ରେଢ଼ାଖୋଲ (କନ୍ଦର୍ପ ବେହେରା): ପିଲାଙ୍କ ପାଠ ପଢା ପାଇଁ କେନ୍ଦ୍ର ସରକାର ଉଚିତ୍ ପଦକ୍ଷେପ ନେଉଥିବା ବେଳେ ସମ୍ପ୍ରତି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ କେନ୍ଦ୍ରୀୟ ବିଦ୍ୟାଳୟରେ ଚଳିତ ବର୍ଷର ପାଠ ପଢା ବିଳମ୍ବକୁ ନେଇ ଅଭିଭାବକ ଓ ଜନ ସାଧାରଣଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି। ହେଲେ ଚଳିତ ବର୍ଷ ପିଲାଏ ପାଠ ପଢ଼ି ପାରିବେ କି ନାହିଁ ଲୋକଙ୍କ ମନରେ ନାନା କଳ୍ପନା ଜଳ୍ପନା ସୃଷ୍ଟି ହେଉଅଛି। ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ଏବେ ଚଳିତ ବର୍ଷର ପାଠ ପଢା ଓ ନାମ ଲେଖା ପ୍ରକ୍ରିୟା ଆରମ୍ଭ ହେଲାଣି।
ରେଢ଼ାଖୋଲ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ବିଭାଗୀୟ କେନ୍ଦ୍ର ମନ୍ତ୍ରୀ ଘୋଷଣା କରି ଥିଲେ ମଧ୍ୟ ଏପର୍ଯ୍ୟନ୍ତ ପାଠ ପଢା ଓ ନାମ ଲେଖା ପ୍ରକ୍ରିୟା ଆରମ୍ଭ ହୋଇ ନ ଥିବାରୁ ଲୋକଙ୍କ ମନରେ ସନ୍ଦେହ ଓ ଆଶଙ୍କା ପ୍ରକାଶ ପାଇଛି। ବିଭାଗୀୟ ମନ୍ତ୍ରୀଙ୍କ ଗତ କିଛି ଦିନ ପୂର୍ବରୁ ରେଢ଼ାଖୋଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏପ୍ରିଲ ମାସ ଶେଷ ସୁଦ୍ଧା ଚଳିତ ବର୍ଷ ପାଠ ପଢା ପାଇଁ ନାମ ଲେଖା ଆରମ୍ଭ କରାଯିବ ଓ ଅସ୍ଥାୟୀ ଭାବରେ ରେଢ଼ାଖୋଲ ସହର ସ୍ଥିତ ଭୀମ ଭୋଇ କଲେଜରେ ପାଠ ପଢା ଆରମ୍ଭ ହେବ ବୋଲି କହିଥିଲେ।
ଇତି ମଧ୍ୟରେ ଭୀମ ଭୋଇ କଲେଜରେ ପାଠ ପଢା ଆରମ୍ଭ ହେବ ବୋଲି କହିବା ପରେ ଶ୍ରେଣୀ ଗୃହ ସବୁ ସଜଡ଼ା ଯାଇଛି। ଏପରିକି ୨/୩ ଥର ଏକ କେନ୍ଦ୍ରୀୟ ଟିମ ସ୍ଥାନ ଚିହ୍ନଟଠୁ ନେଇ ବିଭିନ୍ନ ଦିଗ ସବୁ ପରିଦର୍ଶନ କରି ଫେରି ଯାଇଛନ୍ତି। ଏପରି ଭାବରେ ପାଠ ପଢା ବିଳମ୍ବକୁ ଅବିଭାବକ ଓ ଜନ ସାଧାରଣରେ ଆଶଙ୍କା ଦେଖା ଦେଇଛି। ଏନେଇ ଉପଖଣ୍ଡ ପ୍ରଶାସକ ଓ କେନ୍ଦ୍ରୀୟ ଟିମଙ୍କୁ ପଚାରିବାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷାନୁଷ୍ଠାନ ପାଇଁ ଏପର୍ଯ୍ୟନ୍ତ ଜମି ହସ୍ତାନ୍ତର ହୋଇ ପାରି ନାହିଁ ବୋଲି ପ୍ରକାଶ କରିଥିଲେ। ଯାହାକୁ ବିଳମ୍ବ ହେଉ ଥିବା ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି।
ଏପରିକି ରାଜ୍ୟରେ ଡବଲ ଇଞ୍ଜିନ ସରକାର ଥାଇ ମଧ୍ୟ ଚଳିତ ବର୍ଷ କେନ୍ଦ୍ରୀୟ ବିଦ୍ୟାଳୟରେ ପିଲାଙ୍କ ପାଠ ପଢା ଯଦି ବନ୍ଦ ହୋଇ ଯାଏ, ଏହା ବଡ ଦୁଃଖର ବିଷୟ ବୋଲି ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ଏଣୁ ଏ ଦିଗରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଦୃଷ୍ଟି ଦେଇ ତୁରନ୍ତ ଚଳିତ ବର୍ଷର ପାଠ ପଢା ଆରମ୍ଭ କରିବାକୁ ଦାବି ହେଉଛି।


