ଭୁବନେଶ୍ବର: ଆଜି ସବୁ କଳ୍ପନା ଜଣଳ୍ପନାକୁ ପଛରେ ପକାଇ ବିଜେଡି ଛାଡି ବିଜେପିରେ ମିଶିଛନ୍ତି ଜୟ ଢୋଲକିଆ। ଫଳରେ ନୂଆପଡା ଉପନିର୍ବାଚନ ଏକ ଭିନ୍ନ ମୋଡ ନେଇଛି। ଆଜି ସେ ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ଦଳର ବରିଷ୍ଠ ନେତାଙ୍କ ସହିତ ବିଜେପିରେ ସାମିଲ ହୋଇଛନ୍ତି। ତେବେ ସେ ବିଜେଡିରୁ ଛିଡା ହେବେ ବୋଲି ପୂର୍ବରୁ କହିଥିଲେ। ହେଲେ ହଠାତ କଣ ହେଲା କେଜାଣି ସେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି।
ଏହାକୁ ନେଇ ବିଜେଡି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଆଜି ଶଙ୍ଖ ଭବନରେ ଦଳର ବରିଷ୍ଠ ନେତା ପ୍ରତାପ ଜେନା କହିଛନ୍ତି ଯେ, ଢୋଲକିଆ ବିକ୍ରି ହୋଇଗଲେ। ଯଦି ରାଜେନ୍ଦ୍ର ଢୋଲକିଆ ବଞ୍ଚିଥାଆନ୍ତେ ସେ କେବେ ଏହାକୁ ଦେଖିପାରି ନ ଥାଆନ୍ତେ। ସେ ବିଜେପିର ଘୋଡା ବେପାରରେ ସାମିଲ ହେଲେ। ଖୋଦ ଜୟ ଢୋଲକିଆ ନିଜେ ଘୋଷଣା କରିଥିଲେ ଯେ, ସେ ବିଜେଡିରୁ ଟିକେଟ ପାଇବେ ବୋଲି ନବୀନ ପଟ୍ଟନାୟକ ତାଙ୍କ ସହିତ କଥା ହୋଇଛନ୍ତି। ବିଜେଡି ଯାହା କହିବେ ସେ ତାହା କରିବେ ବୋଲି ଜୟ କହିଥିଲେ। ହେଲେ କଣ ହେଲା ସେ ବିଜେପିରେ ସାମିଲ ହୋଇଛନ୍ତି।
ଜୟ ହେଉଛନ୍ତି ରାଜେନ୍ଦ୍ର ଢୋଲକିଆଙ୍କ ପୋଷ୍ୟ ପୁତ୍ର
ଜୟଙ୍କ ବିଜେପିରେ ମିଶିବା ପରେ ବିଜେଡି ନେତା ପ୍ରତାପ ଜେନା ବେଶ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି। ସେ କହିଛନ୍ତି ଜୟ ଆଜି ଯାହା କଲେ ତାହା ରାଜେନ୍ଦ୍ର ଢୋଲକିଆ ବଞ୍ଚିଥିଲେ କେବେ କରି ନ ଥାଆନ୍ତେ। ଜୟ ହେଉଛନ୍ତି ରାଜେନ୍ଦ୍ର ଢୋଲକିଆଙ୍କ ପୋଷ୍ୟ ପୁତ୍ର। ତାଙ୍କ ଦେହରେ ରାଜେନ୍ଦ୍ର ଢୋଲକିଆଙ୍କ କୌଣସି ରକ୍ତ ପ୍ରବାହିତ ହେଉ ନାହିଁ। ଯଦି ସେ ତାଙ୍କର ପ୍ରକୃତ ପୁତ୍ର ହୋଇ ଥାଆନ୍ତେ ତେବେ ସେ କେବେ ବି ଏହା କରି ନ ଥାଆନ୍ତେ ବୋଲି ପ୍ରତାପ ଜେନା କହିଛନ୍ତି।