ଭୁବନେଶ୍ବର: ଆଇନ, ପୁର୍ତ୍ତ ତଥା ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଉପରେ ସବୁ ଆର୍ଶିବାଦ ଢାଳିଦେଲେ କାର୍ତ୍ତିକ ହବିଷ୍ୟାଳି। ଖାଲି ସେତିକି ନୁହେଁ ସେ ସବୁବେଳେ ମନ୍ତ୍ରୀ ହୋଇ ରହିଥାନ୍ତୁ ବୋଲି ମଧ୍ୟ ସେମାନେ ଆର୍ଶିବାଦ ଦେଇଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି।
ମଙ୍ଗଳବାର ଦିନ ପୁରୀ ଗସ୍ତ କରିଥିଲେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେଠାରେ ହବିଷ୍ୟାଳିଙ୍କ ପାଇଁ କିପରି ବ୍ୟବସ୍ଥା କରାଯାଇଛି ତାହାର ତଦାରଖ କରିଥିଲେ। ଏହି ସମୟରେ ସେ ପୁରୀ ନରେନ୍ଦ୍ରକୋଣ ସ୍ଥିତ ବୃନ୍ଦାବତୀ ନିବାସ ଠାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କାର୍ତ୍ତିକ ବ୍ରତ କରିବାକୁ ଆସିଥିବା ହବିଷ୍ୟାଳୀ ମା’ମାନଙ୍କୁ ସାକ୍ଷାତ କରିଥିଲେ। ସେମାନଙ୍କର ଅଭାବ ଅସୁବିଧାକୁ ସେ ଅନୁଧ୍ୟାନ କରିଥିଲେ। ଏହି ସମୟରେ ହବିଷ୍ୟାଳିମାନେ ମନ୍ତ୍ରୀଙ୍କ ମୁଣ୍ଡ ଉପରେ ହାତ ରଖି ଆର୍ଶିବାଦ ପ୍ରଦାନ କରିଥିଲେ।
ଏହାକୁ ନେଇ ଖୋଦ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ନିଜ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ, ମା’ ସିଏ ମମତାର ସାଗର, ସକଳ ଶକ୍ତିର ସେ ଆଧାର। ପରିବାର ହେଉ କି ସମାଜ ମାତୃ ଶକ୍ତିରେ ସମସ୍ତେ ହୋଇଛନ୍ତି ସମୃଦ୍ଧ। ପବିତ୍ର କାର୍ତ୍ତିକ ବ୍ରତ ଆରମ୍ଭ ଅବସରରେ ପୁରୀ ନରେନ୍ଦ୍ରକୋଣ ସ୍ଥିତ ବୃନ୍ଦାବତୀ ନିବାସ ଠାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପୁରୀରେ କାର୍ତ୍ତିକ ବ୍ରତ କରିବାକୁ ଆସିଥିବା ହବିଷ୍ୟାଳୀ ମା’ମାନଙ୍କ ଆର୍ଶୀବାଦ ଲାଭ କରି ମୁଁ ଅତ୍ୟନ୍ତ ସୌଭାଗ୍ୟବାନ ମନେ କରୁଛି।