Categories
ଆଜିର ଖବର ରାଜ୍ୟ ଖବର

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଭାଲୁ ମୃତ

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ କିସିଣ୍ଡା ରାସ୍ତାର ବାଲି କିଆରୀ ଗ୍ରାମ ନିକଟସ୍ଥ ରାସ୍ତା କଡ଼ରେ ବୁଧବାର ସକାଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ଭାଲୁର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ଗତ କାଲି ରେଢ଼ାଖୋଲ ଅଞ୍ଚଳରେ ଘଡ଼ଘଡ଼ି ବର୍ଷା ସହ ଝଡ ତୋଫାନ ହୋଇଥିଲା। ଏଥିରେ ରେଢ଼ାଖୋଲରୁ କିସିଣ୍ଡା ଅଞ୍ଚଳକୁ ରାସ୍ତା କଡ଼ରେ ଯାଇଥିବା ବିଦ୍ୟୁତ ତାର ବାଲିକିଆରୀ ଗ୍ରାମ ନିକଟରେ ଝଡ ତୋଫାନ ଯୋଗୁଁ ଛିଣ୍ଡି ତଳେ ପଡ଼ିଥିଲା। ଭାଲୁ ଟି ଉକ୍ତ ରାସ୍ତାରେ ଯାଉଥିବା ସମୟରେ ଉକ୍ତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଯାଇଥିଲା।

ଖବର ପାଇ ଘଟଣାସ୍ଥଳରେ ବନ ବିଭାଗର କର୍ମଚାରୀମାନେ ପହଞ୍ଚି ଭାଲୁର ମୃତ ଦେହ ଜବତ କରି ଘଟଣାର ତଦନ୍ତ କରୁଛି।‌

Categories
ଆଜିର ଖବର ରାଜ୍ୟ ଖବର

କାର ଦୁର୍ଘଟଣାରେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର, ଆଇସିୟୁ ରେ ଭର୍ତ୍ତି

ଭୁବନେଶ୍ବର: ଗତକାଲି ରାତିରେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କାର ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁତର ହୋଇପଡିଛନ୍ତି। ତାଙ୍କ କାର ଏକ ଗ୍ୟାସ ବୋଝେଇ ଟ୍ରକ ସହିତ ମୁହଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ପ୍ରସନ୍ନ ଗୁରୁତର ହୋଇପଡିଥିବା ବେଳେ ତାଙ୍କ ପିଏସଓ ଓ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି।

ପ୍ରଥମେ ତାଙ୍କୁ ରେଢାଖୋଲସ୍ଥିତ ହସପିଟାଲରେ ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ ତୁରୁନ୍ତ ସମ୍ବଲପୁର ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା।ସେଠାରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Categories
ଆଞ୍ଚଳିକ

ରେଢ଼ାଖୋଲ ଠାରେ ଜାତୀୟ ଆଇନ ସଚେତନତା ଦିବସ ପାଳିତ

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ସ୍ଥାନୀୟ ରାଣୀ ଅନ୍ନପୂର୍ଣ୍ଣା ସରକାରୀ ବାଳିକା ବିଦ୍ୟାଳୟ ପରିସରରେ ଗୁରୁବାର ଦିନ ଜାତୀୟ ଆଇନ ସଚେତନତା ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପଦ୍ମଶ୍ରୀ ଦାସ ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବରେ ରେଢ଼ାଖୋଲ ଆଡିସନାଲ ସେସନ୍ ଜଜ୍ ତଥା ତାଲୁକ ଲିଗାଲ ସର୍ଭିସ୍ କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୀପ୍ତି ପ୍ରକାଶ ବ୍ରହ୍ମା ଯୋଗ ଦେଇ ଛାତ୍ରୀ ମାନଙ୍କୁ ଆଇନ ସେବା ସହାୟତା ସମ୍ପର୍କରେ ପ୍ରେରଣାଦାୟୀ ଅଭିଭାଷଣ ରଖିଥିଲେ। ବିଦ୍ୟାଳୟର ବରିଷ୍ଟ ଶିକ୍ଷକ ବିଜୟା ନନ୍ଦ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରୀ ମାନେ ଆଇନ ସଚେତନତା କାର୍ଯ୍ୟକ୍ରମ ବିଷୟରେ ସ୍ଲୋଗାନ ସହିତ ପ୍ଲାକାର୍ଡ ଧରି ଏକ ରାଲି କରି ସହର ପରିକ୍ରମା କରିଥିଲେ। ଏହି ରାଲି କୁ  ମୁଖ୍ୟ ଅତିଥି ଉଦଘାଟନ କରି ନିଜେ ସାମିଲ ହୋଇଥିଲେ। ଏଥିରେ ତାଲୁକ୍ ଆଇନ ସେବା ପ୍ରାଧିକରଣ ର ଅଧିବକ୍ତା ପରୀକ୍ଷିତ ଦାସ, ପେନାଲ ଅଧିବକ୍ତା ତୁଷାରକାନ୍ତ କର, ରାଜେନ୍ଦ୍ର ପ୍ରସାଦ ବୈଠାରୁ, ସୁଜିତ କୁମାର ପ୍ରଧାନ, ଭବାନୀ ଶଙ୍କର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ପରିଶେଷରେ ରାଜେନ୍ଦ୍ର ବୈଠାରୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରୀ ମାନଙ୍କ ସହିତ ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚାଷ ଜମିରେ ବିଜୁଳି ତାର ସଂସ୍ପର୍ଶରେ ଆସି ଚାଷୀ ମୃତ

କନ୍ଦର୍ପ ବେହେରା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ଲୁହାପଙ୍କ ଗ୍ରାମ ପଞ୍ଚାୟତ ଅଧୀନ ହେମାମୁରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗ୍ରାମର ଜଣେ ବ୍ୟକ୍ତି ଚାଷ ଜମିରେ ବିଜୁଳି ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି।

ସୂଚନା ଯୋଗ୍ୟ ଯେ, ଲୁହାପଙ୍କ ଗ୍ରାମ ପଞ୍ଚାୟତ ଅଧୀନ ହେମାମୁରା ଗ୍ରାମର ବାସିନ୍ଦା ସୁଦର୍ଶନ ସେଠୀ (୪୪) ତାଙ୍କ ଘର ନିକଟ ଧାନ ଜମିରେ ଟୁଲୁ ପମ୍ପ ଜରିଆରେ ପାଣି ପ୍ରବାହିତ କରାଯାଇଥିଲା। ଏଥିରେ ସୁଦର୍ଶନ ଚାଷ କାର୍ଯ୍ୟରେ ଯାଇଥିବା ବେଳେ ବିଜୁଳି ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ। ଏହା ଜାଣିବା ପରେ ପରିବାର ଲୋକେ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟକୁ ଆଣି ପ୍ରାଥମିକ ଚିକିତ୍ସା କରିଥିଲେ। ହେଲେ ଚିକିତ୍ସା ପରେ ଡାକ୍ତର ସୁଦର୍ଶନଙ୍କୁ ମୃତ ଘୋଷଣା କରିଥିଲେ।

ରେଢ଼ାଖୋଲ ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି। ସେପଟେ ସୁଦର୍ଶନଙ୍କ ପରିବାରରେ ୨ ଟି ପୁତ୍ର ସନ୍ତାନ ଓ ଗୋଟିଏ ଝିଅ ଅବିବାହିତା ରହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପାଣି ଭର୍ତ୍ତି ଡେକଚିରେ ପଡ଼ି ୨ ବର୍ଷର ଶିଶୁ କନ୍ୟା ମୃତ

ରେଢାଖୋଲ (କନ୍ଦର୍ପ ବେହେରା): ଘରେ ଖେଳୁଥିବା ବେଳେ ପାଣି ଭର୍ତ୍ତି ଡେକଚିରେ ପଡି ୨ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଜଣା ପଡିଛି।

ଖବରରୁ ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ଦେହୁରୀ ସାହିର ବିବେକାନନ୍ଦ ବେଉରିଆଙ୍କ ୨ ବର୍ଷ ଶିଶୁ କନ୍ୟା ନିବେଦିତା ବେଉରା (୨ ବର୍ଷ ) ସକାଳ ୮ ଟାରେ ଘରେ ଖେଳୁଥିବା ସମୟରେ ଘରେ ଥିବା ଏକ ପାଣି ଭର୍ତ୍ତି ଡେକଚିରେ ପଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଛୁଆ ଘରେ ନଥିବାରୁ ପରିବାର ଲୋକେ ଖୋଜା ଖାଜି କରିଥିଲେ। ହେଲେ ଶେଷରେ ଘରେ ହିଁ ଏକ ପାଣି ଭର୍ତ୍ତି ଡେକଚିରେ ଛୁଆଟି ପଡ଼ିଥିଲା।

ତାକୁ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଲେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଏହାପରେ ପରିବାର ଲୋକଙ୍କ ମଧ୍ୟରେ ଖେଳିଯାଇଛି ଶୋକର ଛାୟା। ଖବର ପାଇ ପୋଲିସ ଡ଼ାକ୍ତରଖାନାରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡିଛି।

Categories
ଆଞ୍ଚଳିକ

୧୧କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଡ଼୍ରାଇଭର ଗୁରୁତର

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଲୁହାପଙ୍କ ପଞ୍ଚାୟତ ଅନ୍ତର୍ଗତ ହେମାମୁରା ଗ୍ରାମରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ହାଇଓ୍ବା ଡ୍ରାଇଭର ଗୁରୁତର ହୋଇ ବୁର୍ଲା ସ୍ଥାନାନ୍ତର ହୋଇଥିବା ଜଣାପଡିଛି। ଗୁରୁତର ଡ୍ରାଇଭର ଜଣକ ହେଲେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଆମ୍ ଗାଁ ର କର୍ଣ୍ଣ ରଣାଙ୍କ ପୁଅ ଆକାଶ ରଣା ବୋଲି ଜଣା ପଡିଛି।

ସୂଚନାଯୋଗ୍ୟ ଯେ, ଚାରଭାଟି ଠାରୁ କଦଳୀ ଗଡ ପର୍ଯ୍ୟନ୍ତ ତିଆରି ହେଉଥିବା ଆରଡ଼ି ରାସ୍ତାର ହେମାମୁରା କେମ୍ପ ନିକଟରେ ଡ଼୍ରାଇଭର ଆକାଶ ହାଇଓ୍ବା ଗାଡ଼ିଡାଲା ସଫା କରିବାପାଇଁ ଗାଡ଼ିର ଡାଲା ଉପରକୁ ଉଠାଇ ଥିବା ସମୟରେ ଡାଲାଟି ଉଚ୍ଚ କ୍ଷମତା ସମ୍ପନ୍ନ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲା। ଫଳରେ ଗାଡ଼ିର ଟାୟାର ଗୁଡ଼ିକ ଜଳିଯାଇଥିବା ବେଳେ ଡ୍ରାଇଭର ଜଣକ ଗୁରୁତର ଆହତ ହୋଇଥିଲେ।

ଏନେଇ ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ଉଦ୍ଧାର କରି ରେଢ଼ାଖୋଲ ମେଡିକାଲକୁ ଆଣି ପ୍ରାଥମିକ ଚିକିତ୍ସା ପରେ ଡ଼ାକ୍ତର ତାଙ୍କୁ ବୁର୍ଲା ପଠାଇଥିବା ଜଣାପଡ଼ିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ, ୧୧୦ କେଜି ଗଞ୍ଜେଇ ଜବତ, ୩  ଗିରଫ୍

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ ଦିନକୁ ଦିନ ଗଂଜେଇ ଚୋରାଚାଲାଣ ବଢିଚାଲିଛି। ପୋଲିସ୍ ଓ ଅବକାରୀ ବିଭାଗ ବହୁ ସମୟରେ ଚୋରା ବେପାରୀମାନଙ୍କୁ ଧରିବାରେ ବିଫଳ ହେଉଛି।

ଗତକାଲି ବିଳମ୍ବିତ ରାତ୍ରିରେ ବୌଦ୍ଧ ରେଢ଼ାଖୋଲ ରାସ୍ତା କଦଳିଗଡ ଟୋଲଗେଟ ନିକଟରେ ବେଆଇନ ଗଂଜେଇ ଚୋରାଚାଲାଣ ପାଇଁ ସଜବାଜ ହେଉଥିବା ବେଳେ ଅବକାରୀ ବିଭାଗ ଧରିବାରେ ସଫଳ ହୋଇଛି। ଉଇଙ୍ଗର୍ ଗାଡ଼ିର ସିଟ ତଳେ ଏକ ଭିନ୍ନ ଧରଣର ଚେମ୍ବର ତିଆରିକରି ଗଞେଇ ଲୋଡିଙ୍ଗ ଚାଲୁଥିବାବେଳେ ରେଢ଼ାଖୋଲ ଅବକାରୀ ବିଭାଗ ଖବର ପାଇ ଗାଡିକୁ ଚଢ଼ାଉ କରି ୧୦୫ କେଜି ଗଂଜେଇ ଜବତ କରିବା ସହ ୨ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି। ଗଂଜେଇ ର ଆନୁମାନିକ ମୂଲ୍ୟ ହେବ ୧୧ଲକ୍ଷ ବୋଲି ଅବକାରୀ ବିଭାଗ କହିଛି। ଗିରଫ ବ୍ୟକ୍ତି ଦୁଇ ଜଣ ହେଲେ ବିହାର ଅଂଚଳର ଗୌତମ କୁମାର(୨୮) ଓ ଲବକୁସ ରାମ(୨୩)।

ଚଢ଼ାଉ ସମୟରେ ଅନ୍ୟ ଏକ ହିରୋ ବାଇକ ରୁ (ଓଆର୧୫କ୍ୟୁ ୦୪୨୯) ୫ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ ା ବୌଦ୍ଧ ରୁ ରେଢ଼ାଖୋଲ ରାସ୍ତାରେ ଯାଉଥିବାବେଳେ ବାଇକରେ ଯାଉଥିବା ଗଞେଇ ବେପାରୀ ଧରା ପଡିଯାଇଥିଲା।  ରେଢ଼ାଖୋଲ ଆମ୍ବଝୁରି ଗ୍ରାମର ପଙ୍କଜ ପ୍ରଧାନ(୫୫) କୁ ଅବକାରୀ ବିଭାଗ ଗିରଫ କରିଛି। ଅବକାରି ଇନ୍ସପେକ୍ଟର ପବିତ୍ର ମୋହନ ମାଝୀ ଙ୍କ ନିର୍ଦ୍ଦେଶରେ ଏଏସ ଆଇ ସଞ୍ଜୟ ବରିହା, ବନମାଳୀ ନାଏକ ସମେତ ଅବକାରୀ ବିଭାଗର ସମସ୍ତ ଟିମ୍ ସାମିଲ୍ ହୋଇଥିଲେ।

Categories
ଆଞ୍ଚଳିକ

ରେଢାଖୋଲରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

ରେଢାଖୋଲ: “ସୁଚିତ୍ରା” ପତ୍ରିକା ପକ୍ଷରୁ ରେଢାଖୋଲ ଏନ୍ ଏ ସି  କଲ୍ୟାଣ ମଣ୍ଡପରେ ଗଙ୍ଗାଧର ମେହେର ଜୟନ୍ତି କବି ସନ୍ତୋଷ କୁମାର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଜୟନ୍ତି ଉତ୍ସବରେ ରେଢାଖୋଲ ଏନ୍ ଏ ସି ର ଅଧ୍ୟକ୍ଷ ଶିବରାମ ସାହୁ ମୁଖ୍ୟ ଅତିଥି ଭାବରେ, କବି ମାନିନୀ ମିଶ୍ର ଓ ସମାଜସେବୀ ଗୋବିନ୍ଦ ଅଗ୍ରଓାଲା ସମ୍ମାନୀତ ଅତିଥି, ମାଧପୁର ହାଇସ୍କୁଲର ଅବସର ପ୍ରାପ୍ତ ଶିକ୍ଷକ ତଥା ଶିକ୍ଷାବିତ୍ ଦେବରାଜ ନାଏକ ପ୍ରମୁଖ ଯୋଗେଦେଇ ଗଙ୍ଗାଧର ମେହେରଙ୍କ ଜୀବନୀ ତଥା ତାଙ୍କର କବିତା ସଂପର୍କରେ ଆଲୋଚନା କରିଥିଲେ। ଗଙ୍ଗାଧର ମେହେର ଥିଲେ ଜଣେ ପ୍ରକୃତି କବି ତାଙ୍କ ସାହିତ୍ୟରେ ପଶୁ, ପକ୍ଷୀ, ବୃକ୍ଷଲତା ସ୍ଥାନ ପାଇଛି। ସେ ପ୍ରକୃତିକୁ ବହୁତ ଭଲ ପାଉଥିଲେ ବୋଲି ବକ୍ତାମାନେ କହିଥିଲେ। ଆଗାମୀ ଦିନରେ ରେଢାଖୋଲରେ ମେହେର ଜୟନ୍ତୀ ବହୁ ଆଡମ୍ବର ସହକାରେ ପାଳନ କରାଯିବାକୁ ବକ୍ତା ମାନେ ପ୍ରସ୍ତାବ ଦେଇଥିଲେ। ସାମ୍ବାଦିକ ସୁଶାନ୍ତ ନାଗ ରେଢାଖୋଲରେ ପ୍ରଥମ ଥର ପାଇଁ ସୁଚିତ୍ରା ପତ୍ରିକା ତରଫରୁ ମେହେର ଜୟନ୍ତୀ ପାଳନ କରିଥିବା ତଥା ଆଗାମୀ ଦିନରେ ଏହି ଜୟନ୍ତି ଉତ୍ସବ ଜାକଜମକରେ କରାଯିବାକୁ ମତ ରଖିଥିଲେ।

ଏହି ଉତ୍ସବରେ ପତ୍ରିକାର ମୁଖ୍ୟ ସଂପାଦକ ସଂଗ୍ରାମ କେଶରୀ ପୃଷ୍ଟି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପତ୍ରିକାର ସଂପାଦକ କନ୍ଦର୍ପ ବେହେରା ସ୍ୱାଗତ ଅଭିଭାଷଣ ଦେଇଥିଲେ। ଏହି ଅବସରରେ ରେଢାଖୋଲ ମାଟିର କବି କାଳିଆ ସାହୁଙ୍କ କବିତା ପୁସ୍ତକ “ବହି ମୋହର ସାଥୀ”  ଏବଂ ଅନୁଗୋଳ ରୁ ଆସିଥିବା କବି ସର୍ବେଶ୍ୱର ବେହେରାଙ୍କ କବିତା ପୁସ୍ତକ “ଶୂନ୍ୟସୁଧା” ଅତିଥିମାନଙ୍କ ଦ୍ୱାରା ଉନ୍ମୋତିତ ହୋଇଥିଲା। ସରସ୍ୱତୀ ଶିଶୁ ମନ୍ଦିର, ଶୁଣ୍ଢିମୁଣ୍ଡାର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ କବି ଅଚ୍ୟୁତାନନ୍ଦ ବିଶ୍ୱାଳ, କବି ଗୀତାରାଣୀ ସାହୁ, ସର୍ବେଶ୍ୱର ବେହେରା  ରମେଶ ମେହେର ପ୍ରମୁଖ କବିତା ପାଠ କରିଥିଲେ। ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କବିତାକୁ ଛାତ୍ରୀମାନେ ପାଠ କରିଥିଲେ।

ଶେଷରେ ସଂପାଦକ କନ୍ଦର୍ପ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ରେଢାଖୋଲର ଲିପସାରାଣୀ ଓଏଏସ୍ ପରୀକ୍ଷାରେ କୃତକାର୍ଯ୍ୟ

କନ୍ଦର୍ପ ବେହେରା
ରେଢାଖୋଲ: ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ରେଢାଖୋଲ ବ୍ଲକ୍ ହାତୀବାହାଳ ଗ୍ରାମର ଲିପସାରାଣୀ କୃତକାର୍ଯ୍ୟ ହୋଇଥିବା ଜଣାପଡିଛି।

ରେଢାଖୋଲ ବ୍ଲକ୍ ହାତୀବାହାଳ ଗ୍ରାମ ତଥା ନାକଟିଦେଉଳ ବ୍ଲକ୍ ଗୋଗୁଆ ପଂଚାୟତ ଛତ୍ରପୁର ଗ୍ରାମର ଆବାସିକ ସେବା ଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରମେଶ୍ୱର ପ୍ରଧାନଙ୍କ କନ୍ୟା ଅଟନ୍ତି ଲିପସାରାଣୀ ପ୍ରଧ।।ନ। ଛତ୍ରପୁର ଆବାସିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ପାଠ ପଢିଥିବା ବେଳେ ପରମୁହୁର୍ତରେ ଶ୍ରୀ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ନବମ ରୁ ଦଶମ ଶ୍ରେଣୀ ଯାଏ ପାଠ ପଢିଥିଲେ। ଢେଙ୍କାନାଳ ଇଟେକ୍ କଲେଜରେ ବିଜ୍ଞାନରେ ଅଧ୍ୟୟନ କରି ସଫଲତା ପାଇଥିଲେ। ଗୁଣପୁର ଜିଆର୍ ଇଟି ବିଶ୍ୱବିଦ୍ୟାଲୟରେ ବିଏସ୍ ସି କରି ପରେ ଭୁବନେଶ୍ୱରର ଉତ୍କଲ ବିଶ୍ୱ ବିଦ୍ୟାଳୟରେ ଏମ୍ ଏସ୍ ସି କରିଥିଲେ।

ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ହେବା ଜାଣି ଲିପସାରାଣୀଙ୍କୁ ପ୍ରଶଂସାର ସୁଅ ଛୁଟିଛି। ସେ ବାପା ମାଆ, ଗୁରୁଜୀ, କାକା, ଭଉଣୀ, ଭାଇ ତଥା ପରିବାରର ସମସ୍ତଙ୍କ ଶ୍ରେୟ ବୋଲି ପ୍ରକାଶ କରିଛନ୍ତି। ସେ ଦିନକୁ ୫ରୁ ୬ ଘଂଟା ଅଧ୍ୟୟନ କରନ୍ତି ବୋଲି ପ୍ରକାଶ କରିଛନ୍ତି। ସେ ଆଗକୁ ଲୋକମାନଙ୍କର ସେବା କରିବେ ବୋଲି ପ୍ରକାଶ କରିଛନ୍ତି।

Categories
ଆଞ୍ଚଳିକ

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ କ୍ୟାମ୍ପସ୍ ୟୁନିଟ୍ ସ୍ଥାପନ

କନ୍ଦର୍ପ ବେହେରା
ରେଢ଼ାଖୋଲ: ସନ୍ଥକବି ଭୀମ ଭୋଇଙ୍କ ମାଟିରେ ଭୀମଭୋଇ ଡିଗ୍ରୀ କଲେଜ, ରେଢ଼ାଖୋଲରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ କ୍ୟାମ୍ପସ ୟୁନିଟ ସ୍ଥାପନ କରାକରାଯାଇଛି। ଏଥିରେ ପ୍ରଦେଶ ସହ ସଂଗଠନ ସମ୍ପାଦକ ନିକୁଞ୍ଜ ବିହାରୀ ପଣ୍ଡା, ସମ୍ବଲପୁର ବିଭାଗ ୟଶବର୍ଦ୍ଧନ ତିୱାରୀ ତଥା ଜିଲ୍ଲା ସହ ସଂଯୋଜକ ସିଦ୍ଧାନ୍ତ ମାଝୀ ଉପସ୍ଥିତ ଥିଲେ ଓ ଯୁକ୍ତ ଦୁଇ ଓ ଯୁକ୍ତ ତିନି ର ବିଦ୍ୟାର୍ଥୀଙ୍କୁ ଗୁରୁ ଦାୟିତ୍ଵ ପ୍ରଦାନ କରାଯାଇଛି।

ଏଥିରେ ଯୁକ୍ତ ତିନର ଛାତ୍ର ବିବେକ ମହାପାତ୍ରଙ୍କୁ ପରିସରର ସଭାପତି ନିଯୁକ୍ତି କରାଯାଇଥିବା ବେଳେ ସ୍ମୃତିଶିଖା ନନ୍ଦଙ୍କୁ ସମ୍ପାଦକ ନିଯୁକ୍ତ କରାଯାଇଛି। ଶାଶ୍ଵତ ମାଝୀ ଓ ଶୁଭେନ୍ଦୁଙ୍କୁ ସହ ସଭାପତି ନିଯୁକ୍ତ କରାଯାଇଥିବା ବେଳେ ମିଥୁନ ପ୍ରଧାନ ଓ ସଚିନ ବେହେରା ଙ୍କୁ ସହ ସମ୍ପାଦକ ଭାବରେ ରେ ନିଯୁକ୍ତ କର କରାଯାଇଛି। ସଦାଶିବ ସାହୁ, ଦିଲୀପ ପ୍ରଧାନ, ସୁଜିତ୍ ପ୍ରଧାନ, ଲିକି ପ୍ରଧାନଙ୍କୁ ଅନ୍ୟ ଗୁରୁ ଦାୟିତ୍ଵରେ ନିଯୁକ୍ତ କରାଯାଇଛି। ଏଥିରେ ଏବିଭିପିର ବହୁ ଛାତ୍ର ଯୋଗଦେଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୮୮୬ ବୋତଲ କଫ୍ ସିରଫ୍ ଜବତ, ବୋଲେର ସହ ୩ ଗିରଫ

କନ୍ଦର୍ପ ବେହେରା
ରେଢ଼ାଖୋଲ: କଟକ ସମ୍ବଲପୁର ଜାତୀୟ ରାଜପଥ ରେଢ଼ାଖୋଲ ଦଳଖମନ ରାସ୍ତାରେ ରେଢ଼ାଖୋଲ ପୋଲିସ ରାସ୍ତାରେ ଯାଞ୍ଚ୍ କରୁଥିବା ସମୟରେ କଫ୍ ସିରଫ ସହ ତିନି ଜଣ ଚୋରାଚାଲାଣ କାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ସମ୍ବଲପୁର ଅଇଁଠାପାଲି ଥାନା ଚମାର ପଡାର ନାଗେଶ୍ଵର ରୋହିଦାସ (୨୪), ଡେଙ୍ଗସରଗି ସୁଖାପଡା ଗାଁ ର ଦିପକ ଖଡିଆ, (୨୩)  ଓ ଦେବଗଡ଼ ଜିଲ୍ଲା କୁଣ୍ଡେଇ ଗଳା ଥାନା ଖଇର୍ ପାଲି ଗାଁ ର ଟିକୁନୁ ନାଏକ (୨୨) ବୋଲି ପୋଲିସ୍ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛି।

ଏହା ସହ କଫ୍ ସିରଫ୍ ଚାଲାଣ କରୁଥିବା ଏକ ବୋଲେରୋ ଗାଡ଼ି ଓ ଅଭିଯୁକ୍ତ ମାନେ ବ୍ୟବହାର କରୁଥିବା ତିନୋଟି ମୋବାଇଲ୍ ଫୋନ୍ କୁ ମଧ୍ୟ ଜବତ୍ କରିବାରେ ସଫଳ ହୋଇଛି ପୋଲିସ୍।

ସୂଚନାଯୋଗ୍ୟ ଯେ, ରେଢ଼ାଖୋଲ ୫୫ନଂ ଜାତୀୟ ରାଜପଥର ଦଳଖମନ ରାସ୍ତାରେ ଗତ ୫ତାରିଖ ଦିନ ୧୧ ଟା ସମୟରେ ପୋଲିସ୍ ରାସ୍ତାରେ ଗାଡ଼ି ମୋଟର ଯାନ ଯାଞ୍ଚ୍ କରୁଥିବା ସମୟରେ ଏକ ବୋଲେରୋ ଗାଡ଼ିରୁ ଯାଞ୍ଚ କରି ୮୮୬ ବୋତଲ କଫ୍ ସିରଫ ଜବତ କରିଥିଲା। ଅନୁଗୁଳ ରୁ କଫ୍ ସିରଫ୍ ବୋହି ସମ୍ବଲପୁର କୁ ଯାଉଥିବା ( ଓଡି-୦୭-ଏଫ୍-୨୪୪୭ )ବୋଲେରୋ ରୁ ୧୦୦ ଏମ୍ ଏଲ୍ ବିଶିଷ୍ଟ ୮୮୬ ବୋତଲ କଫ୍ ସିରଫ୍ ଜବତ୍ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ୍ କରିଥିଲା।

ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଦିପକ ଖଡିଆ ଙ୍କ ନାରେ ଆଗରୁ ଅଇଁଠାପାଲି ଥାନା ରେ ଦୁଇଟି ମାମଲ ଥିବା ଜଣା ପଡ଼ିଛି। ଅଭିଯୁକ୍ତ ନାଗେଶ୍ଵର ରୋହିଦାସ ନାମରେ ଆଗରୁ ଅଇଁଠାପାଲି ଥାନା ରେ ତିନିଟି ମାମଲା ଓ କ୍ଷେତରାଜପୁର ଥାନାରେ ଗୋଟିଏ ମାମଲା ଥିବା ପୋଲିସ୍ ପ୍ରକାଶ କରିଛି।ରେଢ଼ାଖୋଲ ପୋଲିସ୍ ଏକ ମାମଲା ରୁଜୁ କରି କୋର୍ଟ ଚାଲଣ କରିଛି।

Categories
ଆଞ୍ଚଳିକ

ଭାରସାମ୍ୟ ହରାଇ ଟ୍ରକ ପଛପଟକୁ ପିଟିଲା କାର, ଜଣେ ଗୁରୁତର

କନ୍ଦର୍ପ ବେହେରା
ରେଢ଼ାଖୋଲ: ରେଢ଼ାଖୋଲ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ଚାରମାଳ ଥାନା ପାଖରେ ଆଜି ସକାଳ ୭ଟା ସମୟରେ ଟ୍ରକ ପଛପଟେ ଏକ କାର୍ ଧକ୍କା ଦେବା ଫଳରେ ଜଣେ ଗୁରୁତର ଆହତ ହୋଇଥିବା ଜଣା ପଡ଼ିଛି।

ବିବରଣୀରୁ ପ୍ରକାଶ ଯେ, ଚାରମାଳ ଥାନା ନିକଟରେ ଟ୍ରକ ଟି ରାସ୍ତା ସାଇଟ ରେ ଠିଆ ହୋଇ ରହିଥିବା ବେଳେ ଏକ କାର ଭୁବନେଶ୍ୱର ରୁ ଝାରସୁଗୁଡା ଯାଉଥିବା ସମୟରେ ଟ୍ରକ ପଛ ପଟେ ଧକ୍କା ଦେଇଥିଲା। ଫଳରେ କାର ଡ୍ରାଇଭର ସୁସ୍ଥ ଥିବାବେଳେ ଗାଡି ମାଲିକ ର ସାଙ୍ଗ ଶଙ୍କର ରାମା (୫୫ )ଗୁରୁତର ହୋଇଥିଲେ।

ଘଟଣା ସ୍ଥଳରେ ଚାରମାଳର କିଛି ଯୁବକ ଆସି ପହଞ୍ଚି ଚାରମାଳ ଡାକ୍ତରଖାନାକୁ ନେଇଥିଲେ। ଅବସ୍ଥା ଗୁରୁତର ହେବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ପୁଣି ବୁର୍ଲା ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ସିଟି ବସ୍ ଚଳାଚଳ ପାଇଁ ରେଢ଼ାଖୋଲ ବିଜେପି ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

କନ୍ଦର୍ପ ବେହେରା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବିଜେପି ପକ୍ଷରୁ ମଙ୍ଗଳବାର ଦିନ ସିଟି ବସ୍ ଚଳାଇବା ସଂପର୍କରେ ରେଢ଼ାଖୋଲ ଉପଜିଲ୍ଲାପାଳ ପବିତ୍ର ବେହେରାଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି। ବିଜେପିର ବରିଷ୍ଟ ନେତା ଗୋବିନ୍ଦ ଅଗ୍ରୱାଲଙ୍କ ନେତୃତ୍ଵ ରେଢ଼ାଖୋଲ ଏନଏସି ଅଧ୍ୟକ୍ଷ ଶିବରାମ ସାହୁ ଉପସ୍ଥିତିରେ ଦାବୀ ପତ୍ର ପ୍ରଦାନ କରିଛନ୍ତି। ପରିବହନର ସୁବିଧା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସହର ଗୁଡିକରେ ସିଟି ବସ୍ ଚଳାଚଳ ହେବା ଯୋଗୁଁ ଲୋକେ ବହୁତ ଉପକୃତ ହେବେ।

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବିଜେପି ପକ୍ଷରୁ ମଙ୍ଗଳବାର ଦିନ ସମ୍ବଲପୁର ଠାରୁ ରେଢ଼ାଖୋଲ, ବୈ।ଦ୍ଧ, ଏବଂ ବାଟଗାଁ କୁ  ସିଟି  ବସ୍ ଚଳାଚଳ ପାଇଁ  ସ୍ଥାନୀୟ  ରେଢ଼ାଖୋଲ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପବିତ୍ର ବେହେରାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।

ଦାବିପତ୍ରରେ ଉଲ୍ଲେଖ ଅଛି ଯେ, ସମ୍ବଲପୁର ଠାରୁ ବାଟଗାଁ, ଭାୟା ମାନେଶ୍ୱର,ମେଘ୍ ପାଲ,କିସିଣ୍ଡା ,ସମ୍ବଲପୁର ଠାରୁ  ବୈ।ଦ୍ଧ ଭାୟା ଯୁଯୁମୁରା, ରେଢ଼ାଖୋଲ,  କଦଳୀଗଡ,ଏବଂ ସମ୍ବଲପୁର ଠାରୁ ନାକଟିଦେଉଳ,  ରିଆମାଳ, ଭାୟା ଜୁଯୋମୁରା, ରେଢ଼ାଖୋଲ, ଡ଼ଇଁଚା ଓ ସମ୍ବଲପୁର ଠାରୁ ନାକଟିଦେଉଳ, ଭାୟା ଧମା, କେସାପାଲି, ଜୁଯୋମୁରା, ରେଢ଼ାଖୋଲ ଆଦି ସ୍ଥାନ ଦେଇ ସିଟି ବସ୍ ଚଳାଚଳ ପାଇଁ ଦାବିପତ୍ର ରେ ଉଲ୍ଲେଖ ରହିଛି । ଦାବୀପତ୍ର ପ୍ରଦାନ ସମୟରେ ଜିଲ୍ଲା ପରିଷଦ ସଭ୍ୟ ଶରତ କୁମାର ପ୍ରଧାନ, କାଉନସିଲର ରଶ୍ମୀ ରଞ୍ଜନ ଭଞ୍ଜ, ପ୍ରମୋଦ ନାଗ ସମେତ ଅନିଲ ପୃଷ୍ଟି, ଅବନୀ ମେହେର, ରୋହନ ରାଉତ, ଶ୍ୟାମ ସୁନ୍ଦର ଭିତିରିଆ ପ୍ରମୁଖ ସହିତ ଅନ୍ୟ ମାନେ ଉପସ୍ଥିତ ରହିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଅଜଣା ଗାଡି ଧକ୍କାରେ ଏକ୍ସାଇଜ୍ କନେଷ୍ଟବଳଙ୍କ ମୃତ୍ୟୁ

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ରେଢାଖୋଲ ଚାରମାଳ ମଦଭାଟି ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ କନେଷ୍ଟବଳଙ୍କର ଅକାଳ ବିୟୋଗ ଘଟିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ସବ୍ ଡିଭିଜନ୍ ଚାରମାଳ ଥାନାର ମଦଭାଟି ସାମ୍ନାରେ ରେଢାଖୋଲ କୁକୁଡାବାହାଳି ପଂଚାୟତର ସାନ ନୂଆପଡା ଗ୍ରାମର ଦିଲ୍ଲୀପ୍ କୁମାର ସ୍ୱାଇଁ (୪୦)ନିଜ ଘରୁ ସମ୍ବଲପୁର ଡ୍ୟୁଟିକୁ ଯାଉଥିଲେ। ସକାଳ ୧୦ ଘଟିକା ସମୟରେ ଏକ ଅଜଣା ଗାଡି ମୃତ ଦିଲୀପ କୁ ଧକ୍କା ଦେଇ ଫେରାର୍ ହୋଇଯାଇଥିଲା। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସେ ସମ୍ବଲପୁରରେ ଏକସାଇଜ୍ କନେଷ୍ଟ ବଳ ଭାବରେ କାମ କରୁଥିଲେ। ଚାରମାଳ ପୋଲିସ୍ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଦୁର୍ଘଟଣା କରି ଫେରାର୍‌୍ ଥିବା ଗାଡି କୁ ପୋଲିସ୍ ଧରିବାରେ ବିଫଳ ହୋଇଥିଲା।

ସୂଚନା ଯୋଗ୍ୟ ଯେ, ୨୦୧୩ ରେ ବାପା ବୀରବର ସ୍ୱାଇଁ ଙ୍କର ବାଇକ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ମୃତକର ୪ ବର୍ଷ ଏବଂ ୪ ମାସର ଦୁଇଟି ଶିଶୁପତ୍ର ଥିବା ଜଣା ପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ରାସ୍ତା ପାର୍ଶ୍ଵରେ ଓଲଟିପଡି ଜଳିଗଲା ଟ୍ରକ୍, ଡ୍ରାଇଭର ଜୀବନ୍ତ ଦଗ୍ଧ

କନ୍ଦର୍ପ ବେହେରା

ରେଢାଖୋଲ: ଗତକାଲି ରାତିରେ ଏକ ଟ୍ରକ ରେଢାଖୋଲ ଥାନା ଡଇଁଚା ଗାମପଂଚାୟତର ତେରବେଡା ଗ୍ରାମ ନିକଟରେ ଦୁର୍ଘଟଣା ହେବା ଫଳରେ ଟ୍ରକଟି ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ଜଣା ପଡିଛି। ମୃତକ ଡ୍ରାଇଭରର ଘର ଅନୁଗୋଳ ଜିଲ୍ଲା କିଶୋର ନଗର ଥାନା ଘୋଷର ଗ୍ରାମର ବୋଲି ପୋଲିସ୍ କହିଛି।

ପ୍ରକାଶ ଯେ, ଅନୁଗୋଳର ଏହି ୧୨ ଚକିଆ ଟ୍ରକଟି (ଓଡି୧୯ଡି-୨୨୭୭) ନାକଟିଦେଉଳ ପଟୁ ରେଢାଖୋଲ ଆସୁଥିବା ବେଳେ ତେରବେଡା ଘାଟି ନିକଟରେ ମଧ୍ୟ ରାତ୍ରୀରେ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତାର ଡାହାଣ ପାଶ୍ୱର୍ରେ ଓଲଟି ପଡି ନିଆଁ ଲାଗି ଯାଇଥିଲା। ଟ୍ରକର ଡ୍ରାଇଭର ଅନୁଗୋଳ ଜିଲ୍ଲା ଘୋଷର ଗ୍ରାମର ଅଲେଖ ବାଦି ଟ୍ରକ ଭିତରୁ ବାହାରି ନ ପାରି ଜୀବନ୍ତ ଦଗ୍ଧ ହୋଇ ଯାଇଥିଲା।

ମଧ୍ୟରାତ୍ରରେ ଏହି ଘଟଣାଟି ଘଟିଥିବାରୁ କେହି ବି ଜାଣି ପାରି ନ ଥିଲେ। ଡ୍ରାଇଭର ଜଣଙ୍କ ଟ୍ରକ ଭିତରୁ ବାହାରକୁ ବାହାରି ନ ପାରି ଚାପି ହୋଇ ଯାଇଥିବାରୁ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଅନୁମାନ କରାଯାଉଛି। ଅଧରାତିରେ ହୋଇଥିବାରୁ ପାଖ ତେରବେଡା ଗ୍ରାମର ଲୋକମାନେ ମଧ୍ୟ ଜାଣି ପାରି ନ ଥିଲେ।  କିପରି ଦୁର୍ଘଟଣା ହେଲା ସେ ସଂପର୍କରେ କିଛି ତଥ୍ୟ ମିଳି ପାରି ନାହିଁ।

ଆଜି ଭୋରରୁ ଦମକଳ ଗାଡି ଆସି ନିଆଁକୁ ଲିଭାଇଥିବା ବେଳେ ଟ୍ରକ୍ ଭିତରେ ଡ୍ରାଇଭରର କଙ୍କାଳ ଦେଖିଥିଲେ। ରେଢାଖୋଲ ପୋଲିସ୍ ଘଟଣା ସ୍ଥଳକୁ ଆସି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବୁର୍ଲା ଡାକ୍ତରଖାନାକୁ ପଠାଇଥିବା ଜଣା ପଡିଛି।

ପୋଲିସ୍ ଏକ ମାମଲା ରୁଜୁ କରିଛି। ଟ୍ରକର ମାଲିକ ଅନୁଗୋଳର ହାକିମପଡାର ରାକେଶ ବେହେରାଙ୍କୁ ଆମ ପ୍ରତିନିଧି ପଚାରିବାରୁ ସେ କହିଲେ ଯେ, ଟ୍ରକ୍ ରେ ପାଖାପାଖି ୨୯ ଟନ୍ ଲୁହା ରଡ୍ ଅନୁଗୋଳରୁ ରାଉରକେଲା ଯାଉଥିଲା। ଯେଉଁଠାରେ ଲୁହାରଡ୍ ଖାଲି ହେବାର କଥା ସେଇ ସ୍ଥାନରେ ଖାଲି ହୋଇ ନ ଥିବା ପ୍ରକାଶ କରିଛନ୍ତି।

ଦୁର୍ଘଟଣା ଗ୍ରସ୍ତ ଟ୍ରକ୍‌ରେ ଲୁହାରଡ୍ ନ ଥିବା ଘଟଣା ଅଧିକ ରହସ୍ୟାବୃତ କରିପକାଇଛି। ଘଟଣା ସ୍ଥଳକୁ ରେଢାଖୋଲ ଏସ୍‌ଡିପିଓ, ଥାନାଧିକାରୀ  ଏବଂ ଅନ୍ୟାନ୍ୟ କର୍ମଚାରୀ ପହଂଚି ତଦନ୍ତ କରୁଛନ୍ତି।

Categories
ଆଞ୍ଚଳିକ

ଭୀମଭୋଇ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦ୍‌ଯାପିତ

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ଭୀମଭୋଇ ମହାବିଦ୍ୟାଳୟ ର ଦୁଇ ଦିନିଆ ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି। ଏହି କ୍ରୀଡା ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାଶ ଅଧ୍ୟକ୍ଷତା କରିଥିଲେ।

ଏହି କ୍ରୀଡା ଉତ୍ସବରେ ଏସ୍ ବିଆଇ ର ଶାଖା ପ୍ରବନ୍ଧକ ଅମିତ୍ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୂର୍ଣ୍ଣାଙ୍ଗ ବ୍ୟକ୍ତିତ୍ୱର ବିକାଶ ପାଇଁ କ୍ରୀଡା ର ଆବଶ୍ୟକତା ରହିଛି ବୋଲି ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। କ୍ରୀଡା ପରିଷଦର ଉପ ସଭାପତି ପ୍ରାଧ୍ୟାପକ ଅରୁଣ କୁମାର ଶାସନୀ ପ୍ରାରମ୍ଭୀକ ଅଭିଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ। କଲେଜର କ୍ରୀଡା ପ୍ରଶିକ୍ଷିକା ନମ୍ରତା ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି କ୍ରୀଡା ଉତ୍ସବରେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଖେଳ ପ୍ରଶିକ୍ଷିକ ଜିତେନ୍ଦ୍ରୀୟ ପ୍ରଧାନ, ପାର୍ବତୀ ଗିରି ମହାବିଦ୍ୟାଳୟର କ୍ରୀଡା ପ୍ରଶିକ୍ଷିକ ଚନ୍ଦ୍ରଶେଖର ପୁରୋହିତ ଖେଳ ପରିଚାଳନା କରିଥିଲେ।

ଏହି ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀ ତଥା ଚମ୍ପିୟାନ୍ ମାନଙ୍କୁ ମାନପତ୍ର ତଥା ଟ୍ରଫୀଦେଇ ପୁରସ୍କୃତ କରାଯାଇଥିଲା। ଅଧ୍ୟାପକ ଅଞନ କୁମାର ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ କ୍ରୀଡା ପରିଷଦର ସହଯୋଗୀ ଉପ ସଭାପତି ଡଃ ଭୋଜରାଜ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରୀଡା ପରିଷଦର ଅନ୍ୟତମ ସହେଯାଗୀ ଉପ ସଭାପତି ରାଜେଶ୍ ବିଶ୍ୱାଳ, ଶ୍ରୀପତି ପ୍ରଧାନ, ଅଧ୍ୟାପକ ଡଃ ରବି ଚନ୍ଦ୍ର ସିଂ, ପ୍ରାକ୍ତନ୍ ଛାତ୍ର ଧିରେନ୍ କୁମାର ଦେହୁରୀଙ୍କ ସମେତ କଲେଜର ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ତଥା ଛାତ୍ରଛାତ୍ରୀ ସକ୍ରିୟ ସହେଯାଗ ଏବଂ ଅଂ ଶ ଗ୍ରହଣ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାବାଳିକାକୁ ଅପହରଣ ଅଭିଯୋଗରେ ବିବାହିତ ଯୁବକ ଗିରଫ

କନ୍ଦର୍ପ ବେହେରା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଚାରମାଳ ଥାନା ଅନ୍ତର୍ଗତ ଗରଗଡବାହାଳ ଗ୍ରାମର ଜଣେ ନାବାଳିକା କଲେଜ ଛାତ୍ରୀକୁ ଅପହରଣ ଅଭିଯୋଗରେ ଶୁକ୍ରବାର ଦିନ ଜଣେ ବିବାହିତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ଚାରମାଳ ପୋଲିସ। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଚାରମାଳ ପଞ୍ଚାୟତ ଅନ୍ତର୍ଗତ ଗିର୍ଗି ଖମଣ୍ଡ ଗ୍ରାମର ରଞ୍ଜନ କୁମାର ବେହେରା (୩୨)।

ସୂଚନା ଯୋଗ୍ୟ ଯେ, ଗତ ନଭେମ୍ବର ୨୮ ତାରିଖରେ ଅଭିଯୁକ୍ତ ରଞ୍ଜନ ଗରଗଡବାହାଳ ଗ୍ରାମର ଜଣେ +୨ ପଢୁଥିବା ନାବାଳିକା କଲେଜ ଛାତ୍ରୀକୁ ଅପହରଣ କରି ସମ୍ବଲପୁର ନେଇ ସେଠାରୁ ପୁରୀ ନେଇ ଯାଇଥିଲେ। ଏ ସଂକ୍ରାନ୍ତରେ ନାବାଳିକାଙ୍କ ପରିବାର ଲୋକେ ଚାରମାଳ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରି ଉଭୟଙ୍କୁ ଚାରମାଳ ରେଲୱେ ଷ୍ଟେସନରେ ରହିଥିବା ସୂଚନା ପାଇ ପୋଲିସ ରେଳ ଷ୍ଟେସନରୁ ନାବାଳିକାକୁ ଉଦ୍ଧାର କରି ଉକ୍ତ ଯୁବକକୁ ଗିରଫ କରିଥିଲା।

ଏନେଇ  ପୋଲିସ କେଶ ନଂ ୧୬୪/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ବସନ୍ତ ଦଳେଇ ସୂଚନା ଦେଇଛନ୍ତି। ସେପଟେ  ଯୈାତୁକ ନିର୍ଯାତନା ତଥା ସ୍ତ୍ରୀକୁ ଶାରୀରିକ ନିର୍ଯାତନା ଦେଉଥିବା ନେଇ ସଂଗିନ ଅଭିଯୋଗ ଆଣି ଶୁକ୍ରବାର ଥାନାର ଦ୍ବାରସ୍ଥ ହୋଇଛନ୍ତି ଅଭିଯୁକ୍ତ ବିବାହିତ ପୁରୁଷ ରଞ୍ଜନ ଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ପ୍ରଧାନ, ଏନେଇ ଚାରମାଳ ପୋଲିସ କେଶ ନଂ ୧୬୮/୨୨ ରେ ପୁଣି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ମୋ ଜୀବନର ମୋଡ଼ ବଦଳାଇଛି ଗଣମାଧ୍ୟମ: ଯୁବ ବୈଜ୍ଞାନିକ ଶେଷ କିଷାନ

ରେଢ଼ାଖୋଲ: ରେଢାଖୋଲ ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ଏନ୍ ଏସି, ଭୀମ ଭୋଇ କଲ୍ୟାଣ ମଣ୍ଡପ ଠାରେ ଜାତୀୟ ପ୍ରେସ ଦିବସ ପାଳନ ହୋଇଯାଇଛି। ସଂଘ ସଭାପତି ରମାକାନ୍ତ ମହାନନ୍ଦଙ୍କ ସଭାପତିତ୍ଵରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବରେ ଯୁବ ବୈଜ୍ଞାନିକ ଶେଷ କିଷାନ, ମୁଖ୍ୟବକ୍ତା ଭାବରେ ଭୀମଭୋଇ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଅଂଜନ କୁମାର ମିଶ୍ର ଯୋଗ ଦେଇଥିଲେ।

ଗଣମାଧ୍ୟମ ମୋ’ଜୀବନର ମୋଡ ବଦଳାଇଛି ଯାହା ପାଇଁ ଆଜି ମୁଁ ପରିଚୟ ସୃଷ୍ଟି କରିପାରିଛି ଗଣମାଧ୍ୟମ ଯୋଗୁଁ ଆଜିର ଦିନରେ ବଣର ମଲ୍ଲୀ ଏବେ ବଣରେ ଫୁଟି ମଉଳି ନଯାଇ ଲୋକଚନକୁ ଆସିପାରୁଛି , ବିଭିନ୍ନ କ୍ଷେତ୍ରରେ କୃତକାର୍ଯ୍ୟ ହୋଇଥିବା ବ୍ୟକ୍ତିମାନଙ୍କୁ ଖୋଜି ସାମ୍ନା କୁ ଆଣିପାରୁଛି ଆଜିର ଗଣମାଧ୍ୟମ ବୋଲି ଯୁବ ବୈଜ୍ଞାନିକ ଶେଷ କିସାନ ନିଜର ବକ୍ତବ୍ୟରେ କହିଛନ୍ତି।

ସେହିପରି ଦେଶ ଗଠନରେ ଗଣମାଧ୍ୟମର ଗୁରୁତ୍ଵ ପୂର୍ଣ୍ଣ ଭୂମିକା ରହିଛି , ଆଜିର ମିଡ଼ିଆ ବଜାରରେ ଖବର ଗୁଡ଼ିକର କିଣା ବିକା ଚାଲିଛି ସେଥିପାଇଁ ସକରାତ୍ମକ ରିପୋର୍ଟ, ତଦନ୍ତ ମୂଳକ ଖବର ଉପରେ ଗୁରୁତ୍ବ ଦେବା ସହିତ ଖବର ଭିତରେ ଲୁଚି ରହିଥିବା ଖବର ଲୋକଙ୍କ ପାଖକୁ ପହଞ୍ଚିଇବା ଗଣମାଧ୍ୟମର ମୁଖ୍ୟ ଲକ୍ଷ୍ୟ ହେବା ଦରକାର ବୋଲି ମୁଖ୍ୟବକ୍ତା କହିଥିଲେ।

ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ସଂଘ ସମ୍ପାଦକ କନ୍ଦର୍ପ ବେହେରା ବିବରଣୀ ପାଠ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ, ସାମ୍ବାଦିକ ଜୟନ୍ତ ଖଡିରତ୍ନ, ଶରତ ପ୍ରଧାନ, ଶଙ୍କର ପୃଷ୍ଟି , ତପନ ବିଶ୍ବାଳ, ଅରୁଣ ପ୍ରଧାନ, ଯଶୋବନ୍ତ ନାରାୟଣ ସାହୁ, ସୁଶାନ୍ତ ନାଗ , ଅନୀଲ ପୃଷ୍ଟି, ବିନୋଦ କୁମାର ସେଠୀ, ସୁଧିର ସୁନା, ବିଦ୍ୟାଧର ମାଝୀ, ସରୋଜ କୁମାର ସାହୁ, ମଦନ ବେହେରା ସମେତ ଉପଖଣ୍ଡର ସମସ୍ତ ସାମ୍ବାଦିକ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ରେଢାଖୋଲ ସବ୍‌ରେଜେଷ୍ଟ୍ରି କାର୍ଯ୍ୟାଳୟରେ ବିବାହ କଲେ ଯୁବ ବୈଜ୍ଞାନିକ ଶେଷଦେବ କିସାନ

କନ୍ଦର୍ପ ବେହେରା

ରେଢାଖୋଲ: ନିପଟ ମଫସଲରୁ ଯାଇ ଜର୍ମାନରେ ବୈଜ୍ଞାନିକ ଭାବରେ କାର୍ଯ୍ୟକରୁଥିବା ରେଢାଖୋଲ ନାକଟିଦେଉଳ ବ୍ଲକ୍ ବଲାସିଂଘା ଗ୍ରାମର ଯୁବ ବୈଜ୍ଞାନିକ ଡଃ ଶେଷଦେବ କିସାନ୍ ଆଜି ରେଢାଖୋଲ ସବ୍‌ରେଜେଷ୍ଟ୍ରି କାର୍ଯ୍ୟାଳୟରେ ବିବାହ କରିଛନ୍ତି।

ଆଜି ଅପରାହ୍ନ ୩ ଟା ସମୟରେ ରେଢାଖୋଲ ସବ୍‌ରେଜେଷ୍ଟ୍ରି କାର୍ଯ୍ୟାଳୟରେ ପରିସରରେ ବାଲେଶ୍ୱରର ଜୟଶ୍ରୀ ଜେନାକୁ ରେଜେଷ୍ଟ୍ରି ବିବାହ କରିଛନ୍ତି। ଏହି ବିବାହ ସମୟରେ ଶେଷ କିସାନଙ୍କ ଶାଶୁ ଏବଂ ଅଜା ଶ୍ୱଶୁର ଉପସ୍ଥିତ ଥିଲେ। ଡଃ ଶେଷ କିସାନଙ୍କ ଓକିଲ ପରୀକ୍ଷିତ ଦାସଙ୍କ ସହ ସବ୍ ରେଜିଷ୍ଟାର ଦେବାଶିଷ ପାତ୍ର ଏବଂ ସାକ୍ଷ୍ୟ ଭାବରେ ସୁନନ୍ଦ ପ୍ରଧାନ, ରମଣୀ ରଞନ ମେଣ୍ଡୁଲୀ ଏବଂ ପ୍ରଫୁଲ୍ଲ କର୍ଣ ଉପସ୍ଥିତ ଥିଲେ। ଆଇନ୍ ସହାୟତାରେ ସେ ଏଇ ରେଜେଷ୍ଟ୍ରି ବିବାହ କରିଥିବା ଜଣା ପଡିଛି। ରେଜେଷ୍ଟ୍ରି ଅଫିସ୍ ପରିସରରେ କେକ୍ କାଟି ଉଭୟେ ଉଭୟଙ୍କୁ ଫୁଲମାଳ ଦେଇ ବିବାହ କରିଛନ୍ତି। ଭିସା ପାଇଁ ଅସୁବିଧା ହେଉଥିବାରୁ ସେ ପ୍ରଥମେ ରେଜେଷ୍ଟ୍ରି ବିବାହ କରିଥିବା ଜଣା ପଡିଛି।

ସୂଚନା ଥାଉକି, ବଲାସିଂହା ଭଳି ଏକ ଅନୁନ୍ନତ ଅଂଚଳରୁ ଆସିଥିବା ଶେଷ କିସାନ୍ ଛୋଟ ସମୟରୁ ମା, ବାପାଙ୍କୁ ହରାଇଥିଲେ। ଏପରିକି ମୂଲମଜୁରୀ ଲାଗି ପେଟ ପୋଷିବା ସହ ବିଦ୍ୟାଳୟରେ ପାଠ ପଢିଥିଲେ। ବହୁ ସଂଘର୍ଷ କରି ସେ ଆଜି ଜର୍ମାନରେ ଜଣେ ବୈଜ୍ଞାନିକ ଭାବରେ କାମ କରି ସାରା ଭାରତରେ ଏକ ଇତିହାସ ପାଲଟିଛନ୍ତି। ନିଜର ଅସାଧାରଣ ପ୍ରତିଭା, ମନୋବଳ ଓ ଇଚ୍ଛାଶକ୍ତି ବଳରେ ଜର୍ମାନର ଗଟିଜେନସି ବିଶ୍ୱବିଦ୍ୟାଳୟରେ ରିସର୍ଚ୍ଚ ଆସୋସିଏଟ୍ ଭାବରେ କାମ କରୁଥିଲେ। ଆସନ୍ତା ନଭେମ୍ବର ୨୨ ତାରିଖରେ ସେ ପୁନର୍ବାର ବୈଦିକ ରୀତିନିତି ଅନୁଯାୟୀ ବିବାହ ବନ୍ଧନରେ ବାନ୍ଧିହେବେ ବୋଲି ଜଣା ପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନକଲି ସାମ୍ବାଦିକଙ୍କ ଦୌରାତ୍ମ୍ୟ, ପ୍ରେସ୍ ଲେଖାଥିବା ଗାଡିକୁ ଯାଞ୍ଚ କରିବାକୁ ଦାବୀ କଲା ସାମ୍ବାଦିକ ସଂଘ

କନ୍ଦର୍ପ ବେହେରା

ରେଢାଖୋଲ: ଦିନକୁ ଦିନ ରେଢାଖୋଲ ଅଂଚଳରେ ନକଲି ସାମ୍ବାଦିକ ଓ ପ୍ରେସ୍ ଲେଖା ଥିବା ଗାଡି ବୁଲୁଥିବାର ଜଣା ପଡିଛି। ଏ ନେଇ ଆଜି ଉପଖଣ୍ଡ ସାମ୍ବାଦିକ ସଂଘ ତରଫରୁ ରେଢାଖୋଲ ଉପ-ଆରକ୍ଷୀ ଅଧିକ୍ଷକଙ୍କୁ ସଂଘ ତରଫରୁ ଏକ ଦାବୀ ପତ୍ର ଦିଆଆଇଥିବା ଜଣା ପଡିଛି।

ଗତକାଲି ଅପରାହ୍ନରେ ରେଢାଖୋଲ ଥାନା କଦଳୀଗଡ ଠାରେ ଜଣେ ବ୍ୟକ୍ତି ଓ ଜଣେ ମହିଳା ଏକ ବାଇକରେ (ଓଡି ୩୧-ଏ ୯୩୯୨) ପ୍ରେସ୍ ଲେଖାଯାଇଥିବା ଗାଡିରେ ଆସିଥିଲେ। ରେଢାଖୋଲର କଳିଙ୍ଗ ଟିଭିର ସାମ୍ବାଦିକ ଯଶୋବନ୍ତ ନାରାୟଣ ସାହୁ ସେମାନଙ୍କୁ ପରିଚୟ ମାଗିବାରୁ ସେମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ। ପିସିଆର୍ ଭ୍ୟାନ୍ ର ସହାୟତା ଲୋଡିଥିଲେ। ଏହି ସମୟରେ ପ୍ରେସ୍ ଲେଖା ଥିବା ବ୍ୟକ୍ତି ଓ ମହିଳା ଜଣଙ୍କ ସାମ୍ବାଦିକ ଯଶୋବନ୍ତଙ୍କୁ ଧକ୍କାମାରି ଚମ୍ପଟ ମାରିଥିଲେ।

କିଛି ଦିନ ହେଲା ରେଢାଖୋଲ ଅଂଚଳରେ ପ୍ରେସ୍ ଲେଖା ଥିବା ଗାଡି ଅଂଚଳରେ ବୁଲୁଥିବାରୁ ଯାଂଚ କରାଯିବାକୁ ରେଢାଖୋଲ ଉପଖଣ୍ଡ ସାମ୍ବାଦିକ ସଂଘ ତରଫରୁ ରେଢାଖୋଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ଠାରେ ଲିଖିତାକାରରେ ଅଭିଯୋଗ କରିଛନ୍ତି।

ଏହି ଦାବୀପତ୍ର ପ୍ରଦାନରେ ସଂଘର ସଭାପତି ରମାକାନ୍ତ ମହାନନ୍ଦ, ସଂପାଦକ କନ୍ଦର୍ପ ବେହେରା, ତପନ କୁମାର ବିଶ୍ୱାଳ, ରୋହିତ କୁମାର ଭୋଇ, ଯଶୋବନ୍ତ ନାରାୟଣ ସାହୁ, ସରୋଜ କୁମାର ସାହୁ, ଅନୀଲ କୁମାର ପୃଷ୍ଟି, ଶଙ୍କର ପୃଷ୍ଟି, ଶରତ କୁମାର ପ୍ରଧାନ, ପ୍ରଶନ୍ନ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଆସନ୍ତା ୨୮ ରେ ରେଢାଖୋଲ ଠାରେ ଓୟୁଜେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ 

ରେଢାଖୋଲ: ଆସନ୍ତା ୨୮ ତାରିଖ ଦିନ ରେଢାଖୋଲ ଠାରେ ଓଡିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ(ଓୟୁଜେ) ସମ୍ବଲପୁର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଏଥିପାଇଁ ରେଢାଖୋଲ ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ରବିବାର ଦିନ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି।

ଓୟୁଜେ ରେଢାଖୋଲ ଶାଖାର ସଭାପତି ଶରତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ସମ୍ପାଦକ ଶଙ୍କର ପୃଷ୍ଟି, ପୂର୍ବତନ ସଭାପତି ରମାକାନ୍ତ ମହାନନ୍ଦ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ପ୍ରଧାନ, ତପନ କୁମାର ବିଶ୍ବାଳ, ଅନିଲ କୁମାର ପୃଷ୍ଟି, ସରୋଜ କୁମାର ସାହୁ, ଅରୁଣ କୁମାର ପ୍ରଧାନ ପ୍ରମୁଖ ସାମ୍ବାଦିକ ମାନେ ଯୋଗ ଦେଇ କିପରି ସୁଚାରୁରୂପେ ଏହି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ ଏହା ଉପରେ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରି ଆଲୋଚନା କରିଥିଲେ। ଏହି ବୈଠକରେ ସମ୍ବଲପୁର ଜିଲ୍ଲାର ସମସ୍ତ ଓୟୁଜେ ସଭ୍ୟ ଯୋଗଦେବେ। ଶେଷରେ ଓୟୁଜେ ଜିଲ୍ଲା ସମ୍ପାଦକ କନ୍ଦର୍ପ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।