ବାରିପଦା: ରାସଗୋବିନ୍ଦପୁର ଝାଡ଼ାବାନ୍ତିରେ ଚିକିତ୍ସିତ ହେଉଥିବା ଛାତ୍ରୀମାନଙ୍କ ମଧ୍ୟରୁ ଜଣେ ଛାତ୍ରୀଙ୍କର ମୃତ୍ୟୁ ଘଟିଛି । ମୃତ ଛାତ୍ରୀ ଜଣକ ୫ମ ଶ୍ରେଣୀର ହୋଇଥିବାର ସୂଚନା ରହିଛି ।
ସୂଚନାଯୋଗ୍ୟ, ମୟୂରଭଞ୍ଜ ରାସଗୋବିନ୍ଦପୁର କକାବନ୍ଧ ଆଶ୍ରମ ସ୍କୁଲ ହଷ୍ଟେଲରେ ଗତ ଦୁଇଦିନ ତଳେ ପଖାଳ ଭାତ ଖାଇ ଝାଡ଼ାବାନ୍ତିରେ ପଡ଼ିଥିଲେ ୧୫୦ ଉର୍ଦ୍ଧ୍ୱ ଛାତ୍ରୀ । ସମସ୍ତ ଛାତ୍ରୀ ରାସଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ହୋଇପଡ଼ିଥିଲା ଏବଂ ଆଇସିୟୁରେ ଥିଲେ । ମାତ୍ର ଆଜି ତାଙ୍କର ମୃତ୍ୟୁ ଘଟିଛି । ତେବେ ପଖାଳ ଭାତ ଖାଇ ଛାତ୍ରୀମାନେ ଝାଡ଼ାବାନ୍ତିରେ ପଡ଼ିବା ଘଟଣାକୁ ନେଇ ତଦନ୍ତ ଚାଲିଛି । ଏବଂ ଏଥିପାଇଁ ଦାୟୀ କିଏ ସେ ନେଇ ତଦନ୍ତ ଚାଲିଛି । ଏହି ଘଟଣାରେ ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ । ମୃତ ଛାତ୍ରୀଙ୍କ ପରିବାରକୁ ୩ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଘୋଷଣା କରାଯାଇଛି ।


