ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ଥାନା ଅଂଚଳର ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ଅପହରଣ ଉଦ୍ୟମ କରିବା ଅଭିଯୋଗରେ ୨ ଜଣ ନାବାଳକ ସମେତ ୬ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ନାକଟିଦେଉଳ ପୋଲିସ। ଗିରଫ ଅଭିଯୁକ୍ତ ମାନେ ହେଲେ କିସିଣ୍ଡା ଥାନା ଅନ୍ତର୍ଗତ ବଲାସିଙ୍ଗା ଗ୍ରାମର ମାନସିଂ କିସାନ ଓରଫ ମାନସ (୧୭),ବଳମ ଗ୍ରାମର ଲିଙ୍କନ ଭୁତିଆ (17), କଞ୍ଚନପୁର ଗ୍ରାମର ଅରୁଣ କିସାନ (୧୮) ଏବଂ ବାଦଲ କିସାନ (୧୮),ବଳମ ଗ୍ରାମର ଗୁରୁଦେବ ବସନ୍ତରା ଓରଫ ରାହୁଲ (୧୮) ଏବଂ ଟିକେଶ୍ଵର ସାହୁ ଓରଫ ଟିଟୁ (୧୮)। ଏହି ଆକ୍ରମଣ ପାଇଁ ବ୍ୟବହୃତ ଗୋଟିଏ ଛୁରୀ, ଗୋଟିଏ ମୋବାଇଲ ଏବଂ ଦୁଇଟି ବାଇକ ଜବତ କରିଛି ପୋଲିସ।
ସୂଚନା ଅନୁସାରେ କିସିଣ୍ଡା ଥାନା ଅନ୍ତର୍ଗତ ବଲାସିଙ୍ଗା ଗ୍ରାମର ମାନସ କିସାନ ନାକଟିଦେଉଳ ଥାନା ଅନ୍ତର୍ଗତ ଡ଼ୁମାମହୁଲ ଗ୍ରାମର ଜଣେ ୧୭ ବର୍ଷୀୟା ନାବାଳିକାଙ୍କ ଘର ମୋବାଇଲନମ୍ବରରେ ବାରମ୍ବାର ଫୋନ କରି ହଇରାଣ ହରକତ କରି ଆସୁଥିଲା। ଗତ ୩୦ ତାରିଖ ଅପରାହ୍ନରେ ମଧ୍ୟ ମାନସ ନାବାଳିକାଙ୍କ ଘର ମୋବାଇଲରେ ଫୋନ କରିବାରୁ ସମ୍ପୃକ୍ତ ନାବାଳିକାଙ୍କ ମାଆ ମାନସକୁ ତୁ କିଏ ତୋ ଘର କେଉଁଠି ବୋଲି ପଚାରିବାରୁ ସେ ଆଶାଳୀନ ଭାଷାରେ କଥା ବାର୍ତ୍ତା କରିଥିଲା।
ଏହି ସମୟରେ ନାବାଳିକାର ପଡୋଶୀ ଘରର ଜଣେ ଯୁବକ ନାବାଳିକାର ମୋବାଇଲରୁ ଫୋନରେ ହଇରାଣ କରୁଥିବା ଯୁବକ ମାନସର ପରିଚୟ ମାଗିବାରୁ ଉଭୟଙ୍କ ମଧ୍ୟରେ ଫୋନରେ ଯୁକ୍ତିତର୍କ ହୋଇଥିଲା। ତେବେ ରାତ୍ରି ପ୍ରାୟ ୮ ଟା ସମୟରେ ମାନସ ଅନ୍ୟ ୫ ଜଣ ସହଯୋଗୀଙ୍କୁ ସାଙ୍ଗରେ ଧରି ୨ ବାଇକରେ ଡ଼ୁମାମହୁଲ ଗ୍ରାମକୁ ଆସିଥିଲେ। ନାବାଳିକାର ବାପା ସୋନପୁରରେ ରହି କାମ କରୁଥିବାରୁ ସେ ଘରେ ଅନୁପସ୍ଥିତ ଥିବାର ସୁଯୋଗ ପାଇ ମାନସ ଏବଂ ତାର ଅନ୍ୟ ୫ ସହଯୋଗୀ ନାବାଳିକାର ଘରେ ପଶି ସମ୍ପୃକ୍ତ ନାବାଳିକାକୁ ଆକ୍ରମଣ କରି ମାଡ଼ ମାରିବା ସହ ଛୁରୀ ଦେଖାଇ ହତ୍ୟା କରିବାକୁ ଉଦ୍ୟମ କରିଥିଲେ।
ତେବେ ନାବାଳିକା ଏବଂ ତାଙ୍କର ମାଆ ଏବଂ ଭଉଣୀ ପାଟି କରିବାରୁ ଗାଁ ଲୋକେ ସେଠାକୁ ଆସି ୩ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଥିବା ବେଳେ ଅନ୍ୟ ତିନିଜଣ ସେଠାରୁ ଚମ୍ପଟ ମାରିଥିଲେ। ତେବେ ପୋଲିସ ଖବର ପାଇ ଘଟଣା ସ୍ଥଳକୁ ଆସି ତିନି ଅଭିଯୁକ୍ତଙ୍କୁ ଅଟକ ରଖିଥିଲା। ପୋଲିସ ଫେରାର ଥିବା ଅନ୍ୟ ଅଭିଯୁକ୍ତ ୩ ଜଣଙ୍କୁ ମଧ୍ୟ ଧରିବାରେ ସଫଳ ହୋଇଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ।


