ଭୁବନେଶ୍ୱର: କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପଞ୍ଚାୟତକୁ ନେଇ ଦୀର୍ଘ ଦିନ ଧରି ଆନ୍ଧ୍ରପ୍ରଦେଶ ସହ ଲାଗିରହିଥିବା ଆନ୍ତଃରାଜ୍ୟ ସୀମା ବିବାଦ ସମ୍ପର୍କରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମଙ୍ଗଳବାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖି ବିସ୍ତୃତ ଉତ୍ତର ଦେଇଛନ୍ତି। ଚିଠିରେ ମୁଖ୍ୟମନ୍ତ୍ରୀ ଦୃଢ଼ତାର ସହ ଉଲ୍ଲେଖ କରିଛନ୍ତି ଯେ, ୧୯୩୬ ମସିହାରେ ସ୍ୱତନ୍ତ୍ର ରାଜ୍ୟ ଗଠନ ହେବା ଦିନ ଠାରୁ କୋଟିଆ ଗ୍ରାମପଞ୍ଚାୟତ ଓଡ଼ିଶାର ଏକ ଅବିଭାଜ୍ୟ ଅଙ୍ଗ ହୋଇ ରହିଆସିଛି ଏବଂ ନିଜର ଭୌଗୋଳିକ ଅଖଣ୍ଡତା ତଥା ନ୍ୟାର୍ଯ୍ୟ ସ୍ୱାର୍ଥର ସୁରକ୍ଷା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ଏତଦ୍ବ୍ୟତୀତ ଶ୍ରୀ ମାଝୀ ଏହା ମଧ୍ୟ ଲେଖିଛନ୍ତି ଯେ “ସମାଧାନ ପାଇଁ ଯଦି କୌଣସି ଗଠନମୂଳକ ପରାମର୍ଶ ଅଛି ତେବେ ରାଜ୍ୟ ସରକାର ଏହା ଉପରେ ବିଚାର କରିବେ ଏବଂ ଧନ୍ୟବାଦ ବ୍ୟକ୍ତ କରିବେ। କିନ୍ତୁ ସମାଧାନର ପରାମର୍ଶ ଦେବା ବଦଳରେ ବିଜେପି ପକ୍ଷରୁ ଯେଉଁଭଳି ଭାବେ ଏହାକୁ ରାଜନୈତିକ ରଙ୍ଗ ଦିଆଯାଉଛି ତାହା ଅତ୍ୟନ୍ତ ଦୁଃଖଦ।
ରାଜ୍ୟ ସରକାର ଆଇନଗତ ଏବଂ ସାମ୍ବିଧାନିକ ଉପାୟରେ ସମାଧାନ ଚାହୁଁଥିବା ବେଳେ ଆପଣଙ୍କ ଚିଠି (ନବୀନ ଲେଖିଥିବା ଚିଠି) ସ୍ଥାୟୀ ସମାଧାନ ଅପେକ୍ଷା ରାଜନୈତିକ ଦୃଷ୍ଟିକୋଣକୁ ଇସାରା କରୁଛି। ଏଥିସହ ତୃଣମୂଳ ସ୍ତରରେ ଚାଲିଥିବା ବିକାଶମୂଳକ କାର୍ଯ୍ୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, କୋଟିଆ ଗ୍ରାମପଞ୍ଚାୟତ ଅଞ୍ଚଳର ସମନ୍ୱିତ ବିକାଶର ତଦାରଖ ପାଇଁ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ସେହି ଅଞ୍ଚଳର ସାମଗ୍ରିକ ବିକାଶ, ଉତ୍ତମ ଜନସେବା ପ୍ରଦାନ ଏବଂ ଅନ୍ତର୍ଭୁକ୍ତୀକରଣ ଅଭିବୃଦ୍ଧି ନିଶ୍ଚିତ କରିବା ପାଇଁ ମନ୍ତ୍ରୀ ତଥା ବରିଷ୍ଠ ଅଧିକାରୀମାନେ ନିୟମିତ ଭାବେ ସେଠାକୁ ଗସ୍ତ କରୁଛନ୍ତି।
ଏହି ପରିପ୍ରେକ୍ଷୀରେ ବିରୋଧୀଙ୍କ ଆଭିମୁଖ୍ୟକୁ ଖଣ୍ଡନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ରାଜ୍ୟ ସରକାର ନିରନ୍ତର ଭାବେ ଆଇନଗତ ତଥା ସାମ୍ବିଧାନିକ ମାଧ୍ୟମରେ ନିଜର ଭୌଗୋଳିକ ସ୍ୱାର୍ଥର ସୁରକ୍ଷା କରିଆସୁଛନ୍ତି। ରାଜ୍ୟର ଭୌଗୋଳିକ ଅଖଣ୍ଡତା ଏବଂ ଜନସାଧାରଣଙ୍କ ନ୍ୟାଯ୍ୟ ସ୍ୱାର୍ଥ ସୁରକ୍ଷାରେ କୌଣସି ପ୍ରକାର ଆପୋଷ ବୁଝାମଣା କରାଯିବ ନାହିଁ। ଆମ ସରକାର କେବଳ ଆଇନଗତ ଲଢ଼େଇରେ ସୀମିତ ନ ରହି ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି କୋଟିଆର ସାମାଜିକ, ଆର୍ôଥକ ତଥା ମୌଳିକ ଭିତ୍ତିଭୂମିର ସାମଗ୍ରିକ ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି।
ଶ୍ରୀ ମାଝୀଙ୍କ କହିବାନୁସାରେ କୋଟିଆ ପ୍ରସଙ୍ଗରେ ମାନ୍ୟବର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପତ୍ରର ଉତ୍ତର ଆଜି ସେ ଦେଇଛନ୍ତି। ଏହି ଦୀର୍ଘଦିନର ସମ୍ବେଦନଶୀଳ ଆନ୍ତଃରାଜ୍ୟ ପ୍ରସଙ୍ଗକୁ ରାଜନୈତିକ ଫାଇଦା ପାଇଁ ଏକ ମୁଦ୍ଦା କରିବା ପରିବର୍ତ୍ତେ ସମସ୍ତେ ସଂଯମତା, ଦାୟିତ୍ୱବୋଧ ଏବଂ ନ୍ୟାୟିକ ପ୍ରକ୍ରିୟା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଉଚିତ୍ ବୋଲି ସେ ବିଶ୍ୱାସ କରନ୍ତି। ରାଜ୍ୟର ହିତ ପାଇଁ କେବଳ ରାଜନୈତିକ ବୟାନବାଜି ପରିବର୍ତ୍ତେ, ସାମ୍ବିଧାନିକ ତଥା ଗଠନମୂଳକ ପ୍ରସ୍ତାବ ଦେବା ତଥା ସରକାରଙ୍କ ସହ ମିଳିତ ଭାବେ ଏହି ପ୍ରସଙ୍ଗ ଉପରେ ବିଚାରବିମର୍ଶ କଲେ ଏହା ଅଧିକ ଲାଭଦାୟକ ସାବ୍ୟସ୍ତ ହେବ। ସୁତରାଂ ଏହି ପ୍ରସଙ୍ଗର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ସମସ୍ତ ପକ୍ଷ ସଂଯମତା ଅବଲମ୍ବନ କରିବାକୁ ଅନୁରୋଧ କରିବା ସହିତ, ଉପଯୁକ୍ତ ଆଇନଗତ ତଥା ସାମ୍ବିଧାନିକ ମଞ୍ଚରେ ଏହି ଦୀର୍ଘଦିନର ବିବାଦର ସମାଧାନ ପାଇଁ ଗଠନମୂଳକ ପରାମର୍ଶ ଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପଟ୍ଟନାୟକଙ୍କୁ ଆହ୍ୱାନ ଜଣାଇଛନ୍ତି।


