ପୁରୀ: ଆସନ୍ତା ନଭେମ୍ବର ୨ ତାରିଖରୁ ଶ୍ରୀକ୍ଷେତ୍ରରେ ମହାପଞ୍ଚୁକ ବ୍ରତ ଆରମ୍ଭ ହେବାକୁ ଯାଉଛି। ପଞ୍ଚୁକରେ ମହାପ୍ରଭୁଙ୍କର କେତେକ ସ୍ୱତନ୍ତ୍ର ବେଶ ଓ ନୀତିକାନ୍ତି ଅନୁଷ୍ଠିତ ହେବାକୁ ଥିବାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ଘଟିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ତଥା ଟ୍ରାଫିକ ପରିଚାଳନା ପାଇଁ ବିଶେଷ ପଦକ୍ଷେପ ନିଆଯାଇଛି।
କାର୍ତ୍ତିକ ମାସ ଆରମ୍ଭରୁ ମହାପ୍ରଭୁ ରାଧା ଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ୨ ତାରିଖ ଏକାଦଶୀ ତିଥିରେ ଲକ୍ଷ୍ମୀନାରାୟଣ ବେଶ ଓ ୩ ତାରିଖରେ ଡାଳିକିଆ ବା ତ୍ରିବିକ୍ରମ ବେଶ, ୪ ତାରିଖରେ ଲକ୍ଷ୍ମୀନୃସିଂହ ବେଶ, ୫ ତାରିଖ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରାଜାଧିରାଜ ବା ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।
ଚଳିତ ବର୍ଷ ତିଥିରେ କ୍ଷୟ ପଡୁଥିବାରୁ ଏଥର ବାଙ୍କଚୁଡ ବେଶ ହେବନାହିଁ। ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଏକମୁଖି ବ୍ୟବସ୍ଥା ଗ୍ରହଣ କରାଯାଇଛି। କେବଳ ସିଂହଦ୍ୱାର ଦେଇ ପ୍ରବେଶ ଅନୁମତି ରହିଥିବା ବେଳେ ଅନ୍ୟ ୩ ଦ୍ୱାର ଦେଇ ପ୍ରସ୍ଥାନର ବ୍ୟବସ୍ଥା କରାଯାଇଛି। ବଡଦାଣ୍ଡରେ ଅସ୍ଥାୟୀ ବାରିକେଡ ନିର୍ମାଣ କରାଯାଇ ଭକ୍ତଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି।
ପଞ୍ଚୁକର ଅନ୍ତିମ ଦିନ କାର୍ତ୍ତିକ ପୂର୍ଣ୍ଣିମାରେ ଭକ୍ତମାନେ ମହୋଦଧି ସମେତ ଅନ୍ୟ ତୀର୍ଥ ପୁଷ୍କରିଣୀରେ ଡଙ୍ଗା ଭସାଇ ବ୍ରତକୁ ଉଦଯାପନ କରିବାର କାର୍ଯ୍ୟକ୍ରମ ଥିବାରୁ ସେସବୁ ସ୍ଥାନରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହିତ ବେଳାଭୂମିରେ ପର୍ଯ୍ୟାପ୍ତ ସଂଖ୍ୟକ ଲାଇଫ୍ ଗାର୍ଡକୁ ନିୟୋଜିତ କରାଯିବ।


