ଖୋର୍ଦ୍ଧା/ବାଣପୁର: ୨୦୨୦ ମସିହାରେ ଖୋର୍ଦ୍ଧା ଜିଲ୍ଲା ତତ୍କାଳୀନ ବାଣପୁର ଥାନା ଏବଂ ବର୍ତ୍ତମାନ ନାଚୁଣୀ ଥାନା ଅଞ୍ଚଳରେ ଘଟିଯାଇଥିବା ଜଘନ୍ୟ ହତ୍ୟାକାଣ୍ଡର ଆଜି ରାୟ ପ୍ରକାଶ ପାଇଛି। ଗୋଡିଝର ଗ୍ରାମର ଅନିତା ପ୍ରଧାନଙ୍କ ହତ୍ୟାକାଣ୍ଡର ଆଜି ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ ସ୍ୱାମୀ ବିଭୁଦତ୍ତ ରାଉତରାୟଙ୍କୁ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ରଞ୍ଜୁଲତା ଲେଙ୍କା ଆଜୀବନ କାରାଦଣ୍ଡ ଏବଂ ଦଶ ହଜାର ଟଙ୍କା ଜରିମାନା ଓ ଅନାଦେୟରେ ଛଅ ମାସ ଅତିରିକ୍ତ କାରାଦଣ୍ଡର ଦଣ୍ଡାଦେଶ ଆଜି ବାଣପୁର ସର୍କିଟ କୋର୍ଟରେ ଶୁଣାଇଛନ୍ତି।
ସୂଚନା ଥାଉକି ୨୦୨୦ ମସିହା ନଭେମ୍ବର ମାସ ୨୩ ତାରିଖରେ ଗୋଡିଝର ଗ୍ରାମରେ ଅନିତା ପ୍ରଧାନଙ୍କୁ ତାଙ୍କ ସ୍ୱାମୀ ବିଭୁଦତ୍ତ ରାଉତରାୟ ଘରର ବାରିପଟେ ଏକ କଟୁରୀ ଦ୍ୱାରା ଆକ୍ରମଣ କରିଥିଲେ, ଯାହାଦ୍ୱାରା ତାଙ୍କର ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଥିଲା ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ବାଣପୁର ପୋଲିସ ଏ ନେଇ କେଶ ନମ୍ବର ୩୬୨/୨୦ ରେ ଏକ ହତ୍ୟା ମାମଲା ରୁଜୁ କରିଥିବାବେଳେ ତତ୍କାଳୀନ ବାଣପୁର ଆଇଆଇସି ଏବଂ ବର୍ତ୍ତମାନ ବାଲୁଗାଁ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ଉକ୍ତ ମାମଲାରେ ତଦନ୍ତକାରି ଅଧିକାରୀ ଥିଲେ। ମୃତଙ୍କଙ୍କ ପକ୍ଷରୁ ସରକାରୀ ଓକିଲ ରଜନୀକାନ୍ତ ପଟ୍ଟନାୟକ ଏବଂ ଅଭିଯୁକ୍ତଙ୍କ ପକ୍ଷରୁ ଉକ୍ତ ମାମଲାକୁ ବରିଷ୍ଠ ଆଇନଜୀବୀ ଅନ୍ନଦା ଶଙ୍କର ଷଡ଼ଙ୍ଗୀ ପରିଚାଳନା କରୁଥିଲେ।