Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ତ୍ରୟୋଦଶୀରେ ଛଅ ଶାସନର ନିମନ୍ତ୍ରଣ ଗ୍ରହଣ କଲେ ମା’ଭଗବତୀ, ଚତୁର୍ଦ୍ଦଶୀରୁ ଚ଼ାଚ଼େରୀ ଭୋଗ ଆରମ୍ଭ

ବାଣପୁର (ସୀତାରାମ ଅଗ୍ରୱାଲ): ଓଡ଼ିଶାର ପୁରପଲ୍ଲୀରେ ଫାଲ୍ଗୁନ ଶୁକ୍ଳ ଦଶମୀଠାରୁ ଦୋଳଯାତ୍ରା ଆରମ୍ଭ ହୋଇ ଚୈତ୍ର କୃଷ୍ଣ ଏକାଦଶୀ ଯାଏ ଚାଲେ। ଏହି ସମୟରେ ମନ୍ଦିରରେ ବିଜେ ଚଳନ୍ତି ପ୍ରତିମା ମାନେ ରତ୍ନସିଂହାସନ ତ୍ୟାଗ କରି ଗ୍ରାମ ପରିକ୍ରମା କରି ଶ୍ରଦ୍ଧାଳୁଙ୍କ ଦୂଆରେ ବଢ଼ାଯାଇଥିବା ମୁଆଁ, ଖଇ, କୋରା, ଫଳମୂଳ, ଚଣା, ଶାକର, ଫେଣି, ଆଖୁ, ମୁଗଧୁଆ, ଚ଼ୁଡ଼ାଘଷା, ରସାବଳୀ ଇତ୍ୟାଦି ନାନାଦି ପ୍ରକାରର ନୈବେଦ୍ୟ ଗ୍ରହଣ କରି ଅବିର ଲାଗି ହୁଅନ୍ତି। ଏହାକୁ ଚ଼ାଚ଼େରୀ ଭୋଗ କୁହାଯାଏ।

ଶକ୍ତିପୀଠ ବାଣପୁରରେ କିନ୍ତୁ ମା’ଭଗବତୀଙ୍କ ଚ଼ାଚ଼େରୀ ଭୋଗ ନିଆରା। ଫାଲ୍ଗୁନ ତ୍ରୟୋଦଶୀରେ ଛଅ ବ୍ରାହ୍ମଣ ଶାସନର ଠାକୁରମାନେ ମା’ଙ୍କୁ ନିମନ୍ତ୍ରଣ କରି ଫେରିବା ପରେ ମା’ ନିମନ୍ତ୍ରଣ ରକ୍ଷା କରି ଚ଼ତୁର୍ଦ୍ଦଶୀରେ ବାହାରିଛନ୍ତି ଶାସନ ବାଡିରେ ଚାଚେରୀ ଖାଇ। ବର୍ଷକେ ଥରେ ମା’ଭଗବତୀଙ୍କୁ ଦୁଆରେ ପାଇ ବ୍ରାହ୍ମଣ ପରିବାରମାନଙ୍କରେ ଆନନ୍ଦ ଉଲ୍ଲାସ ଭରିଯାଏ। ପରିବାରର ପୁଅଝୀଅ ବନ୍ଧୁବାନ୍ଧବ ଯେତେ ଦୂରରେ ଥିଲେ ବି ମା’ଙ୍କ ଦର୍ଶନ ସହିତ ପ୍ରସାଦ ପାଇବା ପାଇଁ ଘରେ ପହଞ୍ଚିଯାନ୍ତି।

ଏହିଦିନ ପ୍ରତିଘରେ ମା’ଙ୍କ ପ୍ରିୟ ଶଙ୍କୁଡ଼ି ଭୋଗ ଖେଚ଼େଡ଼ି, ଡ଼ାଲି, ଆମ୍ବିଳ, ମାଛମହୁର, ମାଛ ଭଜା, ମାଛ ପୋଡ଼ା, ଗୁଣ୍ଡିଭଜା, ଖିରି, କାକରା ମୁଆଁ, ଫଳମୂଳ ଇତ୍ୟାଦି ନାନାଦି ବ୍ୟଞ୍ଜନ ପ୍ରସ୍ତୁତ କରି ଘର ଭିତରେ ବାଢ଼ି ମା’ଙ୍କୁ ଅର୍ପଣ କରନ୍ତି। ଏଥି ସହିତ ପାଟ, ଶ।ଢ଼ି, ଚ଼ୁଡ଼ି ପରି ନାନାଦି ଶୃଙ୍ଗାର ଦ୍ରବ୍ୟ ମା’ଙ୍କୁ ଅର୍ପଣ କରି ବାଜାରୋଷଣୀ ନାଚଗୀତରେ ମା’ଙ୍କୁ ଗ୍ରାମ ପରିକ୍ରମା କରାନ୍ତି। ମା’ଙ୍କ ପ୍ରସାଦ ଶାହି ପଡ଼ିସା ବନ୍ଧୁବାନ୍ଧବଙ୍କୁ ବଣ୍ଟନ କରାଯାଏ।

ଅଚ୍ୟୁତରାଜପୁର, ଶ୍ରୀନିବାସପୁର ତୁଳସୀ ଦେଇ ପୁରପରି ତିନିଶାସନବାଡ଼କୁ ମା’ ଚ଼ତୁର୍ଦ୍ଦଶୀ ଯାତ୍ରାରେ ଯୋଗଦେଉଥିବାବେଳେ, ଗୋପାଳପୁର, କୋଟ ବିଦ୍ୟାଧରପୁର, ପାଟପୁର ପରି ତିନି ଶାସନକୁ ଚନ୍ଦନଯାତ୍ରାରେ ଚାପକ୍ରୀଡ଼ାରେ ଯୋଗ ଦେବାକୁ ଯାତ୍ରା କରି ପନ୍ତି ଭୋଗ ଖାଇ ଫେରିବାର ନିଆରା ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ପଖାଳ ଦିବସରେ ବାଣପୁରରେ ପ୍ରଚଳିତ ମା’ଭଗବତୀଙ୍କ ଅତିପ୍ରିୟ ପଖାଳ ଭୋଗ ଲୋକକଥା

ବାଣପୁର (ସୀତାରାମ ଅଗ୍ରୱାଲ): ପ୍ରତି ଓଡ଼ିଆଙ୍କ ପ୍ରିୟ ପଖାଳ କେବଳ ଓଡ଼ିଆ ଜାତି ଭିତରେ ସିମୀତ ନାହିଁ। ପ୍ରଚଳିତ ପ୍ରାଚୀନ ପରମ୍ପରାରୁ ଜଣାପଡ଼େ ଓଡ଼ିଆ ଜାତିର ଆରାଧ୍ୟ ଠାକୁର ଶ୍ରୀଜଗନ୍ନାଥ ପଖାଳପ୍ରିୟ। ଏହା ଶ୍ରୀମନ୍ଦିରରେ ପ୍ରଚଳିତ ଛପନ ଭୋଗରୁ ଜଣାପଡ଼େ।

ସେହିପରି ବାଣପୁରର ଆରାଧ୍ୟା ଦେବୀ ଜଗତଜନନୀ ମା’ଭଗବତୀ ମଧ୍ୟ ପଖାଳପ୍ରିୟ। ତାଙ୍କ ଦୈନଦିନ ଭୋଗନୀତିକାନ୍ତିରୁ ଜଣାପଡେ। ମହାପ୍ରଭୁ ଜଗନ୍ନାଥଙ୍କ ଛପନ ଭୋଗ ସାଥିରେ ପଖାଳ ନୈବେଦ୍ୟ ମିଶି ରହିଥିଲାବେଳେ ମା’ଭଗବତୀଙ୍କ ପ୍ରତ୍ୟହ ବଡ଼ସିଂହାର ଧୂପରେ କେବଳ ଦହିପଖାଳକୁ ମାଛଗୁଣ୍ଡି ଭଜା ସ୍ଵତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇ ଲାଗି ହେବାର ପରମ୍ପରା କେଉଁ ଆଦିମ କାଳରୁ ଚଳି ଆସିଛି।

ସାଧାରଣତଃ ଓଡ଼ିଆ ପରିବାରରେ ମା’ଭଉଣୀମାନେ ଘରର ପୁରୁଷମାନଙ୍କ ଅପେକ୍ଷା ଅଧିକ ପଖାଳପ୍ରିୟ। ଦିନରେ ଦୁଇ ଓଳା ପଖାଳ ଖାଇବାକୁ ପସନ୍ଦ କରନ୍ତି। ପଖାଳ ସହିତ ମାଛ ହେଉବା ଶୁଖୁଆ ଭଜା ଚ଼ିଲିକା ଉପକୁଳିଆ ଅଞ୍ଚଳର ପ୍ରଧାନ ଖାଦ୍ୟ। ମଣିଷ ପରି ଏଠି ଦେବୀ ମଧ୍ୟ ପଖାଳ ସହିତ ମାଛପୋଡ଼ା (ବଳିପୋଡା ) ମାଛଭଜା, ବିଶେଷ କରି ସୁପକାର ମାନଙ୍କଦ୍ଵାରା ପ୍ରସ୍ତୁତ ମାଛ ଗୁଣ୍ଡିଭଜା ମା’ଭଗବତୀଙ୍କ ପୀଠରେ ସ୍ୱାତନ୍ତ୍ରତା ବହନ କରେ।

ଏଭଳି ନୈବେଦ୍ୟ ଏହି ପୀଠ ଛଡ଼ା ଓଡ଼ିଶାର ଅନ୍ୟ କୌଣସୀ ଶକ୍ତିପୀଠମାନଙ୍କରେ ଦେଖିବାକୁ ମିଳେନାହିଁ। ଚିଲିକାରୁ ସଂଗୃହୀତ ସବାଖଇଙ୍ଗାମାଛ କୁନେଇ ଗୁଆଘିଅ, ମସଲା ଦେଇ ପ୍ରସ୍ତୁତ ହୁଏ ଏହି ମାଛ ଗୁଣ୍ଡିଭଜା। ବେଳେବେଳେ ଏଥିରେ କେବଳ ବାଇଗଣ ମିଶାଇ ମଧ୍ୟ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଏ। ଏହାର ସ୍ଵାଦ ନିଆରା।ମା’ଙ୍କ ସବୁଠାରୁ ଅତିପ୍ରିୟ ନୈବେଦ୍ୟ ଏହି ମାଛଗୁଣ୍ଡି ଭଜା ଯିଏ ଥରେ ପାଇଥାଏ ସେକେବେ ଭୁଲିପାରେ ନାହିଁ।

ଏହି ପ୍ରିୟ ନୈବେଦ୍ୟ ଉପରେ ବାଣପୁର ଅଞ୍ଚଳରେ ପ୍ରଚଳିତ ଏକ ଲୋକକଥା ଏବେ ମଧ୍ୟ ଜନସ୍ମୃତିହୋଇ ରହିଛି। ବହୁଦିନ ତଳର କଥା। ତଦନାନ୍ତିନ ବାଣପୁରର ରାଜା ମା’ଭଗବତୀଙ୍କ ସମସ୍ଥ ସେବାପୂଜା ଦାୟୀତ୍ୱ ଏହି ଅଞ୍ଚଳର ଏକ ବ୍ରାହ୍ମଣ ପରିବାର ହାତରେ ଟେକି ଦେଇ ତାଙ୍କୁ ପରୀଚ୍ଛାପଦବୀ ଅର୍ପଣ କରିପାରିକୁଦ ଚାଲିଗଲେ। ପରିଚ୍ଛା ସାଆନ୍ତ ଭାବରେ ପରିଚିତ ଏହି ପରିବାର ମା’ଭଗବତୀଙ୍କୁ ନିଜ ପରିବାରର ଝିଅ ଭାବରେ ବିଶ୍ୱାସ କରି ନିଷ୍ଠାର ସହିତ ତାଙ୍କ ସେବାପୂଜା କରିଆସୁଥିଲେ।

ଏକଦା କୌଣସି ଏକ ଅପରାହ୍ନରେ ସାତ ଜଣ ଝିଅ ସାତଭଉଣୀ ଭାବରେ ବାଣପୁର ଦାଣ୍ଡରେ ଚାଲିଯାଉଯାଉସଂଧ୍ୟା ହୋଇଯିବାରୁ ପରିଚ୍ଛାଙ୍କ ଘରେ ଆଶ୍ରୟ ନେଲେ। ରାତିରେ ପରିଚ୍ଛା ସେମାନଙ୍କ ପାଇଁ ଖାଦ୍ୟପେୟ କଥା ପଚ଼ାରିବାରୁ ବଡ଼ ଭଉଣୀ ଆମେ ସମସ୍ତେ ପଖାଳ ଖାଇବୁ ବୋଲି କହିବାରୁ ପରିଚ୍ଛାଙ୍କ ସ୍ତ୍ରୀ କୁଣିଆ ଝୀଅଙ୍କ ପାଇଁ ରାତିରେ ପଖାଳ ସହିତ ଏମିତି ଭାବରେ ଘିଅ ମସଲାରେ ଖଇଙ୍ଗ।ମାଛର ମାଛଗୁଣ୍ଡି ଭଜା ପ୍ରସ୍ତୁତ କରି ସାତଭଉଣୀଙ୍କୁ ବାଢ଼ିଦେଲେ ଯେ ସାତଭଉଣୀ ସନ୍ତୁଷ୍ଟମନରେ ପେଟପୁରାଇ ଖାଇ ରାତିରେ ପରିଛାଙ୍କ ଘର ସ୍ଵତନ୍ତ୍ର କୋଠରୀରେ ବିଶ୍ରାମ ନେଲେ।

ରାତି ପାହିଲା। ପରିଛାଙ୍କ ସ୍ତ୍ରୀକୋଠରୀ କବାଟ ଖୋଲି ଦେଖିଲାବେଳକୁ ଘର ଖାଲିପଡ଼ିଛି, ଚନ୍ଦନ ଅଗୁରୁ ଝୁଣାରେ ମହମହ ବାସୁଛି। ଆଶ୍ଚର୍ଯ୍ୟ ହୋଇ ପରିଚ୍ଛାଙ୍କୁ ଡାକ ପକାଇ ସ୍ତ୍ରୀ କହିଲେ ଏମାନେ କୁଆଡ଼େ ଉଭାନ ହୋଇଗଲେ। ଏମାନେ ମଣିଷ ନୁହନ୍ତି ଦେବୀ କି ଦାନବୀ। ସତକୁ ସତ ସେହି ଦିନ ରାତିରେ ପରିଚ୍ଛାଙ୍କୁ ସ୍ୱପ୍ନାଦେଶ ହେଲା।

ମା’ଭଗବତୀ ସ୍ୱପ୍ନରେ କହିଲେ “ଆମେ ସବୁ ସାତଭଉଣୀ ସାତଦେବୀ। ତୁମର ଆତିଥ୍ୟରେ ଆମେ ବହୁତ ଖୁସି। ତୁମେ ଆଜିଠାରୁ ଆମର ବାପଘର ପରି, ଆମକୁ ଆମର ପ୍ରିୟପଖାଳ ଓ ମାଛ ଗୁଣ୍ଡିଭଜା ସବୁଦିନ ଲାଗି କରାଇବ। ଆମେ ତୁମକୁ ଆଶୀର୍ବାଦ କରୁଛୁ ତୁମର ସର୍ବମଙ୍ଗଳ ହେବ।”

ସେହିଦିନଠାରୁ ମା’ଭଗବତୀଙ୍କ ମନ୍ଦିରରେ ରାତ୍ର ଧୂପରେ କେବଳ ମା’ଙ୍କ ପ୍ରିୟଦହି ପଖାଳକୁ ମାଛ ଗୁଣ୍ଡି ଭଜା ଅର୍ପଣ କରିବାର ପରମ୍ପରା ଚଳିଆସିଛି। ମନ୍ଦିର ଭିତର ପୂଜା ସହିତ, ଆଶ୍ୱିନ ମାସର ଷୋଳପର୍ବରେ, ଫଗୁଣ ମାସର ଚ଼ାଚ଼େରୀଭୋଗ ସମୟରେ ବାପ ଘର ଭାବରେ ପରିଚିତ ପରିଚ୍ଛାଙ୍କ ଦୁଆରେ ମା’ଭଗବତୀଙ୍କ ପ୍ରିୟ ଟଭା ପତରର ପଖାଳ ତୋରାଣି ମାଛ ଗୁଣ୍ଡି ଭଜା ଏଯାବତ୍ ଭୋଗ ଲାଗିହେବାର ଏକ ନିଆରା ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି। ମା’ଙ୍କ ଏହି ଦୁର୍ଲଭ ପ୍ରସାଦ ପାଇବା ପାଇଁ ଶ୍ରଦ୍ଧାଳୁମାନେ ଏବେ ମଧ୍ୟ ଦୋଳପୂର୍ଣ୍ଣିମା ଦିନକୁ ଅପେକ୍ଷା କରନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଅବୀର ଲାଗି ପରେ ମା’ଭଗବତୀଙ୍କ ପୀଠ ଚ଼ଳଚ଼ଞ୍ଚଳ: ଫଗୁଦଶମୀରୁ ଆରମ୍ଭ ହେଲା ଦୋଳଯାତ୍ରା

ବାଣପୁର (ସୀତାରାମ ଅଗ୍ରୱାଲ): ବସନ୍ତ ଋତୁର ବଡ଼ ପର୍ବ ଦୋଳଯାତ୍ରା। ବସନ୍ତ ରାସ ସହିତ ଫଗୁ ବା ଅବୀରଖେଳର ଯାତ୍ରା ଭାବରେ ଉତ୍କଳର ପୁରପଲ୍ଲୀ ଚ଼ଳଚ଼ଞ୍ଚଳ ହୋଇଉଠେ। ଦୋଳଗୋବିନ୍ଦ ଶ୍ରୀଦେବୀ ଭୂଦେବୀଙ୍କ ସହିତ ସମସ୍ତ ଦେବାଦେବୀ ଦୋଳବିମାନରେ ବସି ଦ୍ଵାରା ଦ୍ଵାର ବୁଲି ଚ଼ାଚ଼େରୀଭୋଗ ଖାଇବା ସହିତ ଦୋଳିରେ ବସି ଝୁଲିବାର ଏହି ଆଧ୍ୟାତ୍ମିକ ଉତ୍ସବ ପ୍ରାଚୀନ କାଳରୁ ଉତ୍କଳରେ ପାଳିତ ହୋଇଆସୁଥିବାବେଳେ ମା’ଭଗବତୀଙ୍କପୀଠ ବାଣପୁରରେ ଏହି ଯାତ୍ରା ନିଆରା ଢଙ୍ଗରେ ପାଳିତ ହୁଏ।

ଫାଲଗୁନ ଶୁକ୍ଳ ଦଶମୀ ଭିତରଫଗୁ। ପ୍ରତ୍ୟୁଷରୁ ମା’ଙ୍କ ଅଙ୍ଗରାଗ ମାଜଣା, ବେଶ, ମହାପ୍ରସାଦ ଲାଗି ପରେ ବଲ୍ଲଭ ଆଳତୀ, ହୋଇ ଅବୀର ସହିତ ଚ଼ଣା ଶାକର ଲାଗିପରେ ମଧ୍ୟାହ୍ନଧୂପ ହୋଇ ପହୁଡ଼। ସଂଧ୍ୟାରେ ନିଶଙ୍କୁଡ଼ି ଧୂପ, ଆଳତି, ବଡ଼ସିଂହାର ଧୂପ ପରେ ପହୁଡ’।

ଶୁକ୍ଳ ଏକାଦଶୀରେ ରାତ୍ର ବଡ଼ସିଂହାର ପରେ ମା’ଙ୍କ ଚଳନ୍ତି ପ୍ରତିମା କାଠିଠାକୁରାଣୀ, ଶ୍ରୀ ଶ୍ରୀଦକ୍ଷେଶ୍ଵରଦେବ, ଶ୍ରୀ ଶ୍ରୀରଙ୍କ ନାଥ ଦେବ ଶ୍ରୀଶ୍ରୀ ରଘୁନାଥ ଦେବଙ୍କ ସହିତ ଦକ୍ଷେଶ୍ଵର ମନ୍ଦିର ଠାରୁ ସମ୍ମିଳିତ ଭାବରେ ସିଧାସିଧା ବାଜାରୋଷଣି ସହିତ ପୂର୍ବ ଦିଗରେ ଅବସ୍ଥିତ ବିଷରପାଟଣା ପର୍ଯନ୍ତ ଯାତ୍ରାକରି ଫେରିବା ବାଟରେ ପରିଛା ସାହି ର ପିତ୍ରାଳୟ ପରିଛା ସାଆନ୍ତଙ୍କ ଦୁଆରେ ମାନଙ୍କରେ ଚ଼ାଚ଼େରୀଭୋଗସାରି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି।

ସେହିପରି ଶୁକ୍ଳ ଦ୍ଵାଦଶୀ ତିଥିର ରାତ୍ରବଡ଼ସିଂହାରପରେ ମା’ଭଗବତୀ ଶ୍ରୀଦକ୍ଷେଶ୍ଵର , ଶ୍ରୀରଙ୍କ ନାଥ,ଶ୍ରୀ ରଘୁନାଥ ଦେବଙ୍କ ସହିତ ଦକ୍ଷେଶ୍ଵର ମନ୍ଦିରରୁ ବିଜେ କରି ପଶ୍ଚିମଦିଗରେ ଅବସ୍ଥିତ ମା’ଭଗବତୀ ମନ୍ଦିର ପର୍ଯ୍ୟନ୍ତ ଥାଟ ପଟୁଆରରେ ଯାତ୍ରା କରି ସେଠାରୁ ଦକ୍ଷେଶ୍ଵର ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି। ଶୁକ୍ଳ ତ୍ରୟୋଦିଶି ତିଥିରେ ପୁଣି ମା’କାଠି ଠାକୁରାଣୀ ପୂର୍ବ ଦିନ ପରି ବିଷର ପାଟଣା ପର୍ଯ୍ୟନ୍ତ ଯାତ୍ରାକରି ଫେରିବା ବାଟରେ ପରିଛା ସାଆନ୍ତଙ୍କ ଦୁଆରେ ଚାଚେରୀ ଭୋଗ ସାରି ଫେରିଆସିବା ସମୟରେ ବାଣପୁର ନିକଟସ୍ଥ ଅଚ୍ୟୁତରାଜପୁର, ଶ୍ରୀନିବାସପୁର, ତୁଳସୀ ଦେଇ ପୁର, ପାଟପୁର, କୋଟ ବିଦ୍ୟାଧରପୁର, ଗୋପାଳପୁର ଇତ୍ୟାଦି ଶାସନବାଡ଼ି ସହିତ ଖୁଣ୍ଟପଲ୍ଲୀର ଠାକୁରମାନେ ଥାଟ ପଟୁଆର ବାଣରୋଶଣୀ ସହିତ ମଧ୍ୟରାତ୍ର ପରେ ମିଳିତ ହୋଇ ମା’ଭଗବତୀଙ୍କୁ ଚତୁର୍ଦ୍ଦଶୀ ଯାତ୍ରା ନିମନ୍ତେ ନିମନ୍ତ୍ରଣ ଧରି ବାଣପୁର ବଜାର ସାହିଠାରେ ଆସି ଅପେକ୍ଷା କରିଥିବା ସମୟରେ ମା’ କାଠି ଠାକୁରାଣିଙ୍କୁ ସାଥିରେ ନେଇ ଭଗବତୀ ମନ୍ଦିର ପର୍ଯ୍ୟନ୍ତ ଯାତ୍ରା କରି ସେଠାରେ ସମସ୍ତ ଦେବାଦେବୀଙ୍କୁ ବିଦାୟ ଦେଇ ମା’ ଦକ୍ଷେଶ୍ଵର ମନ୍ଦିରକୁ ଫେରିଆସନ୍ତି।

ଶୁକ୍ଳ ଚତୁର୍ଦ୍ଦଶୀ ତିଥିସଂଧ୍ୟାରେ ବାଲୁଗାଁ ଅଞ୍ଚଳର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବ ଦକ୍ଷେଶ୍ଵର ମନ୍ଦିର ନିକଟରେ ପହଞ୍ଚିବା ପରେ ମା’ଭଗବତୀ କାଠିଠାକୁରାଣି, ଶ୍ରୀଦକ୍ଷେଶ୍ଵରଦେବ, ଶ୍ରୀରଘୁନାଥ ଦେବ ଶ୍ରୀରଙ୍କ ନାଥ ଦେବ ଥାଟ ପଟୁଆରରେ ଭଗବତୀ ମନ୍ଦିର ପର୍ଯ୍ୟନ୍ତ ଯାତ୍ରାକରି ମା’ଭଗବତୀଙ୍କୁ ଶାସନ ବାଡିର ଚ଼ାଚେରୀ ଭୋଗଖିଆ ନିମନ୍ତେ ବିଦାୟ ଦେଇ ନିଜ ନିଜ ମନ୍ଦିରକୁ ଫେରିଆସନ୍ତି। କେବଳ ଶ୍ରୀଉମାମହେଶ୍ୱର ଦେବ ଦକ୍ଷେଶ୍ଵର ମନ୍ଦିର ବାହାର ଗୁମୁଟପାଖରେ ମା’ଙ୍କ ଫେରିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତି।

ଚତୁର୍ଦ୍ଦଶୀ ରାତ୍ରରୁ ପୂର୍ଣ୍ଣିମା ଅପରାହ୍ନ ପର୍ଯ୍ୟନ୍ତ ମା’ଭଗବତୀ ତିନିଶାସନବାଡ଼ି ସହିତ, କାଠି ନାହାକ ଓ ପରିଚ୍ଛା ସାଆନ୍ତଙ୍କ ଦୁଆରମାନଙ୍କରେ ଶଙ୍କୁଡ଼ି/ନିଶଙ୍କୁଡ଼ି ଭୋଗ ଲାଗି ହୋଇ ଉମା ମହେଶ୍ୱର ଦେବ ଦକ୍ଷେଶ୍ଵରଦେବ, ରଙ୍କ ନାଥ ଦେବ ରଘୁନାଥ ଦେବଙ୍କ ସହିତ ମିଶି ବିଷର ପାଟଣାର ଅଗ୍ନି ଉତ୍ସବ ପଡ଼ିଆକୁ ଯାତ୍ରା କରନ୍ତି। ସେଠାରେ ଅଗିରାପୋଡ଼ା ରେ ପରିକ୍ରମା ପରେ ଉମାମହେଶ୍ୱର ଦେବଙ୍କୁ ବିଦାୟ ଦେଇ ଦକ୍ଷେଶ୍ଵର ମନ୍ଦିରକୁ ଫେରିଆସି ଧୂପବଢିବା ପରେ ଦୋଳବେଦୀକୁ ବିଜେ କରନ୍ତି। ସେଠାରେ ଦୋଳପୂର୍ଣ୍ଣିମାର ନୀତିକାନ୍ତି ସରିବା ପରେ ମା’ ମନ୍ଦିରକୁ ଫେରିପହୁଡ଼ ଯାଆନ୍ତି। ପାଞ୍ଚଦିନ ଧରି ପାଳିତବାଣପୁର ଅଞ୍ଚଳର ଏହି ନିଆରା ପାରମ୍ପରିକ ଦୋଳଉତ୍ସବରେ ଅଗଣିତ ଶ୍ରଦ୍ଧାଳୁଯୋଗ ଦେଇ ମା’ଙ୍କ ଦର୍ଶନ ସହିତ ଆଶୀର୍ବାଦ ଲାଭ କରନ୍ତି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ମା’ଭଗବତୀଙ୍କ ଶାରଦୀୟ ପର୍ବ ଉଦ୍‌ଯାପିତ, କଉଡ଼ି ଖେଳ ସାରି ସ୍ଵମନ୍ଦିରକୁ ଫେରିଲେ ଭଉଣୀ କନକ ଦୁର୍ଗା

ବାଣପୁର (ସୀତାରାମ ଅଗ୍ରୱାଲ): ପବିତ୍ର କୁମାର ପୂର୍ଣ୍ଣମୀ ଅବସରରେ ମା’ ଭଗବତୀଙ୍କ ମନ୍ଦିରରେ ଦଶହରା ଠାରୁ ପୂଜା ପାଉଥିବା ପ୍ରାଚୀନ ବଙ୍କାଡ଼ଗଡ ରାଜାଙ୍କର ଇଷ୍ଟଦେବୀ ମା’ କନକ ଦୁର୍ଗା ଶାରଦୀୟ ପର୍ବ ଶେଷ କରି ଶ୍ରୀ ଶ୍ରୀ ଦକ୍ଷେଶ୍ଵର ମନ୍ଦିରକୁ ବାହୁଡା ବିଜେ କରିଛନ୍ତି। ଦଶହରା ବିଜୟା ଦଶମୀ ନିଶାର୍ଦ୍ଧରେ ସାତ ବଖରା ପର୍ବଗୃହରୁ ମା’ ଭଗବତୀ ପାଞ୍ଚ ଭଉଣୀକୁ ମେଳାଣି ଦେଇ କେବଳ ଭଉଣୀ କନକ ଦୁର୍ଗାଙ୍କୁ ଶେଷ ପର୍ବ କୁମାର ପୂର୍ଣ୍ଣମୀ ପର୍ଯ୍ୟନ୍ତ ନିଜ ମନ୍ଦିରରେ ରହି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବାର ଅନୁରୋଧ କରି ଛାଡିଦେଇପିତ୍ରାଳୟକୁ ବାହୁଡିଥିଲେ।

ବଡ଼ ଭଉଣୀଙ୍କ ସେହି 6ସ୍ନହବୋଳାକଥା ରକ୍ଷା କରି ମା’ କନକ ଦୁର୍ଗା ଦଶହରା ଠାରୁ କୁମାର ପୂର୍ଣ୍ଣମୀ ପର୍ଯ୍ୟନ୍ତ ମା’ ଭଗବତୀଙ୍କ ସିଂହାସନ ଉପରେ ପାଖକୁ ଲାଗି ବିରାଜମାନ କରିଥିଲେ। ଦୁଇ ଭଉଣୀ ଙ୍କୁ ପ୍ରତ୍ୟହ ଏକାଠି ସ୍ନାନ ନୀତି, ମହାପ୍ରସାଦ ଅର୍ପଣ, ବେଶ , ବଲ୍ଲଭ ଆଳତି,ଶଙ୍କୁଡ଼ି ଧୂପ, ପହୁଡ଼, ନିଶଙ୍କୁଡି ଧୂପ , ସଂଧ୍ୟା ଆଳତି, ବଡ଼ସିଂହାର ବେଶ ପରେ ଦହିପ ଖାଳ,ମାଛ ଗୁଣ୍ଡି ଭଜା , କାକାର କାନ୍ତି, ପଣା ଲାଗି ହୋଇ ରାତ୍ର ପହୁଡ଼ ହେଉଥିଲା।

ଚଳିତ ପବିତ୍ର କୁମାର ପୂର୍ଣ୍ଣିମାରେ ରାହୁ ଗ୍ରସ୍ତ ଖଣ୍ଡ ଗ୍ରାସ ଚନ୍ଦ୍ରଗ୍ରହଣ ପଡ଼ିଥିବାରୁ ପ୍ରତ୍ୟୁଷରୁ ସମସ୍ତ ଦୈନନ୍ଦିନ ନୀତିକାନ୍ତି ଶେଷ କରି ଶାରଦୀୟ ପର୍ବର ଅନ୍ତିମ ନୀତି କଉଡ଼ି ଖେଳ ପାଇଁ ପରିଛା ସାଆନ୍ତ, ପାଳି ଆମାଳି, ନିଯୋଗୀ ସେବାୟତମିଶି ମା’ ଙ୍କ ପ୍ରଧାନପର୍ବସେବକ ବଳି ଜେନାକୁ ଡାକରାକରିଥିଲେ ।ପରେ ଦିବା ୩ ଘଟିକା ସମୟରେ ମା’ଙ୍କ ବଡ଼ସିଂହାର ବେଶ ସାରି ବଳି ଜେନା ଙ୍କ ତରଫରୁ ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ ଖେଚଡ଼ି ମହୁର ଭୋଗ ମା’ଙ୍କ ପାଖରେ ଲାଗି ହୋଇଥିଲା।

ନିଯୋଗି ସେବାୟତମାନେ ସମସ୍ତେ ଏକତ୍ର ପ୍ରସାଦ ସେବନ କରିବା ପରେ ମା’ କନକଦୁର୍ଗାଙ୍କ ସହିତ ବଳିଜେନାଙ୍କ କଉଡ଼ି ଖେଳ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ମା’ କନକ ଦୁର୍ଗାଙ୍କ ତରଫ ନେଇଥିବା ପାଳିଆମାଳି ସଂଜୟ ମହାପାତ୍ର ସହିତ ପରିଛା ସାଆନ୍ତ ବିନାୟକ ମହାପାତ୍ରଙ୍କ ମଧ୍ୟ ସ୍ତତାରେ ବଳିଜେନାଙ୍କ ମଧ୍ୟରେ ସିଂହାସନ ଉପରେ ସାତଥର କଉଡି ଖେଳ ଅନୁଷ୍ଠିତ ହୋଇଥିଲା। ଖେଳରେ ହାରି ୧୧ ଗୋଟି କଉଡ଼ିକୁ କାନିରେ ବାନ୍ଧି ବଳି ଜେନା ଦୁଇମାଙ୍କ ପଦାରବିନ୍ଦରେ ସମର୍ପିତ ହୋଇ କ୍ଷମା ପ୍ରାର୍ଥନା ପୂର୍ବକ ଆଗମୀ ଶାରଦୀୟ ପର୍ବରେ ପୁଣି ଆଦ୍ୟସେବା କରିବାର ସଂକଳ୍ପ କରି ଆଶୀର୍ବାଦ ଭିକ୍ଷା କରିଥିଲେ।

ଏହି ସମୟରେ ଆଲଟଚାମର, ଘଣ୍ଟା ଘଣ୍ଟକାହାଳି, ହୁଳହୁଳି,ଦୁନ୍ଦୁ ଭି ବାଜି ଉଠିବା ସହିତ ନିଯୋଗୀ ସେ ବାୟତ ଓ ଉପସ୍ଥିତ ଶ୍ରଦ୍ଧାଳୁମାନେ ମିଶି ମା’ଙ୍କର ଜୟଧ୍ଵନୀ ସହିତବଳି ଜେନାଙ୍କର ମଙ୍ଗଳ କାମନା କରିବାପରେ ବଳିଜେନା ସ୍ଵଗୃହକୁ ଏକ ମୁହାଁ ହୋଇ ପ୍ରତ୍ୟାବର୍ତ୍ତନ କରିଥିଲେ। ବର୍ଷର ପ୍ରାରମ୍ଭ ବିଷୁବ ସଂକ୍ରାନ୍ତିଠାରୁ ନିଆରା ଢଙ୍ଗରେ ଆରମ୍ଭ ହୋଇଥିବା ମା’ ଭଗବତୀଙ୍କ ଏହି ପ୍ରସିଦ୍ଧ ଶାରଦୀୟ ଦୁର୍ଗୋତ୍ସବ ଶେଷରେ ଆଶ୍ଵିନ କୁମାର ପୂର୍ଣ୍ଣମୀରେ ଉଦ୍ ଯାପିତ ହେଲା। ପରେ ଚନ୍ଦ୍ର ଗ୍ରହଣଯୋଗୁଁ ଦିବା ୪ଘଟିକାରୁ ମନ୍ଦିରର ସମସ୍ତ ଦେବନୀତି ସଂପର୍ଣ୍ଣ କରାଯାଇ କୁଢୁଆ ଦ୍ଵାର ବନ୍ଦ କରାଯାଇଥିଲା।

ଏହି ସମୟରେ ଶ୍ରଦ୍ଧାଳୁମାନେ ଅନ୍ୟ ଦ୍ଵାର ଦେଇ ଯାଇ ମଣ୍ଡପ ଉପରୁ ମା’ଙ୍କୁ ଦର୍ଶନ କରିପାରିବେ ଏବଂ ରାତ୍ର ୧ଘଟିକା ୪୦ ମିନିଟସମୟରେ ଗ୍ରହଣ ସ୍ପର୍ଶକାଳରେ ମା’ଙ୍କ ପାଖରେ କେବଳ ପରିଛା ସାଆନ୍ତ, ପାଳି ଆମାଳି ଘଣ୍ଟୁଆ କାହାଳିଆ ସେବାୟତଙ୍କ ଦ୍ଵାରା ସ୍ଵତନ୍ତ୍ର ଗ୍ରହଣ ନୀତିକାନ୍ତି ସମାପନ ପରେ ମା’ଙ୍କ ପହୁଡ଼ ହେବ ବୋଲି ମନ୍ଦିର କାର୍ଯ୍ୟାଳୟରୁ ପ୍ରକାଶ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଛଅ ଭଉଣୀଙ୍କୁ ମେଲାଣୀ ଦେଇ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରକୁ ବାହୁଡିଲେ ମା’ ଭଗବତୀ

ବାଣପୁର (ସୀତାରାମ ଅଗ୍ରୱାଲ): ସଂସାରର କୀଟ ଠାରୁ ବ୍ରହ୍ମ ପର୍ଯ୍ୟନ୍ତ ସଚରାଚର ଜୀବଜଗତଙ୍କ ମନରେ ପ୍ରାଣରେ ହୃଦୟରେ, ପ୍ରକୃତିର ପ୍ରତିଟି ଅଣୁରେ ଅସୀମ ଶକ୍ତି ସଂଚାର କରି, ଜଗତର ମଙ୍ଗଳ ବିଧାନ କରି ମଙ୍ଗଳମୟୀ ମା’ଭଗବତୀ ପବିତ୍ର ଦଶହରାରେ ଶ୍ରଦ୍ଧାଳୁଙ୍କୁ ଶୁଖ ଶାନ୍ତି ସମୃଦ୍ଧି ପ୍ରଦାନ କରି ଛଅ ଭଉଣୀଙ୍କୁ ମେଲାଣୀ ଦେବା ପରେ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରକୁ ବାହୁଡିଲେ ମା’ ଭଗବତୀ। ମା’ଙ୍କର ମାନବୀୟ ଲୀଳାର ପ୍ରତୀକ ବାଣପୁରର ପ୍ରସିଦ୍ଧ ଶାରଦୀୟ ପର୍ବ ସପ୍ତ ମାତୃପୂଜା ଏକ ଅନନ୍ୟ ପରମ୍ପରା।

ଜାନିଯାତ୍ରା ପର୍ବପବାଣୀରେ ଝିଅ ମାନେ ବାପ ଘରୁ ଡ଼ାକରା ପାଇ ଏକାଠି ହେବାପରେ ଆନନ୍ଦ ଉଲ୍ଲାସରେ ଯେପରି ସମୟ କଟାନ୍ତି, ପର୍ବଶେଷରେ ଭଉଣୀମାନେ ପରସ୍ପର ପରସ୍ପରଠାରୁ ମେଲାଣି ନେଲା ବେଳେ ଯେପରି ଆଖିରୁ ଲୁହ ଝରିପଡ଼େ, ସେହିପରି ଆଜି ଦୀର୍ଘ ଷୋଳଦିନର ମହା ଆନନ୍ଦର ସମୟର ଶେଷ ପରେ ସତେ ଯେପରି ସମସ୍ତଙ୍କ ମନରେ ସେହି ଦୁଃଖର ଛାଇ ଖେଳିଯାଇଛି। ପୁଣି ଦେଖା ହେବ ଆସନ୍ତା ଆଶ୍ଵିନର ସେହି କୃଷ୍ଣ ଅଷ୍ଟମୀ ତିଥିରେ। ଆଉ ମହାମନ୍ତ୍ରର ଧ୍ଵନୀ, ଘଣ୍ଟ ଘଣ୍ଟା କାହାଳୀର ସ୍ଵର ଶୁଭିବ ନାହିଁ ପର୍ବଗୃହରେ। ପର୍ବ ଗୃହଶୂନ୍ୟ ପଡିଯିବ। ଆଉ ରୋଷଣୀର ଆଲୋକମାଳାରେ ଝଲସିବ ନାହିଁ ମନ୍ଦିର, ମୁଖଶାଳା ପାଟ ଅଗଣା। ପୁଣି ଆଗାମୀ ଆଶ୍ୱିନ କୁ ଅପେକ୍ଷା।

ମା’ କାଳିଜାଇ ଚାଲିଯିବେ ନୀଳାମ୍ବୁ ଚିଲିକା ମଧ୍ୟକୁ, ନାରାୟଣୀ ଚାଲି ଯିବେ ଭଙ୍ଗିଳଭାଲେରୀର ଖୋଲ ବା ଗୁମ୍ଫା ଦେଉଳକୁ, ଶିଦ୍ଧେଶ୍ଵରୀ ଶୋଲରୀର ସାମୁକା ପାଖ ଦେଉଳକୁ ଚାଲିଯିବେ। ମା’ କନକ ଦୁର୍ଗା କୁମାର ପୂର୍ଣ୍ଣମୀ ଯାଏଁ ବରିଜାଇଙ୍କୁ ନେଇ ମନ୍ଦିରରେ ରହିବେ।

ଦଶହରାର ନିଶାର୍ଦ୍ଧରେ ମା’ ମାନଙ୍କ ମେଲାଣୀ ଉତ୍ସବ ବାଣପୁରବାସୀଙ୍କ ମନରେ ଆଣିଦେଇଥିଲା ଅନେକ ଦୁଃଖ। ବାହାର ପର୍ବଗୃହ ସାତବଖରା ଘରୁ ବାହାରି ପ୍ରଥମେ ସାତ ଭଉଣୀ ପଶ୍ଚିମ ଦିଗ ରକ୍ଷା କାରିଣୀ ମା’ ବିରିଜାଇଙ୍କୁ ମେଲାଣି ଦେବା ପାଇଁ ମା’ ଭଗବତୀଙ୍କ ମନ୍ଦିର ପର୍ଯ୍ୟନ୍ତ ବାହାରି ଥିଲେ। ବାଟରେ ମାଧବଙ୍କ ପ୍ରତୀକ ଶ୍ରୀରଙ୍କନାଥ ଦେବ ମଧ୍ୟ ସାଥିରେ ସାମିଲ ହୋଇଥିଲେ।

ମା’ଙ୍କ ମନ୍ଦିର କୁଢୁଆ ଦ୍ଵାର ସମ୍ମୁଖରେ ପୂର୍ବରୁ ପ୍ରସ୍ତୁତ ବାଲୁକା ବେଦି ଉପରେ ଦଣ୍ଡାୟମାନ ହେବାପରେ ପର୍ବ ପୂଜକ, ପରୀଚ୍ଛା, ପତ୍ରୀ, ପାଳିଆ ମାଳି, ନିଯୋଗୀ ସେବାୟତମାନେ ମା’ମାନଙ୍କୁ ସ୍ଵାଗତ କରି ଜୟ ଧ୍ଵନୀ ସହିତ ଆଲଟଚାମର ସେବା କରିଥିଲେ। ପରେ ଘଣ୍ଟା ଘଣ୍ଟକାହାଳୀ ବାଜି ନୈବେଦ୍ୟ ଅର୍ପଣ, ଅଗ୍ନି ଉତ୍ସବ, ଆଳତୀ ବନ୍ଦାପନା ପରେ ଦେବୀମାନେ ମନ୍ଦିର ପ୍ରବେଶ କରିଥିଲେ।

ମନ୍ଦିର ଭିତରେ ବିଜୟ ଦଶମୀର ସମସ୍ତ ନୀତିକାନ୍ତି ସରିବା ପରେ ମା’ ଭଗବତୀ ବଡ଼ ଭଉଣୀ ବିରିଜାଇ ଓ ମା’ କନକ ଦୁର୍ଗାଙ୍କୁ ଛାଡ଼ି ଏକାକୀ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରକୁ ବାହୁଡା ବିଜେ କରିବା ବେଳେ ବଡ଼ ଦାଣ୍ଡରେ ଶ୍ରୀ ଶ୍ରୀ ରଘୁନାଥ ଦେବ ମା’ଙ୍କୁ ପାଛୋଟି ନେଇ ମା’ଙ୍କ ଅତିପ୍ରିୟ ଅଧର ମୁଆଁ ସହିତ ବିଭିନ୍ନ ପ୍ରକାରର ମିଷ୍ଠାନ ନୈବେଦ୍ୟ ଅର୍ପଣ କରି ମା’ଙ୍କୁ ଶାନ୍ତ କରାଇବା ସହିତ ବିଦାୟ ଦେଇଥିଲେ।

ପରେ ରାତ୍ରିର ଶେଷ ପ୍ରହରରେ ମା’ ଭଗବତୀ କାଠି ଠାକୁରାଣୀ ପିତ୍ରାଳୟ ଶ୍ରୀ ଶ୍ରୀଦକ୍ଷେଶ୍ଵର ଦେବ ମନ୍ଦିରକୁ ପ୍ରବେଶ କରିଥିଲେ। ମା’ଙ୍କ ଏହି ମେଲାଣି ଉତ୍ସବରେ ଅଗଣିତ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ମା’କନକ ଦୁର୍ଗା କୁମାରପୂର୍ଣ୍ଣମୀ ପର୍ଯ୍ୟନ୍ତ ମନ୍ଦିରରେ ରହି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ। ସ୍ଥାନୀୟ ପ୍ରଶାସନ, ପୋଲିସ୍‌, ମନ୍ଦିର ପ୍ରସାଶନ ରଘୁନାଥ ସାହିପକ୍ଷରୁ ସମସ୍ତ ପ୍ରକାର ବିହିତ ପଦକ୍ଷେପ ଗ୍ରହଣ କରାଯାଇଥିବା କଥା କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କ ଠାରୁ ପ୍ରକାଶ।

Categories
ଆଜିର ଖବର ରାଜ୍ୟ ଖବର

ମା’ଭଗବତୀଙ୍କ ମନ୍ଦିରରେ ଷଷ୍ଠୀ ଓଷାବ୍ରତ, ଲଳିତା ସପ୍ତମୀ ପର୍ବ ଓ ମା’ଙ୍କ ନୌବିହାର: ଲଗ୍ନ ସ୍ଥିର କଲେ ମନ୍ଦିରଗଣକ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ମନ୍ଦିରରେ ପାଳିତ ପର୍ବପର୍ବାଣୀ ଓ ଷାବ୍ରତକୁ ସମଗ୍ର ଜିଲ୍ଲାର ପ୍ରତି ଘରେ ଧୁମଧାମରେ ପାଳନ କରାଯିବାର ବିଧି କାହିଁ କେଉଁ କାଳରୁ ଚଳି ଆସୁଛି। ମା’ଙ୍କ ପୀଠରେ ବାରମାସରେ ତେର ପର୍ବ ପାଳିତ ହୁଏ। ଭାଦ୍ରବ ଶୁକ୍ଳଷଷ୍ଠୀ ଓ ସପ୍ତମୀ ତିଥିକୁ ଷଷ୍ଠି ଓଷା ଓ ଲଳିତା ସପ୍ତମୀ ଭାବରେ ମନ୍ଦିରରେ ପାଳନ କରାଯାଉଥିବାବେଳେ ସପ୍ତମୀରେ ଚିଲିକାରେ ମା’ଙ୍କ ନୈବିହାର ସହିତ ପୂର୍ବ ଦିଗସୁରକ୍ଷାକାରିଣୀ ଭଉଣୀ ମା’କାଳିଜାଇ ଙ୍କୁ ଶାରଦୀୟ ପର୍ବକୁ ନିମନ୍ତ୍ରଣ କରି ଦୁର୍ଗା ଅଷ୍ଟମୀରୁ ଶୟନ କରିବା ପରମ୍ପରା ଅତ୍ୟନ୍ତ ପ୍ରାଚୀନ ଓ ସଂପୂର୍ଣ୍ଣ ନିଆରା।

ଚଳିତବର୍ଷ ଏହି ଷଷ୍ଠି ଓଷାବ୍ରତ ପାଳନ ପାଇଁ ତା ୨୧_୯-୨୩ରିଖ ଗୁରୁବାର ଦିବା ୧ ଘଟିକା ୩୧ ମିନିଟ ଠାରୁ ଶୁଭ ମୂହୁର୍ତ୍ତରେ ଆରମ୍ଭ କରିବା ପାଇଁ ମନ୍ଦିର ଗଣକ ଶରତ ଚନ୍ଦ୍ର ପଣ୍ଡିତ ରାୟ ଙ୍କ ସହିତ କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ପରିଛା ସାଆନ୍ତ ବିନାୟକ ମହାପାତ୍ର, ମା’ଙ୍କ ଅଙ୍ଗ ଲାଗି ବରିଷ୍ଠ ସେବକ ଭାସ୍କର ଚନ୍ଦ୍ର ନାୟକ, ସୁକାନ୍ତ ନାୟକ,କାଠି ନାହାକ ଗଶେଷ ନାୟକ , ମନ୍ଦିର କର୍ମ ଚାରୀ ସୁରେନ୍ଦ୍ର ସାହୁ, ସହିତ ନିଯୋଗୀ ସେବାୟତମାନେ ବସିଲଗ୍ନ ସ୍ଥିର କରିଛନ୍ତି। ଏହି ଅନୁସାରେ ମା’ ଭଗବତୀଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣି ରଙ୍ଗ ବେରଙ୍ଗର ପାଟବସ୍ତ୍ର, ସହିତ ମନ୍ଦାର କନିଅର, ମଲ୍ଲୀ ମାଳତୀ , ରଜନୀଗନ୍ଧା, ବେଲପତ୍ର ଆଦି ସୁଗନ୍ଧିତ ପୁଷ୍ପମାଲ୍ୟ ମଣ୍ଡିତ ହୋଇ ନିଯୋଗୀ ସେବାୟତଙ୍କ ସହିତ ଘଣ୍ଟା, ଘଣ୍ଟ, କାହାଳୀ ,ବାଦ୍ୟ,ସଂକୀର୍ତ୍ତନ, ରେ ଦିହୁଡ଼ି, ଛତ୍ର , ତରାସ, ଆଲଟ, ଚାମର ସହିତ ଶ୍ରଦ୍ଧାଳୁଙ୍କ ସାଥିରେ ପିତ୍ରାଳୟଦକ୍ଷେଶ୍ଵର ଦେବ ମନ୍ଦିରରୁ ଥାଟ ପଟୁଆରରେ ନିଜ ମନ୍ଦିରୁ ଶୁଭ ଲଗ୍ନରେ ଯାତ୍ରା କରନ୍ତି।

ଏହି ଯାତ୍ରା ସମୟରେ ଘଣ୍ଟ କାହାଳୀ ଶବ୍ଦ ଶୁଣି ବାଣପୁର ଅଞ୍ଚଳର ଘରେ ଘରେ ଶୁଭ ଶଙ୍ଖ, ହୁଳହୁଳି ପକାଇ ଗୃହିଣୀମାନେ ନିଜ ନିଜ ଘରେ ଷଷ୍ଠୀଦେବୀଙ୍କୁ ଛ ତିଅଣ ନଭଜା,କ୍ଷିରୀଖେଚଡ଼ି , ପିଠାପଣା କରି ପୂଜାକରିବା ସହିତ ଛଖଣ୍ଡ ହଳଦୀରେ ବନ୍ଧା ହଳଦୀ କନାର ବଜ୍ର ଗଣ୍ଠି ବ୍ରତ ମା’ଙ୍କୁ ଅର୍ପଣ କରି ପିଲାମାନଙ୍କୁ ପିନ୍ଧାଇ ବାର ପରମ୍ପରା ରହିଆସିଛି। ମା’ ମନ୍ଦିରକୁ ଯାତ୍ରା ନ କରିବା ପର୍ଯ୍ୟନ୍ତ ଘରମାନଙ୍କରେ ପୂଜା ହୁଏ ନାହିଁ। ମା’ ମନ୍ଦିରରେ ପହଞ୍ଚିବାପରେ ମା’ଙ୍କୁ ଭାଗ୍ୟ ଓ ଆୟୁଷର ଦେବୀ ଷଷ୍ଠୀଦେବୀ ଭାବରେ ବରଣ କରାଯାଇ ମଙ୍ଗଳ କଳସ ସ୍ଥାପନ ପରେ ଷୋଡଷ ଉପଚାରରେ ପରିଛା ସାଆନ୍ତ ପୂଜା ଅର୍ଚ୍ଚନା କରି ଆଳତି ବନ୍ଦାପନା ପରେ ସମସ୍ଥସେ ବାୟତ ପରିବାରର ଯୁବକ ମାନେ ଷଠି କନା ଡୋରିହାତରେ ଧାରଣ କରି ମା’ଙ୍କ ଶାରଦୀୟ ପର୍ବ କୁ ନିର୍ବଘ୍ନରେ ପାଳନ କରିବାକୁ ସଂକଳ୍ପ ନେଇ ମା’ଙ୍କ ପାଖରେ ସମର୍ପିତ ହୋଇ ଆଶୀର୍ବାଦ କାମନା କରନ୍ତି।

ଏହାପରଦିନ ଲଳିତା ସପ୍ତମୀ ।ମୀନ ସପ୍ତମୀ ଭାବରେ ମା’କାଠି ଠାକୁରାଣୀକୁ ମନ୍ଦିର ବାମ୍ଫି ନିକଟରେ ବିଧି ବିଧାନ ଅନୁସାରେ ପୂଜାର୍ଚ୍ଚନା ପରେ ମା’ ପୂର୍ବ ଦିଗକୁ ଯାତ୍ରା ଆରମ୍ଭକରି ସୁରକ୍ଷା କାରିଣୀ ଚିଲିକାରେ ନୌବିହାର ସହିତ ନୀଳ ଜଳରାଶି ମଧ୍ୟରେ ପୂଜିତା ଭଉଣୀ କାଳିଜାଇ ଙ୍କୁ ଶାରଦୀୟ ନିମନ୍ତ୍ରଣ ସହିତ ଆଜ୍ଞାମାଳ ନେଇ ପିତ୍ରାଳୟକୁ ଫେରିବା ବାଟରେ ବାଲୁଗାଁ ନିକଟସ୍ଥ ସାମନ୍ତରାପୁର, ଗଣ୍ଡର ପୁର, ଅନ୍ତର କିଆରୀର ଶ୍ରଦ୍ଧାଳୁମାନଙ୍କ ଦ୍ଵାରେ ଦ୍ଵାରେ ସହିତ ପରିଛା ସାଆନ୍ତ ଙ୍କଦ୍ଵାରଠାରେ ପନ୍ତିଭୋଗ ଖାଇ ପିତ୍ରାଳୟ ଦକ୍ଷେଶ୍ଵର ଦେବଙ୍କ ମନ୍ଦିରରେ ଦୁର୍ଗାଶୟନ ଅଷ୍ଟମୀ ତିଥିଠାରୁ ଆଶ୍ଵିନ କୃଷ୍ଣସପ୍ତମୀ ପର୍ଯ୍ୟନ୍ତ୍ର ଶୟନ କରନ୍ତି। ପରଦିନ ମୂଳାଷ୍ଟମୀରେ ଦେବୀ ଉତ୍ ଥାପନ, ସହସ୍ର କୁମ୍ଭାଭିଷେକ ହୋଇ ମା’ ଭାଗବତାଙ୍କଶାରଦୀୟ ଦୁର୍ଗୋତ୍ସବ ବାହାର ପର୍ବ ଆରମ୍ଭ ହୁଏ।

Categories
ଆଞ୍ଚଳିକ

ଖୋଲିଲା ମା’ଭଗବତୀଙ୍କ ଭିତର ହୁଣ୍ଡି: ମନ୍ଦିରର ଉନ୍ନତି କାର୍ଯ୍ୟରେ ଲାଗିବ ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରାଧ୍ୟ ଦେବୀ ମା’ ଭଗବତୀଙ୍କ ମନ୍ଦିର ଭିତର ହୁଣ୍ଡି ଖୋଲାଯାଇଛି। ଆଜି ଦିବା ୧୦ ଘଟିକା ସମୟରେ ମନ୍ଦିର ଟ୍ରଷ୍ଟବୋର୍ଡ଼ର ସଭାପତି ସ୍ଥାନୀୟ ତହସିଲଦାର କୁଞ୍ଜ ବିହାରୀ ବଡ଼ଜେନା, ଟ୍ରଷ୍ଟର ସଦସ୍ୟ ସ୍ଥାନୀୟ ଥାନା ଭାରପ୍ରାପ୍ତ ନିରୀକ୍ଷକ ରମେଶ କୁମାର ଦେବତା, ଏଣ୍ଡାଓମେଣ୍ଟର କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ପୂଜକ ସାଆନ୍ତ ପରିଚ୍ଛା ବିନାୟକ ମହାପାତ୍ର, ପାଳିଆମାଳି ଭାସ୍କର ଚନ୍ଦ୍ରନାୟକଙ୍କ ସହିତ ମନ୍ଦିର କର୍ମଚାରୀ ସୁରେନ୍ଦ୍ର କୁମାର ସାହୁ, ଅକ୍ଷୟ କୁମାର ମିଶ୍ର, ଆଶ୍ଵିନୀ ମିଶ୍ର, କମଳମିଶ୍ର ପ୍ରମୁଖ ମା’ଙ୍କ ପାଖରେ ସମର୍ପିତ ହୋଇ ଭିତର କାଠ ପାଖ ହୁଣ୍ଡିକୁ ଖୋଲି ଥିଲେ।

ଏଥିରୁ ସର୍ବମୋଟ ୧ ଲକ୍ଷ ୧୧ ହଜାର ୫୦ ଟଙ୍କା ସଂଗୃହିତ ହୋଇ ସ୍ଥାନୀୟ ୟୁକୋ ବ୍ୟାଙ୍କରେ ଥିବା ମନ୍ଦିର ଜମାଖାତାରେ ଜମା କରାଯାଇଥିଲା। ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ ମନ୍ଦିର ଉନ୍ନତି କାର୍ଯ୍ୟରେ ଲାଗିବ ବୋଲି ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଦାସଙ୍କଠାରୁ ପ୍ରକାଶ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ମା’ଭଗବତୀଙ୍କ ପୀଠରେ ବକୁଳ ଲାଗି

ସୀତାରାମ ଅଗ୍ରୱାଲ

ବାଣପୁର: ମା’ଙ୍କ ପୀଠରେ ବାର ମାସରେ ତେର ପର୍ବ। ପ୍ରତ୍ୟେକ ଋତୁରେ ଚଳଚଞ୍ଚଳ ଶକ୍ତିପୀଠ ବାଣପୁର। ପୌଷର ଶୀତଳ ସ୍ପର୍ଶରେ ଘୋଡ଼ ଲାଗି ହୋଇଛନ୍ତି ମା’। ପୌଷମାସ ଅମାବାସ୍ୟା ବକୁଳ ଲାଗି ଅମାବାସ୍ୟା ଭାବରେ ଓଡ଼ିଶାର ପ୍ରଧାନ ପର୍ବ। ଘରେ ଘରେ ନୂଆ ଚାଉଳ ଚୁନା, ଗୁଡ଼, ନଡ଼ିଆ, କ୍ଷୀର, କାଜୁ ମସଲାରେ ତିଆରି ଗଇଣ୍ଠା ଲାଗି ହୁଏ। ଏଣେ ଆମ୍ରବୃକ୍ଷ ବକୁଳକଳିକାରେ ପରିପୂର୍ଣ୍ଣ ହୁଏ।

ପ୍ରଥମ ବକୁଳ ଦେବା ଦେବୀଙ୍କୁ ଲାଗି କରାଯିବାର ବିଧି ପ୍ରାଚୀନ କାଳରୁ ଓଡ଼ିଶାରେ ଚଳି ଆସିଛି। ସେହି ଅନୁସାରେ ମା’ଙ୍କ ପୀଠରେ ଆଜି ସୁପକାରଙ୍କ ଦ୍ୱାରା ମା’ଙ୍କ ଜମିରୁ ସଂଗୃହୀତ ଧାନରୁ ଆଦାୟ ନୂଆ ଚାଉଳର ଚୁନା, ଗୁଡ଼, ନଡ଼ିଆ, ଘିଅ, କାଜୁମସଲାରେ ଶୁଦ୍ଧ ପୂତ ଭାବରେ ପ୍ରସ୍ତୁତ ଗଇଣ୍ଠା ସହ ବକୁଳ ଲାଗି କରାଯାଇଛି। ସକାଳୁ ମା’ଙ୍କ ଅଙ୍ଗରାଗ ମାଜଣା, ବେଶ, ମହାପ୍ରସାଦ ଅର୍ପଣ, ବଲ୍ଲଭ ଆଳତୀ, ସର୍ବ ସାଧାରଣ ଦର୍ଶନ ସହିତ ରାଜଭୋଗ ଖେଚଡ଼ି ଡାଲି ଧୂପ ପରେ ମଧ୍ୟାହ୍ନରେ ଅନ୍ନ, ମହୁର, ଡାଲି, କ୍ଷୀରୀ ଭୋଗ ହୋଇ ପହୁଡ଼ ପଡ଼ିଥିଲା।

ସଂଧ୍ୟାରେ ପୀଠ ଧୋପଖାଳ ହୋଇ ଖଜା, କାନ୍ତି, ପୁଳି, ଖେଇ, ସରପୁଳି, ମାଠ ପୁଳି, ଧୂପ ପରେ ଆଳତି କରି ପରିଛା ସାମନ୍ତଙ୍କ ଦ୍ୱାରା ବକୁଳ ଲାଗି ନୀତି ବଢିଥଲା। ସୁପକାର ମୁହଁରେ ତୁଣ୍ଡି ବାନ୍ଧି ଗଇଣ୍ଠା ଆଣି ମା’ଙ୍କ ଭୋଗ ମଣ୍ଡପରେ ଠାକରିବା ପରେ ଘଣ୍ଟ କାହାଳି ବାଜି ପାଳିଆ ମାଳି ଯୋଗାଇଥିବା ବକୁଳ ସହିତ ଧୂପ ହୋଇଥିଲା।

ପରେ ବଡ଼ସିଂହାର ହୋଇ ମା’ଙ୍କ ପହୁଡ଼ ନୀତି ସରିବା ପରେ ନିଯୋଗୀ ସେ ବାୟତ ଓ ଶ୍ରଦ୍ଧାଳୁମାନଙ୍କୁ ମା’ଙ୍କ ଗଇଁ ଠାପ୍ରସାଦ ବଣ୍ଟନ କରାଯାଇଥିଲା ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ମା’ଭଗବତୀଙ୍କ ପୀଠରେ ଚନ୍ଦ୍ରଗ୍ରହଣ ନୀତିକାନ୍ତି

ବାଣପୁର: ଚଳିତ ମହାକାର୍ତ୍ତିକ ରାସ ପୂର୍ଣ୍ଣିମା ତିଥି ତା-୮.୧୧.୨୨ ରିଖ ମଙ୍ଗଳବାର ଦିନ ଅପରାହ୍ନରେ କେତୁ ଗ୍ରସ୍ତ ଖଣ୍ଡ ଗ୍ରାସ ଚନ୍ଦ୍ରଗ୍ରହଣ ଲାଗୁଥିବାରୁ ଏବଂ ଏହା ଓଡ଼ିଶାକୁ ଦୃଶ୍ୟମାନ ହେଉଥିବାରୁ ଶ୍ରୀମନ୍ଦିର ପରି ମା’ଭାଗବତୀଙ୍କ ପୀଠରେ ଗ୍ରହଣ ପାଇଁ ସ୍ୱତନ୍ତ୍ର ନୀତିକାନ୍ତି ପାଳିତ ହେବ। ମନ୍ଦିର ପ୍ରଶାସନ, ମନ୍ଦିର ଖଡ଼ିରତ୍ନ, ପରିଛା ସାମନ୍ତ, ଛତିଶା ନିଯୋଗଙ୍କ ମିଳିତ ବୈଠକର ନିଷ୍ପତିକ୍ରମେ ତା’ ୭.୧୧.୨୨ ରିଖ ସୋମବାର ସଂଧ୍ୟାରୁ ରାତ୍ର ୧୦ଟା ୩୦ରେ ମା’ଙ୍କ ବଡ଼ସିଂହାର ହୋଇ ପହଡ଼ ପଡ଼ିବ।

ସେହି ଦିନ ରାତ୍ର ୧୨ଘଟିକା ପରେ ମା’ଙ୍କ ମଙ୍ଗଳବାର ନୀତିକାନ୍ତି ଆରମ୍ଭ ହୋଇ ଦ୍ଵାର ଫିଟା, ଅବକାଶ, ଅଙ୍ଗରାଗ ମାଜଣା, ବେଶ, ମହାପ୍ରସାଦ ଅର୍ପଣ, ବଲ୍ଲଭ ଆଳତୀ ପରେ ଖେଚଡ଼ି ଡାଲି ଧୂପ ବଢି ଶଙ୍କୁଡ଼ି ପୂଜା ହୋଇ ମଙ୍ଗଳବାର ଭୋର ୫ଟାରୁ ମାଠ ପୁଳି ଧୂପ ଶେଷ ପରେ ଦେବନୀତି ବନ୍ଦ ରହିବ।

ମଙ୍ଗଳବାର ଦିନ ଗ୍ରହଣ ଲାଗୁଥିବାରୁ ଦିନ ସାରା ମନ୍ଦିର ଖୋଲା ରହିବ ଏବଂ ସର୍ବ ସାଧାରଣ ମଣ୍ଡପ ଉପରେ ରହି ଦୂରରୁ କେବଳ ମା’ଙ୍କୁଦର୍ଶନ କରିବେ। ସ୍ପର୍ଶ କରିବେ ନାହିଁ। ଗ୍ରହଣସ୍ପର୍ଶ ଅପରାହ୍ନ ୨ଟା ୩୯ମିରୁ ଆରମ୍ଭ ହେଉଥିବାରୁ ଗ୍ରହଣ ମଧ୍ୟ ସମୟ ୪ଟା ୨୯ମିରେ ଗ୍ରହଣ ଭୋଗ ହୋଇ ପୋତା ହେବ। ଗ୍ରହଣ ସର୍ବମୋକ୍ଷ ସଂଧ୍ୟା ୬ଟା ୨୯ମି ପରେ ପୁଣି ମଙ୍ଗଳବାର ରାତ୍ର ନୀତିକାନ୍ତି ଆରମ୍ଭ ହେବ। ସେହି ଦିନ ମା’କାଠି ଠାକୁରାଣି ସଂଧ୍ୟା ୮ ଘଟିକାରେ ଦକ୍ଷେଶ୍ଵର ମନ୍ଦିରରୁ ବିଜେ କରିବେ ଏବଂ ବଡ଼ସିଂହାର ପରେ ମଙ୍ଗଳବାର ରାତ୍ର ୧୧ ଘଟିକାରେ ପିତ୍ରାଳୟକୁ ଫେରିବା ପରେ ପହୁଡ଼ ହେବ ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କଠାରୁ ପ୍ରକାଶ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ମା’ ଭଗବତୀଙ୍କ ପୀଠରେ ସୂର୍ଯ୍ୟପରାଗ ନୀତିକାନ୍ତି

ସୀତାରାମ ଅଗ୍ରୱାଲ

ବାଣପୁର: ଚଳିତବର୍ଷ ମହାକାର୍ତ୍ତିକ ଦୀପାବଳି ଅମାବାସ୍ୟା ତିଥିରେ କେତୁ ଗ୍ରସ୍ତ ସୂର୍ଯ୍ୟପରାଗ ଲାଗୁଥିବାରୁ ଏବଂ ଏହା ଓଡ଼ିଶାକୁ ସୂର୍ଯ୍ୟାସ୍ତ ପୂର୍ବରୁ ଦୃଶ୍ୟମାନ ହେଉଥିବାରୁ ଶ୍ରୀମନ୍ଦିର ସହିତ ଦେବା ଦେବୀ ପୀଠମାନଙ୍କରେ ସ୍ଵତନ୍ତ୍ର ନୀତିକାନ୍ତି ପାଳିତ ହେବ। ଏହି ଦିନ ମା’ ଭଗବତୀଙ୍କ ପୀଠରେ ମଧ୍ୟ ସ୍ଵତନ୍ତ୍ର ଭାବରେ ପରାଗ ନୀତିକାନ୍ତି ପାଳନ କରାଯିବାକୁ ମନ୍ଦିର ପ୍ରଶାସନ ଓ ଛତିଶା ନିଯୋଗ ସେବାୟତଙ୍କ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଏହି ଅନୁସାରେ ମନ୍ଦିର ପାଞ୍ଜିଗଣକ, ପୁରୋହିତ, ପର୍ବପୂଜକ, ପରିଛା ସାମନ୍ତ ଏବଂ ପ୍ରଶାସନଙ୍କ ମିଳିତ ନିଷ୍ପତ୍ତିକ୍ରମେ ମଙ୍ଗଳବାରେ ଅମାବାସ୍ୟା ତିଥିରେ ଅପରାହ୍ନ ୪ ଟା ୫୬ ମିନିଟ ୫୨ ସେକେଣ୍ଡରେ ପରାଗ ସ୍ପର୍ଶ କରୁଥିବାରୁ ଏବଂ ସଂଧ୍ୟା ୬ ଟା ୨୬ ମିନିଟ ୫୨ ସେକେଣ୍ଡରେ ସର୍ବ ମୋକ୍ଷ ହେଉଥିବାରୁ ସୂର୍ଯ୍ୟ ଦୃଶ୍ୟମାନ ହେଉନ ଥିବା ଯୋଗୁଁ ମନ୍ଦିରର ମଙ୍ଗଳବାରର ସମସ୍ତ ନୀତିକାନ୍ତି ଦିଅଁ ବିଜେ, ସୋମବାର ରାତ୍ର ୧୨ ଘଟିକାରୁ ଆରମ୍ଭ ହୋଇ ଭୋର୍ ୪ଟା ୫୭ ମିନଟ୍ ମଧ୍ୟରେ ଶେଷ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା।

କାରଣ ମଙ୍ଗଳବାର ଭୋର୍ ୪ ଟା ୫୭ ମିନିଟରୁ ପାକ ତ୍ୟାଗ ଦେବନୀତି ନିଷେଧ ଥିବାରୁ ଏହି ସମୟରୁ ମା’ଙ୍କର ସମସ୍ତ ନୀତିକାନ୍ତି ମଙ୍ଗଳବାର ଦିନ ସାରା ବନ୍ଦ ରହିବ। ମା’ କେବଳ ସର୍ବ ସାଧାରଣଙ୍କୁ ଦୂରରେ ଦର୍ଶନ ଦେବେ। ଏହି ସମୟରେ ସର୍ବସାଧାରଣଙ୍କ ଭୋଗ ଲାଗି ହେବ ନାହିଁ, ଶ୍ରଦ୍ଧାଳୁମାନେ ଗର୍ଭ ଗୃହ, ଚନ୍ଦନ ଅର୍ଗଳୀ ପାଖକୁ ଯାଇ ପାରିବେ ନାହିଁ। କେବଳ ମଣ୍ଡପରେ ଥାଇ ଦର୍ଶନ କରିବେ।

ସୋମବାର ସଂଧ୍ୟା ସମୟରେ ଦୀପଦାନ ଦୀପାବଳିର ସମସ୍ତ ନୀତିକାନ୍ତି ପରେ ବଡ଼ସିଂହାର ହୋଇ ରାତ୍ର ପହୁଡ଼ ହେବ। ପୁଣି ରାତ୍ର ୧୨ ଘଟିକା ଠାରୁ ଦ୍ଵାର ଫିଟା, ଅବକାଶ, ମା’ଙ୍କ ଅଙ୍ଗରାଗ ମାଜଣା ମହାପ୍ରସାଦ ଅର୍ପଣ, ବଲ୍ଲଭ ଆଳତି ବଢିବା ପରେ ଖେଚଡ଼ି ଡ଼ାଲି ଧୂପ ବଢି ଶଙ୍କୁଡି ଭୋଗ ପରେ ଦିବା ପହୁଡ଼ ପରେ ମଙ୍ଗଳବାର ନୀତିକାନ୍ତିରେ ମା’କାଠି ଠାକୁରାଣୀ ଦକ୍ଷେଶ୍ଵର ମନ୍ଦିରରୁ ନିଶାର୍ଦ୍ଧରେ ବିଜେ କରିବାପରେ ଆଳତି ଖେଇ ଧୂପ ହୋଇ ମଙ୍ଗଳବାରର ବଡ଼ସିଂହାର ସାରି ପିତ୍ରାଳୟକୁ ଫେରିବା ପରେ ରାତ୍ର ପହୁଡ ହୋଇ ପୁଣି ମାଜଣାବଲ୍ଲଭ ଆଳତି ହୋଇ ଭୋର୍ ୪ ଟା ୫୭ ପୂର୍ବରୁ ଦେବୀନୀତି ଶେଷହେବ, ମଙ୍ଗଳବାର ପରାଗ ସ୍ପର୍ଶ ସମୟରେ ପରାଗ ଧୂପ ହୋଇ ପୋତା ଯିବ।

ବୁଧବାର ଭୋର୍ ୫ ଟା ୫୬ମିନିଟସୂର୍ଯ୍ୟ ଉଦୟରୁ ପୁଣି ଯଥାରୀତି ନୀତିକାନ୍ତି ବଢିବ ବୋଲି କାର୍ଯ୍ୟାଳୟର ନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କ ଠାରୁ ପ୍ରକାଶ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ମା’ଭଗବତୀଙ୍କ ପୀଠରେ ମହାକାର୍ତ୍ତିକ ନୀତିକାନ୍ତି

ସୀତାରାମ ଅଗ୍ରୱାଲ

ବାଣପୁର: ଆଶ୍ଵିନର ଶାରଦୀୟ ପର୍ବପରେ ମା’ ଭଗବତୀଙ୍କ ପୀଠରେ ଆରମ୍ଭ ହୋଇଛି ମହାକାର୍ତ୍ତିକ ନୀତିକାନ୍ତି। ମା’ ଭଗବତୀ ପରମ ବୈଷ୍ଣବୀ। ଯାହାଙ୍କୁ ମାଜଣା ପରେ ପ୍ରତ୍ୟହ ମହାପ୍ରସାଦ ଅର୍ପଣ କରିବାର ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି। ଓଡ଼ିଆ ଘରର ଚଳଣିରେ ସ୍ନାନ ପରେ ପରେ ଜଗନ୍ନାଥଙ୍କ ନିର୍ମାଲ୍ୟ ମହାପସ୍ରାଦ ସେବନ କରିବା ପରି ମା’ଙ୍କ ନୀତି କାନ୍ତିରେ ମହାପ୍ରସାଦ ଅର୍ପଣରୁ ମା’ଙ୍କ ପୀଠ ପରମ ବୈଷ୍ଣବ ପୀଠ ଭାବରେ ପରିଚିତ।

ମହାକାର୍ତ୍ତିକର ପ୍ରାରମ୍ଭରୁ ପ୍ରତ୍ୟହ ଭୋର ୫ ଘଟିକାରେ ଦ୍ଵାର ଫିଟା, ମା’ଙ୍କ ଅଙ୍ଗରାଗ ମାଜଣା, ମହାପ୍ରସାଦ ଅର୍ପଣ, ନାମ ସଂକୀର୍ତ୍ତନ, ସକାଳ ୭ ଘଟିକାରେ ବଲ୍ଲଭ ଆଳତୀ, ବେଢ଼ା ପରିକ୍ରମା, ବେଶ, ସର୍ବସାଧାରଣଙ୍କ ନୈବେଦ୍ୟ ଲାଗି, ଦିବା ୧୨ ଘଟିକାରେ ଶଙ୍କୁଡ଼ି ଧୂପ, ତାପରେ ଏଣ୍ଡୁରୀ ସହ ଶଙ୍କୁଡ଼ି ଲାଗି। ଦିବା ୨ଘଟିକାରେ ଦିବା ପହୁଡ। ଦିବା ୩ ଘଟିକାରୁ ଦ୍ଵାର ଫିଟା ସର୍ବସାଧାରଣ ଦର୍ଶନ। ସଂଧ୍ୟା ଛଅ ଘଟିକାରେ ନିଶଙ୍କୁଡ଼ି ଖଜା, କାନ୍ତି, ସରପୁଳି, ମାଠ ପୁଳି, ଧୂପସହ ଆଳତି, ପୁରାଣ ପାଠ। ରାତ୍ର ୧୦ ଘଟିକାରେ ଦହି ପଖାଳ, ଗୁଣ୍ଡି ଭଜା, ଛେନାପଣା, କାକରା ମାଠ ପୁଳି ଧୂପ ପରେ ବଡସିଂହାର ବେଶ, ରାତ୍ର ପହୁଡ଼।

ମା’ଙ୍କ ବଲ୍ଲଭ ଆଳତିଦର୍ଶନ ପାଇଁ ହବିଷ୍ୟାଳୀଙ୍କ ପ୍ରବଳ ଭିଡ଼ ସହିତ ହରିବୋଲ ହୁଳହୁଳି ଶବ୍ଦରେ ମନ୍ଦିର ବେଢାରେ ଆଧାତ୍ମିକ ପରିବେଶ ପରିଲକ୍ଷିତ ହେଉଛି। ସର୍ବସାଧାରଣଙ୍କ ଅନୁରୋଧକ୍ରମେ ପୁରୀର ଶ୍ରୀମନ୍ଦିର ପରି ମହାକାର୍ତ୍ତିକରେ ଚଳିତ ବର୍ଷ ମନ୍ଦିର ପ୍ରଶାସନ ତରଫରୁ ମା’ଙ୍କ ପୀଠକୁ ସ୍ଵଚ୍ଛ, ପବିତ୍ର, ଶୁଦ୍ଧପୂତ ରଖିବା ସହିତ ପରିବେଶ ପ୍ରଦୂଷଣ ମୁକ୍ତ ରଖିବାପାଇଁ ବାହାରର ଅପମିଶ୍ରିତ ଘିଅ ଦୀପ ମନ୍ଦିର ଭିତରେ ନ ଜାଳିବାକୁ ଶ୍ରଦ୍ଧାଳୁମାନଙ୍କୁ ଅନୁରୋଧ କରାଯିବା ସହିତ ମନ୍ଦିର ବେଢାରେ ଶ୍ରୀମନ୍ଦିର ପରି ଶୁଦ୍ଧ ଭଲ ଘିଅ ଓଡ଼ିଶା ସରକାରଙ୍କ ଭରଷାଯୋଗ୍ୟ ଓମ୍ ଫେଡ୍‌ ଘିଅ ଦୀପ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଆଜି କୁମାରପୂର୍ଣ୍ଣିମା, ମା’ ଭଗବତୀଙ୍କ ପୀଠରେ କଉଡ଼ି ଖେଳ

ବାଣପୁର: ଆଜି ପବିତ୍ର କୁମାରପୂର୍ଣ୍ଣିମା, ଗଜଲକ୍ଷ୍ମୀ ବେଶରେ ଦର୍ଶନ ଦେବେ ମା’ଭଗବତୀ। ଚଳିତ ଶାରଦୀୟ ପର୍ବର ଶେଷ ଉତ୍ସବ। ଭଉଣୀ କନକ ଦୁର୍ଗାଙ୍କୁ ପାଖରେ ରଖି ବଳି ସେବକ ବଳି ଜେନା ସହିତ ରାତିରେ କଉଡି ଖେଳ ଖେଳିବେ ମା’। ବଳିଜେନା ଖେଳରେ ହାରି ଆଗମୀ ବର୍ଷ ଶାରଦୀୟ ପର୍ବରେ ପୁଣି ନରବଳୀ ପ୍ରତୀକ ସେବା ନୀତିରେ ସହଯୋଗ କରିବାକୁ ସଂକଳ୍ପ କରି ମା’ଙ୍କ ବଡସିଂହାର ପ୍ରସାଦ ସେବନ ସାରି ନିଶାର୍ଦ୍ଧରେ ସ୍ଵଗୃହକୁ ଫେରିବା ପରେ ଭଉଣୀ କନକ ଦୁର୍ଗାଙ୍କୁ ମେଲାଣୀ ଦେବେ ମା’।

ମା’ କନକଦୁର୍ଗା ଭଉଣୀ ଭଗବତୀଙ୍କ ସହିତ ଦୀର୍ଘ ୨୩ ଦିନର ଶାରଦୀୟ ପର୍ବ ପୂଜା ଶେଷ କରି ନିଶାର୍ଦ୍ଧରେ ଦକ୍ଷେଶ୍ଵର ମନ୍ଦିରକୁ ବିଜେ କରିବାପରେ ପାର୍ବଣଉତ୍ସବ ଉଦ୍ ଯାପିତ ହେବ।

ଏହି ଶେଷ ପର୍ବରେ ମା’ଙ୍କ ଦୁର୍ଲଭ କଉଡି ଖେଳ ଦର୍ଶନ କରି ମାତୃ କୃପାଲାଭ କରିବାକୁ ନିବେଦନ ସହିତ ମନ୍ଦିର ପ୍ରଶାସନ ସମସ୍ତଙ୍କର ମଂଗଳ କାମନା କରୁଛି।

Categories
DurgaPuja2021 ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ବାଣପୁର ମା’ଭଗବତୀଙ୍କ ପୀଠରେ ମହାମାୟାଙ୍କ ମହାନବମୀ

ସୀତାରାମ ଅଗ୍ରୱାଲ

ବାଣପୁର: ଓଡ଼ିଶାର ଅନନ୍ୟ ଶକ୍ତିପୀଠ ଖୋର୍ଦ୍ଧା ଜିଲ୍ଲା ବାଣପୁର ମା’ଭଗବତୀଙ୍କ ଷୋଡଶ ଦିବସାତ୍ମକ ପୂଜା ଅତି ନିରାଡ଼ମ୍ବର ଭାବେ ସମାପନ ହୋଇଯାଇଛି।

ଗତକାଲି ପିଠେ ମହାନବମୀରେ ପ୍ରଥମେ ଦ୍ୱାରପୂଜା, ନିର୍ମାଲ୍ୟ ସମର୍ପଣ, ସୂର୍ଯ୍ୟପୂଜା, ସପ୍ତଶତୀ ଚଣ୍ଡିପାଠ, ଷୋଡଶ ଉପଚାରରେ ମା’ ଙ୍କୁ ପୂଜା କରାଯାଇଥିଲା। ସନ୍ଧ୍ୟାରେ ଆରତୀ ଦର୍ଶନ ସହ “ମା”ଙ୍କର ନବକଳସ ପୂଜା ସହିତ ନବଦେବତାଙ୍କୁ ନଅ ପ୍ରକାର ପୂଜା କରାଯାଇ ସମାଜ ମଙ୍ଗଳ ନିମନ୍ତେ ନବକାରକ (ଧର୍ମ, ଅର୍ଥ, କାମ, ମୋକ୍ଷ, ସତ୍ୟ, ଶାନ୍ତି,ଦୟା, କ୍ଷମା ଏବଂ ଦୀର୍ଘାୟୁ) କାମନା କରି ମହାମାୟା ମନ୍ତ୍ରରେ ମା’ ଙ୍କୁ ପୂଜା କରାଯାଇଥିଲା।

ମା’ ଭଗବତୀ ମହାମାୟା ବେଶ ଧାରଣ କରି ମଧ୍ୟରାତ୍ରୀ କାଳୀନ ସନ୍ଧିପୂଜା ବା ଗୁପ୍ତପୂଜା ସହ ପଞ୍ଚ “ମ” କାରରେ ଏକଦିନାତ୍ମକ ପୂଜା ପାଇଥିଲେ। ଏବଂ ଶେଷରେ ଶାନ୍ତି ଆରତୀ ଦର୍ଶନ ହୋଇଥିଲା। ଅଦ୍ୟ ପିଠେ ବିଶ୍ରାମ ହେତୁ ଆଜି ଶୁଖ ଶାନ୍ତି ନିମନ୍ତେ ମା’ଙ୍କର ଦର୍ଶନ ହୋଇଛି। ଆସନ୍ତାକାଲି ମା’ଙ୍କର ଦଶହରା ଏବଂ ପିଠେ ଦଶମୀ ରେ ଭକ୍ତ ମାନଙ୍କୁ ଦର୍ଶନ ଦେବାପାଇଁ ମା’ ଅପରାଜିତା ବେଶରେ ସଜ୍ଜିତ ହୋଇ ପୂଜକ ବାବନ ଚନ୍ଦ୍ର ଦାଶଙ୍କ ଦ୍ଵାରା ଅପରାଜିତା ସ୍ତ୍ରୋତ ପାଠ କରାଯାଇ ମା’ ଅପରାଜିତା ପୂଜାରେ ପୂଜିତ ହୁଅନ୍ତି। ସରକାରଙ୍କ କୋଭିଡ ନିୟମକୁ ମନ୍ଦିରର ସମସ୍ତ ଛତିଶା ନିଯୋଗ ସଦସ୍ୟ କଡାକଡି ଭାବେ ଅନୁପାଳନ କରି ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ। ଏବଂ ସ୍ଥାନୀୟ ପ୍ରଶାସନ ଓ ମନ୍ଦିର ପ୍ରଶାସନ ତରଫରୁ ସମ୍ପୂର୍ଣ୍ଣ ସହଯୋଗ ମିଳିଥିବା ବେଳେ, ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ର ଅବଦାନ ମଧ୍ୟ ଅତୁଳନୀୟ ଥିଲା।