ପାଟନା: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଆଉ ନାହିଁ ସମନ୍ୱୟ। ଏକାଠି ରହିବାକୁ ଉଭୟ ଅନିଚ୍ଛୁକ। ଏପରି ସ୍ଥିତିରେ ବୈବାହିକ ସମ୍ପର୍କ ଭାଙ୍ଗିବାର ପ୍ରଶ୍ନକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ପାଟନା ହାଇକୋର୍ଟ। ଏକ ଛାଡ଼ପତ୍ର ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି, ପରିସ୍ଥିତି ଅନୁଯାୟୀ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଥିବା ଅସମନ୍ୱୟ ଓ ଏକାଠି ରହିବାକୁ ଅନିଚ୍ଛାକୁ ପାରସ୍ପରିକ ନିଷ୍ଠୁରତା ଭାବେ ବିଚାର କରାଯାଇପାରେ। ଏହି ମାମଲାରେ ଛାଡ଼ପତ୍ର ସହ ପତ୍ନୀଙ୍କୁ ୩୬.୨୫ ଲକ୍ଷ ଟଙ୍କା ସ୍ଥାୟୀ ଭରଣପୋଷଣ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ତେବେ କୋର୍ଟଙ୍କ ରାୟର ଅର୍ଥ ଏହା ନୁହେଁ ଯେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ରହିଲେ ପ୍ରତ୍ୟେକ କ୍ଷେତ୍ରରେ ଛାଡ଼ପତ୍ର ମିଳିବ। ଏହି ମାମଲାରେ ବୈବାହିକ ସମ୍ପର୍କର ପରିସ୍ଥିତି, ଉଭୟଙ୍କ ମତାମତ ଏବଂ ଆଇନଗତ ଆଧାରକୁ ବିଚାର କରାଯାଇଛି।
ମାମଲାର ବିବରଣୀ ଅନୁଯାୟୀ, ଦମ୍ପତିଙ୍କ ବିବାହ ୨୩ ଜାନୁଆରି ୨୦୧୩ରେ ବିହାରର ପାଟନାଠାରେ ହିନ୍ଦୁ ରୀତିନୀତି ଅନୁସାରେ ହୋଇଥିଲା। ୨୫ ଜାନୁଆରି ୨୦୧୪ରେ ସେମାନଙ୍କର ଏକ ପୁଅ ଜନ୍ମ ହୋଇଥିଲା। କିନ୍ତୁ ବିବାହର କିଛି ସମୟ ପରେ ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେଇଥିଲା। ପରେ ପତ୍ନୀ ଶାଶୂଘର ଛାଡ଼ି ହାଜିପୁରରେ ନିଜ ବାପାମାଆଙ୍କ ପାଖକୁ ଚାଲିଯାଇଥିଲେ।
ସ୍ୱାମୀଙ୍କ ଅଭିଯୋଗ ଥିଲା, ପତ୍ନୀ ତାଙ୍କ ସହ ଓ ପରିବାରର ଅନ୍ୟ ସଦସ୍ୟଙ୍କ ସହ ଖରାପ ବ୍ୟବହାର କରୁଥିଲେ। ତାଙ୍କୁ ଫେରାଇ ଆଣିବାକୁ ଉଦ୍ୟମ କରିଥିଲେ ମଧ୍ୟ ପତ୍ନୀ ଏକାଠି ରହିବାକୁ ରାଜି ହୋଇନଥିଲେ ବୋଲି ସେ ଦାବି କରିଥିଲେ।
ଅନ୍ୟପଟେ ପତ୍ନୀ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ, ସ୍ୱାମୀ ଓ ଶ୍ୱଶୁରଘର ଲୋକେ ତାଙ୍କୁ ଶାରୀରିକ ଏବଂ ମାନସିକ ଭାବେ ହଇରାଣ କରୁଥିଲେ। ସେ ସ୍ୱାମୀଙ୍କ ସହ ପୃଥକ ଘରେ ରହିବାକୁ ଚାହୁଁଥିଲେ, କିନ୍ତୁ ସ୍ୱାମୀ ଏଥିରେ ରାଜି ହୋଇନଥିବା ସେ କହିଥିଲେ।
୨୯ ନଭେମ୍ବର ୨୦୨୨ରେ ହାଜିପୁର ପରିବାର ଅଦାଲତ ସ୍ୱାମୀଙ୍କ ସପକ୍ଷରେ ରାୟ ଦେଇ ଛାଡ଼ପତ୍ର ମଞ୍ଜୁର କରିଥିଲେ। ସ୍ୱାମୀ ନିଷ୍ଠୁରତା ଓ ପରିତ୍ୟାଗ ସମ୍ପର୍କିତ ନିଜ ଅଭିଯୋଗ ପ୍ରମାଣ କରିଥିବା ପରିବାର ଅଦାଲତ ମତ ଦେଇଥିଲେ।
ଏହି ରାୟକୁ ପତ୍ନୀ ପାଟନା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟରେ ଶୁଣାଣି ସମୟରେ ବିଚାରପତି ଉଭୟଙ୍କୁ ପଚାରିଥିଲେ ଯେ ସେମାନେ ଏବେ ଏକାଠି ରହିବାକୁ ଚାହୁଁଛନ୍ତି କି? ଉଭୟ ପକ୍ଷ ଏଥିରେ ଅନିଚ୍ଛା ପ୍ରକାଶ କରିଥିଲେ। ପତ୍ନୀ ମଧ୍ୟ ସେମାନଙ୍କ ବୈବାହିକ ସମ୍ପର୍କ ଅପୂରଣୀୟ ଭାବେ ଭାଙ୍ଗିଯାଇଥିବା ସ୍ୱୀକାର କରିଥିବା ବିବରଣୀରେ ଉଲ୍ଲେଖ ରହିଛି। ଏହା ସହ ସ୍ୱାମୀ ପୁନର୍ବିବାହ କରିସାରିଥିବା ଏବଂ ତାଙ୍କର ଆଉ ଏକ ସନ୍ତାନ ଥିବା କଥା ମଧ୍ୟ କୋର୍ଟଙ୍କ ବିଚାରକୁ ଆସିଥିଲା।
ହିନ୍ଦୁ ବିବାହ ଆଇନ, ୧୯୫୫ର ଧାରା ୧୩(୧)(ଆଇ-ଏ) ଅନୁଯାୟୀ, ନିଷ୍ଠୁରତା ଛାଡ଼ପତ୍ରର ଏକ ଆଇନଗତ ଆଧାର। ଏହି ମାମଲାରେ ହାଇକୋର୍ଟ ବୈବାହିକ ସମ୍ପର୍କର ପରିସ୍ଥିତି ଓ ଉଭୟ ପକ୍ଷଙ୍କ ଏକାଠି ନରହିବା ନିଷ୍ପତ୍ତିକୁ ବିଚାର କରିଥିଲେ। କୋର୍ଟ ସ୍ପଷ୍ଟ କରିଥିଲେ ଯେ କେବଳ ବିବାହ ଅପୂରଣୀୟ ଭାବେ ଭାଙ୍ଗିଯିବା ଆଧାରରେ ହାଇକୋର୍ଟ ଛାଡ଼ପତ୍ର ଦେଇପାରିବେ ନାହିଁ। କିନ୍ତୁ ମାମଲାର ସମସ୍ତ ପରିସ୍ଥିତିକୁ ବିଚାର କରି ଦମ୍ପତିଙ୍କ ଆଚରଣକୁ ପାରସ୍ପରିକ ନିଷ୍ଠୁରତା ଭାବେ ଗ୍ରହଣ କରାଯାଇପାରେ।
ଏହି ରାୟର ଗୁରୁତ୍ୱ ହେଉଛି, ଛାଡ଼ପତ୍ର ମାମଲାରେ କେବଳ ଦୁଇ ପକ୍ଷଙ୍କ ମଧ୍ୟରେ ବିବାଦ ଅଛି କି ନାହିଁ, ତାହା ନୁହେଁ; ସେମାନଙ୍କ ବୈବାହିକ ସମ୍ପର୍କର ପ୍ରକୃତ ସ୍ଥିତି ଓ ଆଇନଗତ ଆଧାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଛାଡ଼ପତ୍ର ସହ ପତ୍ନୀଙ୍କ ସ୍ଥାୟୀ ଭରଣପୋଷଣ ଭତ୍ତାକୁ ନେଇ ମଧ୍ୟ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାମୀଙ୍କ ମାସିକ ଆୟ ପ୍ରାୟ ୮୫ ହଜାର ଟଙ୍କା ଥିବା ଆଧାରରେ ଭରଣପୋଷଣ ରାଶି ନିର୍ଦ୍ଧାରଣ କରାଯାଇଥିବା ବିବରଣୀରେ କୁହାଯାଇଛି।
ସୁପ୍ରିମକୋର୍ଟଙ୍କ ରାଜନେଶ ବନାମ ନେହା ମାମଲାରେ ଦିଆଯାଇଥିବା ଭରଣପୋଷଣ ସମ୍ପର୍କିତ ନିର୍ଦ୍ଦେଶାବଳୀକୁ ବିଚାରକୁ ନିଆଯାଇଥିଲା। ଏହା ଅନୁଯାୟୀ, ପତ୍ନୀଙ୍କୁ ସ୍ଥାୟୀ ଭରଣପୋଷଣ ବାବଦରେ ୩୬ ଲକ୍ଷ ୨୫ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ହୋଇଛି। ରାୟ ତାରିଖଠାରୁ ତିନି ମାସ ମଧ୍ୟରେ ସ୍ୱାମୀଙ୍କୁ ନିଜ ସଞ୍ଚୟ ଖାତାରୁ ଦୁଇଟି ସମାନ କିସ୍ତିରେ ଏହି ଟଙ୍କା ଦେବାକୁ ପଡ଼ିବ।


