ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର – କଟକ ୫୫ ନଂ ଜାତୀୟ ରାଜପଥ ଭୀମଭୋଇ ଛକ ନିକଟରେ ପୁଣି ଏକ ଟ୍ରକ ଦୁର୍ଘଟଣାରେ ଜଣେ ବ୍ୟବସାୟୀଙ୍କର ମୃତ୍ୟୁ ବରଣ ହୋଇଛି। ମୃତକ ଜଣଙ୍କ ହେଲେ ଡ଼ିମିରିକୁଡା ଗ୍ରାମର ସୁବାଷ ଖିଲାରି ବୋଲି ଜଣା ପଡିଛି।
ପ୍ରକାଶ ଯେ, ଗୁରୁବାର ସକାଳ ପ୍ରାୟ ୯ଟା ବେଳେ ଡ଼ିମିରିକୁଦା ଗ୍ରାମର ସୁବାଷ ଖିଲାରୀ ଏକ ସାଇକେଲରେ କଇଥସାହି ପଟରୁ ଭୀମ ଭୋଇ ଛକ ଆଡକୁ ଆସୁଥିଲେ। ରାସ୍ତା ପାର ହେଉଥିବା ସମୟରେ ଭୀମଭୋଇଙ୍କ ପ୍ରତିମୂର୍ତ୍ତି ନିକଟରେ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ଯା’ ଫଳରେ ସେ ଗୁରୁତର ହୋଇପଡିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରା ଯାଇଥିଲା। ତାଙ୍କର ଦୁଇ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ଭୀମଭୋଇ ଛକରେ ୫୫ନଂ ଜାତୀୟ ରାଜପଥ ଓ ରାଞ୍ଚି ବିଜୟୱାଡା ରାଜପଥକୁ ଅବରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରୁଥିବା ଜଣାପଡିଛି। ରେଢ଼ାଖୋଲ ପୋଲିସ ଏକ ମାମଲା ରୁଜୁ କରିଥିବା ଜଣା ପଡିଛି।


