ଭୁବନେଶ୍ଵର: ଖୁବଶୀଘ୍ର ନୟାଗଡ଼ରେ ସ୍ଥାପନ ହେବ ଚିନି କଳ। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶ କ୍ରମେ ସମବାୟ ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟରତ ଇଣ୍ଡିଆନ୍ ପଟାସ୍ ଲିମିଟେଡର ଏକ ଟିମ୍ ନୟାଗଡ଼ ପହଞ୍ଚିଛନ୍ତି। ଏହି ଅବସରରେ ଜିଲ୍ଲା ପ୍ରଶାସନ ସହିତ ଏକ ବୈଠକ କରି ଚିନି କଳ ସ୍ଥାପନା ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ବୈଠକରେ ଜମି ଚିହ୍ନଟ, ଅଧିଗ୍ରହଣ ପ୍ରକ୍ରିୟା ଓ ପ୍ରାଯୁକ୍ତିକ ବ୍ୟବସ୍ଥା ବିଷୟରେ ଆଲୋଚନା କରାଯାଇଛି।
ଜିଲ୍ଲାରେ ଚିନି କଳ ସ୍ଥାପନା କେବଳ ଅଞ୍ଚଳର ଶିଳ୍ପ ଉନ୍ନତିକୁ ନୂଆ ଦିଗ ଦେବ ନାହିଁ ବରଂ ଏହା ଦ୍ୱାରା ସ୍ଥାନୀୟ ଚାଷୀ, ଯୁବକ ଓ ସାଧାରଣ ନାଗରିକଙ୍କ ପାଇଁ ନୂତନ ରୋଜଗାର ସୁଯୋଗ ସୃଷ୍ଟି ହେବ ବୋଲି ପୁରୀ ସାଂସଦ ସମ୍ବିତ ପାତ୍ର କହିଛନ୍ତି। ଏହି ପଦକ୍ଷେପ ଅଞ୍ଚଳର ଆର୍ଥିକ ସମୃଦ୍ଧି, ଆତ୍ମନିର୍ଭରତା ଓ ସମଗ୍ର ଉନ୍ନତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।


