ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ରୋଡ୍ସ ଏଣ୍ଡ ବିଲ୍ଡିଂସ୍ ଡିଭିଜନ-୧ ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟରଙ୍କ କାର୍ଯ୍ୟାଳୟରେ ଘଟିଛି ବଡ଼ ଧରଣର ସରକାରୀ ଅର୍ଥ ହେରଫେର୍। ପ୍ରାୟ ୯ କୋଟି ୨୪ ଲକ୍ଷ ୧୦ ହଜାର ୧୯୩ ଟଙ୍କା ଆତ୍ମସାତ୍ କରିବା ଅଭିଯୋଗରେ ଭିଜିଲାନ୍ସ ଦୁଇ ଜଣ କର୍ମଚାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ସେକ୍ସନ ଅଫିସର ବନଲତା ମହାନ୍ତି ଓ ଜୁନିୟର ଆସିଷ୍ଟାଣ୍ଟ ବିଭୁଦତ୍ତ ନାୟକ। ଉଭୟ ଏହି କାର୍ଯ୍ୟାଳୟର ଏଷ୍ଟାବ୍ଲିଶମେଣ୍ଟ ସେକ୍ସନରେ କାର୍ଯ୍ୟରତ ଥିଲେ। ତଦନ୍ତ ସମୟରେ ଭିଜିଲାନ୍ସ ଜାଣିବାକୁ ପାଇଛି ଯେ, ୨୦୨୨-୨୩ରୁ ୨୦୨୫-୨୬ ଆର୍ଥିକ ବର୍ଷ ମଧ୍ୟରେ ଏହି ବିପୁଳ ପରିମାଣର ଅର୍ଥ ଆତ୍ମସାତ୍ ହୋଇଛି। ଅଭିଯୁକ୍ତ ଦ୍ୱୟ କେତେକ ଅଜଣା ସହଯୋଗୀଙ୍କ ସହ ମିଶି ଷଡ଼ଯନ୍ତ୍ର ପୂର୍ବକ ଜାଲ୍ ମଞ୍ଜୁରୀ ନିର୍ଦ୍ଦେଶ ଓ ବିଲ୍ ପ୍ରସ୍ତୁତ କରୁଥିଲେ। ଅବସରପ୍ରାପ୍ତ କର୍ମଚାରୀଙ୍କ ପ୍ରୋଭିଜନାଲ ଗ୍ରାଚ୍ୟୁଇଟି ଓ ଅବ୍ୟବହୃତ ଛୁଟି ବାବଦ ଦରମା ନାମରେ ଏହି ଜାଲ୍ ବିଲ୍ଗୁଡ଼ିକ ତିଆରି କରାଯାଇଥିଲା। ସରକାରୀ ଅର୍ଥ ହଡ଼ପ ପାଇଁ ଏହି ଜାଲ୍ ବିଲ୍ଗୁଡ଼ିକୁ ଆଇଏଫ୍ଏମ୍ଏସ୍ ପୋର୍ଟାଲ୍ରେ ବେଆଇନ ଭାବେ ପ୍ରକ୍ରିୟାକରଣ କରାଯାଉଥିଲା। ଅସଲି ବିଲ୍ରେ ପ୍ରକୃତ ଲାଭାର୍ଥୀଙ୍କ ବ୍ୟାଙ୍କ ବିବରଣୀ ଥିବା ବେଳେ, ଜାଲ୍ ବିଲ୍ଗୁଡ଼ିକରେ ଅଭିଯୁକ୍ତମାନଙ୍କ ସମ୍ପର୍କୀୟ ଓ ପରିଚିତ ଲୋକଙ୍କ ଆକାଉଣ୍ଟ ନମ୍ବର ବଦଳାଇ ଦିଆଯାଉଥିଲା। ମୋଟ ୪୮ ଜଣ ବ୍ୟକ୍ତିଙ୍କର ୭୭ଟି ବ୍ୟାଙ୍କ ଆକାଉଣ୍ଟକୁ ଏହି ଟଙ୍କା ଟ୍ରାନ୍ସଫର କରାଯାଇଥିଲା। ଟଙ୍କା ଜମା ହେବା ପରେ ସମ୍ପୃକ୍ତ ଆକାଉଣ୍ଟଧାରୀମାନେ ନଗଦ ଉଠାଇ କିମ୍ବା ଆକାଉଣ୍ଟ ମାଧ୍ୟମରେ ଅଭିଯୁକ୍ତମାନଙ୍କୁ ଟଙ୍କା ଫେରାଇ ଦେଉଥିଲେ। ଅର୍ଥ ହେରଫେର ଧରାପଡ଼ିବା ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଥିଲା। ଏହି କ୍ରମରେ ଅଭିଯୁକ୍ତମାନଙ୍କ ଦ୍ୱାରା ଆତ୍ମସାତ ହୋଇଥିବା ଅର୍ଥରୁ ୩.୯୬ କୋଟି ଟଙ୍କା ଜବତ କରାଯାଇଛି। ଶ୍ରୀମତୀ ମହାନ୍ତି, ଶ୍ରୀ ନାୟକ ଏବଂ ଅନ୍ୟ ସହଯୋଗୀଙ୍କ ବିରୋଧରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।


