ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏନ୍ଏସ୍ଏସ୍ ଶାଖା ଆନୁକୂଲ୍ୟରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ରେ “ବିକଶିତ ଭାରତ ଯୁବ ସଂଯୋଗ କାର୍ଯ୍ୟକ୍ରମ” ବୁଧବାର ଆଯୋଜିତ ହୋଇଯାଇଛି। ଭାରତ ସରକାରଙ୍କ ଯୁବ ଏବଂ କ୍ରୀଡ଼ା ମନ୍ତ୍ରଣାଳୟର ସହଯୋଗରେ ଏହି ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଯୁବପିଢିଙ୍କ ମଧ୍ୟରେ ନେତ୍ୱତୃ, ସୃଜନଶୀଳତା ଓ ସାମାଜିକ ଦାୟିତ୍ୱବୋଧକୂୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ସୋଆ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ-୪ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୨୦ରୁ ଊର୍ଦ୍ଧ୍ୱ ଏନଏସଏସ୍ ସ୍ୱେଚ୍ଛାସେବୀ ଯୋଗ ଦେଇଥିଲେ।
ଏନଏସଏସ୍ର ଆଂଚଳିକ ନିର୍ଦ୍ଦେଶାଳୟ ଏବଂ ସୋଆ ଏନଏସଏସ୍ ବ୍ୟୂରୋର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଏନଏସଏସ୍ ର ଆଂଚଳିକ ନିର୍ଦ୍ଦେଶିକା ସରିତା ପଟେଲ. “ମାଇ ଭାରତ” ଓଡିଶାର ରାଜ୍ୟ ନିର୍ଦ୍ଦେଶକ ଶିବାଜୀ ଖାରାତ୍, ଭାରତ ସରକାରଙ୍କ ଯୁବ ଅଧିକାରୀ ଅଜିତ କୁସୱା, ଯୁବ ଆଇକନ୍ ଓମ୍ ପ୍ରିୟଦର୍ଶୀ ଛୋଟରାୟ, ଆଇ ଆର ଓ ୟୁଓପି ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ ଶର୍ମା ପ୍ରୋଗାମ କୋଅର୍ଡିନେଟର ଏନଏସଏସ୍ ପ୍ରଫେସର କମଳ ଲୋଚନ ମହନ୍ତ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଓ ଆଇଏଏସର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଉପସ୍ଥିତ ଥିଲେ।
ପ୍ରଫେସର ନନ୍ଦ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର “୨୦୪୭ ସୁଦ୍ଧା ବିକଶିତ ଭାରତ” ଦୃଷ୍ଟିକୋଣ ସାକାର କରିବାରେ ଯୁବଶକ୍ତିର ଅଧିକ ଭୂମିକା ରହିଛି। ସେଥିପାଇଁ “ବିକଶିତ ଭାରତ ଯୁବ କନେକ୍ଟ ପ୍ରୋଗ୍ରାମ” ର ଆୟୋଜନ କରାଯାଇଛି। ପିଲାମାନେ କିପରି ପ୍ରେରିତ ହେବେ ଏବଂ ଆଗାମୀ ୨୨ ବର୍ଷ ମଧ୍ୟରେ ସେମାନେ କିପରି ନିଜ ନିଜ କ୍ଷେତ୍ରରେ ଅବଦାନ ରଖିପାରିବେ ତାହା ଉପରେ ଏହି କାର୍ଯ୍ୟକ୍ରମ ଆଧାରିତ ବୋଲି ପ୍ରଫେସର ନନ୍ଦ ତାଙ୍କ ବକ୍ତବ୍ୟରେ କହିଥିଲେ।