। ଏହାପରେ କନକବର୍ଦ୍ଧନ ପ୍ରଭାତୀଙ୍କୁ ଧନ୍ୟବାଦ ଦେଇଥିଲେ।