ସୁଧାଶ୍ରୀ ଦାଶ
ଜଣେ ପ୍ରବାସୀ ଭାରତୀୟ ହିସାବରେ ନିଜ ସଂସ୍କୃତି ଓ ଗରିମାକୁ ଧରି ରଖିବାର ଦାୟିତ୍ଵକୁ ମୁଁ ସବୁବେଳେ ଅନୁଭବ କରେ। ସେ ନିଜ ବେଶ ପୋଷାକ ଦ୍ଵାରା ହେଉ ବା ଚାଲିଚଳନ, ମୁଁ ଚେଷ୍ଟା କରେ ନିଜକୁ ଓଡିଆ ବୋଲି ପରିଚିତ ହେବାକୁ। ଚେଷ୍ଟା କରେ ମୋର ସାତ ବର୍ଷ ର ଝିଅ ମଧ୍ୟ ଓଡିଆ ବୋଲି ଗର୍ବିତ ହେଉ। କିନ୍ତୁ ସେ ଜନ୍ମରୁ ପ୍ରବାସ ରେ ରହିଥିବାରୁ ଓଡିଶାର ଗର୍ବ – ଗରିମାଠାରୁ ଦୂରରେ। ମୋ ଝିଅ ର ଘନିଷ୍ଠ ବାନ୍ଧବୀ ଆଦ୍ୟ୍ୟାଶା କିନ୍ତୁ ଆନେକ କିଛି ଶିକ୍ଷା ପାଏ ଓଡିଶା ବିଷୟରେ। ଯେତେବେଳେ ମୁଁ ତାକୁ ଦେଖେ କାହିଁକି କେଜାଣି iମନ ଖୁସିରେ ନାଚି ଉଠେ। ସାତ ବର୍ଷର ଝିଅ ଆଦ୍ୟାଶା ବେହେରା। ଗତ ଦୁଇ ବର୍ଷ ଧରି ଓଡିଶୀ ନୃତ୍ୟ କୁ ଆଦରି ନେଇଛି। ତାର କୁନି କୁନି ପାଦରେ ଘୁଙ୍ଗୁର, ଯେମିତି କଥା କୁହେ। ଗତ ଦୁଇ ବର୍ଷରେ ଅନେକ ମଞ୍ଚରେ ସେ ପ୍ରଦର୍ଶନ କରିଛି। ଆଉ ପ୍ରତିଟିଥର ସେ ପ୍ରଶଂସାରେ ପାତ୍ରୀ ହୁଏ। ଦେଖିବାକୁ ଗଲେ ଏତେ କମ ବୟସରେ ନୃତ୍ୟ ପରିବେଷଣ କରିବା କିଛି କମ କଥା ନୁହେଁ।
ଗତ କିଛିଦିନ ତଳେ ଆୟୋଜିତ ଏକ ମଞ୍ଚ କାର୍ୟକ୍ରମ ରେ କିନ୍ତୁ ମୋର ହୃଦବୋଧ ହୋଇଥିଲା ଆମର ଅସଲ ପରିଚୟ ବିଷୟରେ। ଆଦ୍ୟାଶାର ଏକ ମଞ୍ଚ କାର୍ୟକ୍ରମ ଥିଲା ଗ୍ଲୋବାଲ ଭିଲେଜ, ଦୁବାଇ ରେ । ଗ୍ଲୋବାଲ ଭିଲେଜ ହେଉଛି ଦୁବାଇର ଏକ ପ୍ରସିଦ୍ଧ ପର୍ଯ୍ୟଟନ କେନ୍ଦ୍ର ଯେଉଁଠି ଲକ୍ଷାଧିକ ଲୋକ ପ୍ରତିଦିନ ସମବେତ ହୁଅନ୍ତି। ଓଡିଶୀ ନୃତ୍ୟ ପରିବେଷଣ କରି ଓଡିଆ ଝିଅ ଟି ସମସ୍ତ ଙ୍କୁ ସେଦିନ ଆଶ୍ଚର୍ଯ୍ୟ ଚକିତ କରିଥିଲା। stageରୁ ଓହ୍ଲାଇବା ପରେ ଲୋକଙ୍କ ଲମ୍ବା ଧାଡି ଥିଲା ତା ସାମ୍ନାରେ। ସତେ ଯେମିତି ସେ ଗୋଟେ ଷ୍ଟାର । କିଏ ତା ନୃତ୍ୟ ଶୈଳୀର ପ୍ରଶଂସା କରୁଥିଲା ତ ଆଉ କିଏ ଓଡିଶୀ ବେଶ ପୋଷକର।, ପୁଣି ଆଉ କିଏ କହୁଥିଲା ଏତେ ସୁନ୍ଦର ନୃତ୍ୟଟିଏ ଅଛି ବୋଲି ଆମେ ଜାଣିନଥିଲୁ।
ଘର ମୁହାଁ ହେବା ସମୟରେ ସମସ୍ତେ ଆମ କୁନି ଝିଅଟିକୁ ଓଲଟି ଚାହୁଁଥିଲେ। ମୋ ମନ କୁଣ୍ଢେମୋଟ ହୋଇ ଯାଉ ଥିଲା। ଅନେକ ବିଦେଶୀ ଆସି ଆଦ୍ୟାଶା ସହ ସେଲଫି ନେଇଥାନ୍ତି। ଆଉ କେତେଜଣ ତାର ଫୋଟୋ ଉଠାଉଥାନ୍ତି। ମାନେ ହେଉଥାଏ ଏହା ହି ଆମ ପରିଚୟ। କେତେଜଣ ବିଦେଶିନୀ ଆସି ପଚାରିଲେ ଏହା କୋଉଠିକର ନୃତ୍ୟ, ଆଦ୍ୟାଶା କେଉଁଠୁ ନୃତ୍ୟ ଶିକ୍ଷା କରୁଛି। ଓଡିଶା ର ନୃତ୍ୟ ଏତେ ସୁନ୍ଦର ଆମେ ଜାଣିଥିଲୁ, ଏତେବଡ ଜାଗାରେ ନିଜ ରାଜ୍ୟ ର ଏତେ ପ୍ରଶଂସା କାହାକୁ ବ ଭଲ ନ ଲାଗିବ।
ସେଦିନ ଗୋଟିଏ କଥା ମୁଁ ଅନୁଭବ କଲି ଯେ, ଆମର ପ୍ରକୃତ ପରିଚୟ ଆମ ମା ମାଟି କୁ ନେଇ। ଆମେ ବାହାରେ ରହି, ମହଙ୍ଗା ପୋଷାକ ପିନ୍ଧିଲେ କେବଳ ଆମର ଚେହେରା ବଦଳେ, ପରିଚୟ ନୁହେଁ। ଇଂରାଜୀରେ କଥା କହିଲେ କେବଳ ବାହାରେ ରହିହୁଏ। କିନ୍ତୁ ଆମ ସଂସ୍କୃତି ଓ ପରମ୍ପରା ହାତ ଧରିଲେ ଆମକୁ ସମ୍ମାନ ମିଳେ। ଏହା ମୋ ପରି ପ୍ରବାସରେ ରହୁଥିବା ଏକ ମା’ ବୁଝିସାରିଛି।