ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଓଡ଼ିଶା ସମେତ ଦେଶର ବେସାମରିକ କ୍ଷେତ୍ରରେ ୫୭ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହି ପ୍ରସ୍ତାବରେ ଓଡ଼ିଶାର ୬ଟି ସ୍ଥାନରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ମଞ୍ଜୁରୀ ଦିଆଯାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସେ କହିଛନ୍ତି ଏହି ନୂତନ ବିଦ୍ୟାଳୟଗୁଡ଼ିକ ପ୍ରତିଷ୍ଠା ହେବାକୁ ଥିବା ଅଞ୍ଚଳରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଆବଶ୍ୟକତା ପୂରଣ କରିବାରେ ଏକ ବଡ଼ ପଦକ୍ଷେପ ହେବ । ଏହି ୫୭ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନା ପାଇଁ ମୋଟ ୫୮୬୨.୫୫ କୋଟି ଟଙ୍କା ଖର୍ଚ୍ଚ ହେବାର ଆକଳନ କରାଯାଇଛି । କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନା ପାଇଁ ପୁଞ୍ଜିଗତ ବ୍ୟୟ ୨୫୮୫.୫୨ କୋଟି ଟଙ୍କା ଥିବାବେଳେ ବିଦ୍ୟାଳୟର ପରିଚାଳନା ପାଇଁ ୩୨୭୭.୦୩ କୋଟି ଟଙ୍କା ଖର୍ଚ୍ଚ ହେବ । ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ଓଡ଼ିଶା ସମେତ ସମଗ୍ର ଦେଶରେ ଉତ୍ତମ ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ଏହି ନୂଆ ବିଦ୍ୟାଳୟ ମଞ୍ଜୁର ପ୍ରଦାନ କରାଯାଇଛି । ଶିକ୍ଷାର ବିକାଶ ଓ ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବା ଦିଗରେ ଏହି ନିର୍ଣ୍ଣୟ ନେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ କୃତଜ୍ଞତା ଜଣାଇଛନ୍ତି ।
ଜାତୀୟ ଶିକ୍ଷା ନୀତି-୨୦୨୦ କାର୍ଯ୍ୟକାରିତାର ଏକ ଅଂଶ ସ୍ୱରୂପ ଏହି ୫୭ଟି କେନ୍ଦ୍ରୀୟ ବିଦ୍ୟାଳୟକୁ ପ୍ରଥମ ଥର ପାଇଁ ‘ବାଲ୍ ବାଟିକା’ ସହିତ ଅନୁମୋଦନ କରାଯାଇଛି । ଏହି ବାଲ୍ ବାଟିକାରେ ୩ ବର୍ଷର ପ୍ରି-ପ୍ରାଇମେରୀ ବା ପ୍ରାରମ୍ଭିକ ଶିକ୍ଷା ଦିଆଯିବ । ପୂର୍ବରୁ ୮୫ଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାକୁ ଅନୁମୋଦନ ମିଳିଥିବା ପରେ ବର୍ତ୍ତମାନର ଏହି ପ୍ରସ୍ତାବ ଦେଶବ୍ୟାପୀ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ତଥା କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଥିବା ଚାହିଦାକୁ ପୂରଣ କରିବାରେ ଆହୁରି ସହାୟକ ହେବ ।