ବାଣପୁର: ମା’ଭଗବତୀଙ୍କ ଶାରଦୀୟ ପର୍ବର ଶେଷ ଉତ୍ସବ କଉଡ଼ି ଖେଳ। ଏହି ପରମ୍ପରା ଏପୀଠର ଏକ ନିଆରା ପରମ୍ପରା। ଦଶହରାରେ ସବୁଭଉଣୀଙ୍କୁ ମେଲାଣି ଦେଇ କେବଳ ଗଡ଼ଦେବୀ ମା’ କନକଦୁର୍ଗାଙ୍କୁ ନିଜମନ୍ଦିରରେ ଛାଡ଼ିଦେଇ ପିତ୍ରାଳୟ ଶ୍ରୀଦକ୍ଷେଶ୍ଵର ମନ୍ଦିରକୁ ଫେରିଥିଲେ ମା’ଭଗବତୀ’ଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣୀ।
ଦଶହରା ଠାରୁ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ମା’ କନକଦୁର୍ଗା ମା’ଭଗବତୀଙ୍କ ମନ୍ଦିରରେ ମା’ଙ୍କ ପାଖରେ ବସି ଏକତ୍ର ପୂଜା ପାଉଥିଲେ। ଶାରଦୀୟ ପର୍ବରେ ଥିବା ପ୍ରାଚୀନ ନରବଳୀ ପରମ୍ପରାର ପ୍ରତୀକ ବଳି ଜେନା ମୂଳାଷ୍ଟମୀଠାରୁ ମହାନବମୀ ପର୍ଯ୍ୟନ୍ତ ମା’ଙ୍କ ମଧ୍ୟରାତ୍ର ଗୁପ୍ତ ତନ୍ତ୍ର ପୂଜାରେ ବଳି ସମର୍ପଣ ସମୟରେ ପୂଜକଙ୍କ ମନ୍ତ୍ର ଉଚ୍ଚାରଣ ଓ ପ୍ରଚଣ୍ଡ ଘଣ୍ଟ ବାଦ୍ୟର ନିନାଦରେ ନିଜକୁ ସମର୍ପି ଦେଇ ଚେତା ଶୁନ୍ୟ ହୋଇ ପୁଣି ଚେତନା ଶକ୍ତି ଫେରି ପାଇବାର ବିଶ୍ୱାସ ଭିତରେ ବଳି ସେବା ଯୋଗାଇଦେଉଥିଲେ।
ଏଭଳି ବିଶ୍ଵାସର ଏ ନିଆରା ପରମ୍ପରା କେବଳ ପ୍ରସିଦ୍ଧ ତନ୍ତ୍ର ପୀଠ ମା’ ଭାଗବତୀଙ୍କ ଶାରଦୀୟ ପର୍ବରେ ଦେଖିବାକୁ ମିଳେ। ସମସ୍ଥ ଦେବୀମାନେ ନିଜ ମନ୍ଦିରକୁ ଦଶହରା ମଧ୍ୟରାତ୍ରରେ ଫେରିଗଲା ପରେ ମଧ୍ୟ ବଳି ସେବକ ବଳିଜେନା ମା’କନକ ଦୁର୍ଗାଙ୍କ ସହିତ କୁମାର ପୂର୍ଣ୍ଣମୀ ପର୍ଯ୍ୟନ୍ତ ଭଗବତୀଙ୍କ ମନ୍ଦିରରେ ଅବସ୍ଥାନ କରୁଥିଲେ।
ଏହି ପର୍ବର ଶେଷ ଉତ୍ସବ “କଉଡ଼ି ଖେଳ” କୁମାର ପୂର୍ଣ୍ଣିମାର ମଧ୍ୟରାତ୍ରରେ ମା’କନକ ଦୁର୍ଗାଙ୍କ ସହିତ ବଳି ଜେନାଙ୍କ ମଧ୍ୟରେ ସିଂହାସନ ଉପରେ ଅନୁଷ୍ଠିତ ହୋଇଥିଲା। ମା’ଙ୍କ ତରଫରୁ ପ୍ରତିନିଧି ଭାବରେ ପୂଜକ ସାଆନ୍ତ ପ୍ରସନ୍ନ ମହାପାତ୍ରଙ୍କ ସହିତ ବଳି ଜେନାଙ୍କ ମଧ୍ୟରେ ସାତଥର ଦାନ ପଡ଼ି କଉଡ଼ି ଖେଳହୋଇ ଶେଷରେ ବଳିଜେନା ଖେଳରେ ହାରିଯାଇଥିଲେ ଏବଂ ଆଗମୀ ବର୍ଷଶାରଦୀୟ ପର୍ବରେ ଯୋଗ ଦେବାକୁ ସଂକଳ୍ପ କରି ବାସହ ମା’ଙ୍କ ପାଖରେ କ୍ଷମା ପ୍ରାର୍ଥନା କରି ମଧ୍ୟରାତ୍ରରେ ମନ୍ଦିରରୁ ଏକା ଏକା ନିଜଗ୍ରାମ ସିଙ୍ଗେଶ୍ୱରକୁ ଫେରିଥିଲେ।
ମୂଳାଷ୍ଟମୀଠାରୁ ମହାସମାରୋହରେ ଆରମ୍ଭ ହୋଇଥିବା ଶକ୍ତିକ୍ଷେତ୍ର ବାଣପୁରର ଏହି ପ୍ରସିଦ୍ଧ ଶାରଦୀୟ ପର୍ବ ଶେଷରେ କୁମାର ପୂର୍ଣ୍ଣମାରେ ଉଦଯାପିତ ହୋଇଥିଲା।