ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷରେ ଦିନିକିଆ ସିରିଜ ହାରିବା ପରେ ପାକିସ୍ତାନ କଠୋର ସମାଲୋଚନାର ସମ୍ମୁଖୀନ ହେଉଛି। ମୀରପୁରରେ ଖେଳାଯାଇଥିବା ତୃତୀୟ ଏବଂ ନିର୍ଣ୍ଣାୟକ ମ୍ୟାଚ୍ରେ ବାଂଲାଦେଶ ପାକିସ୍ତାନକୁ ୧୧ ରନ୍ରେ ପରାସ୍ତ କରି ୨-୧ରେ ସିରିଜ୍ ଜିତିଛି। ଏହି ପରାଜୟ ପରେ ପୂର୍ବତନ ପାକିସ୍ତାନୀ ୱିକେଟକିପର-ବ୍ୟାଟ୍ସମ୍ୟାନ୍ କାମରାନ୍ ଆକମଲ୍ ଦଳ ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ ଅଧ୍ୟକ୍ଷ ମୋହସିନ୍ ନକଭିଙ୍କ ଉପରେ କଡା ଆକ୍ରମଣ କରିଛନ୍ତି।
କାମରାନ୍ ଆକମଲ୍ଙ୍କ କଡା ବୟାନ
ସିରିଜ୍ ପରାଜୟ ପରେ କାମରାନ୍ ଆକମଲ୍ ପାକିସ୍ତାନ କ୍ରିକେଟ୍ର ଅବସ୍ଥା ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଦଳର ଅବସ୍ଥା ଏତେ ଖରାପ ହୋଇଯାଇଛି ଯେ ନେଦରଲ୍ୟାଣ୍ଡସ୍ ଭଳି ଦଳ ମଧ୍ୟ ପାକିସ୍ତାନ ବିପକ୍ଷରେ ସିରିଜ୍ ଜିତିବାକୁ ଚାହିଁବ। ଏତିକିରେ ନ ରହି ଆକମଲ୍ ପାକିସ୍ତାନ କ୍ରିକେଟ୍ ବୋର୍ଡ ଅଧ୍ୟକ୍ଷ ମୋହସିନ୍ ନକଭିଙ୍କ ଉପରେ ମଧ୍ୟ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ, “ଯଦି ଦଳ ପଡ଼ିଆରେ ମ୍ୟାଚ୍ ଜିତିପାରିବ ନାହିଁ, ତେବେ ଆପଣ କ’ଣ ICC ଟ୍ରଫି ଚୋରି କରି ଘରକୁ ନେଇଯିବେ?”
ବୃଥା ଗଲା ସଲମାନ୍ ଆଗାଙ୍କ ଶଶତକୀୟ ପାଳି:
ପାକିସ୍ତାନ ବ୍ୟାଟ୍ସମ୍ୟାନ୍ ସଲମାନ୍ ଅଲି ଆଗା ଏହି ମ୍ୟାଚ୍ରେ ଚମତ୍କାର ବ୍ୟାଟିଂ କରିଥିଲେ। ସେ ୯୮ ବଲ୍ରେ ୧୦୬ ରନ୍ କରିଥିଲେ। ଏହା ତାଙ୍କର ତୃତୀୟ ଦିନିକିଆ ଶତକ ଥିଲା। ତଥାପି, ତାଙ୍କର ଚମତ୍କାର ଇନିଂସ ବିଜୟ ପାଇଁ ଯଥେଷ୍ଟ ନଥିଲା ଏବଂ ପାକିସ୍ତାନ ଶେଷ ବଲ୍ ରେ ୨୭୯ ରନରେ ଅଲଆଉଟ୍ ହୋଇଯାଇଥିଲା।
ତଞ୍ଜିଦ ହସନଙ୍କ ଶତକ
ପୂର୍ବରୁ ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୫୦ ଓଭରରେ ୫ ୱିକେଟ ହରାଇ ୨୯୦ ରନ କରିଥିଲା। ତଞ୍ଜିଦ ହସନ ୧୦୭ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ, ଯାହା ତାଙ୍କ କ୍ୟାରିୟରର ପ୍ରଥମ ଏକଦିବସୀୟ ଶତକ ଥିଲା। ଲିଟନ ଦାସ ମଧ୍ୟ ୪୧ ରନ କରି ଦଳକୁ ଏକ ଶକ୍ତିଶାଳୀ ସ୍କୋରରେ ପହଞ୍ଚାଇଥିଲେ।
ବାଂଲାଦେଶର ବିଜୟରେ ଦ୍ରୁତ ବୋଲର ତସକିନ ଅହମ୍ମଦ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ଚାରିଟି ୱିକେଟ ନେଇ ପାକିସ୍ତାନର ବ୍ୟାଟିଂକୁ ଝଟକା ଦେଇଥିଲେ। ମୁସ୍ତାଫିଜୁର ରହମାନ ଏବଂ ନାହିଦ ରାଣା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ୱିକେଟ ଯୋଗଦାନ ଦେଇଥିଲେ।
ଦଳ ପାଇଁ ଚିନ୍ତା ବୃଦ୍ଧି ପାଉଛି
ଏହି ସିରିଜରେ ପାକିସ୍ତାନ ଦଳରେ ଅନେକ ନୂତନ ଖେଳାଳିଙ୍କୁ ସୁଯୋଗ ଦିଆଯାଇଥିଲା, କିନ୍ତୁ ଦଳର ପ୍ରଦର୍ଶନ ଆଶାନୁରୂପ ନଥିଲା। ପ୍ରାରମ୍ଭିକ ୱିକେଟ ଯୋଗୁଁ ଦଳ ଲଗାତାର ଚାପରେ ଥିଲା। ବର୍ତ୍ତମାନ ଏହି ପରାଜୟ ପରେ ପାକିସ୍ତାନ କ୍ରିକେଟରେ ଅନେକ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।


