ଭୁବନେଶ୍ବର: ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ବିଧାନସଭା ଅଧିବେଶନ ନେଇ ଗତକାଲି କଂଗ୍ରେସ ବିଧାୟକ ଦଳ ରଣନିତୀ ବୈଠକରେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଊପସ୍ଥିତିରେ କଂଗ୍ରେସ ଚଳିତ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି ନିଷ୍ପତ୍ତି ଗ୍ରହଣ କରିଥିଲା।
ସେହି ଅନୁସାରେ ଆଜି କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀଯୁକ୍ତ କାଡାମଙ୍କ ନେତୃତ୍ବରେ ବାଚସ୍ପତିଙ୍କ ଊଦ୍ଦେଶ୍ୟରେ ଅନାସ୍ଥା ପ୍ରସ୍ତାବ ନୋଟିସ ଦିଆଯାଇଛି। ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବା ପାଇଁ ପନ୍ଦର ଜଣ ବିଧାୟକଙ୍କ ସମର୍ଥନ ଥିବା ସମ୍ବଳିତ ନୋଟିସ ବାଚସ୍ପତିଙ୍କ ଊଦ୍ଦେଶ୍ୟରେ ବିଧାନସଭା ସଚିବଙ୍କୁ ପ୍ରଦାନ କରାଯାଇଛି।
ବହୁ ପୂର୍ବରୁ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ ରାଜ୍ୟରେ ମହିଳାମାନଙ୍କ ବିରୋଧରେ ହେଊଥିବା ଅତ୍ୟାଚାର,ଗଣଧର୍ଷଣ,ହତ୍ୟା ଓ ଅନ୍ୟାନ୍ୟ ପାଶବିକ ଅତ୍ୟାଚାର ବହୁ ମାତ୍ରାରେ ବୃଦ୍ଧି ପାଊଥିଲେ ମଧ୍ୟ ସରକାର ଏଭଳି ପରିସ୍ଥିତିକୁ ଆୟତ୍ତ କରିବାରେ ବିଫଳ ହୋଇଥିବା କହିଥିଲେ । ଓଡିଶା ଆଜି ମହିଳା ଅତ୍ୟାଚାର କ୍ଷେତ୍ରରେ ଭାରତବର୍ଷରେ ପ୍ରଥମ ରାଜ୍ୟଭାବେ ସ୍ଥାନ ପାଇଛି, ଯେଊଁଠି କି ମହିଳା ଅତ୍ୟାଚାର ସର୍ବାଧିକ । ଏପରିକି ରାଜ୍ୟରେ କୌଣସି ଏକ ଜିଲ୍ଲା ନାହିଁ ଯେଊଠି କି ମହିଳାଙ୍କ ଊପରେ ଏଭଳି ସଙ୍ଗୀନ ଅପରାଧ ଘଟୁ ନାହିଁ । ସ୍କୁଲ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ବୟସ୍କା ମହିଳା ଓ ଗୃହିଣୀ ମଧ୍ୟ ଏଭଳି ସଙ୍ଗୀନ ଅପରାଧର ଶିକାର ହେଊଛନ୍ତି ।
Read-Buy BSNL SIMs and Recharges at Post Office, Know Details Here
ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ପିସିସି ସଭାପତି ଶ୍ରୀଯୁକ୍ତ ଦାସ ରାଜ୍ୟ ସରକାରଙ୍କ ବିଫଳତା ବିରୋଧରେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି ଘୋଷଣା କରିଥିଲେ । ଶ୍ରୀଯୁକ୍ତ ଦାସ କହିଥିଲେ ଯେ ବିଜେଡି ଦଳ ଅନାସ୍ଥା ପ୍ରସ୍ତାବ ଆଣୁ,ଆମେ ତାହାକୁ ସମର୍ଥନ କରିବୁ। ନଚେତ ଆମେ ଅନାସ୍ଥା ପ୍ରସ୍ତାବ ଆଣିବୁ ଓ ବିଜେଡି ଦଳ ଊକ୍ତ ପ୍ରସ୍ତାବକୁ ସମର୍ଥନ କରୁ ବୋଲି ଶ୍ରୀ ଦାସ କହିଥିଲେ।
ତେବେ ବିଧାନସଭା ପରିସରରେ କଂଗ୍ରେସ ବିଧାୟକମାନେ ବିରୋଧୀଦଳର ନେତାଙ୍କ ପ୍ରକୋଷ୍ଠକୁ ଯାଇଥିଲେ। କଂଗ୍ରେସ ବିଧାୟକ ନେତା କାଡାମଙ୍କ ନେତୃତ୍ବରେ ଏହି ଦଳ ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ବିଜେଡି ବିଧାୟକ ପ୍ରତାପ ଦେବଙ୍କୁ ସାକ୍ଷାତ କରି ବିଜେଡି ବିଧାୟକଙ୍କ ସମର୍ଥନ ପାଇଁ ସହଯୋଗ ଲୋଡିଥିଲେ। ତେବେ ଏ ନେଇ ବିଜେଡି ତରଫରୁ କୁହାଯାଇଛି ଯେ, ଆମ ବିଧାୟକଙ୍କ ବୈଠକ କରି ଆଜି ନିଷ୍ପତି ନେବୁ। ସେହିପରି ବିଜେଡି ବିଧାୟକ ଧ୍ରୁବ ସାହୁ କହିଛନ୍ତି ଯେ, ଦଳ ଚମକପ୍ରଦ ନିଷ୍ପତି ନେବ।