ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ରେଶମ ନଗରୀ ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ରକ୍ତଚାପ ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଆରୋଗ୍ୟ ଭାରତୀ ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି ରକ୍ତଚାପ ରୋଗର କାରଣ ନିରାକରଣ ସମ୍ବନ୍ଧରେ ବୁଝାଇଥିଲେ। ଆମିଷ, ପନିର, ଅଶୁଦ୍ଧ କ୍ଷୀର, ଘିଅ, ପୋଡ଼ାତେଲ ଛଣାଖାଦ୍ୟ, ଧୂମପାନ, ମଦ୍ୟପାନ ଦ୍ଵାରା ମେଦବୃଦ୍ଧି ହୁଏ ଓ ଆଳସ୍ୟ, ଚିନ୍ତା, କ୍ରୋଧ ଦ୍ଵାରା ରକ୍ତଚାପ ହୁଏ।
ଏହି ସବୁ ତ୍ୟାଗ କରି ସାତ ଘଣ୍ଟା ଶୋଇବେ, ସକାଳ ସନ୍ଧ୍ୟା ଅଧା ଘଣ୍ଟା ଲେଖାଏଁ ଧ୍ୟାନ କରିବେ, ଉଚ୍ଚ ରକ୍ତଚାପରେ ସର୍ପଗନ୍ଧା ମୂଳ, ଅର୍ଜୁନ ଛାଲି କ୍ୱାଥ, ପଦ୍ମମଞ୍ଜି ସେବନ କଲେ ରକ୍ତଚାପ ସହ ହୃଦ୍ରୋଗ ମଧ୍ୟ ଭଲ ହୋଇଯାଏ।
ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତଶର୍କରା, ଗଣ୍ଠିବାତ, ଅମ୍ଳପିତ୍ତ, ସ୍ତ୍ରୀ ରୋଗ, ଚର୍ମରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା। ପରିଚାଳନାରେ ବରିଷ୍ଠ ସମାଜସେବୀ ଡି. ଶ୍ରୀନିବାସ ରାଓ ସହଯୋଗ କରିଥିଲେ।
ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ। ଏହାର ସୁଯୋଗ ନେବା ପାଇଁ ପ୍ରତିଷ୍ଠାନ ପକ୍ଷରୁ ଡଃ ନକୁଳ ସାହୁ ଅନୁରୋଧ କରିଛନ୍ତି।


