ଭୁବନେଶ୍ଵର: ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ଓସଜାର ନବମ ବାର୍ଷିକ ପୁରସ୍କାର ସମାରୋହ ଆଜି କଳିଙ୍ଗ ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଛି। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ହକି ଅଲିମ୍ପିଆନ ତଥା ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ପୁରସ୍କାର ପ୍ରଦାନ କରିଥିଲେ। ଶ୍ରେଷ୍ଠ କ୍ରୀଡ଼ାବିତ ଭାବେ ଉଦୀୟମାନ ବାଳିକା ଭାରୋତ୍ତୋଳକ ପ୍ରୀତିସ୍ମିତା ଭୋଇ ଏବଂ ଆଜୀବନ ଅବଦାନ ପାଇଁ ବରିଷ୍ଠ ହକି ପ୍ରଶିକ୍ଷକ କାଳୁଚରଣ ଚୌଧୁରୀଙ୍କୁ ଏସ୍ଜା ପୁରସ୍କାରରେ ସମ୍ମାନିତ କରାଯାଇଥିଲା।
ସେହିପରି କ୍ରୀଡ଼ାର ବିକାଶ ଦିଗରେ ପ୍ରମୁଖ ସହଯୋଗ ପାଇଁ ଏମଜିଏମ୍ ଗ୍ରୁପ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓସଜା ସଭାପତି ସନ୍ଦୀପ ମିଶ୍ର, ସଂପାଦକ ସୁରେଶ ସ୍ବାଇଁ, ଅଲିମ୍ପିଆନ ଦୂତୀ ଚାନ୍ଦ ଓ ଅନୁରାଧା ବିଶ୍ବାଳଙ୍କ ସମେତ ବହୁ ଆନ୍ତର୍ଜାତିକ ଖେଳାଳି, ପ୍ରଶିକ୍ଷକ ଓ କ୍ରୀଡ଼ାପ୍ରେମୀ ଯୋଗ ଦେଇଥିଲେ।


