ଭୁବନେଶ୍ଵର: ଆତ୍ମନିର୍ଭର ହେବାର କାହାଣୀ ଅନେକଙ୍କୁ ପ୍ରରେଣା ଯୋଗାଉଛି। ସ୍ବର୍ଣ୍ଣପ୍ରଭା ସବାଇ ଘାସ ତଥା ପାରମ୍ପରିକ କାଇଁଚରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ଏହି ମେଳାରେ ପଦର୍ଶିତ କରିଛନ୍ତି। ଏହି କାର୍ଯ୍ୟରେ ପାଖାପାଖି ୮୦୦ ରୁ ଅଧିକ ମହିଳା ନିୟୋଜିତ ଅଛନ୍ତି। ହ୍ୟାଣ୍ଡବ୍ୟାଗଠୁ ନେଇ ଘର ସଜାଇବା ସାମଗ୍ରୀ, ଜିନିଷ ରଖିବା ପାଇଁ ଛୋଟରୁ ବଡ଼ କାଇଁଚ ଶିଳ୍ପର ସୁନ୍ଦର ସୁନ୍ଦର ବାକ୍ସ ସମସ୍ତଙ୍କୁ ଆକୃଷ୍ଟ କରୁଛି।
ଆଜିକାଲି ବଜାରରେ ନିର୍ଭେଜାଲ ଖାଦ୍ୟ ସାମଗ୍ରୀ ମିଳିବା କଷ୍ଟକର। ହେଲେ ସୁଭଦ୍ରା ମେଳାରେ ବିଭିନ୍ନ ଜିଲ୍ଲାର ଖାଦ୍ୟ ସାମଗ୍ରୀ ତଥା ଉତ୍ପାଦ ମିଳୁଛି ଯାହାକୁ ମହିଳାମାନେ ନିଜ ହାତରେ ପ୍ରସ୍ତୁତ କରିଛନ୍ତି। ଏହାକୁ କିଣିବାକୁ ଜମୁଛି ଲୋକଙ୍କ ଭିଡ଼। କୋରାପୁଟର ମହିମା ଏସଏଚଜି ଷ୍ଟଲରେ ପ୍ରାକୃତିକ ଲଙ୍କାଗୁଣ୍ଡ, ହଳଦୀ, ବିଭିନ୍ନ ପ୍ରକାର ଡାଲି, ବଡ଼ି, ଝୁଣା ଆଦି ମିଳୁଛି। ଯାହାକୁ ଲୋକମାନେ ଘରକୁ କିଣି ନେଉଛନ୍ତି।
ସୁଭଦ୍ରା ଶକ୍ତି ମେଳାରେ ଭଳି କି ଭଳି ସାମଗ୍ରୀ ସମସ୍ତଙ୍କୁ ଆକୃଷ୍ଟ କରୁଛି। ପାରମ୍ପରିକ ସାମଗ୍ରୀକୁ ଲୋକଲୋଚନକୁ ଆଣିବାରେ ସୁଭଦ୍ରା ମା’ ମାନେ ଚେଷ୍ଟା କରିଛନ୍ତି। ଘରକରଣା ସାମଗ୍ରୀଠାରୁ ଆରମ୍ଭ କରି ପାରମ୍ପରିକ ପିଠାମିଠା ପରଷି ଦେଉଛନ୍ତି। ମହିଳାଙ୍କୁ ସଶକ୍ତ କରି ଆତ୍ମନିର୍ଭର କରିବା ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଯୋଜନା ଆଜି ଲକ୍ଷ୍ୟ ପୂରଣ ଦିଗରେ ଆଉ ପାଦେ ଆଗେଇଛି। ଯାହାଦ୍ୱାରା ମହିଳାମାନେ ଆତ୍ମନିର୍ଭର ହେବା ସହ ସ୍ୱାବଲମ୍ୱୀ ହୋଇପାରିଛନ୍ତି।



