ମୁମ୍ବାଇ: ଭାରତୀୟ ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣ, ଓଡିଶା ସରକାର, ପାରାଦୀପ ବନ୍ଦର ପ୍ରାଧିକରଣ ଏବଂ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ ମଧ୍ୟରେ ମୁମ୍ବାଇର ନେସ୍କୋ ଗ୍ରାଉଣ୍ଡରେ ଅନୁଷ୍ଠିତ ଭାରତ ସାମୁଦ୍ରିକ ସପ୍ତାହ ଅବସରରେ ଜାତୀୟ ଜଳପଥ-୫ ଏବଂ ଜାତୀୟ ଜଳପଥ-୬୪ର ବିକାଶ ଏବଂ କାର୍ଯ୍ୟକ୍ଷମତା ପାଇଁ ଏକ ଐତିହାସିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସ୍ଥାୟୀ ମାଲ ପରିବହନ ଏବଂ ଆଞ୍ଚଳିକ ଆର୍ଥିକ ଅଭିବୃଦ୍ଧି ପାଇଁ ଓଡିଶାର ନଦୀ ପ୍ରଣାଳୀକୁ ଉପଯୋଗ କରିବା ଦିଗରେ ଏହି ଚୁକ୍ତିନାମା ଏକ ପ୍ରମୁଖ ପଦକ୍ଷେପ ହେବାକୁ ଯାଉଛି। ୧୨ ହଜାର ୨୦୦ କୋଟି ଟଙ୍କାର ଆନୁମାନିକ ନିବେଶ ସହିତ ଆଭ୍ୟନ୍ତରୀଣ ଜଳପଥ ମାଧ୍ୟମରେ ତାଳଚେର କୋଇଲା କ୍ଷେତ୍ରରୁ ପାରାଦୀପ ଏବଂ ଧାମରା ବନ୍ଦରକୁ କୋଇଲା ଓ ଅନ୍ୟାନ୍ୟ ବଲ୍କ କାର୍ଗୋର ସୁଗମ ପରିବହନ ହେଉଛି ଏହି ପ୍ରକଳ୍ପର ଲକ୍ଷ୍ୟ।


